ଅଣ୍ଡା ଚୋରି କଲେ ଦିଦି, ଦେଖିଦେଲେ ପିଲା

ନୟାଗଡ଼: ଶିକ୍ଷୟିତ୍ରୀ କଲେ ସ୍କୁଲ ମଧ୍ୟାହ୍ନ ଭୋଜନ ଅଣ୍ଡା ଚୋରି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିଯୋଗ ମୁତାବକ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଚମ୍ପାଗଡ଼ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ହେଉଛନ୍ତି ବିଜୟଲକ୍ଷ୍ମୀ । ଦିଦି ଗତକାଲି ନିଜ ଟିଫିନରେ ସ୍କୁଲ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ୧୨ଟି ଅଣ୍ଡା ରଖିଥିଲେ । ଛାତ୍ରଛାତ୍ରୀଙ୍କ ନଜର ପଡ଼ିବାରୁ ସେମାନେ ଏ ବିଷୟରେ ଅଭିଭାବକଙ୍କୁ ଜଣାଇଥିଲେ । ଅଭିଭାବକମାନେ ଆସି ଦିଦିଙ୍କ ବ୍ୟାଗ ତନଖି କରିବାରୁ ଅଣ୍ଡା ମିଳିଥିଲା ।

ଚାନ୍ଦପୁର ପୋଲିସ ଓ ରଣପୁର ବିଇଓଙ୍କୁ ଏ ନେଇ ଖବର ଦିଆଯାଇଥିଲା । ପୋଲିସ ଓ ବିଇଓ ଆସି ତଦନ୍ତ କରିଥିଲେ । ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସବୁ ସତ କଥା ମାନି ଯାଇଥିଲେ । ଏ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ୫ ଦିନ ମଧ୍ୟ୍ୟରେ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ଉଚ୍ଚ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି ।