spot_img
Home Blog Page 4088

ପ୍ରମାଣ ପାଇଁ ନିଆଯାଇଥିବା ବୋମା କୋର୍ଟରେ ଫୁଟିଲା, ଜଣେ ଆହତ

ପାଟନା: ବିହାର ରାଜଧାନୀ ପାଟନା ସିଭିଲ କୋର୍ଟରେ ପ୍ରମାଣ ଆଧାରରେ ନିଆଯାଇଥିବା ବୋମା ବିସ୍ଫୋରଣ ହୋଇଛି  । ଏଥିରେ ବିଶେଷ କିଛି କ୍ଷତି ହୋଇନି । କେବଳ ଜଣେ ପୋଲିସ କର୍ମୀଙ୍କୁ ସାମାନ୍ୟ ଆଘାତ ଆସିଛି ।  ଶୁକ୍ରବାର ସିଭିଲ କୋର୍ଟରେ ହଠାତ ଏକ ଧମାକା ହୋଇଥିଲା । ଉପସ୍ଥିତ ଲୋକେ କିଏ କୁଆଡେ ଦୌଡିବାକୁ ଲାଗିଥିଲେ । ସମସ୍ତେ ଭାବିଥିରେ କେହି ଅପରାଧୀ କୋର୍ଟରେ ବୋମା ଫୁଟାଇଛି  । ହେଲେ ପରେ ଜଣା ପଡିଥିଲା କି ଦୁର୍ଘଟଣା ବସତଃ ଏହା ଫୁଟିଛି ବୋଲି  ।

ସୂଚନାନୁଯାୟୀ କିଛି ଦିନ ପୂର୍ବେ ପାଟନାର ଏକ ହଷ୍ଟେଲରୁ ଏହି ବୋମା ଜବତ କରାଯାଇଥିଲା  । ଜବତ ବୋମାକୁ ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର କରାଯାଉଥିଲା  । କିନ୍ତୁ ହାଜର ସମୟରେ ହିଁ ବୋମା ବ୍ଲାଷ୍ଟ ହୋଇଯାଇଥିଲା  । ବୋମାକୁ ପ୍ରମାଣ ଭାବେ କୋର୍ଟକୁ ଅଣାଯାଇଥିଲା । ଏହା ସହ ସମ୍ବନ୍ଧିତ ମାମଲାର ଜଜଙ୍କୁ ଦେଖାଇବା ପାଇଁ ଅଣାଯାଇଥିଲା  । କଦମକୁଆଁ ଥାନାର ପୋଲିସ ଜବତ କରାଯାଇଥିବା ବୋମାକୁ କୋର୍ଟକୁ ଆଣିଥିଲେ  । ତେବେ ଏହି ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ତେବେ ବୋମାକୁ ନିଷ୍କ୍ରିୟ କରାଯିବା ପରେ ବି କେମିତି ଏହା ବିସ୍ଫୋରଣ ହେଲା ତାର ତଦନ୍ତ କରୁଛି ପୋଲିସ  ।

ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପାଳିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଧୁମଧାମରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି । ଏଠାରେ ଭୋରରୁ ମଂଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତିକୁ ଯଥାବିଧି ସମ୍ପନ୍ନ କରାଯାଇଥିଲା । ଦିନ ୧୨ ଟା ୧୫ରେ ଚାରି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା । ମନ୍ଦିର ବେଢ଼ାରେ ଥିବା ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ୨୮ ଫୁଟ ଉଚ୍ଚ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତ ମାନଙ୍କର କୀର୍ତ୍ତନ ତଥା ଜୟ ଜଗନ୍ନାଥ ଧ୍ବନିମଧ୍ୟରେ ନିଆଯାଇଥିଲା। ମନ୍ଦିରର ଟ୍ରଷ୍ଟି ସୀତିକଣ୍ଠ ଷଡ଼ଙ୍ଗୀ ଛେରା ପହଁରା କରିବା ପରେ ଅପରାହ୍ନ ୨ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା । ରଥଟିକୁ ଦୀର୍ଘ ୧ କିମି ପର୍ଯ୍ୟନ୍ତ ଟଣାଯାଇ ସନ୍ଧ୍ୟା ୬ଟା ବେଳେ ମାଉସୀ ମା’ ମନ୍ଦିର ନିକଟରେ ପହଁଞ୍ଚାଯାଇଥିଲା । ପାଗ ମେଘୁଆ ଥିବାରୁ ପ୍ରାୟ ୨୫୦୦୦ ଦର୍ଶକ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଥିବା ଦେଖା ଦେଇଥିଲା।

