spot_img
Home Blog Page 4018

କମନୱେଲଥ ଗେମ୍ସରୁ ବାଦ୍ ପଡ଼ିଲେ ଅଲିମ୍ପିକ ମେଡାଲ ବିଜେତା ନୀରଜ !

ନୂଆଦିଲ୍ଲୀ: ଅଲିମ୍ପିକ ମେଡାଲ ବିଜେତା ତଥା ଗତ ରବିବାର ବିଶ୍ୱ ଆଥଲେଟ୍ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା କମନୱେଲଥ ଗେମ୍ସରୁ ବାଦ ପଡିଛନ୍ତି । ଆଘାତ କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ଦେଶବାସୀଙ୍କ ଆଶା ଥିଲା ଯେ, ଅଲିମ୍ପିକ ଭଳି କମନୱେଲଥରେ ବି ନୀରଜ ସୁନା ପଦକ ଜିତିବେ । ହେଲେ ସେ ଆଶା ଏବେ ଆଶାରେ ରହିଯାଇଛି । ତେବେ ନୀରଜଙ୍କୁ ବିଶ୍ୱ ଆଥଲେଟ୍ ଚାମ୍ପିଅନସିପ୍ ରେ ଜାଭେଲିନ ଫାଇନାଲ ସମୟରେ ଆଘାତ ଲାଗିଥିଲା ।

ଫାଇନାଲରେ ନୀରଜ ନିଜ ଜଙ୍ଘରେ ପଟି ଘୋଡାଇଥିବାର ନଜର ମଧ୍ୟ ଆସିଥିଲେ । ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ଜେନେରାଲ ସେକ୍ରେଟାରୀ ରାଜୀବ ମେହତା ନୀରଜଙ୍କ କମନୱେଲଥ ନଖେଳିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ୱାର୍ଲଡ ଆଥଲେଟିକ୍ ଚମ୍ପିଆନସିପ ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଏବେ ସେ ଖେଳିବା ପାଇଁ ଫିଟ୍ ନାହାନ୍ତି । ଫାଇନାଲ ଇଭେଣ୍ଟ ପରେ ନୀରଜଙ୍କ ଏମଆରଆଇ ସ୍କାନ ହୋଇଥିଲା, ଯେଉଁଥିରେ ଗ୍ରୋଇନ ଇଞ୍ଜୁରୀ ଥିବା ଜଣାପଡ଼ିଥିଲା ।

ଏପରି ସ୍ଥିତିରେ ତାଙ୍କୁ ଏକମାସର ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି । କମନୱେଲଥ ଗେମ୍ସରେ ନୀରଜ ଚୋପଡାଙ୍କ ମ୍ୟାଚ ୫ ଅଗଷ୍ଟରେ ହେବାର ଥିଲା, ସେହିଦିନ ଜାଭେଲିନ ଥ୍ରୋର ଇଭେଣ୍ଟ ଥିଲା । ଏବେ ଏହି ଫିଲ୍ଡରେ ଭାରତର ଆଶା ଡିପି ମନୁ ଏବଂ ରୋହିତ ଯାଦବଙ୍କ ଠାରେ ରହିଛି । ଜାଭେଲିନ ଥ୍ରୋରେ ଏବେ ଏହି ଦୁଇ ଭାରତର ପ୍ରତିନିଧିତ୍ୱ କରିବେ ।

ହଙ୍ଗାମା ଓ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଗତକାଲି ଲୋକସଭା ଅଧ୍ୟକ୍ଷ ୪କଂଗ୍ରେସ ସାଂସଦଙ୍କୁ ଗୃହ ଭିତରେ ବିରୋଧ ପ୍ରଦର୍ଶନ କରୁଥିବାରୁ ନିଲମ୍ବିତ କରିଥିଲେ । ଆଜି ମଧ୍ୟ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂସଦର ମୌସୁମୀ ଅଧିବେସନ ସମୟରେ ଗୃହର ୱେଲରେ ପ୍ରବେଶ କରିବା ଏବଂ ନାରାବାଜୀ ପାଇଁ ରାଜ୍ୟସଭାର ୧୯ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

