୨୮ ଦିନରେ ଭାରତ ଯୋଡୋ ଯାତ୍ରା, କେନ୍ଦ୍ରର ବେକାରୀ, ମହଙ୍ଗା ନୀତି ବିରୋଧରେ କଂଗ୍ରେସ ଯୁଦ୍ଧଂଦେହୀ ଡାକରା

ନୂଆଦିଲ୍ଲୀ: ଆଜି ଭାରତ ଯୋଡୋ ଯାତ୍ରାର ୨୮ ଦିନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା କେ ମାଲେନହାଲିରୁ ଆରମ୍ଭ ହେବ ପଦଯାତ୍ରା । ସନ୍ଧ୍ୟାରେ ବେଲୁରରେ ଶୋଭାଯାତ୍ରା ପହଞ୍ଚିବ । ସେପଟେ ବର୍ଷାରେ ଭିଜି ଭାଷଣ ଦେବା ପରେ ରାଜରାସ୍ତାରେ ଦୌଡିଲେ ରାହୁଲ ଗାନ୍ଧି । ଭାରତ ଯୋଡୋ ପଦଯାତ୍ରାରେ ଗୋଟିଏ ପରେ ଗୋଟିଏ ଷ୍ଟଣ୍ଟ ଦେଖାଇବାରେ ଲାଗିଛନ୍ତି ଯୁବରାଜ । କର୍ଣ୍ଣାଟକରେ ମା’ ସୋନିଆ ଗାନ୍ଧିଙ୍କ କାନ୍ଧରେ ହାତ ପକାଇ ପଦଯାତ୍ରା କରିବାର ଦୃଶ୍ୟ ଭାଇରାଲ ହେବା ପରେ ପରେ ମା’ଙ୍କ ଜୋତାର ଲେସ୍ ବାନ୍ଧି ପୁଣି ଚର୍ଚ୍ଚାର ପରିସରକୁ ଯାଇଥିଲେ ରାହୁଲ । ଭାରତ ଯୋଡୋ ପଦଯାତ୍ରାରେ ଦୌଡିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କେବଳ ସେ ନୁହନ୍ତି ତାଙ୍କ ସହ ଦୌଡ଼ିଥିଲା ସାରା ଟିମ୍ ।

କର୍ଣ୍ଣାଟକ ନାଗାମଙ୍ଗଳରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାଙ୍କ ସମେତ ବହୁ ହେଭିଓ୍ୱେଟ । ବେଶ୍ ସ୍ଫୂର୍ତ୍ତିରେ ଚାଲୁଥିବା ରାହୁଲ ହଠାତ୍ ଦୌଡିବା ଆରମ୍ଭ କରିବା ପରେ ତାଙ୍କ ସହ ପାଦ ମିଳାଇ ଦୌଡିବାରେ ଲାଗିଥିଲେ ସିଦ୍ଧରାମେୟା । ଦୁଇ ନେତାଙ୍କ ଦୌଡରେ ତତକ୍ଷଣାତ୍ ସାମିଲ ହୋଇଯାଇଥିଲେ ଶହ ଶହ ନେତା ଓ କର୍ମୀ । ରାହୁଲଙ୍କ ସୁରକ୍ଷା କର୍ମୀ, ପୋଲିସ ମଧ୍ୟ ଦୌଡରେ ସାମିଲ ହୋଇଥିଲେ । କେନ୍ଦ୍ରର ବେକାରୀ, ମହାଙ୍ଗା ନୀତି ବିରୋଧରେ କଂଗ୍ରେସ ଯୁଦ୍ଧଂଦେହୀ ଡାକରା ଦିଆଯାଇଥିବା ବେଳେ ଯାତ୍ରାରେ ସାମିଲ ହୋଇଥିଲେ ସୋନିଆ ଗାନ୍ଧି । ରାଲିରେ ରାହୁଲ କହିଥିଲେ, କର୍ଣ୍ଣାଟକରେ ଚାଲିଛି ୪୦ ପ୍ରତିଶତ କମିଶନରାଜ । ଦେଶରେ ବଢିଛି ହିଂସାଭାବ । ୧୨ ରାଜ୍ୟରେ ୩ ହଜାର ୫୭୦ କିଲୋମିଟର କରାଯିବ ପଦଯାତ୍ରା ।