ରଥଯାତ୍ରା ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍ ବୋମାଇ, କେନ୍ଦ୍ରୀୟ ବେଙ୍ଗାଲୁରୁର ସାଂସଦ ପିସି ମୋହନ, ରାଜ୍ୟମନ୍ତ୍ରୀ ଅରବିନ୍ଦ ଲିମ୍ବାଭଲି ଏବଂ ବିଧାୟକ ସତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ । ସମଗ୍ର ମହୋତ୍ସବକୁ ସୂଚାରୁ ଆୟୋଜନ କରିବାରେ ମନ୍ଦିରର ଟ୍ରଷ୍ଟି ତଥା ସମ୍ପାଦନା ମଣ୍ଡଳୀ ସଦସ୍ୟ ନିହାର ସାମନ୍ତରା, ଡକ୍ଟର ପ୍ରତାପ ପାଣି, କାମାକ୍ଷା ପଣ୍ଡା, ଜଷ୍ଟିସ ଜେପି ଉଦଗାତା, ହର ମହାପାତ୍ର, ମନୋଜ ପାତ୍ର ଓ ପୁଣ୍ୟଶ୍ଲୋକ ଖୁଣ୍ଟିଆ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଡିଆରଡିଓ ପକ୍ଷରୁ ସ୍ୱୟଂ ଚାଳିତ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ

ବେଙ୍ଗାଲୁରୁ: ଆତ୍ମନିର୍ଭର ଭାରତ ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଆଉ ଏକ ପାଦେ ଆଗକୁ ବଢିଛି । ସ୍ୱୟଂ ଚାଳିତ ୱିଙ୍ଗ ଟେକ୍ନୋଲୋଜି ଡେମନଷ୍ଟ୍ରେଟରର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ବିନା ଚାଳକରେ ଏହି ବିମାନ ଉଡି ସଫଳତା ହାସଲ କରିଛି । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏରୋନଟିକାଲ ପରୀକ୍ଷଣ ରେଞ୍ଜରୁ ଏହି ଉଡାଣ ଭରିଥିଲା  । ଏହି ଯୁଦ୍ଧ ବିମାନର ଖାସ କଥା ହେଉଛି ଏହା ସ୍ୱୟଂ ଚାଳିତ ଅଟେ, ଅର୍ଥାତ ବିନା ପାଇଲଟରେ କାମ କରିବ । ଡିଆରଡିଏ ଏହାର ସୂଚନା ଦେଇ କହିଛି ଏହା ସମ୍ପୂର୍ଣ୍ଣ ଭାବେ ଅଟୋମେଟିକ ମୋଡରେ କାର୍ଯ୍ୟ କରିବ । ଏଥିରେ ଟେକ ଅଫ, ୱେ ପଏଣ୍ଟ ନାଭିଗେସନ ଏବଂ ଏକ ସହଜ ଟଚଡାଉନ ସାମିଲ ଅଛି । ଏହି ଜ୍ଞାନକୌଶଳକୁ ବେଙ୍ଗାଲୁରୁର ବିମାନ ବିକାଶ ପ୍ରତିଷ୍ଠାନ ଡିଜାଇନ କରିଛି ।

