spot_img
Home Blog Page 4099

ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ ।

 

କମୁଛି ହୀରାକୁଦର ଜଳସ୍ତର, ୬୨୫.୧୦ ଫୁଟ୍‌ ରହିଛି ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: କମୁଛି ହୀରାକୁଦର ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର ୬୨୫.୧୦ ଫୁଟ୍ ରହିଛି । ଏବେବି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୨୮ ଓ ଡାହାଣ ପାର୍ଶ୍ୱରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୬ ହଜାର ୨୨୭ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ବରମୂଳାରେ ମହାନଦୀରେ ୯ ଲକ୍ଷ ୭ ହଜାର ୫୦୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଖଇରାମାଳରେ ୮ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପାସ୍ କରୁଛି । ସେହିପରି କଟକ ମୁଣ୍ଡଳୀରେ ପାସ୍ କରୁଛି ୧୦ ଲକ୍ଷ ୧୮ ହଜାର ୩୭୨ କ୍ୟୁସେକ ବନ୍ୟାଜଳ ।

 

ଆଜି ଭାରତ-ଜିମ୍ବାଓ୍ୱେ ପ୍ରଥମ ଦିନିକିଆ

ହରାରେ: ଆଜିଠାରୁ ଭାରତ-ଜିମ୍ବାୱେ ଦିନିକିଆ ସିରିଜ୍ ଆରମ୍ଭ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଆଜି ଦିନ ୧୨ଟା ୪୫ରୁ ଆରମ୍ଭ ହେବ । ହରାରେସ୍ଥିତ ହରାରେ ସ୍ପୋଟ୍‌ର୍ସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଟିମ୍ ଟକ୍କର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ସିରିଜର ପରବର୍ତ୍ତୀ ମ୍ୟାଚ ୨୦ ଓ ୨୨ ତାରିଖରେ ଖେଳାଯିବ । ଏହି ସିରିଜରେ କେଏଲ ରାହୁଲଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଏସିଆ କପକୁ ଦୃଷ୍ଟିରେ ରଖି ଭାରତର ବରିଷ୍ଠ ଖେଳାଳିମାନଙ୍କୁ ଏହି ଶୃଙ୍ଖଳାରୁ ବାଦ ଦିଆଯାଇଛି ।

ଜିମ୍ବାୱେ ବିପକ୍ଷରେ ଯୁବ ପ୍ରତିଭାମାନଙ୍କୁ ଅଧିକ ସୁଯୋଗ ମିଳିଛି । ଶିଖର ଧାଓ୍ୱନ, ରାହୁଲ, ଶୁଭମନ ଗିଲ୍, ଦୀପକ ହୁଡା ଓ ସଞ୍ଜୁ ସାମସନଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ଲାଇନ୍ ଦଳ ପାଇଁ ବଡ଼ ସ୍କୋର ହାସଲ କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି । ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଦୀପକ ଚହର, କୁଲଦୀପ ଯାଦବ ଓ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲଙ୍କୁ ନେଇ ଭାରତୀୟ ବୋଲିଂ ବେଶ୍ ସୁଦୃଢ଼ ରହିଛି । ଅନ୍ୟପକ୍ଷରେ ଜିମ୍ବାଓ୍ୱେ ବ୍ୟାଟର ସିକନ୍ଦର ରାଜା, ଚକଭା, ଇନୋସଣ୍ଟ କାଇଆଙ୍କ ପ୍ରଦର୍ଶନ ଉପରେ ଅଧିକ ନିର୍ଭରଶୀଳ ହେବ ।

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟରାତ୍ରିରେ ଜନ୍ମନେବେ ଭଗବାନ କୃଷ୍ଣ

ଭୁବନେଶ୍ୱର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଶ୍ରୀମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେଉଛି । ସ୍ୱତନ୍ତ୍ର ରୀତିନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସଂଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ।

କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂଶର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ । ପରେ କଂଶର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଗାଁଠୁ ସହର ସବୁଠି ଏହି ଦିନ ଉତ୍ସବମୂଖର ହୋଇଉଠେ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି ।

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା, ୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ଆସନ୍ତାକଲି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ସକାଳ ୮ଟା ୩୦ ସୁଦ୍ଧା ଢେଙ୍କାନାଳ, ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୧୯ ତାରିଖରେ ୧୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ସେହିଭଳି ୨୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ସହ ୯ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ତେବେ ଆସନ୍ତାକାଲିଠାରୁ ଛତିଶଗଡ଼ରେ ବର୍ଷା ହେବ । ଫଳରେ ମହାନଦୀ ଉପର ମୁଣ୍ଡରେ ବର୍ଷା ସହ ନଦୀ ଜଳସ୍ତର ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

ଆଜି ପୁଣି ବଢ଼ିବ ଜଳ ପ୍ରବାହ, ମୁଣ୍ଡଳୀରେ ପ୍ରବାହିତ ହେବ ୯ ଲକ୍ଷ ୫୦ ହଜାରରୁ ଅଧିକ କ୍ୟୁସେକ ଜଳ

