ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ୧୪ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୧୭ । ନଭେମ୍ବର ୩ ତାରିଖରେ ଭୋଟିଂ ଓ ୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ପ୍ରସ୍ତୁତି ନେଇ ଆଜି ସବିଶେଷ ସୂଚନା ଦେବେ ରାଜ୍ୟ ନିର୍ବାଚନ ଅଧିକାରୀ । ବିଷ୍ଣୁ ସେଠୀଙ୍କ ବିୟୋଗରେ ଖାଲି ପଡ଼ିଛି ଧାମନଗର ବିଧାନସଭା ଆସନ । ଗତ ସେପ୍ଟେମ୍ବର ୧୯ରେ ବିଷ୍ଣୁଙ୍କର ପରଲୋକ ହୋଇଥିଲା । ୩ରେ ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ ।

ଏସବୁ ଉପନିର୍ବାଚନ ପାଇଁ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ଭୋଟର ତାଲିକାରେ ନାଁ ଥିବା ଭୋଟର ଭୋଟ ଦେଇପାରିବେ । ତାରିଖ ଘୋଷଣା ପରଠୁ ଗଡ଼ ଦଖଲ କରିବାକୁ ରଣନୀତି ପ୍ରସ୍ତୁତି ଜୋରଦାର କରିଛନ୍ତି ସବୁ ଦଳ । ବାଲେଶ୍ୱର ପରି ଧାନନଗରରେ ବଡ଼ ବିଜୟ ବ୍ୟବଧାନରେ ଜିତିବାକୁ ବିଜେଡି ଆରମ୍ଭ କରିଛି ସମରସଜ୍ଜା । ଧାମନଗରରେ ପୁଣି ଥରେ କିପରି ଶଙ୍ଖ ବାଜିବ, ସେନେଇ ସେନାପତିଙ୍କୁ ଗୁରୁମନ୍ତ୍ର ଦେଇଛି ଦଳ । ଅନ୍ୟପଟେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରୟାସ କରିଛନ୍ତି ।