ଏହି ବିମାନ ଏକ ଛୋଟ ଟର୍ବୋ ଫ୍ୟାନ ଇଞ୍ଜିନ ଜରିଆରେ ଅପରେଟ କରାଯିବ  । ଏଥିରେ ଏୟାରଫ୍ରେମ ସହ ଅଣ୍ଡର କ୍ୟାରେଜ, ଫ୍ଲାଇଟ କଣ୍ଟ୍ରୋଲ ଏବଂ ଏଭିୟୋନିକ୍ସ ସିଷ୍ଟମକୁ ସ୍ୱଦେଶୀ ରୂପରେ ବିକଶିତ କରାଯାଇଛି  । ଯୁଦ୍ଧରେ ଏହା ଲାଭଦାୟକ ସାବ୍ୟସ୍ତ ହେବ  । ବିନା ଜୀବନ କ୍ଷତି ଭୟରେ ଏହା ଯୁଦ୍ଧ ଲଢିପାରିବ । ୨୯ ଜୁନରେ ହାଇସ୍ପିଡ ଏକ୍ସପେଣ୍ଡେବୁଲ ଏରିଏଲ ଟାର୍ଗେଟ (ଏଚଇଏଟି) ଅଭ୍ୟାସର ସଫଳତାପୂର୍ବକ ପରୀକ୍ଷଣ କରାଯାଇଥିଲା  । ଏହାର ଟେଷ୍ଟିଂ ଡିଆରଡିଓ ଓଡିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କରାଯାଇଥିଲା । ଏହା ମିସାଇଲକୁ ସିଧା ଟାର୍ଗେଟ କରିବ  ।

୨ ମାଗାଜିନର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମାସିକ ମାଗିଜିନ ଉତ୍କଳ ପ୍ରସଙ୍ଗ ଉନ୍ମୋଚିତ ହୋଇଯାଇଛି । ସେହିପରି ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ସଂସ୍କରଣ ଓଡିଶା ରିଭ୍ୟୁ ମାଗାଜିନ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଦୁଇ ମାଗାଜିନର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଅରୁଖ ଉପସ୍ଥିତ ଥିଲେ । ପୁରୀରେ ଏହି ଉନ୍ମୋଚନ ଉତ୍ସବ ହୋଇଥିଲା  ।

ଭୁବନେଶ୍ୱରରେ ରଥଯାତ୍ରା ଭିଡ଼ରେ ସୁନା ଚେନ ଓ ମୋବାଇଲ ଚୋରି

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ରଥଯାତ୍ରା ଭିଡ଼ର ମଉକା ଦେଖି ମାତିଲେ ପକେଟ ମାର ଓ ଛିନତାଇ ଗ୍ୟାଙ୍ଗ । ଭକ୍ତିର ଭାବନା ନେଇ ମହାପ୍ରଭୁଙ୍କ ଘୋଷ ଯାତ୍ରା ଦେଖିବାକୁ ଆସିଥିବା ଲୋକଙ୍କଠୁ ଚୋରି ଅଭିଯୋଗ । ଲୋକ ମାନେ ମୁଣ୍ଡିଆ ମାରିବା ବେଳେ ପକେଟରୁ ମାରିନେଲେ ମୋବାଇଲ । ସେପଟେ ସିଆରପି ଛକରୁ ଭିଡର ସୁଯୋଗ ନେଇ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ । ସେଇ ଭଳି ଆଉ ଜଣଙ୍କ ମହିଳାଙ୍କ ଠାରୁ ମଧ୍ୟ ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ଏବେ ସୁଦ୍ଧା ୮ ଟି ଦାମୀ ମୋବାଇଲ ଓ ଦୁଇଟି ସୁନା ଚେନ ଚୋରି ହୋଇଛି  । ଏନେଇ ନାୟପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ପୋଲିସ ପକେଟ୍ ମାର ଓ ଛିନତାଇ ଗ୍ୟାଙ୍ଗକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି  ।