କଟକ: ଆଜି ପୁଣି ବିଭିନ୍ନ ନଦୀରେ ବଢ଼ିବ ଜଳ ପ୍ରବାହ । ହୀରାକୁଦ ଗେଟ୍ ଖୋଲିବା ପରେ ଜଳ ପ୍ରବାହ ବଢ଼ିବ । ପ୍ରାୟ ୯ ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ । ମୁଣ୍ଡଳୀରେ ୨ ଘଣ୍ଟା ପରେ କମିବ ଓ୍ୱାଟର ଫ୍ଲୋ । ତେବେ ଆଜି ସବୁ ଅଞ୍ଚଳରୁ ପାଣି କମିବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏସଆରସି । ରାଜ୍ୟରେ ଏପର୍ଯ୍ୟନ୍ତ ୬ଟି ଘାଇ ସୃଷ୍ଟି ହୋଇଥିବାବେଳେ ୧୯୭ଟି ସୃଷ୍ଟି ହୋଇଥିବା ଘଳିଆ ବନ୍ଦ କରାଯାଇଛି ।

ଅନ୍ୟପକ୍ଷରେ ଆଜି ହେବାକୁ ଥିବା ବର୍ଷାକୁ ନେଇ ସମସ୍ତ ଜିଲ୍ଳାପାଳଙ୍କୁ ସତର୍କ କରାଯାଇଛି । ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ଏସଆରସି । ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି । ପ୍ରତି ତହସିଲରେ ପଲିଥିନ୍ ଗଛିତ ଅଛି । ତେବେ ଚଳିତ ବନ୍ୟାରେ ପ୍ରାୟ ୪ ଲକ୍ଷ ୬୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୨ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅଛନ୍ତି । ସେହିପରି ୬୦ ହଜାରରୁ ଅଧିକ ଲୋକଙ୍କୁ ଏବେ ରନ୍ଧାଖାଦ୍ୟ ଦିଆଯାଉଛି । ତେବେ ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ଜାତୀୟ ସବଜୁନିୟର ଓ ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗୀତାରେ ଓଡ଼ିଶା ଖେଳାଳିଙ୍କ ସଫଳତା

ଭୁବନେଶ୍ୱର: କେରଳରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ସବଜୁନିୟର ଓ ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗୀତା। ଗତ ୧୦ ଅଗଷ୍ଟରୁ ୧୪ ପର୍ଯ୍ୟନ୍ତ ହୋଇଥିବା ଏହି ପ୍ରତିଯୋଗୀତାରେ ଓଡ଼ିଶାକୁ ମିଳିଛି ସଫଳତା। ଓଡ଼ିଶାରୁ ମୋଟ ୧୬ଜଣ ପ୍ରତିଯୋଗୀ ଭାଗନେଇଥିବାବେଳେ ପ୍ରିୟବ୍ରତ ବିଶୋଇ ୧୦୫ କିଗ୍ରା ବର୍ଗରେ ଓଭରଅଲରେ କାଂସ୍ୟ ପଦକ ପାଇଥିବାବେଳେ ସ୍କ୍ୱାଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ଦିବ୍ୟଲେଖା ମିଶ୍ର ୭୬ କିଗ୍ରା ବର୍ଗରେ ଡେଡଲିଫ୍ଟରେ ରୋପ୍ୟ ପଦକ ହାସଲ କରିଥିବାବେଳେ ବୈଭବଶ୍ୱର ସାହୁ(ସବଜୁନିୟର) ୫୩ କିଗ୍ରା ବର୍ଗରେ ଡେଡଲିଫ୍ଟରେ ରୈପ୍ୟ ପଦକ ହାସଲ କରିଛନ୍ତି। ତେବେ ଟିମ୍ ସହ ଗଙ୍ଗାଧର ବିଶୋଇ କୋଟ୍ ଓ ମ୍ୟାନେଜର ଭାବେ ଯାତ୍ରା କରିଥିଲେ ।

ଜାତୀୟ ସ୍ତରରେ ଓଡ଼ିଶା ଦଳର ଏହି ସଫଳତା ପାଇଁ ରାଜ୍ୟ ଶକ୍ତି ଉତ୍ତୋଳନ ସଙ୍ଘର ସମ୍ପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ତଥା ସଙ୍ଘର ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି।

DEO, DPC ଓ BEOଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ; ଆଶ୍ରୟ ସ୍ଥଳ ଓ ରିଲିଫ ବଣ୍ଟନରେ ସ୍କୁଲକୁ ବ୍ୟବହାର କରାଯାଉ

