spot_img
Home Blog Page 4087

ବିବାଦୀୟ ଭିଡ଼ିଓ ପାଇଁ ବିଧାୟକ ରାଜା ସିଂହଙ୍କୁ ଦଳରୁ ନିଲମ୍ବିତ କଲା ବିଜେପି

ହାଇଦ୍ରାବାଦ : ସୋସିଆଲ ମିଡ଼ିଆରେ ଅପଲୋଡ୍ ହୋଇଥିବା ଗୋଟିଏ ବିବାଦୀୟ ଭିଡ଼ିଓ ପାଇଁ ଗିରଫ ହୋଇଥିବା ବିଜେପିର ଗୋସମହଲ ବିଧାୟକ ରାଜା ସିଂହଙ୍କୁ ଦଳ ନିଲମ୍ବିତ କରିଛି । ସୂଚନାଯୋଗ୍ୟ ଯେ, ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ କଥିତ ଅପମାନଜନକ ଟିପ୍ପଣୀକୁ ନେଇ ମଙ୍ଗଳବାର ଦିନ ହାଇଦ୍ରାବାଦ ସହରର ବିଭିନ୍ନ ଭାଗରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସହରର ବିଭିନ୍ନ ଥାନାରେ ଏନେଇ ମାମଲା ମଧ୍ୟ ରୁଜ୍ଜ ହୋଇଥିଲା ।

ପରେ ପୋଲିସ ବିଧାୟକ ରାଜା ସିଂହଙ୍କୁ ଧର୍ମୀୟ ଭାବନା ଆହତ କରିଥିବା ଅଭିଯୋଗରେ ଗିରଫ କରିଥିଲା । ହାଇଦ୍ରାବାଦରେ ବିବାଦୀୟ ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ମୁନାବର ଫରୁକିର ଏକ କାର୍ଯ୍ୟକ୍ରମକୁ ନେଇ ଟିପ୍ପଣୀ ଦେଇ ରାଜା ସିଂହ ଏଭଳି ଭିଡିଓ ଅପଲୋଡ୍ କରିଥିଲେ । ସୋମବାର ଦିନ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଜାରି କରିଥିଲେ ।

ସୂଚନାଯୋଗ୍ୟ ଯେ, ଫାରୁକୀ ଭଗବାନ ରାମଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବା ପରେ ତାଙ୍କ ବିରୋଧରେ ଦେଶ ବ୍ୟାପୀ ଆକ୍ରୋଶ ପ୍ରକାଶିତ ହୋଇଥିଲା । ଫାରୁକୀର କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ଥାନରେ ବୟକଟ୍ କରାଯାଉଛି । ହାଇଦ୍ରାବାଦରେ ଫାରୁକୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ସୋମବାର ଦିନ ରାଜା ସିଂହ ଭିଡିଓ ଜାରି କରିଥିଲେ । ସୋମବାର ଦିନ ରାଜା ସିଂହଙ୍କ ଗିରଫଦାରୀ ଦାବି କରି ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ହୋଇଥିଲା ।  ଅଲ ଇଣ୍ଡିଆ ମଜଲିସ ଏ ଇତେହାଦୁଲ ମୁସଲିମିନ୍ ପାର୍ଟିର ଅନେକ ବିଧାୟକ ଓ କାଉନସିଲର ବିକ୍ଷୋଭରେ ସାମିଲ ଥିଲେ ।

ପରେ ରାଜାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜ୍ଜ ହୋଇଥିଲା । ଏହାପୂର୍ବରୁ ଏକ ଲାଇଭ୍ ଟିଭି ଡିବେଟରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଜଣେ ମୁସଲିମ୍ ପ୍ୟାନେଲିଷ୍ଟଙ୍କୁ ଯବାବ ଦେଇ ବିବାଦୀୟ ଟିପ୍ପଣୀ କରିଥିଲେ । ଯାହାକୁ ନେଇ ଦେଶବ୍ୟାପୀ ଆକ୍ରୋଶ ପ୍ରକାଶିତ ହୋଇଥିଲା । ଖୋଦ ସୁପ୍ରିମକୋର୍ଟ୍ ମଧ୍ୟ ଏହି ମାମଲାରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ ।