ଉଦୟପୁର ହତ୍ୟା ମାମଲା: ହତ୍ୟା ସମର୍ଥନରେ ଇଣ୍ଟରନେଟରେ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି କରାଯାଇ ତାଗିଦ କରାଯାଇଛି  । ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ତାଲିବାନୀ ଷ୍ଟାଇଲରେ କରାଯାଇଥିବା ହତ୍ୟାକୁ ଉଚିତ କହୁଥିବା, ପ୍ରାଧାନ୍ୟ ଦେଉଥିବା ବିଷୟକୁ ଇଣ୍ଟରନେଟରୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଦୟପୁର ଘଟଣା ପରେ କେନ୍ଦ୍ର ସରକାର ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ଉପରେ ଲଗାତାର କଡ଼ା ନଜର ରଖିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏକ ନୋଟିସ୍ ଜାରି କରି ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମରୁ ଉଦୟପୁରରେ ହୋଇଥିବା ନୃଶଂସ ହତ୍ୟାକୁ ପ୍ରାଧାନ୍ୟ ଦେବା ବା ଏହାକୁ ଉଚିତ କହୁଥିବା ସାମଗ୍ରୀକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନର ଉଦୟପୁରରେ ରହୁଥିବା ଟେଲର କହ୍ନେୟାଲାଲଙ୍କ କଥିତ ଏକ ବିବାଦୀୟ ଇଣ୍ଟରନେଟ ମିଡିଆ ପୋଷ୍ଟକୁ ନେଇ ମଙ୍ଗଳବାର ଦିନ ଦିପ୍ରହରେ ଦୁଇଜଣ ମୁସଲିମ ଯୁବକ ରିୟାଜ ଅଖତାରୀ ଏବଂ ଗେସ ମହମ୍ମଦ ଛୁରୀରେ ତାଙ୍କ ମୁଣ୍ଡ କାଟ କରି ହତ୍ୟା କରିଦେଇଥିଲେ  । ଏହାପରେ ମୁଣ୍ଡ କାଟିଥିବାର ସ୍ୱୀକାର କରି ଏହି ଅପରାଧର ଏକ ଭୟଙ୍କର ଭିଡିଓ ଇଣ୍ଟରନେଟ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ଏହି ହତ୍ୟାକୁ ନେଇ କିଛି ଲୋକ ସମର୍ଥନ କରୁଥିବାର ଦେଖାଯାଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ରାଜସ୍ଥାନର ଆତଙ୍କବାଦୀ ନିରୋଧୀ ସଂସ୍ଥା ଏଟିଏସ ଏବଂ ଏସଓଜି ମିଳିତ ସହଯୋଗରେ ମାମଲାର ଯାଞ୍ଚ କରାଯାଉଛି  ।

ରିଲ୍ ବନାଇବା ପଡ଼ିଲା ମହଙ୍ଗା , ୩ ପୋଲିସ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ: ଏବେ ମର୍ଡନ ଯୁଗରେ ସମସ୍ତଙ୍କୁ ବାଇ କରିଛି ସୋସିଆଲ ମିଡ଼ିଆ । କିନ୍ତୁ ଏହି ସୋସିଆଲ ମିଡିଆ କାହାପାଇଁ ବରଦାନ ପାଲଟୁଥିବା ବେଳେ କାହା ପାଇଁ ଏହା ଅଭିଶାପ ପାଲଟିଯାଉଛି। ସେହିପରି ନିକଟରେ ଏକ ମହିଳା କନେଷ୍ଟବଳଙ୍କୁ ଭାରି ପଡିଲା ରିଲ୍ ଭିଡିଓ । କେବଳ ଜଣେ ନୁହେଁ ମହିଳା କନେଷ୍ଟବଳଙ୍କ ସମେତ ୩ଜଣ ପୋଲିସ କର୍ମଚାରୀଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି ।  ପୋଲିସ ପୋଷାକରେ ହିନ୍ଦି ପିଲ୍ମ ଗୀତରେ ଭିଡିଓ ବନାଇ ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ଏପରି ପରିମାଣ ଭୋଗିବାକୁ ପଡିଛି ।

