ଆଜି ବିଜେପିରେ ସାମିଲ ହେବେ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହେବେ କ୍ୟାପଟେନ । ପଦ୍ମ ଧରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂ । ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ । କ୍ୟାପଟେନଙ୍କ ସହ ୭ ଜଣ ବିଧାୟକ ଓ ଜଣେ ପୂର୍ବତନ ଏମପି ବିଜେପିରେ ସାମିଲ ହେବେ ।

ବିଜେପିରେ ସାମିଲ ହେବା ସହ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟ ବିଜେପିରେ ବିଲୀନ ହେବ । ଲଣ୍ଡନରୁ ସ୍ପାଇନାଲ ସର୍ଜରୀ କରି ଫେରିବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ କ୍ୟାପଟେନ । ୨୦୨୧ ସେପ୍ଟେମ୍ବରରେ କ୍ୟାପଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ପଞ୍ଜାବ ଲୋକ କଂଗ୍ରେସ ନାମରେ ଦଳ ଗଢ଼ିଥିଲେ କ୍ୟାପଟେନ । ହେଲେ ବିଧାନସଭା ନିର୍ବାଚନରେ ସେ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନଥିଲେ । ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।