୧୯ ସାଂସଦଙ୍କୁ ସପ୍ତାହ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ନିଲମ୍ବିତ କରାଯାଇଥିବା ସାଂସଦମାନଙ୍କ ମଧ୍ୟରେ ସୁଷ୍ମିତା ଦେବ, ଡା. ଶାନ୍ତନୁ ସେନ, ଡୋଲା ସେନ, ରହିମ ଏବଂ ଶିବଦାସାନ (ବାମଦଳ), କାନିମୋଝୀ (ଡିଏମକେ), ବିଏଲ ଯାଦବ (ଟିଆରଏସ) ଏବଂ ମହମ୍ମଦ ଅବଦୁଲ୍ଲା ସାମିଲ ଅଛନ୍ତି । ବିରୋଧୀ ସାଂସଦଙ୍କ ହଙ୍ଗାମା କାରଣରୁ ଉଚ୍ଚ ସଦନର କାର୍ଯ୍ୟବାହୀ ୨୦ ମିନିଟ ପାଇଁ ସ୍ଥଗିତ ରହିଥିଲା ।

ପ୍ରକାଶଯୋଗ୍ୟ, ଦରଦାମ ବୃଦ୍ଧି ଏବଂ ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ଲଗାଯିବାକୁ ନେଇ ବିରୋଧୀ ସାଂସଦମାନେ ଫ୍ଲାକାର୍ଡ ଧରି ସଂସଦର ଉଭୟ ଗୃହରେ ବିରୋଧ କରୁଛନ୍ତି । ସେମାନେ ଦାବି କରୁଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ଆସି ପ୍ରସଙ୍ଗ ଉପରେ ସେମାନଙ୍କ କଥା ଶୁଣନ୍ତୁ । ସଂସଦର ମୌସୁମୀ ଅଧିବେସନ ଗତ ୧୮ ତାରିଖରେ ଆରମ୍ଭ ହୋଇଥିଲା, ଲଗାତାର ସାଂସଦମାନଙ୍କ ବିରୋଧ କାରଣରୁ କାର୍ଯ୍ୟରେ ବାଧାପ୍ରାପ୍ତ ଘଟୁଛି ।

ନ୍ୟୁଡ୍ ଫଟୋ ସୁଟ୍ କରି ଫସିଲେ ରଣବୀର; ଥାନାରେ ମାମଲା ରୁଜୁ

ମୁମ୍ୱାଇ: ଅଡ଼ୁଆରେ ବଲିଉଡ୍‌ ଅଭିନେତା ରଣବୀର ସିଂ । ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ନ୍ୟୁଡ୍‌(ନଗ୍ନ) ଫଟୋସୁଟ୍‌ କରି ଅଡ଼ୁଆରେ ଛନ୍ଦି ହୋଇପଡ଼ିଛନ୍ତି ଏହି ବଲିଉଡ୍ ଷ୍ଟାର । ତାଙ୍କ ବିରୋଧରେ ଏକ ଏଫଆଇଆର ଦାୟର ହୋଇଛି । ସୋସିଆଲ ମିଡିଆରେ ନିଜର ନଗ୍ନ ଫଟୋ ମାଧ୍ୟମରେ ମହିଳାଙ୍କ ଭାବନାକୁ ଆଘାତ ଦେଇଥିବାରୁ ରଣବୀରଙ୍କ ବିରୋଧରେ ଏଫଆଇଆର ଦାୟର ପାଇଁ ମୁମ୍ୱାଇ ପୋଲିସ। ମୁମ୍ବାଇ ଚେମ୍ବୁର ଥାନାରେ  IPC ଧାରା ୫୦୯, ୨୯୨ , ୨୯୪ ଓ ଆଇଟି ଆକ୍ଟରେ ୬୭A ରେ ମାମଲା ରୁଜୁ ହୋଇଛି । ଟ୍ୱିଟର ଓ ଇନଷ୍ଟାଗ୍ରାମରୁ ରଣବୀରଙ୍କ ସେହି ନ୍ୟୁଡ ଫଟୋ ହଟାଇବା ସହ ଏତଲାରେ ଉଲ୍ଲେଖ କରାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବ ମୁମ୍ବାଇରେ ଅବସ୍ଥିତ ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ର ଜଣେ କର୍ମଚାରୀ ଚେମ୍ବୁର ପୋଲିସ୍ ଷ୍ଟେସନରେ ଅଭିଯୋଗ ଆବେଦନ ଦାଖଲ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ଅଭିନେତା ମହିଳାଙ୍କ ଭାବନାକୁ ଆଘାତ ଦେଇଛନ୍ତି ଏବଂ ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେମାନଙ୍କ ନମ୍ରତାକୁ ଅପମାନିତ କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ତଥା ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅନୁଯାୟୀ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି ।

ଏହି ସମ୍ପର୍କରେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏକ ଏନଜିଓ ସହ ଜଡିତ ବ୍ୟକ୍ତିଙ୍କ ଠାରୁ ଆମେ ଏକ ଏଫଆଇଆର ଆବେଦନ ଗ୍ରହଣ କରିଛୁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ପଞ୍ଜୀକୃତ ହୋଇନାହିଁ। ଏ ସଂକ୍ରାନ୍ତରେ ଆମେ ଅଧିକ ପଚରାଉଚରା କରୁଛୁ ।

ରଣବୀରଙ୍କୁ କ’ଣ ସଜ୍ଜା ହୋଇପାରେ?

ଓକିଲଙ୍କ କହିବାନୁସାରେ, ଆଇପିସିର ଧାରା ୨୯୨ ଅନୁଯାୟୀ ୫ବର୍ଷ ଏବଂ ଧାରା ୨୯୩ ଅନୁଯାୟୀ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ଅନ୍ୟପକ୍ଷରେ ଆଇଟି ଆକ୍ଟ ୬୭ ଏ ଅନୁଯାୟୀ ୫ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ରଣବୀର ଏକ ମ୍ୟାଗାଜିନ୍ ପାଇଁ ନ୍ୟୁଡ୍ ଫଟୋ ସୁଟ୍ କରିଥିଲେ । ସାମାଜିକ ଗଣମାଧ୍ୟମରେ ଏହି ବୋଲ୍ଡ ଫଟୋ ସୁଟ୍‌ ଫଟୋ ସେୟାର ହେବା ପରେ ଖୁବ୍ ଭାଇରାଲ ହୋଇଥିଲା । ଏବଂ ଖୁବ୍ ଟ୍ରୋଲ ମଧ୍ୟ ହୋଇଥିଲା । ଏସବୁ ଗୋଟିଏ ପ୍ରକାର ଚଳନୀୟ କିନ୍ତୁ ଏହି ଘଟଣା ଥାନା ପହଞ୍ଚିବା ରଣୀବରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି ।

ବାବୁସାନ୍-ପ୍ରକୃତି ବିବାଦ ମାମଲାର ତଦନ୍ତ ପାଇଁ ମନ୍ମଥ ମିଶ୍ରଙ୍କ ଘରେ ପୋଲିସ

ଭୁବନେଶ୍ୱର: ବାବୁସାନ, ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୋଲିସର ଖୋଳତାଡ଼ । ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ । ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ପୋଲିସ । ତଦନ୍ତ ପାଇଁ ପୋଲିସ ଯାଇଥିବା ସୂଚନା ମିଳିଛି । ସେପଟେ ପୂର୍ବରୁ ମାମଲାରେ ପ୍ରକୃତି ମିଶ୍ରଙ୍କୁ ହାଜର ପାଇଁ ନୋଟିସ୍ କରିଥିଲା ପୋଲିସ । ହେଲେ ଏବେ ଯାଏ ସେ ହାଜର ହୋଇନାହାନ୍ତି ।