ଉତ୍ତରପ୍ରଦେଶର ହରଦୋଇ ଜେଲରେ ଜଣେ ମହିଳା କନେଷ୍ଠବଳଙ୍କ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ହେଲ୍ପ ଡେକ୍ସରେ ବସି ପୋଲିସ ପୋଷାକରେ ଫିଲ୍ମ ଗୀତରେ ଆଖିରେ ଏକ୍ସପ୍ରେସନ ଦେଇ ଭିଡିଓ ବନାଇଛନ୍ତି । ଏହା ଛଡ଼ା  ଆଉ ଏକ ଭିଡ଼ିଓରେ ସେହି ମହିଳା ଜଣକ  ସିପାହୀ ରୋଡରେ ଦୁଇ ପୁରୁଷ ପୋଲିସ କର୍ମଚାରୀଙ୍କ ସହିତ ମଧ୍ୟ ରିଲ ଭିଡିଓ ବନାଇଥିବା ଦେଖିବାକୁ ମିଳିଛି ।ମହିଳା ପୋଲିସଙ୍କ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଅଧିକାରୀ ଏପରି କାର୍ଯ୍ୟକୁ କଡ଼ା ନିନ୍ଦା କରିବା ସହ  ମହିଳା କର୍ମଚାରୀଙ୍କ ସମେତ ୩ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

 

 

ଶରଧାବାଲିରେ ଲାଗିଲା ତିନି ରଥ, ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଭକ୍ତ କୃତାର୍ଥ

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗି ଯାଇଛନ୍ତି ତିନିରଥ । ଆଜି ନୀତିନିର୍ଘଣ୍ଟର ଢେର୍‌ ପୂର୍ବରୁ ସବୁନୀତି ସଅଳ ଚାଲିଥିଲା । ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି, ପହଣ୍ଡି ବିଜେ, ଛେରାପହଁରା ଓ ରଥଟଣା, ସବୁ କିଛି ଚାଲିଥିଲା ସଅଳ । ଦୁଇବର୍ଷ ପରେ ବଡ଼ଦାଣ୍ଡରେ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓ ରଥଟାଣିବାର ସୁଯୋଗ ପାଇଛନ୍ତି ଭକ୍ତ ।

ଚାତକଚକ୍ଷୁରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚାହିଁ ରହିଥିଲେ ଭକ୍ତ । ବଡ଼ଦାଣ୍ଡକୁ କେତେବେଳେ ଆସିବେ ବିଶ୍ବନିୟନ୍ତା? କରୋନା ପାଇଁ ଦୁଇବର୍ଷ ଧରି ରଥଯାତ୍ରାରେ ବଡ଼ଦାଣ୍ଡକୁ ଯାଇ ନପାରି ଝୁରୁଥିଲା ମନ । ଭକ୍ତଙ୍କୁ ଭେଟିବାକୁ ଭଗବାନ ବି ଯେମିତିଥିଲେ ବ୍ୟଗ୍ର । ଶ୍ରୀମନ୍ଦିରରେ ସଅଳ ସମ୍ପନ୍ନ ହୋଇଥିଲା ସବୁ ନୀତିକାନ୍ତି । ଯେତେବେଳେ ପହଣ୍ଡି ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟ ହୋଇଥିଲା, ସେତେବେଳକୁ ପହଣ୍ଡି ଶେଷ ହୋଇଥିଲା । ଧାଡ଼ି ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଭାବବିହ୍ବଳ ହୋଇଉଠିଥିଲେ ଭକ୍ତ । ହରିବୋଲ ହୁଳହୁଳି ଧ୍ବନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ ।

