ଗିରଫ ହେଲେ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ

ସୁନ୍ଦରଗଡ଼:  ଗିରଫ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । କୁଳମଣିଙ୍କୁ ସୁନ୍ଦରଗଡ଼ ସ୍ପେଶାଲ ଜଜ ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି । ଅତିରିକ୍ତ ତହସିଲଦାରଙ୍କ ଆୟର ଉତ୍ସ ଠାରୁ 253% ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି । ଏନେଇ ଅତିରିକ୍ତ ତହସିଲଦାର ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଗତକାଲି ଅତିରିକ୍ତ ତହସିଲଦାରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ସୁନ୍ଦରଗଡ଼ର ପ୍ରାଇମ ଏରିଆରେ ରହିଛି ମୋଟ୍ ୨୧ଟି ପ୍ଲଟ୍, ୨ଟି ବହୁତଳ କୋଠା ଓ ୪ଟି ଘର ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । କେବଳ ଏତିକି ନୁହେଁ, ୨ଟି ଚାରି ଚକିଆ ଯାନ, ୨ଟି ଟ୍ରାକ୍ଟର, ୩ଟି ଦୁଇ ଚକିଆ ଯାନ ଠାବ ହୋଇଥିଲା । ଚଢ଼ାଉ ବେଳେ ଘରୁ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା ।