ଘନେଇଲା କୋରିଆ ବିବାଦ, ଉତ୍ତର କୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଜବାବ

1 min read

ନୂଆଦିଲ୍ଲୀ: ଘନେଇଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ । ଦକ୍ଷିଣ କୋରିଆରେ ଆମେରିକାର ଆଣବିକ କ୍ଷମତା ସମ୍ପନ୍ନ ବିମାନବାହୀ ଯୁଦ୍ଧ ଜାହାଜ ୟୁଏସଏସ ରୋନାଲଡ ରେଗାନକୁ ନେଇ କରାଯାଇଛି ସାମରିକ ଡ୍ରିଲ । ଉତ୍ତର କୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଜବାବ ଦେବା ଲାଗି ଆମେରିକା ଓ ଦକ୍ଷିଣ କୋରିଆ ପକ୍ଷରୁ ଚାଲିଛି ସମରାଭ୍ୟାସ । ଜାପାନ ସୀମା ନିକଟରେ ଉତ୍ତର କୋରିଆ ଆଣବିକ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ଉତ୍ତ୍ୟକ୍ତ ହୋଇଛି ଆମେରିକା ।

ସେପଟେ ଏହି ସାମରିକ ଡ୍ରିଲକୁ ନେଇ ଉଦବେଗ ପ୍ରକାଶ କରିଛି ଉତ୍ତର କୋରିଆ । ଉତ୍ତର କୋରିଆ ଉପରେ ଆକ୍ରମଣ ଲାଗି ଏହି ସମରାଭ୍ୟାସ ଉଦ୍ଦିଷ୍ଟ ବୋଲି କୁହାଯାଇଛି । ଦୁଇ ଦେଶ ମଧ୍ୟରେ ସାମରିକ ପ୍ରତିଯୋଗିତା ଯୋଗୁ କୋରିଆ ଅଞ୍ଚଳ ଅସ୍ଥିରତା ବଳୟକୁ ଚାଲିଯାଇଛି । ଗତ ମଙ୍ଗଳବାର ଉତ୍ତର କୋରିଆ ହ୍ୱାସଙ୍ଗ-୧୨ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ଯାହାକି ଆମେରିକା ସୀମାକୁ ହିଟ୍ କରିବାର କ୍ଷମତା ହାସଲ କରିଛି ।