ଶ୍ରୀସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିବା ପରେ ବଡ଼ଭାଇ ବଳଭଦ୍ର ତାଳଧ୍ବଜ, ଦେବୀ ସୁଭଦ୍ରା ଦର୍ପଦଳନ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ । ତା’ପରେ ରଥ ଉପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି । ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତିନିରଥକୁ ଯାଇ ଦର୍ଶନ କରିଥିଲେ । ପରେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ବଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଗଜପତି ଛେରାପହଁରା କରିଥିଲେ । …

ଶେଷରେ ଆରମ୍ଭ ହୋଇଥିଲା ରଥଟଣା ପ୍ରସ୍ତୁତି । ଚାରମାଳ ଫିଟା ଓ ଘୋଡ଼ା ଯୋଚା ପରେ ଆରମ୍ଭ ହୋଇଥିଲା ରଥଟଣା । ଆଗେ ଆଗେ ତାଳଧ୍ବଜ, ପରେ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁମନ୍ତ୍ରୀ ରଥ ଟାଣିଥିଲେ । ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ, ଭିଡ଼ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଆମ ସମର୍ଥନରେ ଅଛନ୍ତି ୧୭୦ ବିଧାୟକ: ଏକନାଥ ସିନ୍ଦେ

ମୁମ୍ବାଇ: ହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତା ସୋମବାର ଦିନ ବିଧାନସଭାରେ ଫ୍ଲୋର ଟେଷ୍ଟର ସାମ୍ନା କରିବେ । ଏଥିପାଇଁ ରବିବାର ଓ ସୋମବାର ବିଧାନସଭାର ଅଧିବେଶନ ବସିବ । ନୂଆ ବାଚସ୍ପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ହେବ । ଗତକାଲି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପିର ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଆମ ସମର୍ଥନରେ ୧୭୦ ବିଧାୟକ ଅଛନ୍ତି  । ଆସ୍ଥା ଭୋଟରେ ଆମେ ବିଜୟୀ ହେବୁ ବୋଲି ସେ ଦାବି କରିଛନ୍ତି  ।

ଏଣେ ଶିବସେନାର ୩୮ ବିଧାୟକଙ୍କ ବିରୋଧରେ ମହାବିକାଶ ଅଘାଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଶିବସେନାର ସବୁ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭାରୁ ବାରଣ ପାଇଁ ଆବେଦନ କରାଯାଇଛି । ଯେଉଁ ବିଧାୟକଙ୍କ ବିରୋଧରେ ଶୁଣାଣି ଚାଲିଛି ବା ଶୁଣାଣି ହେବାକୁ ଯାଉଛି, ସେମାନଙ୍କୁ ଗୃହକାର୍ଯ୍ୟରୁ ରୋକିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବେ । ଏକନାଥ ସିନ୍ଦେଙ୍କ ବିଦ୍ରୋହ ସତ୍ତ୍ବେ ଶିବସେନା ଉଦ୍ଧବ ଠାକ୍ରେଙ୍କର ବୋଲି ଟିମ୍ ଉଦ୍ଧବ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଯାହା ଜଣାପଡୁଛି ଟିମ୍ ଉଦ୍ଧବ ହଠାତ ଏବେ ବି ହାର ମାନିବା ମୁଡରେ ନାହିଁ । ଏକନାଥ ସିନ୍ଦେଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଟିମ୍ ଉଦ୍ଧବ ପ୍ରସ୍ତୁତ ହେଉଛି ।

ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଉଦ୍ଧବ ଠାକରେ । ଯେଉଁମାନେ ବିଜେପି ସହ ଯାଇଛନ୍ତି, ସେମାନେ ନିଜକୁ ପ୍ରଶ୍ନ କରନ୍ତୁ ବୋଲି ଉଦ୍ଧବ କହିଛନ୍ତି । ବର୍ତ୍ତମାନ ବିଜେପି ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟାଖ୍ୟାନ କରିଛି, ତେବେ ୨୦୧୯ରେ କାହିଁକି ଅମଙ୍ଗ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ । ଆସନ୍ତା ୪ରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି  । ଶିବସେନା ପକ୍ଷରୁ ସେଦିନ ହ୍ୱିପ ଜାରି କରାଯାଇ ପାରେ  । ତେବେ ବିଦ୍ରୋହୀ ବିଧାୟକମାନେ ହ୍ୱିପକୁ ସମର୍ଥନ କରିବେ ନାଁ ଏକନାଥ ସିନ୍ଦେଙ୍କୁ, ତାହାକୁ ଅପେକ୍ଷା  ।

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପଞ୍ଜାବୀ ମଠ ନିକଟରେ ନିର୍ମାଣ କାମ ପରିଦର୍ଶନ କରିଛନ୍ତି । କେତେ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି? ପରିକ୍ରମା ପ୍ରକଳ୍ପ ମ୍ୟାପ୍ ଦେଖି ନିର୍ମାଣ କାର୍ଯ୍ୟର ଅଗ୍ରଗତି ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି। ଯାହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି। ଦକ୍ଷିଣ ଦ୍ବାର ପାଖରେ ୯୦ପ୍ରତିଶତ ନିର୍ମାଣ କାମ ଶେଷ ହୋଇଛି।

ସେହିପରି ସେଲ୍ଟର ପାଭିଲିୟନ୍ ବୁଲି ଦେଖିବା ସହ ପାଖାପାଖି ୧୫ମିନିଟ୍ ଧରି ନିର୍ମାଣ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାସ୍ତବ ରୂପ ନେଉଛି ନବୀନଙ୍କ ଶ୍ରୀକ୍ଷେତ୍ର ନବକଳେବର ସ୍ବପ୍ନ। ପରିକ୍ରମା ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକୀକରଣ କରାଯାଇଛି । ପ୍ରକଳ୍ପ କାମ ଚାଲିଥିବା ବେଳେ ଏବେଠୁ ଆକର୍ଷଣର କେନ୍ଦ୍ର ପାଲଟିଛି । ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଆହୁରି ଚିତାକର୍ଷକ ହେବ ।

ଫାଷ୍ଟଟ୍ରାକ୍ରେ ଚାଲିଛି ପରିକ୍ରମା ପ୍ରକଳ୍ପ କାମ। ଆସନ୍ତା ୯ମାସ ମଧ୍ୟରେ କାମ ସାରିବାକୁ ଟାର୍ଗେଟ୍ ରଖାଯାଇଛି। ଐତିହ୍ୟ ପ୍ରକଳ୍ପ କାମ ସରିଲେ ଜଗନ୍ନାଥଙ୍କ ସହ ଜଡିତ ବିଭିନ୍ନ ରିତିନୀତି ଓ ପର୍ବପର୍ବାଣୀ ଅତି ସହଜରେ ପାଳନ ହେବ। ପରିକ୍ରମା ପ୍ରକଳ୍ପରେ ପାଞ୍ଚଟି ଜୋନ୍ ରହିଛି। ପ୍ରବେଶ ନିଷେଧ ଜୋନ୍, ଭିତର ପ୍ରଦକ୍ଷିଣ ଜୋନ୍, ଶ୍ରୀମନ୍ଦିର ପରିସର, ବାହାର ପ୍ରଦକ୍ଷିଣ ଜୋନ୍, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ଜୋନ୍ କରାଯାଇଛି। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର କରାଯିବ। ସବୁଜ ବଳୟରେ କଳାକୃତିରେ ଝଲସିବ ଶ୍ରୀଜଗନ୍ନାଥ ସଂସ୍କୃତିର ଝଲକ। ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩୧.୨୮କୋଟି ଟଙ୍କା ଖର୍ଚ୍ଚ ହେଉଛି ।