ଭୁବନେଶ୍ୱର: ଆସନ୍ନ ବର୍ଷା ଓ ବନ୍ୟା ଲାଗି ଗଣଶିକ୍ଷା ବିଭାଗର ପ୍ରାକ୍ ପ୍ରସ୍ତୁତି । DEO, DPC ଓ BEOଙ୍କୁ ନିର୍ଦ୍ଦେଶ ଜାରି କଲା ବିଭାଗ । ପ୍ରଭାବିତ ଜିଲ୍ଲାରେ ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରିବାକୁ ନିର୍ଦ୍ଦେଶ । ଆଶ୍ରୟ ସ୍ଥଳ ଓ ରିଲିଫ ବଣ୍ଟନ କାର୍ଯ୍ୟରେ ସ୍କୁଲକୁ ବ୍ୟବହାର କରାଯାଉ, ଆବ୍ୟଶ୍ୟକସ୍ଥଳେ ସ୍କୁଲ MDM ସାମଗ୍ରୀ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରେ ଏହାକୁ ଭରଣ କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ସୁରକ୍ଷିତ ଭାବେ ରଖିବାକୁ ପରାମର୍ଶ ଦିଆଯିବା ସହ ବର୍ଷା ଯୋଗୁ ଯେଉଁ କ୍ଷୟକ୍ଷତି ହେବ ରିପୋର୍ଟ ଦେବାକୁ ବି ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ବିଜ୍ଞାନ ଓ କାରିଗରୀ ପରିବେଶର ଦୃଢ଼ୀକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଳଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଆଜି ଅପରାହ୍ଣରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ସମ୍ମିଳିତ ଉଦ୍ୟମରେ ବିଜ୍ଞାନ ଓ କାରିଗରୀ କାର୍ଯ୍ୟକ୍ରମ ତଥା ଅଭିନବ ଭିତ୍ତିଭୂମିର ଉନ୍ନତିକରଣ ଉପରେ ବୁଝାମଣାପତ୍ରରେ ଗୁରୁତ୍ୱାରୋପ କରାଯାଇଛି।

ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ରାଜ୍ୟର ସାମର୍ଥ୍ୟକୁ ଏପରି ପଦକ୍ଷେପ ଅଧିକ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟରେ ବିଜ୍ଞାନ ଶିକ୍ଷା, ଗବେଷଣା, ଯୋଗାଯୋଗ ଓ ନୂତନ ଉଦ୍ଭାବନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବାରେ ଏପରି ବୁଝାମଣା ଲାଭଦାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି। ସେ ମଧ୍ୟ ରାଜ୍ୟରେ
ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ, ବିଭିନ୍ନ ବିଜ୍ଞାନଭିତ୍ତିକ କୌଶଳର ହସ୍ତାନ୍ତରଣ, ଶିକ୍ଷା-ସ୍ୱାସ୍ଥ୍ୟ-ପରିମଳ-ପରିବେଶ ଓ ଯୋଗାଯୋଗ କ୍ଷେତ୍ରରେ ଅଧିକ ଜ୍ଞାନବିନିମୟ, ତାଲିମ ଓ ଦକ୍ଷତା ବୃଦ୍ଧି, ଉଦ୍ୟୋଗ ତଥା ବୁଦ୍ଧିଜୀବୀଙ୍କ ମିଳିତ ଉଦ୍ୟମ ନିମନ୍ତେ ପ୍ରୋତ୍ସାହନ ଏବଂ ବିଦ୍ୟାଳୟସ୍ତରରୁ ପରୀକ୍ଷାମୂଳକ ଶିକ୍ଷଣ ନିମନ୍ତେ କାର୍ଯ୍ୟକ୍ରମ ରୂପାୟନ ଇତ୍ୟାଦି କ୍ଷେତ୍ରରେ ଉଭୟ ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିସିକେଆଇସି ଏକତ୍ର କାର୍ଯ୍ୟ କରିବେ ବୋଲି ବୁଝାମଣାପତ୍ରରେ ଦର୍ଶାଯାଇଛି।

ସ୍ପେଶାଲ ଡ୍ରାଇଭରେ କଟିଲା ୨୭୩ଟି ଚାଲଣ, ଦିନକରେ ୪୦୦ ଡିଏଲ ସସପେଣ୍ଡ

ଭୁନେଶ୍ୱର:ସ୍ପେଶାଲ ଡ୍ରାଇଭରେ କଟିଲା ୨୭୩ଟି ଚାଲଣ। ଗୋଟିଏ ଦିନରେ ୪୦୦ଟି ଡିଏଲ ସସପେଣ୍ଡ ସହ ୪ ଲକ୍ଷ ୩୦ ହଜାର ୪୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ଗତକାଲିଠାରୁ ରାଜପଥରେ ଚାଲିଛି କଡାକଡ଼ି ଚେକିଂ। ସଡକ ଦୁର୍ଘଟଣା ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ କରାଯାଉଛି ।

୨୦୨୧ରେ ସଡକ ଦୁର୍ଘଟଣାରେ ୧୩୦୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୮୦ ଜଣ ଆହାତ ହୋଇଥିଲେ। ଦୁର୍ଘଟଣା ରୋକିବାକୁ ସ୍ପେଶାଲ ଡ୍ରାଇଭ ଜାରି ରହିଛି। ଆସନ୍ତା ୩୦ ତାରିଖ ଯାଏ ଜାରି ରହିବ କଡ଼ାକଡ଼ି ଚେକିଂ ବୋଲି କହିଛନ୍ତି ରାଜ୍ୟ ପରିବହନ ବିଭାଗ ଯୁଗ୍ମ ଆୟୁକ୍ତ ସଞ୍ଜୟ ବିଶ୍ୱାଳ ।