SCB ମେଡିକାଲରେ ଶିଶୁ କନ୍ୟା ଚୋରି ଘଟଣା; ସୁରକ୍ଷାକର୍ମୀଙ୍କୁ ବହିଷ୍କୃତ,୩ ନର୍ସଙ୍କୁ କାରଣଦର୍ଶାଅ ନୋଟିସ

1 min read

କଟକ: SCB ମେଡିକାଲରେ ଶିଶୁ କନ୍ୟା ଚୋରି ଘଟଣା। SNCU ଭିତରକୁ ଅବାଧ ପ୍ରବେଶକୁ ନେଇ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ସୁରକ୍ଷାକର୍ମୀଙ୍କୁ ବହିଷ୍କୃତ କରାଯାଇଛି । ୩ଜଣ ନର୍ସଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି । ୩ଦିନ ଭିତରେ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ସୂଚନା ଦେଇଛନ୍ତି ।

ଗତ ୨୬ ତାରିଖ ଦିନ ଏସସିବିରୁ ଡିସଚାର୍ଜ ହେବାକୁ ଥିବା ଶିଶୁର ନିଖୋଜ ନେଇ ହଇଚଇ ସୃଷ୍ଟି ହୋଇଥିଲା । ବାପା, ମା’ଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତନାଘନା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମିଛ ଆଳ ଦେଖାଇ ପିଲାଟିକୁ ଫେରାଇ ଦେଇଥିଲେ ସୁଇଟି ଓ ତାଙ୍କ ସ୍ୱାମୀ । ଶିଶୁ ଚୋରି ଘଟଣାକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଇଛି । ମଙ୍ଗଳାବାଗ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି। ସଂପୃକ୍ତ ମହିଳାଙ୍କ ସହ ତିନିଜଣଙ୍କୁ ଅଟକ ରଖିଛି ପୋଲିସ । ଶିଶୁ କନ୍ୟା ଫେରିବା ପରେ ତାର ଚିକିତ୍ସା ଚାଲିଛି। ଶିଶୁଟି ସୁସ୍ଥ ଥିବା ଏସସିବି ପକ୍ଷରୁ ସୂଚନା ମିଳିଛି। ଆଗକୁ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେନେଇ ଖୁବ୍ ଶୀଘ୍ର ସ୍ଵତନ୍ତ୍ର ନିୟମ କରାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି।