ସରୁନି ରାଜସ୍ଥାନ ସସପେନ୍ସ, ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବେ ଅଶୋକ ଗେହଲଟ

1 min read

ଜୟପୁର: ସରୁନି ରାଜସ୍ଥାନ ସସପେନସ । ଆଜି କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏଆଇସିସି ସଭାପତି ପଦଲାଗି ସେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ ସୋନିଆଙ୍କ ସହ ସବିଶେଷ ଆଲୋଚନା କରିବେ ଗେହଲଟ୍ । ଗତ ରବିବାର ରାତିରେ ୮୨ଜଣ ବିଧାୟକ ବାଚସ୍ପତି ସି.ପି. ଯୋଶୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ସେମାନେ ୩ ଦଫା ଦାବି ଉପସ୍ଥାପନ କରିଥିଲେ ।

ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ତାଙ୍କ ବଦଳରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଉ । ଦ୍ୱିତୀୟ ଦାବି ଥିଲା- ଜୁନ ୨୦୨୦ରେ ପାଇଲଟଙ୍କ ବିଦ୍ରୋହ କାଳରେ ସରକାରଙ୍କୁ ରକ୍ଷା କରିଥିବା ବିଧାୟକଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା । ତୃତୀୟ ଦାବି ଥିଲା- ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଗେହଲଟଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉ । ସେପଟେ ରାଜସ୍ଥାନରେ ଘଟିଥିବା ଅଚଳାବସ୍ଥା ଲାଗି ସୋନିଆ ଗାନ୍ଧି ଓ ଗେହଲଟ ଦାୟୀ ନୁହନ୍ତି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ପର୍ଯ୍ୟବେକ୍ଷକ ।