ଆଜିଠୁ ପୁଣି ବର୍ଷା, ଆସନ୍ତାକାଲି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଜିଠୁ ବର୍ଷା, କାଲି ପ୍ରବଳ । ପୂର୍ବ-କେନ୍ଦ୍ରୀୟ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହୋଇଛି । ଫଳରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ଘଣ୍ଟାରେ ମୟୁରଭଂଜ, ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।

ଏହାସହ ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଗଂଜାମ, ଗଜପତି ଓ ଖୋର୍ଦ୍ଧାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ଦେଓଗଡ଼ରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ୧୧ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୫ ତାରିଖରୁ କମିବ ବର୍ଷା ।

ଚଳିତ ବର୍ଷ ଜୁନ ପହିଲାରୁ ୨୨ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୯୪୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମିଲିମିଟର ତୁଳନାରେ ୧୪% ଅଧିକ ରହିଛି । ଏହି ସମୟ ମଧ୍ୟରେ କନ୍ଧମାଳରେ ୭୧% ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି ।

ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର: ଓଡ଼ିଶା ତଟ ଚାନ୍ଦିପୁରରରୁ ସର୍ଟ ରେଞ୍ଜ ମିସାଇଲ ପରୀକ୍ଷଣ ସଫଳ । ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ମିସାଇଲ୍‌ । ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ । ମିସାଇଲରେ ବିନା କୌଣସି ଦ୍ବିଧାରେ ସଫଳ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ।

ସମୁଦ୍ର ମଝିରେ ଭାରତୀୟ ନୌସେନାର ଜାହାଜରୁ ମିସାଇଲର ପରୀକ୍ଷଣ ହୋଇଛି । ଏହି ମିସାଇଲରେ ଇଣ୍ଡିଜିନିଅସ୍ ରେଡିଓ ଫ୍ରିକ୍ୱେନ୍ସି ଖୋଜିବା ସହ ଟାର୍ଗେଟକୁ ଅଧିକ କ୍ଷମତାର ସହ ସଠିକ୍ ଭାବେ ଭେଦ କରିବାର ସମର୍ଥ ରହିଛି । ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଇଛି ।

ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

ବରଗଡ଼: ବରଗଡ଼ରେ ଲଜ୍ଜା । ରାଜନୈତିକ ଆକ୍ରୋଶରୁ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଘଟିଛି ଏହିଭଳି ଲୋମହର୍ଷଣକାରୀ ଘଟଣା । ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା ।

ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ନାବାଳିକାଙ୍କୁ ଦୁଇଜଣ ବ୍ୟକ୍ତି ଅପହରଣ କରିଥିଲେ । ଆଜି ସକାଳ ୭ଟାରେ ଫିରିଙ୍ଗିମାଲ ଗାଁଠାରୁ ୩ରୁ ୪କିଲୋମିଟର ଦୂର ଏକ ଜୋର ନିକଟରୁ ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନାବାଳିକାକୁ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ଉଦ୍ଧାର କରିଛି ।

ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଗାଇସିଲେଟ ପରେ ବରଗଡ଼ ମେଡିକାଲକୁ ସ୍ତାନାନ୍ତର କରାୟାଇଥିଲା । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ନାବାଳିକାଙ୍କ ଅବସ୍ଥା ଗୁରୁତର ଓ ସେ ଚେତାଶୂନ୍ୟ ଥିବା ଜଣାପଡ଼ିଛି ।

ଦିଲ୍ଲୀ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିଲା ବିଜେପି, ଆପ୍ ବିଧାୟକଙ୍କୁ ଦେଇଥିଲା ୫ କୋଟିର ଅଫର୍

ନୂଆଦିଲ୍ଲୀ: ଦିଲ୍ଲୀରେ ଫେଲ୍ ମାରିଲା ଅପରେସନ ଲୋଟସ୍ । ଦିଲ୍ଲୀ ସରକାର ଭାଙ୍ଗିବାକୁ ଉଦ୍ୟମ କରିଥିଲା ବିଜେପି ।  ବିଜେପି ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ଆମ୍ ଆଦ୍‌ମୀ ପାର୍ଟି । ସରକାର ଭାଙ୍ଗିବା ପାଇଁ ଆପ୍ ବିଧାୟକଙ୍କୁ ୫ କୋଟି ଟଙ୍କା ଅଫର ଦିଆଯାଇଥିବା ଦଳ କହିଛି । ତେବେ ଦିଲ୍ଲୀରେ ବିଜେପିର ଅପରେସନ୍ ଲୋଟସ୍ ଫେଲ୍ ମାରିଛି । ଗତକାଲି ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିସୋଦିଆ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ।

