ଭାରତୀୟ ଧନୀ ଖୋଜୁଛନ୍ତି ବିକଳ୍ପ, ୮ ହଜାର ଧନୀ ଛାଡ଼ିପାରନ୍ତି ଦେଶ

1 min read

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ଛାଡ଼ିବେ ୮ହଜାର ଧନୀ । ଡିସେମ୍ବର ସୁଦ୍ଧା ଭାରତର ୮ହଜାର ଅତି ଧନୀଲୋକ ଦେଶ ଛାଡ଼ି ବିଦେଶର ନାଗରିକତା ଗ୍ରହଣ କରିପାରନ୍ତି ।

କଠୋର ଟ୍ୟାକ୍ସ ବ୍ୟବସ୍ଥା ଓ ପାସପୋର୍ଟ ନିୟମ ଯୋଗୁ ସୁପର ରିଚମାନେ ଦେଶ ଛାଡ଼ିପାରନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଅନେକ ବ୍ୟବସାୟୀ, ନୂଆ ଉଦ୍ୟୋଗୀ, କର୍ପୋରେଟ୍ କାର୍ଯ୍ୟନିର୍ବାହୀ ଅଛନ୍ତି ।

ବ୍ୟବସାୟ ବିସ୍ତାର, ବିକଳ୍ପ ରୋଜଗାର ବ୍ୟବସ୍ଥା, ଉନ୍ନତ ଜୀବନଯାପନ ପାଇଁ ଧନୀମାନେ ଭାରତର ବିକଳ୍ପ ଖୋଜୁଛନ୍ତି ବୋଲି ହେନଲୀ ଗ୍ଲୋବାଲ ସିଟିଜେନର ସର୍ଭେରୁ ଜଣାପଡ଼ିଛି ।

ଭାରତ ଛାଡ଼ିବା ପରେ ଅଧିକାଂଶ ଧନୀ ୟୁନାଇଟେଡ ଆରବ ଏମିରେଟସ ବା UAE, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରରେ ରହିବାକୁ ଯୋଜନା କରୁଛନ୍ତି । ୨୦୧୫ରୁ ୨୦୨୧ ମଧ୍ୟରେ ୯ ଲକ୍ଷ ଭାରତୀୟ ଦେଶ ଛାଡ଼ିଛନ୍ତି । ପ୍ରତିବର୍ଷ ଏହି ସଂଖ୍ୟା ବଢୁଛି । କରୋନା ପରେ ଅନ୍ୟଦେଶ ତୁଳନାରେ ଭାରତର ଅର୍ଥ ବ୍ୟବସ୍ଥାରେ ଯଥେଷ୍ଟ ସୁଧାର ଆସିଥିବା ବେଳେ ବିଦେଶୀ ନିବେଶକ ମଧ୍ୟ ଭାରତରେ ନିବେଶ ପାଇଁ ମନ ବଳାଉଛନ୍ତି । ତେବେ ବିଦେଶରେ ମିଲିୟନ ଡଲାର ନିବେଶ କରିବା ଦ୍ବାରା ସେହି ଦେଶରେ ନାଗରିକତା ମିଳିଯାଉଥିବାରୁ ଧନୀମାନେ ବିଦେଶରେ ସ୍ଥାୟୀ ନାଗରିକ ହେବାକୁ ମନ ବଳାଉଥିବା ବିଶେଷଜ୍ଞ ମତ ଦେଇଛନ୍ତି ।