spot_img
Home Blog Page 4098

ଫେରୁଛି କରୋନା, ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍ ଜାରି

ଭୁବନେଶ୍ୱର: କିଛି ଦିନର ବ୍ରେକ୍‌ ପରେ ପୁଣି ବଢିଲାଣି କରୋନା ସଂକ୍ରମଣ । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ଏବେ ଉପରମୁହାଁ ହୋଇଛି । ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଗାଇଡଲାଇନ୍‌ ଜାରି କରାଯାଇଛି । ଆସନ୍ତା ମାସରେ କିଛି ରାଜ୍ୟରେ ଉତ୍ସବ ପାଳନ ହେବାକୁ ଥିବା ବେଳେ ତାପୂର୍ବରୁ ସତର୍କ ରହିବାକୁ କୁହାଯାଇଛି । ମୁଖ୍ୟତଃ ପାଞ୍ଚଟି ନିୟମ ପାଳନ କରିବା ପାଇଁ କୁହାଯାଇଛି । ଟେଷ୍ଟ, ଟ୍ରାକ୍‌, ଟିଟ୍‌, ଟିକାକରଣ ଏବଂ କୋଭିଡ ନିୟମ ଅନୁପାଳନ କରିବାକୁ କୁହାଯାଇଛି । ବିଭିନ୍ନ ଉତ୍ସବ ପାଇଁ ଲୋକେ ଗହଳି ଜମାଉଥିବା ବେଳେ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି ।

ଟିକାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି । ବିଭିନ୍ନ ଉତ୍ସବରେ ଯୋଗ ଦେଉଥିବା ଲୋକେ କିପରି ଡବଲ ଡୋଜ୍‌ର ଟିକା ନେଇଥିବେ ତାହା ନିଶ୍ଚିତ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଲକ୍ଷ୍ୟଣ ଥିବା ବ୍ୟକ୍ତିଙ୍କର କରୋନା ଟେଷ୍ଟ ପାଇଁ କୁହାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ ଦେବା ସହ ବୟସ୍କ ଏବଂ ଏକାଧିକ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ସଚେତନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଭଉଣୀ ବିବାହରେ ଭାଇ ଦେଲା ଏମିତି ଉପହାର, କାନ୍ଦିଲେ ପରିବାର

ହାଇଦ୍ରାବାଦ: ଯଦି ଆପଣଙ୍କ ଉପରେ ବାପା ଓ ମାଆଙ୍କ ଆଶୀର୍ବାଦ ଓ ଭଲପାଇବା ରହିଛି ତେବେ ନିଜକୁ ଭାଗ୍ୟବାନ ମଣନ୍ତୁ । କାରଣ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜୀବନ୍ତ ନ ଥାଇ ବି ଝିଅ ବିବାହରେ ସାମିଲ ହୋଇଛନ୍ତି ବାପା । ଆପଣ ଭାବୁଥିବେ ଏହା ସମ୍ଭବ କିପରି ?

ଆଜ୍ଞା ହଁ ଏହା ସମ୍ଭବ କରିପାରିଛନ୍ତି କନ୍ୟାର ଭାଇ ଅର୍ଥାତ ହାଇଦ୍ରାବାଦର ଯୁବକ ଫନି କୁମାର । ସ୍ବର୍ଗତ ବାପାଙ୍କ ଅବିକଳ ମହମ ମୂର୍ତ୍ତି ନିର୍ମାଣ କରି ଭଉଣୀର ବିବାହରେ ଗିଫ୍ଟ ଦେଇଛି ଭାଇ  । ଏଭଳି ଉପହାର ଦେଖି ଭାବପ୍ରବଣ ହୋଇପଡିଥିଲା ଝିଅ । ତା’ ଆଖିରୁ ଝରିଯାଇଥିଲା ଧାରଧାର ଲୁହ । ସେଠାରେ ଉପସ୍ଥିତ ଥିବା ପରିବାରର ସମସ୍ତ ସଦସ୍ୟଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା । ବିବାହରେ ଯୋଗ ଦେଇଥିବା ଅତିଥି ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ  ।

୧୧ କେଜି ମହମରେ ନିର୍ମାଣ ହୋଇଥିବା ଏହି ମୂର୍ତ୍ତି ଖୁବ ଜୀବନ୍ତ । ସୋସିଆଲ ମିଡିଆର ଟ୍ରାଭେଲ ବ୍ଲଗରେ ଏହାକୁ ଅପଲୋଡ କରାଯାଇଥିବା ବେଳେ ଏହା ଏବେ ଭାଇରାଲ ହେଉଛି  ।

ଗତବର୍ଷ କୋରୋନାରେ କନ୍ୟାଙ୍କ ପିତା ଅଭୁଲା ସୁବ୍ରମଣ୍ୟମ କୋରୋନାରେ ପ୍ରାଣ ହରାଇଥିଲେ ।

ଦୋକାନରେ ପସି ହତ୍ୟା କରିଥିଲେ, ଏବେ ବନ୍ଧା ହେଲେ

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଦିନ ଦିପ୍ରହରରେ ହୋଇଥିବା ବିଭତ୍ସ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରାଜସମନ୍ଦ ଜିଲ୍ଲାର ଭିମା ଅଞ୍ଚଳରୁ ପୋଲିସ ଗିରଫ କରିଛି  । ହତ୍ୟା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ରାସ୍ତାରେ ଟାୟାର ଜଳାଯିବା ସହ ଆନ୍ଦୋଳନ କରାଯାଉଛି । ସମ୍ପୂର୍ଣ୍ଣ ଅଞ୍ଚଳ ଉତ୍ତେଜନା ପୂର୍ଣ୍ଣ ରହିଛି । ଗିରଫ ପରେ ଏବେବି ବିଦ୍ରୋହ ଜାରି ରହିଛି  । ବିରୋଧ କାରଣରୁ ଦୋକାନ ବଜାର ବନ୍ଦ କରିଦିଆ ଯାଇଛି  । ପୋଲିସ ଘଟଣାକୁ ଗୁରୁତର ସହ ନେଇ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି  ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି  । ସେ କହିଛନ୍ତି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ପୋଲିସର ସୂଚନା ମୁତାବକ, ଧାନମଣ୍ଡି ଥାନା ଅଞ୍ଚଳରେ ହୋଇଥିବା ଘଟଣା ପରେ ଉଦୟପୁରର ଧାନମଣ୍ଡି, ଘଣ୍ଟାଘର, ହାଥିପୋଲ, ଅମ୍ବାମାତା, ସୁରଜପୋଲ, ଭୁପାଲପୁରା ଏବଂ ସବିନା ପୋଲିସ ଥାନା ଅଞ୍ଚଳରେ ଗମନାଗମନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି  । ଆଗାମୀ ଅର୍ଡର ଆସିବା ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ  । ସୂଚନାଥାଉକି, ଉଦୟପୁର ସହର ଧାନମଣ୍ଡି ଥାନା ଅଞ୍ଚଳର ମାଲଦାସ ଷ୍ଟ୍ରିଟରେ ଜଣେ ଟେଲରଙ୍କ ଗଳାକାଟି ହତ୍ୟା କରାଯାଇଥିଲା  ।

କୁହାଯାଉଛି ଯେ ମୃତକଙ୍କ ୮ ବର୍ଷର ପୁଅ ନୁପୁର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତମାନେ ତାଙ୍କ ପିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଲେ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ହେଉଛି କହ୍ନେୟାଲାଲ ତେଲି ଏବଂ ସେ ଭୁତମହଲ ପାଖରେ ଟେଲରିଂ ଦୋକାନ କରିଥିଲେ  । ତାଙ୍କ ଦୋକାନ ଭିତରେ ପସି ଅତି ନୃସଂସ ଭାବେ ଦିନ ଦିପ୍ରହରେ ହତ୍ୟା କରାଯାଇଥିଲା ।  ହତ୍ୟା କରିଥିବା ଜଣେ ଅଭିଯୁକ୍ତର ନାଁ ହେଉଛି ରିୟାଜ ମହମ୍ମଦ  । ସେ ଭିଲୱାଡର ଅସିନ୍ଦ ଅଞ୍ଚଳର ବାସିନ୍ଦା । ଅନ୍ୟ ଅଭିଯୁକ୍ତର ନାଁ ଗୋସ ମହମ୍ମଦ  । ସେ ଉଦୟପୁରର ଖାଞ୍ଜିପିର ଅଞ୍ଚଳରେ ରହୁଥିଲା  ।

ଅଭିଯୁକ୍ତଙ୍କୁ ଧରିଥିବା ପୋଲିସକର୍ମୀ ଗଜେନ୍ଦ୍ର ସିଂହ କହିଛନ୍ତି, ଦୁଇ ଅଭିଯୁକ୍ତ ନାକାବନ୍ଦିରେ ଧରା ପଡିଛନ୍ତି  । ଦୁଇଜଣ ମୋଟର ସାଇକେଲରେ ପଳାୟନ କରୁଥିଲେ  । ଦୁଇଜଣଙ୍କୁ କାବୁ କରି ପୋଲିସ ଉଦୟପୁର ଅଭିମୁଖେ ଯାଇଛି  । ସେମାନଙ୍କ ପାଖରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ  । ତେବେ ଏହି ଦୁଇ ଅଭିଯୁକ୍ତଙ୍କୁ ଜାତୀୟ ତଦନ୍ତକାରୀ ସଂସସ୍ଥା ଏନଆଇଏ ପଚରା ଉଚରା କରିବ  । ସନ୍ଦେହ କରାଯାଉଛି ଯେ ଯେଉଁଭଳି ଭାବେ ସେମାନେ ଗଳା କାଟି ହତ୍ୟା କରିଛନ୍ତି ତାହା ତାଲିବାନି ପ୍ୟାଟର୍ଣ୍ଣ ଭଳି ପରିଲକ୍ଷିତ ହେଉଛି  । ଏମାନଙ୍କର ଆତଙ୍କବାଦୀଙ୍କ ସହ ଲିଙ୍କ ଅଛି କି ଅନ୍ୟ ଭାରତ ବିରୋଧୀ ସଂଗଠନ ସହ ଲିଙ୍କ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ  ।

ଭାରତ-ଆୟରଲ୍ୟାଣ୍ଡ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଡବ୍ଲିନ: ଆୟରଲ୍ୟାଣ୍ଡ ଗସ୍ତରେ ଏବେ ଭାରତୀୟ କ୍ରିକେଟ ଦଳ ଅଛି  । ଆଜି ଘରୋଇ ଆୟରଲ୍ୟାଣ୍ଡ ଏବଂ ଭ୍ରମଣକାରୀ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ହେବ  । ଟସ୍ ଜିତି ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି  । ଭାରତୀୟ ସମୟାନୁସାରେ ୯ଟାରେ ଖେଳ ଆରମ୍ଭ ହେବ  । ଗତ ରବିବାର ହୋଇଥିବା ପ୍ରଥମ ମ୍ୟାଚ ଭାରତୀୟ ଦଳ ଜିତିନେଇଥିଲା  । ଅବଶ୍ୟ ବର୍ଷା ଯୋଗୁଁ ୨୦ ଓଭର ପରିବର୍ତ୍ତେ ୧୨ ଓଭର ଖେଳ ହୋଇଥିଲା  । ଗତ ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା  । ଏବଂ ଏହି ନିଷ୍ପତ୍ତି ବିଜୟ ମଧ୍ୟ ଦେଇଥିଲା  । କିନ୍ତୁ ଆଜି ମ୍ୟାଚରେ ବ୍ୟାଟିଂ ନିଷ୍ପତ୍ତି ନେଇ ଅଧିନାୟକ ହାର୍ଦ୍ଦିକ ମସସ୍ତଙ୍କୁ ଚକିତ କରିଦେଇଛନ୍ତି  । ସେ କହିଛନ୍ତି ଗତ ମ୍ୟାରେ ବର୍ଷା କାରଣରୁ ପିଚ୍ ଧିମା ଥିଲା ଏହି କାରଣରୁ ବୋଲିଂ ନିଷ୍ପତ୍ତି ନେଇଥିଲୁ  । କିନ୍ତୁ ଆମେ ବ୍ୟାଟିଂ କରିବା ପାଇଁ ଭଲ ପାଉ  । ଏହି କାରଣରୁ ଆଜି ବ୍ୟାଟିଂ ନେଇଛୁ  । ଆଶା କରୁଛୁ ଟିମର ୟଙ୍ଗ ଖେଳାଳି ଭଲ ପ୍ରଦର୍ଶନ କରିବେ  ।

ଭାରତୀୟ ଦଳ: ସଞ୍ଜୁ ସାମସନ, ଇଶାନ କିଷାନ (ୱିକେଟ ରକ୍ଷକ), ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ହର୍ଶଲ ପଟେଲ, ରବି ବିଶ୍ନୋଇ, ଉମ୍ରନ ମଲ୍ଲିକ  ।

ଆୟରଲ୍ୟାଣ୍ଡ ଦଳ: ପଲ ଷ୍ଟିରଲିଂ, ଆଣ୍ଡ୍ରିଉ ବାଲବ୍ରାଇନ (ଅଧଇନାୟକ, ଗରେଥ ଡେଲାନି, ହାରି ଟେକ୍ଟର, ଲୋର୍କନ ଟକର (ୱିକେଟ କିପର), ଜର୍ଜ ଡକରେଲ, ମାର୍କ ଅଡେର, ଆଣ୍ଡି ଏମସିବ୍ରାଇନ, କ୍ରେଗ ୟଙ୍ଗ, ଜୋସୁଆ ଲିଟିଲ, କୋନର ଅଲଫ୍ରେଟ  ।