ଆପ୍ ଛାଡ଼ି ବିଜେପିରେ ମିଶିଲେ ସବୁ ମାମଲା ବନ୍ଦ କରିବାକୁ ବିଜେପି ଅଫର ଦେଇଥିବା ସିସୋଦିଆ କହିଥିଲେ । ଏଥିସହ ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ତାଙ୍କୁ ବିଜେପି ମେସେଜ୍ ଦେଇଥିବା କହିଥିଲେ । ଏନେଇ ଆପ୍ ପକ୍ଷରୁ ଖୁବ୍ ଶୀଘ୍ର ବଡ଼ ଖୁଲାସା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏଲୋପାଥି ବିରୋଧରେ କହି ଫସିଲେ ବାବା ରାମଦେବ, ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଲୋପାଥି ବିରୋଧରେ କହି ଫସିଲେ ବାବା ରାମଦେବ । ଏଲୋପାଥିକୁ ବଦନାମ କରିବାକୁ କାହିଁକି ଦେଖାଇଥିଲେ ବିଜ୍ଞାପନ । ଏନେଇ ସୁପ୍ରିମକୋର୍ଟ ଜବାବ ମାଗିଛନ୍ତି । କେନ୍ଦ୍ର ସରକାର ଓ ପତଞ୍ଜଳିକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବ ପ୍ରଶ୍ନ ଉଠାଇଥିଲେ । ତେବେ ବାବା ରାମଦେବଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । ବାବା ରାମଦେବ ଯୋଗକୁ ଲୋକପ୍ରିୟ କରାଇଛନ୍ତି । ତେବେ ସେ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରିପାରିବେନି ।

ତାଙ୍କ ଚିକିତ୍ସା ପ୍ରଣାଳୀରେ ସବୁ ରୋଗର ଉପଶମ କରିବା ନେଇ ଗ୍ୟାରେଣ୍ଟି ଦେବ କି, ବୋଲି ସିଜେଆଇ ଏନଭି ରମଣା ପ୍ରଶ୍ନ କରିଛନ୍ତି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍, ଆଇଏମଏର ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଏଲୋପାଥି ଚିକିତ୍ସା ଓ ଟିକାକରଣ ବିରୋଧରେ ବାବା ରାମଦେବଙ୍କ ବୟାନ ନେଇ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲା ଆଇଏମଏ । ଆଗରୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏଲୋପାଥି ବିରୋଧରେ କହି ଲୋକଙ୍କୁ ବିଭ୍ରାନ୍ତ ନକରିବାକୁ ପରାମର୍ଶ ଦେଇଥିଲେ ।

ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ପଡ଼ିଲା ମହଙ୍ଗା, ବନ୍ଧାହେଲେ ବିଜେପି ବିଧାୟକ

ତେଲେଙ୍ଗାନା: ମହଙ୍ଗା ପଡ଼ିଲା ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ । ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଗିରଫ ହୋଇଛନ୍ତି ତେଲଙ୍ଗାନାର ବିଜେପି ବିଧାୟକ ଟି. ରାଜା ସିଂହ । ବିବାଦୀୟ ମନ୍ତବ୍ୟ ଦେଇ ଏହାକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ ଟି ରାଜା ସିଂ । ତେବେ ଏହି ଅଡିଓ ଭାଇରାଲ ହେବା ପରେ ରାଜରାସ୍ତାରେ ଲୋକ ବିକ୍ଷୋଭ ଆରମ୍ଭ କରିଥିଲେ । ଟି. ରାଜାଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଲୋକ ।

ନିକଟରେ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମାମଲା ଥଣ୍ଡା ପଡ଼ିନଥିବା ବେଳେ ପୁଣି ଏପରି ବିବାଦୀୟ ମନ୍ତବ୍ୟ ଦେଇ ଜନ ଅସନ୍ତୋଷକୁ ନିମନ୍ତ୍ରଣ କରିଛନ୍ତି ବିଜେପି ବିଧାୟକ ଟି. ରାଜା ସିଂହ । ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଟି. ରାଜା ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିକ୍ଷୋଭକାରୀ ତାଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ସ୍କୁଲ ଫି’ ପାଇଁ ପିଲାଙ୍କୁ ଲାଇବ୍ରେରି ରୁମରେ ବନ୍ଦ କଲା ଘରୋଇ ସ୍କୁଲ

ଭୁବନେଶ୍ୱର : ଘରୋଇ ସ୍କୁଲଙ୍କ ଦାଦାଗିରୀର ଏକ ନମୂନା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଶିକ୍ଷାକୁ କେମିତି ବ୍ୟବସାୟରେ ପରିଣତ କରାଯାଇଛି ଓ ବିଦ୍ୟା ମନ୍ଦିର ସବୁ କେମିତି ରିକଭରି ଏଜେଣ୍ଟଙ୍କ ଭଳି କାମ କରୁଛନ୍ତି ତାହା ଦେଖିବାକୁ ମିଳିଛି ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ । ଘାଟିକିଆ ନାକା ଗେଟ୍ ନିକଟରେ ଅବସ୍ଥିତ ଥିବା ଏକ ଘରୋଇ ସ୍କୁଲରେ ମଙ୍ଗଳବାର ଦିନ ଫି’ ଆଦାୟକୁ ନେଇ ଯେଉଁଭଳି କାଣ୍ଡକାରଖନା ହୋଇଛି ତାହା ଯେତିକି ଲଜ୍ଜାଜନକ ସେତିକି ସାଂଘାତିକ । ସୂଚନା ଅନୁସାରେ ବକେୟା ଫି’ ଆଦାୟ ପାଇଁ ସ୍କୁଲ କର୍ତ୍ତୁପକ୍ଷ କିଛି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ରୁମରେ ଅଲଗା ବନ୍ଦ କରି ରଖିଥିଲେ ।ଏଭଳି ଅଭିଯୋଗ ଆଣିଛନ୍ତି ଅଟକ ଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ କରୁଥିବା ବେଳେ ସ୍କୁଲର ପ୍ରଶାସକକୁ ପୋଲିସ ଥାନାରେ ପଚରା ଉଚରା ପାଇଁ ଅଟକ ରଖିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ମଙ୍ଗଳବାର ଦିନ ସ୍କୁଲ କର୍ତ୍ତୁପକ୍ଷ କିଛି ବିଦ୍ୟାର୍ଥୀଙ୍କୁ ବକେୟା ଫି’ ଦେଇ ନଥିବାରୁ ଲାଇବ୍ରେରିରେ ଅଟକ ରଖିଥିଲେ । ଦୀର୍ଘ ୫ ଘଣ୍ଟା ଧରି ଏହି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରିରେ ବନ୍ଦ ରଖାଯାଇଥିଲା । ଅଟକ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାବକୁ ଫି’ ଦେବାକୁ କହିବା ପାଇଁ  ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଘଟଣ ସମ୍ପର୍କରେ ଖବର ପାଇଁ ବିଦ୍ୟାର୍ଥୀଙ୍କ ଅଭିଭାବକ ସ୍କୁଲ ଆଗରେ ଜମା ହୋଇଥିଲେ । ସେମାନେ ସ୍କୁଲ ସାମ୍ନାରେ ଧାରଣାରେ ବସିଥିଲେ ।

ଅଭିଭାବକଙ୍କ ଅନୁସାରେ କୋଭିଡ୍ ପରେ ହଠାତ ସ୍କୁଲ ଫି’ ବଢାଇ ଦିଆଯାଇଥିଲା ।ଏନେଇ ଅଭିଭାବକ ଆପତ୍ତି କରିବା ପରେ ସ୍କୁଲ ତରଫରୁ କୌଣସି ଉତ୍ତର ଦିଆଯାଇନଥିଲା । ଛାତ୍ରଛାତ୍ରୀଙ୍କୁ ଅଟକ ରଖା ଯାଇଥିବା ଖବର ପାଇବା ପରେ ଭରତପୁର ଥାନା ପୋଲିସ ସ୍କୁଲରେ ପହଂଚିଥିଲା । ସ୍କୁଲ ଆଡମିନଙ୍କୁ ଥାନାରେ ପଚରା ଉଚରା କରାଯାଉଥିବା ଜଣା ପଡ଼ିଛି ।

