ଯୋଗୀ ସରକାର ବିରୋଧରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ବିଶାଳ ପଦଯାତ୍ରା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୌସୁମୀ ଅଧିବେଶନ ପୂର୍ବରୁ ବିରୋଧୀଙ୍କ ହଙ୍ଗାମା । ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ପଦଯାତ୍ରା । ୟୁପିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ବେରୋଜଗାରୀ, ଦରଦାମ ବୃଦ୍ଧି, ମହିଳା ବିରୋଧୀ ହିଂସା ବୃଦ୍ଧି ଆଦିକୁ ବିରୋଧ କରି ସମାଜବାଦୀ ପାର୍ଟି ପକ୍ଷରୁ ପଦଯାତ୍ରାର ଆୟୋଜନ କରାଯାଇଛି । ସପା ବିଧାୟକମାନେ ପଦଯାତ୍ରା କରି ବିଧାନସଭା ଗେଟ୍‌ ନିକଟରେ ପହଞ୍ଚିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି ।

ଦଳୀୟ ବିଧାୟକଙ୍କ ସହ ଅଖିଳେଶ ଯାଦବ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ କରି ବିଧାୟକଙ୍କୁ ପୋଲିସ ଅଟକାଇଥିବା ବେଳେ ବିଧାୟକମାନେ ରାସ୍ତା ଉପରେ ବସି ପ୍ରତିବାଦ କରିଛନ୍ତି । ସାରାରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ମିଛ କେସରେ ଲୋକଙ୍କୁ ଫସାଯାଉଛି ।

ଲୋକଙ୍କ ଦାବିକୁ ବିଧାନସଭାରେ ଉଠାଇବାକୁ ବିଧାୟକମାନେ ପଦଯାତ୍ରାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିବା ଦଳ ଅଭିଯୋଗ ହୋଇଛି । ସମାଜବାଦୀ ପାର୍ଟିର ପଦଯାତ୍ରା ପାଇଁ ଲକ୍ଷ୍ନୗ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ପଦଯାତ୍ରା ନାଁରେ ସମାଜବାଦୀ ବିଧାୟକ ଫଟୋ ସେସନ ଚଳାଇଛନ୍ତି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।