ଅଟୋ ଚାଳକରୁ କମେଡି କିଙ୍ଗ: ସହଜ ନଥିଲା ରାଜୁଙ୍କ ଜୀବନ

ମୁମ୍ବାଇ: କିଏ ଜାଣିଥିଲା ତାଙ୍କର ଏପରି ଦେହାନ୍ତ ହେବ । କିଏ ଜାଣିଥିଲା ସମସ୍ତଙ୍କୁ ହସାଉଥିବା ଲୋକ ଆଜି କନ୍ଦାଇ ଚାଲିଯିବ । ଆଜି ୫୮ ବର୍ଷ ବୟସରେ ଦିଲ୍ଲୀ ଏମସରେ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି । ୪୨ ଦିନ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ରାଜୁ । ଜିମରେ ଓ୍ୱାର୍କଆଉଟ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଆପଣ ଜାଣିଛନ୍ତି କି ରାଜୁଙ୍କ ହସ ପଛରେ ଥିଲା ସଂଘର୍ଷ ହିଁ ସଂଘର୍ଷ । ଏତେ ସହଜ ନ ଥିଲା ତାଙ୍କ ଜୀବନ । କମେଡି କିଙ୍ଗ ନାମରେ ନାମିତ ହେବା ଆଗରୁ ସେ ଥିଲେ ସାଧାରଣ ଲୋକ । ସେ ଥିଲେ ମୁମ୍ବାଇର ଜଣେ ଅଟୋ ଚାଳକ ।

ରୋଜଗାର କରିବାକୁ କାନପୁରରୁ ମୁମ୍ବାଇ ଆସିବା ପରେ ଆରମ୍ଭ ହୋଇଥିଲା ରାଜୁଙ୍କ ପ୍ରକୃତ ସଂଘର୍ଷ । ପଦବୀ ହାସଲ କରିବାକୁ ତାଙ୍କୁ କରିବାକୁ ପଡ଼ିଥିଲା କଠିନ ପରିଶ୍ରମ ।

ପିଲାଦିନରୁ ରାଜୁ କମେଡି କରୁଥିଲେ । ସେ କମେଡି କରିବାକୁ ଭଲ ପାଉଥିଲେ । କିନ୍ତୁ ତାଙ୍କର ଏହି ନିଶା ତାଙ୍କ ପରିବାରକୁ ଚିନ୍ତାରେ ପକାଇଥିଲା । ହେଲେ ରାଜୁ ସବୁ ବାଧା ବିଘ୍ନକୁ ପଛରେ ପକାଇ ଚାଲିଆସିଥିଲେ ମୁମ୍ବାଇ ।

କାମ ଖୋଜିବାକୁ ସେ ମୁମ୍ବାଇ ଆସିଲାବେଳେ ତାଙ୍କ ପକେଟରେ ଟଙ୍କାଟିଏ ବି ନଥିଲା ।  ଅଭାବ ପରିସ୍ଥିତିରେ ଏକ ଅଟୋ ଚଳାଇ ଟଙ୍କା ରୋଜଗାର କରୁଥିଲେ |

ଏହା ପରେ ରାଜୁ ଟେଲିଭିଜନ ଦୁନିଆରେ ପାଦ ଥାପିଥିଲେ । ଏଥିରୁ କ୍ୟାରିଅର୍ ଆରମ୍ଭ କରିଥିଲେ ରାଜୁ। ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ’ରୁ ଲୋକପ୍ରିୟତା ପାଇଥିଲେ ରାଜୁ। ଏହି ଶୋ ମାଧ୍ୟମରେ ରାଜୁ ଗଜୋଧର ଭାୟା ହୋଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଯଦିଓ ରାଜୁ ଶ୍ରୀବାସ୍ତବ ଶୋ’ର ବିଜେତା ହୋଇପାରିନଥିଲେ, କିନ୍ତୁ ସେ ସୋ ମାଧ୍ୟମରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ।

ଏହାପରେ ଚଳଚ୍ଚିତ୍ରରେ ଛୋଟ ଭୂମିକା ଗ୍ରହଣ କରି ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ରାଜୁ | ମେନ୍ ପ୍ୟାର୍ କିୟା ଏବଂ ବାଜିଗର ଏବଂ ବମ୍ବେ ଟୁ ଗୋଆ ଭଳି ଚଳଚ୍ଚିତ୍ରରେ ଛୋଟ ଭୂମିକା ଗ୍ରହଣ କରିଥିଲେ |