ଜେଲ ଗଲେ ପାଠ ପଢିବାକୁ ପଡ଼ିବନି,ସେଥିପାଇଁ ହତ୍ୟାକାରୀ ସାଜିଲା ନାବାଳକ

 

ଗାଜିଆବାଦ : ତା’ର ପାଠ ପଢାରେ ମନ ଲାଗୁନିଥିଲା । ସେ ପଢା ଛାଢିବାକୁ ଚାହୁଁଥିଲା । କିନ୍ତୁ ଘରଲୋକଙ୍କ ତା’ଉପରେ ପଢା ଜାରି ରିଖିବାକୁ ଚାପ ଥିଲା । ଜେଲ ଗଲେ ଆଉ ସ୍କୁଲ ଯିବାକୁ ପଡିବ ନାହିଁ,ଏହା ଭାବି ଦଶମ ଶ୍ରେଣୀରେ ପଢୁଥିବା ୧୬ ବର୍ଷର ଜଣେ ନାବାଳକ ଏକ ଜଘନ୍ୟ ହତ୍ୟା କରିଛି । ଏହି ଘଟଣା ଘଟିଛି  ଉତ୍ତରପ୍ରଦେଶର ଗାଜିଆବଦରେ । ୧୫ ଦିନ ତଳେ ଏହି ନାବାଳକ ଜଣକ ଜେଲ୍ ଯିବା ପାଇଁ ଜଣେ ୧୩ ବର୍ଷୀୟ ପିଲାର ହତ୍ୟା କରିଛି ।

ଫିଲ୍ମ ଦେଖି ହତ୍ୟା ପ୍ଲାନ୍

ଜେଲ୍ ଯିବା ପାଇଁ ହତ୍ୟା କରିଥିବା ଏହି ୧୬ ବର୍ଷୀୟ ନାବାଳକ ଜଣକ ହତ୍ୟା ପାଇଁ ଅନେକ ଫିଲ୍ମ ଦେଖିଥିଲା । ଏହା ସହିତ ସେ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖି ହତ୍ୟାର ପ୍ଲାନିଂ କରିଥିଲା । ୭ ମାସ ହେଲା ପାଠ ପଢାରୁ ରକ୍ଷା ପାଇବା ପାଇଁ ସେ ହତ୍ୟାର ପ୍ଲାନିଂ କରୁଥିଲା ।

ପ୍ରଥମେ ସାଙ୍ଗ ହେଲା,ତା’ପରେ ମାରିଦେଲା

ଜେଲ୍ ଯିବା ପାଇଁ ସେ ପ୍ରଥମେ ନିଜ ଘର ପାଖରେ ରହୁଥିବା ଆଉ ଜଣେ ନାବାଳକ ସହିତ ବନ୍ଧୁତା କରିଥିଲା । ଯୋଜନା ଅନୁସାରେ ସେ ହତ୍ୟାର ଶିକାର ନାବାଳକକୁ ମିସଲଗଢି ଏକ୍ସପ୍ରେସୱେ ପାଖକୁ ନେଇଥିଲା । ସେଠାରେ ସେ ନାବାଳକର ଗଳା ଚିପି ହତ୍ୟା କରିଥିଲା । ଏହାପରେ ସେ କାଚଖଣ୍ଡରେ ପିଲାର ଗଳା କାଟିଥିଲା । ହତ୍ୟା କରିବା ପରେ ସେ ସିଧା ଗାର୍ଡନ ଏନକ୍ଲେଭ୍ ପୋଲିସ ଥାନରେ ପହଂଚିଥିଲା । ସେଠାରେ ସେ ହତ୍ୟା ବାବଦରେ ସବୁକିଛି କହିଥିଲା ।
ପାଠ ପଢାକୁ ନେଇ ତା’ ଉପରେ ଚାପ ଥିଲା । ଘର ଲୋକ ତାକୁ ପଢ଼ିବା ପାଇଁ ସବୁବେଳେ ଗାଳିଗୁଲଜ କରୁଥିଲେ । ସେ ସ୍କୁଲ ଯିବାକୁ ଚାହୁଁନଥିଲା । ତେଣୁ ହତ୍ୟା କରିଥିବା କଥା କହିଥିଲା । ହତ୍ୟା ଅପରାଧୀ ଜେଲ ଗଲା ପରେ ଆଉ ପଢିବାକୁ ପଡ଼ିନଥାଏ ତେଣୁ ସେ ହତ୍ୟା କରିଛି ବୋଲି ପୋଲିସ ଆଗରେ ବୟାନ ଦେଇଥିଲା ।

