ଜମ୍ମୁ କାଶ୍ମୀର ପାଇଁ ଖୁସି ଖବର: ଖୋଲିଲା ହଲ୍‌, ଆଗକୁ ଆଇନକ୍ସ

ଶ୍ରୀନଗର: ଜମ୍ମୁ କାଶ୍ମୀର ପାଇଁ ଖୁସି ଖବର । ମନୋରଞ୍ଜନ କ୍ଷେତ୍ରରେ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ବଡ ସଫଳତା  । ପୁଣି ଥରେ ଫିଲ୍ମ ଦେଖିବେ ଜମ୍ମୁ କାଶ୍ମୀର ବାସିନ୍ଦା  । ପୁଣି ଥରେ ପରିବାର ସହ ଏକାଠି ସିନେମା ହଲରେ ଫିଲ୍ମ ଦେଖିବାକୁ ସୁଯୋଗ ମିଳିବ  । ଦୀର୍ଘ ୩୨ ବର୍ଷ ପରେ ଦକ୍ଷିଣ କାଶ୍ମୀରର ଦୁଇ ଜିଲ୍ଲାରେ ଖୋଲିଲା ସିନେମା ହଲ । ସୋପିଆନ ଓ ପୁଲୱାମାରେ ସିନେମା ହଲ୍‌ର ଉଦ୍‌ଘାଟନ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସିହ୍ନା  ।

 

ସେହିପରି ଆଗାମୀ ସପ୍ତାହରେ ଶ୍ରୀନଗରର ସୋମୱାର ଅଞ୍ଚଳରେ ଖୋଲିବ ପ୍ରଥମ ଆଇନକ୍ସ  । ତିନୋଟି ହଲ୍‌ ସହ ୫୨୦ ଦର୍ଶକ ବସି ଦେଖିବାର ସୁବିଧା ରହିବ ।

 

ଏନେଇ ଟ୍ବିଟ କରି ଖୁସି ପ୍ରକାଶ କରିଛନ୍ତି ଏଲଜି ମନୋଜ ସିହ୍ନା  । ‘ମନୋରଞ୍ଜନ ସହ ଯୁବପୀଢୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି  । ପୁଲୱାମା ଓ ସୋପିଆନର ଯୁବପୀଢୀଙ୍କ ଉଦ୍ଦେଶ୍ୟରେ ସିନେମା ହଲ ଉତ୍ସର୍ଗୀକୃତ । ମିଶନ ୟୁଥ୍‌ ସହାୟତାରେ ଫିଲ୍ମ ହଲ୍‌ ସ୍ବପ୍ନ ସାକାର ହୋଇଥିବା’ ଟ୍ବିଟ କରି ଜଣାଇଛନ୍ତି ଏଲଜି  ।

 

୮୦ ଦଶକରେ କାଶ୍ମୀର ଘାଟିରେ ୧୨ରୁ ଊର୍ଦ୍ଧ୍ବ ସିନେମା ହଲ ରହିଥିଲା  । କିନ୍ତୁ ଆତଙ୍କବାଦୀ ସଙ୍ଗଠନ ଧମକ ଦେବା ପରେ ବନ୍ଦ ହୋଇଯାଇଥିଲା ହଲ୍‌  । ୯୦ ଦଶକର ଶେଷ ଆଡକୁ ଅନେକ ମାଲିକ ହଲ୍‌ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ୧୯୯୯ରେ ଲାଲଚୌକରେ ଥିବା ରିଗାଲ୍‌ ହଲ୍‌କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ  । ଏହା ପରେ ନୀଲମ ଓ ବ୍ରଡୱେ ନାମକ ଦୁଇଟି ସିନେମା ହଲ୍‌ ଖୋଲିଥିବାବେଳେ ଦର୍ଶକ ନ ଆସିବାରୁ ବାଧ୍ୟ ହୋଇ ଦୁଇଟି ହଲ୍‌ରେ ତାଲା ପଡିଥିଲା  ।