ଆରବ ସାଗରରେ ଖସି ପଡିଲା ପୱନହଂସ, ୪ ମୃତ

ମୁମ୍ବାଇ: ସମୁଦ୍ର ମଝିରେ ଉଦ୍ଧାର ବେଳେ ଅଘଟଣ । ଚେତାଶୂନ୍ୟ ହୋଇ ଚାଲିଗଲା ୪ ଜୀବନ । ଆରବ ସାଗରରେ ପୱନହଂସର ଜରୁରୀକାଳୀନ ଅବତରଣ ପରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ଓଏନଜିସିର ଅଧିକାରୀ ମୁକେଶ ପଟେଲ, ବିଜୟ ମାଣ୍ଡଲୋଇ, ସତ୍ୟମ୍ବାଦ ପାତ୍ର  ଓ ଜଣେ କଣ୍ଟ୍ରାକ୍ଟର ସଞ୍ଜୁ ଫ୍ରାନ୍ସିସ ।

୪ ଜଣଙ୍କୁ ଭାରତୀୟ ବାୟୁସେନାର ହେଲିକପ୍ଟର ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଭାଗ୍ୟବଶତଃ ସେମାନେ ବଞ୍ଚି ନଥିଲେ । ଏହି ଘଟଣାରେ ଓଏନଜିସି ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଛି ।

ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଓଏନଜିସି । ଆଜି ସକାଳେ ଓଏନଜିସି ହେଲିକପ୍ଟର ଆରବ ସାଗରରେ ଜରୁରୀ ଅବତରଣ ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ । ଦୁର୍ଘଟଣା ପରେ ଓଏନଜିସି ରିଗ ସାଗର କିରଣ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଷ୍ଟାଣ୍ଡବାଏ ଭେସେଲ ମାଲବୀୟ ୧୬ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିଥିଲା  ।

ମୁମ୍ବାଇ ଉପକୂଳ ନିକଟରେ ସମୁଦ୍ର ମଝିରେ ଖସି ପଡିଥିଲା ପୱନହଂସ । ତେବେ କିଛି ସମୟ ପାଣିରେ ଭାସିଥିଲା ପୱନହଂସ । ଠିକ ସମୟରେ ଉଦ୍ଧାରକାରୀ ଦଳ ପହଞ୍ଚି ହେଲିକପ୍ଟରରେ ଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର  ପାଗ ଅନୁକୂଳ ନଥିବାରୁ ଉଦ୍ଧାରକାରୀ ଟିମକୁ ନାକେଦମ ହେବାକୁ ପଡିଥିଲା ।

 

ଇଂଲଣ୍ଡର ବିଶ୍ୱବିଜୟୀ ଅଧିନାୟକ ମୋର୍ଗାନଙ୍କ ଅବସର ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ବିଶ୍ୱ ବିଜୟୀ ଅଧିନାୟକ ଇୟନ ମୋର୍ଗାନ  । ଦିନିକିଆରେ ବିଶ୍ୱକପରେ କେବେବି ବିଜୟୀ ହୋଇପାରୁନଥିବା ଇଂଲଣ୍ଡକୁ ୨୦୧୯ରେ ପ୍ରଥମ କପ୍ ଦେଇଥିଲେ ଇଅନ ମୋର୍ଗାନ  ।  ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇବିସି) ମଙ୍ଗଳବାର ଏହାର ସୂଚନା ଦେଇଛି  । ବାମହାତୀ ବ୍ୟାଟ୍ସମ୍ୟାନ ମୋର୍ଗାନ ଗତ ଏକ ବର୍ଷ ହେବ ଫିଟନେସ ଏବଂ ଫର୍ମ ସମସ୍ୟାକୁ ନେଇ ଚିନ୍ତିତ ଥିଲେ । ଗତ ସୋମବାର ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଆସିଥିଲା କି ମୋର୍ଗାନ ଖୁବଶୀଘ୍ର ସନ୍ୟାସ ଘୋଷଣା କରିବେ  । ଆଉ ଆଜି ସେ ଅବସର ଘୋଷଣା କରିଛନ୍ତି  ।

୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡ କ୍ରିକେଟ ବୋର୍ଡ ଇସିବିକୁ ନିଜ ଅବସର ସମ୍ପର୍କରେ ବିବୃତି ଦେଇଛନ୍ତି  । ଇସିବିକୁ ଦେଇଥିବା ବିବୃତିରେ କହିଛନ୍ତି, ଅନେକ ବିଚାର ବିମର୍ଶ ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ନିଜ ଅବସର ଘୋଷଣା କରୁଛି  । ସବୁଠାରୁ ପ୍ରିୟ ଖେଳକୁ ଅଲବିଦା କହିବା ସହଜ ନିଷ୍ପତ୍ତି ନଥିଲା  । କିନ୍ତୁ ଅବସର ନେବାର ଏହା ଉପଯୁକ୍ତ ସମୟ  । ନିଜ ୧୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମୋର୍ଗାନ ୨ଟି ଆଇସିସି ଟାଇଟଲ ଜିତିଛନ୍ତି  । ତାଙ୍କ ନେତୃତ୍ୱରେ ଇଂଲଣ୍ଡ କ୍ରିକେଟ ଦଳ ଇତିହାସ ରଚିଥିଲା ଏବଂ ୨୦୧୯ରେ ପ୍ରଥମଥର ଦିନିକିଆରେ ବିଶ୍ୱକପ ବିଜେତା ହେବାର ଗୌରବ ହାସଲ କରିଥିଲା  । ୨୦୧୦ରେ ଟି-୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ ଦଳର ସଦସ୍ୟ ମଧ୍ୟ ଥିଲେ ମୋର୍ଗାନ  ।

ଇସିବି କହିଛି, ଟି-୨୦ରେ ଇଂଲଣ୍ଡ ପାଇଁ ସବୁଠୁ ଅଧିକ ମ୍ୟାଚ ଖେଳିଥିବା ଏବଂ ସର୍ବାଧିକ ରନ୍ କରିଥିବା ଖେଳାଳି ହେଉଛନ୍ତି ମୋର୍ଗାନ  । ୨୦୧୧ରେ ପ୍ରଥମଥର ପାଇଁ ଇଂଲଣ୍ଡ ଦଳର ନେତୃତ୍ୱ ନେଇଥିଲେ । ଇସିବି ନିଜ ବୟାନରେ କହିଛି ପୁରୁଷ ଦିନିକିୟା ଦଳର ଅଧିନାୟକ ରୂପରେ ମୋର୍ଗାନ ୭ ବର୍ଷ ଦାୟିତ୍ୱ ସମ୍ଭାଳିଛନ୍ତି ଏବଂ ଏହି ସମୟରେ ସେ ଇଂଲଣ୍ଡଙକୁ ଆଇସିସି ବିଶ୍ୱ ରାଙ୍କିଂରେ ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚାଇଥିଲେ  । ଏହା ବ୍ୟତୀତ ପ୍ରମୁଖ ଦେଶ ବିରୋଧରେ ଉଲ୍ଲେଖନୀୟ ସିରିଜ ମଧ୍ୟ ଜିତିଛନ୍ତି  ।  ମୋର୍ଗାନ ଆୟରଲ୍ୟାଣ୍ଡ ପାଇଁ ଖେଳି ଡେବ୍ୟୁ କରିଥିଲେ  । ପରେ ଇଂଲଣ୍ଡ  ଦଳ ପକ୍ଷରୁ ଖେଳିଥିଲେ  ।

ମୋର୍ଗାନଙ୍କ ନେତୃତ୍ୱରେ ଟିମ ଇଂଲଣ୍ଡ ୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ସ୍ଥାନ ତିଆରି କରିଥିଲେ  । ୨୦୧୭ ଚାମ୍ପିୟନ୍ସ ଟ୍ରଫି ଏବଂ ୨୦୨୧ରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲେ  । ମୋର୍ଗାନ ୨୦୧୫ ବିଶ୍ୱକପ ଠିକ ପୂର୍ବରୁ ଇଂଲଣ୍ଡର ଅଧିନାୟକ ଭାର ସମ୍ଭାଳିଥିଲେ  । ତାଙ୍କୁ ଏଲିୟଷ୍ଟର କୁକଙ୍କ ସ୍ଥାନରେ ଦଳର ଅଧିନାୟକତ୍ୱ ମିଳିଥିଲା  । ଅବଶ୍ୟ, ବିଶ୍ୱକପ ୨୦୧୫ରେ ଟିମର ପ୍ରଦର୍ଶନ ଭଲ ନଥିଲା  । ଏହାପରେ ସେ କୋଚ ଟ୍ରେବର ବୋଲିସଙ୍କ ସହ ଇଂଲଣ୍ଡର ଭାଗ୍ୟ ବଦଳାଇବା ପାଇଁ କାମ କରିଥିଲେ ଏବଂ ୨୦୧୯ରେ ଦିନିକିଆ ବିଶ୍ୱକପ ଜିତିଥିଲେ  । ତାଙ୍କର ଅବସର ଘୋଷଣା ପରେ ତାଙ୍କ ସମର୍ଥକମାନେ ଦୁଃଖର ସହ ବିଦାୟ ଦେଉଛନ୍ତି  । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସମର୍ଥକ ମାନେ ଏପରି ନିଷ୍ପତ୍ତି କାହିଁକି ନେଲେ ବୋଲି ପ୍ରଶ୍ନ କରୁଛନ୍ତି  ।

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ ଓ ଏସପି

ବଲାଙ୍ଗୀର: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ ଓ ଏସପି  । ବଲାଙ୍ଗୀର ମୁରିବାହାଲ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଚାନକ୍ ପହଞ୍ଚି ସ୍କୁଲ ପରିଦର୍ଶନ କରିବା ସହ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ମଧ୍ୟାହ୍ନ ଭୋଜନ କରିଥିଲେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ନୀତିନ କୁଶଲକର । ଜିଲ୍ଲାପାଳ, ଏସପି ଓ ଉପ ଜିଲ୍ଲାପାଳ ମିଶି ଏକାଠି ମଧ୍ୟାହ୍ନ ଭୋଜନ କରୁଥିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି  ।

ମୁରିବାହାଲ ବ୍ଲକରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନଶୁଣାଣି ହୋଇଥିଲା  । ଜନଶୁଣାଣିରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ ଓ ଏସପି  । ତେବେ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିଜ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ ଗ୍ରାମବାସୀ  । ସେପଟେ ସ୍କୁଲରେ ପହଁଚି ଯେଉଁଭଳି ଭାବରେ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ, ତାହା ଆଗାମୀ  ଦିନରେ  ନିମ୍ନମାନର ଖାଦ୍ୟରେ ରାନ୍ଧିବାରେ ରୋକ ଲଗାଇବ  ।

ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା, ଦେଶଦ୍ରୋହ ଅଭିଯୋଗରେ ହାଇକୋର୍ଟରେ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ମତଭେଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ମାମଲା । ଜଣେ ସାମଜିକ କର୍ମୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି ।

ସାମାଜିକ କର୍ମୀଙ୍କ ପକ୍ଷରୁ ଦାଖଲ କରଯାଇଥିବା ଯାଚିକାରେ ଦାବି କରାଯାଇଛି ଯେ ତିନି ନେତାଙ୍କ ବିରୁଦ୍ଧରେ ଅରାଜକତା ଓ ସରକାରୀ କାମକୁ ରୋକିବା ପାଇଁ ଦେଶଦ୍ରୋହ ମାମଲା ଦାଏର କରାଯିବା ଉଚିତ । ଠାକରେ ପିତାପୁତ୍ର ଓ ସଞ୍ଜୟ ରାଉତ ଆୟୋଜନ କରୁଥିବା ପ୍ରେସ କନଫରେନ୍ସରେ ବି ଅଦାଲତ ରୋକ ଲଗାଇବା ଉଚିତ ବୋଲି କହିଛନ୍ତି ଯାଚିକାକର୍ତ୍ତା ।

ଏହି ତିନି ନେତା ସାର୍ବଜନିକ ସ୍ଥାନରେ ଶାନ୍ତି ଭଙ୍ଗ କରୁଛନ୍ତି । ଏହାଛଡା ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀ ବିରୁଦ୍ଧରେ ତିନି ନେତାଙ୍କ ଆପତ୍ତିଜନକ ବୟାନରେ ରୋକ ଲଗାଇବା ଉଚିତ ବୋଲି ଜନହିତ ଯାଚିକାରେ ଉଲ୍ଲେଖ ହୋଇଛି । ତିନି ନେତାଙ୍କ ଧମକ ପାଇଁ ଶିବସେନାର ବିଦ୍ରୋହୀ ବିଧାୟକ ଆସାମରେ ଡେରା ପକାଇଛନ୍ତି ।

ଏମାନଙ୍କ ପ୍ରରୋଚନାରେ ଶିବସୈନିକ ମାନେ ରାଜ୍ୟରେ ହିଂସା ସୃଷ୍ଟି କରୁଥିବାବେଳେ ଅନେକ ସ୍ଥାନରେ ଦଙ୍ଗାର କାରଣ ସାଜୁଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ।

 

ନୁପୁରଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଟେଲରଙ୍କୁ ହତ୍ୟା

ଉଦୟପୁର: ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣଙ୍କୁ ସ୍ପଷ୍ଟ ଦିବାଲୋକରେ ଜଘନ୍ୟ ହତ୍ୟା  । ଜୟପୁର ଉଦୟପୁର ଜିଲ୍ଲା ଧାନମଣ୍ଡି ସ୍ଥିତ ଭୂତମହଲରେ ଘଟିଛି ଏହି ଅଭାବବନୀୟ ଘଟଣା  ।  ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ସମର୍ଥନରେ ଗଣମାଧ୍ୟମରେ ପୋଷ୍ଟ କରିବାରୁ ହତ୍ୟା କରାଯାଇଛି । ସମର୍ଥନରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ଦୋକାନରେ ପସି ଦିନ ଦିପ୍ରହରରେ  ଆକ୍ରମଣକାରୀ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ବେକ କାଟି ହତ୍ୟା କରିଛନ୍ତି  । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । କେବଳ ଏତିକି ନୁହେଁ ଘଟଣା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ଦୁଇ ମୁସଲିମ ଯୁବକ।

କହ୍ନେୟାଲାଲ ତେଲିଙ୍କର ଧାନମଣ୍ଡି ସ୍ଥିତ ଭୂତମହଲ ପାଖରେ ସୁପ୍ରିମ ଟେଲର୍ସ ନାଁରେ ଦୋକାନ ରହିଛି  । ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟା ୩୦ ମିନିଟରେ ବାଇକରେ ଦୁଇଜଣ ଦୁର୍ବୁର୍ତ୍ତ ଆସିଥିଲେ  । ମାପ ଦେବା ବାହାନା କରି ଦୋକାନରେ ପସିଥିଲେ  । କହ୍ନେୟାଲାଲ କିଛି ବୁଝିବା ଆଗରୁ ଦୁର୍ବୁର୍ତ୍ତ ଆକ୍ରମଣ କରିଦେଇଥିଲେ  । ଖଣ୍ଡାରେ ଚୋଟ ପରେ ଚୋଟ ମାରିଥିଲେ । ଘଟଣାସ୍ଥଳରେ ହିଁ କହ୍ନେୟାଲାଲଙ୍କ ମୃତ୍ୟୁ ଘଟିଥିଲା  । ଏହାପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ  । ସୂଚନା ମିଳିବା ପରେ ଧାନମଣ୍ଡି ସମେତ ଘଣ୍ଟାଘର ଏବଂ ସୁରଜପୋଲ ଥାନାର ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା  । ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି  । ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି  ।

ସୂଚନାନୁଯାୟୀ କହ୍ନେୟାଲାଲ ବିଳାସ ଅଞ୍ଚଳରେ ରହୁଥିଲେ  । ୧୦ ଦିନ ପୂର୍ବରୁ ସେ ବିଜେପିରୁ ବହିସ୍କୃତ ନୁପୁର ଶର୍ମାଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ  । ଏହାପରଠାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଏକ ସମ୍ପ୍ରଦାୟରୁ ଧମକ ଆସୁଥିଲା  । କହ୍ନେୟାଲାଲ ଏତେ ଭୟଭୀତ ଥିଲେ ଯେ ୬ ଦିନ ହେବ ନିଜ ଟେଲର ଦୋକାନ ଖୋଲୁନଥିଲେ  । ତାଙ୍କୁ ଧମକ ଦେଉଥିବା ମୁସଲିମ ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜୁ କରିଥିଲେ କହ୍ନେୟାଲାଲ । ହେଲେ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇନଥିଲା । ତାଙ୍କର ଏବେ ମୃତ୍ୟୁ ହେବାପରେ ଅଞ୍ଚଳରେ ଅଶାନ୍ତି ଦେଖାଯାଇଛି  ।

ଅନେକ ସ୍ଥାନରେ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଆନ୍ଦୋଳନ ସହ ରାସ୍ତାରୋକ କରାଯାଉଛି  । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିନେହବ ସେଥିପାଇଁ ପୋଲିସ ପକ୍ଷରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜଘନ୍ୟ ହତ୍ୟାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  । ସମସ୍ତେ ଶାନ୍ତି ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି  । ସୂଚନା ଥାଉକି ବିଜେପିର ପୂର୍ବତନ ନେତ୍ରୀ ନୁପୁର ଶର୍ମା ଏକ ଟିଭି ସୋ’ରେ ମୁସଲିମ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ  ।  ତାଙ୍କର ଏହି ବୟାନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା  । ବିଜେପି ମଧ୍ୟ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା  ।