ବାୟୁସେନାର ଲଢୁଆ ହେଲିକପ୍ଟରର ଜରୁରୀକାଳୀନ ଅବତରଣ,ସମସ୍ତ ଯାତ୍ରୀ ସୁରକ୍ଷିତ

 

ହନୁମାନଗଢ଼ : ଭାରତୀୟ ବାୟୁସେନାର ଏକ ଲଢୁଆ ହେଲିକପ୍ଟର ଏମଆଇ-୩୫ ମଙ୍ଗଳବାର ଦିନ ରାଜସ୍ଥାନର ହନୁମାନଗଢ଼ ଜିଲ୍ଲାରେ ଜରୁରୀକାଳୀନ ଅବତରଣ କରିଛି । ଟେକ୍ନିକାଲ ତୃଟି କାରଣରୁ ପାଇଲଟ୍ ହେଲିକପ୍ଟରକୁ ଜରୁରୀକାଳୀନ ଭାବେ ଅବତରଣ କରାଇଥିଲେ । ତେବେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟ୍ ଓ ଜଣେ ଫ୍ଲାଇଟ୍ ଇଂଜିନିୟର ସୁରକ୍ଷିତ ଅଛନ୍ତି । ଘୋଲିପାଲ-କିକରଖାଲି  ଗାଁ’ର ବିଲରେ ହେଲିକପ୍ଟରଟି ଅବରତରଣ କରିଥିଲା । ହେଲିକପ୍ଟର ଅବତରଣ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ସକାଳ ପ୍ରାୟ ୯ୟ୩୦ ମିନଟରେ ହେଲିକପ୍ଟର ଲ୍ୟାଣ୍ଡିଂ କରିଥିବା ଜଣା ପଡି଼ଛି ।

ସଦର ଥାନା ଅଧିକାରୀ ଲଖବୀର ଗିଲଙ୍କ ଅନୁସାରେ ହେଲିକପ୍ଟରରେ ୫ ଜଣ ସବାର ଥିଲେ । ଦୁଇ ପାଇଲଟ୍ ଓ ଜଣେ ଫ୍ଲାଇଟ ଇଂଜିନିୟରଙ୍କ ସହିତ ସମସ୍ତେ ସୁରକ୍ଷିତ ଥିବା ସେ କହିଛନ୍ତି । ହେଲିକପ୍ଟରର ସୁରକ୍ଷା ପାଇଁ ଦୁଇଟି ଥାନାର ପୋଲିସକୁ ନିୟୋଜିତ କରାଯାଇଛି ।

ସୋସିଆଲ ମିଡିଆରେ ଗୁଜବ

ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ହେଲିକପ୍ଟର କ୍ରାସ କରିଥିବା ଗୁଜବ ପ୍ରଚାରିତ ହୋଇଥିଲା । ଏହାପରେ ସଂଗରିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଂଚିଥିଲେ ।  ଘଟଣାସ୍ଥଳରେ ପହଂଚି ପୋଲିସ ଗୁଜବର ଖଣ୍ଡନ କରିଥିଲା । ହେଲିକପ୍ଟରରେ ସବାର ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଉତ୍ତର ରାଜସ୍ଥାନରେ ସେନାର ଅନେକ ବଡ଼ ଷ୍ଟେଶନ ରହିଛି ।