ପୁଣି କଟକରୁ ନକଲି ଔଷଧ ଜବତ, ୧ ସପ୍ତାହ ଭିତରେ ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ ଜବତ

କଟକ: ପୁଣି କଟକରୁ ନକଲି ଔଷଧ ଜବତ। ଗତକାଲି ପୁଣି ଜବତ ହୋଇଛି ୨୨ ଲକ୍ଷ ଟଙ୍କାର ନକଲି ମେଡିସନ୍। କଟକର ତିନିଟି ଫାର୍ମାସୀରୁ ଜବତ ହୋଇଛି ସମସ୍ତ ନକଲି ଔଷଧ। ଟେଲମା ବ୍ରାଣ୍ଡର ଔଷଧକୁ ଜବତ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ଗିରଫ ଦୁଇ ଷ୍ଟକିଷ୍ଟଙ୍କ ଦ୍ୱାରା ବିକ୍ରି ହୋଇଥିଲା ଏହି ସବୁ ଔଷଧ। ଏହାକୁ ମିଶାଇଲେ ଦୁଇ ସପ୍ତାହ ଭିତରେ ଜବତ ହେଲାଣି ୪୫ ଲକ୍ଷ ଟଙ୍କାର ନକଲି ମେଡିସିନ।

ନକଲି ଔଷଧ ମାମଲାର ଅନୁସନ୍ଧାନ ପାଇଁ ଆଜି ବିହାର ଯିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ପୂର୍ବରୁ ମଧ୍ୟ ମାମଲାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି କମିଶନରେଟ ପୋଲିସ । ଦିନକୁ ଦିନ ନକଲି ଔଷଧ କାରବାରର ଚେର ଲମ୍ବିବାରେ ଲାଗିଛି । ଗତ ୯ ତାରିଖରେ କଟକ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସରୁ ଜବତ ହୋଇଥିଲା ୨୦ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ। ଏବେବି ପୋଲିସ ଓ ଭେଷଜ ନିୟନ୍ତ୍ରଣ ବିଭାଗ ମିଳିତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।