ଜୁଲାଇ ୧ରୁ ଦେଶରେ ବ୍ୟାନ୍‌ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦେଶରେ ବ୍ୟାନ ହେବ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ । ଏଥିରୁ ପ୍ରସ୍ତୁତ ସାମଗ୍ରୀରେ ବ୍ୟାନ ଲଗାଇବାପାଇଁ ଘୋଷଣା କରିଛି ପରିବେଶ ମନ୍ତ୍ରାଳୟ । ଏକକ ବ୍ୟବହାର ପ୍ଲାଷ୍ଟିକରେ ତିଆରି ବସ୍ତୁ କମ ବ୍ୟବହାର ହେବା ସହ ଆବର୍ଜନା ସୃଷ୍ଟି କରିଥାଏ । ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଆସନ୍ତା ଜୁଲାଇ ୧ରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ପ୍ରସ୍ତୁତି, ଆମଦାନୀ, ଷ୍ଟକ, ବିତରଣ, ବିକ୍ରି ଓ ବ୍ୟବହାରରେ ପ୍ରତିବନ୍ଧକ ଲାଗିବ । ପ୍ଲାଷ୍ଟିକ କପ, ଗ୍ଲାସ, ଚାମଚ, ଛୁରୀ, ଷ୍ଟ୍ର, ପିବିସିରେ ତିଆରି ୧୦୦ ମାଇକ୍ରୋନରୁ କମ ମୋଟା ବ୍ୟାନର ଆଉ ବଜାରରେ ଦେଖିବାକୁ ମିଳିବନି  । ଏହା ବ୍ୟତୀତ ବେଲୁନ, ଇଅର ବଡ, ଆଇସକ୍ରିମ, କ୍ୟାଣ୍ଡି (ଚକୋଲେଟ)ରେ ବ୍ୟବହୃତ ପ୍ଲାଷ୍ଟିକ କାଠିକୁ ବି ବାଦ୍‌ ଦିଆଯାଇଛି ।

ପ୍ରତିବନ୍ଧିତ ବସ୍ତୁରେ ମିଠାଡବା, ସିଗାରେଟ ପ୍ୟାକେଟ, ନିମନ୍ତ୍ରଣ କାର୍ଡ ବି ସାମିଲ ରହିଛି । ସାଧାରଣତଃ ପ୍ଲାଷ୍ଟିକ ପେପର ଗୁଡିକ ପ୍ୟାକେଜିଂ ଉଦ୍ଦ୍ୟୋଗରେ ବହୁଳ ଭାବରେ ବ୍ୟବହୃତ ହୁଏ  । ଏହା ଆଦ୍ରର୍ତାକୁ ନିୟନ୍ତ୍ରଣ କରି ସାମଗ୍ରୀକୁ ଖରାପ ହେବାରୁ ରକ୍ଷା କରିଥାଏ ।

ପୂର୍ବରୁ ବି ପ୍ଲାଷ୍ଟିକ ନିର୍ମିତ କିଛି ସାମଗ୍ରୀ ଉପରେ ସରକାର କଟକଣା ଲଗାଇଥିଲେ । ଏଥିରେ ୭୫ ମାଇକ୍ରୋନରୁ କମ ମୋଟା ଯୁକ୍ତ ପ୍ଲାଷ୍ଟିକ କ୍ୟାରି ବ୍ୟାଗର ପ୍ରସ୍ତୁତି, ଆମଦାନୀ, ବିତରଣ, ବିକ୍ରି ଓ ବ୍ୟବହାର ସାମିଲ ଅଛି । ସେହିପରି ଆଗାମୀ ଡିସେମ୍ବର ୩୧, ୨୦୨୨ରୁ ୧୨୦ ମାଇକ୍ରୋନରୁ କମ ମୋଟେଇଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ରେ ପ୍ରତିବନ୍ଧକ ଲାଗିବ ।

ମନ୍ତ୍ରାଳୟ କହିଛି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବି ନିଜ ସୀମାରେ ଚେକପଏଣ୍ଟ କରି କଡା ଯାଞ୍ଚ କରିବେ  । ଯେପରି ଏହି ସାମଗ୍ରୀ ଅନ୍ୟ ରାଜ୍ୟକୁ ପହଞ୍ଚି ପାରିବ ନାହିଁ । ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଯୋଗୁଁ କେବଳ ସ୍ଥଳଭାଗ ନୁହେଁ ସମୁଦ୍ର ପରିବେଶ ବି ଦୂଷିତ ହେଉଥିବା କହିଛି ପରିବେଶ ମନ୍ତ୍ରାଳୟ ।