ଅନ୍ୟପକ୍ଷରେ ପ୍ରକୃତିଙ୍କ ବାପା ମାଆଙ୍କ ସହ ଚେନ୍ନାଇରେ ନିଜ ଭାଇଙ୍କ ଘରେ ରହି ନିଜ ପକ୍ଷକୁ ଅଧିକ ମଜଭୁତ କରିବା ଲାଗି ଗୋଟି ଚାଳନା କରୁଛନ୍ତି । ଗତକାଲି ରାତିରେ ଦମନର ଟିମ ଚେନ୍ନାଇରୁ ଫେରିଛି । କିନ୍ତୁ ସେମାନଙ୍କ ସହ ବାବୁସାନ ନଫେରିବା ଘଟଣାକୁ ଆହୁରି ରହସ୍ୟମୟ କରିଛି । ସମସ୍ତ ପକ୍ଷ ଏବେ ମୁହଁ ବନ୍ଦ ରଖିଥିବା ବେଳେ କୁହାଯାଉଛି ଯେ, ମୁହଁ ବନ୍ଦ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ତାଗିଦ କରାଯାଇଛି ।

ବାବୁସାନ ଓ ତୃପ୍ତିଙ୍କ ବିବାଦ ନେଇ ଧିରେ ଧିରେ ଓଲିଉଡରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । କେହି ପ୍ରକୃତିଙ୍କୁ ଦୋଷ ଦେଉଥିବା ବେଳେ କେହି କେହି ବାବୁସାନଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ପୋଲିସର ପରବର୍ତ୍ତୀ ପଦକ୍ଷେ ଉପରେ । ପୋଲିସ ଆଶା କରୁଛି ଦିନେ ଦୁଇ ଦିନ ଭିତରେ ବାବୁସାନ ନୋଟିସ ମୁତାବକ ପୋଲିସ ପାଖରେ ହାଜର ହେବେ ।

ଇଡି କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀ; ସତ୍ୟାଗ୍ରହ ଜାରି ରଖିଛି କଂଗ୍ରେସ

ନୂଆଦିଲ୍ଲୀ: ଇଡି କାର୍ଯ୍ୟାଳୟରେ ହାଜର ହେଲେ ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ସୋନିଆଙ୍କୁ ଜେରା କରିବ ଇଡି ଟିମ୍ ସୋନିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ଓ ଜେରାକୁ ନେଇ ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ ଜାରି ରଖିଛି କଂଗ୍ରେସ । ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ପାଇଁ ପୋଲିସ ଆଲର୍ଟରେ ରହିଥିବା ବେଳେ ଆଇନଶୃଙ୍ଖଳା ପାଇଁ ପ୍ଲାଟୁନ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଗତ ୨୧ ରେ ଇଡି ସୋନିଆଙ୍କୁ ପ୍ରାୟ ତିନି ଘଣ୍ଟା ଧରି ଜେରା କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ପଚରାଉଚରା କରିବ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ଜେରାକୁ ନେଇ ସଡ଼କ ସଂସଦ ବିକ୍ଷୋଭ ଜାରି ରଖିଛି ଦଳ । ପାର୍ଟି ଅଫିସରେ କଂଗ୍ରେସ ଲୋକସଭା ଏମପିଙ୍କ ସହ ବିଭିନ୍ନ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

ସେପଟେ ରାଜଘାଟ ପାର୍ଶ୍ୱ ଗାନ୍ଧୀ ସମାଧି ନିକଟରେ ସତ୍ୟାଗ୍ରହ ପାଇଁ ଦଳକୁ ଅନୁମତି ନମିଳିବାରୁ କେନ୍ଦ୍ର ଉପରେ ବର୍ଷିଛି ଦଳ । ସଂସଦରୁ ରାଷ୍ଟ୍ରପତି ଭବନ ଯାଏଁ କଂଗ୍ରେସ ସାଂସଦଙ୍କ ପଦଯାତ୍ରା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ବିଜୟ ଚୌକଠାରେ ରାହୁଲ ଗାନ୍ଧୀଙ୍କ ସହ ବହୁ ଏମପି ଧାରଣାରେ ବସିଥିବା ବେଳେ କେତେଜଣଙ୍କୁ ଉଠାଇ ନେଇଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ସରକାର ଜାଣନ୍ତିନି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କେତେ ଟଙ୍କା ରହିଛି

 

 

କୀଟନାଶକ ପିଇ ୮ବର୍ଷୀୟ ନାବାଳକର ମୃତ୍ୟୁ

ଭଦ୍ରକ: ବିଷ ପିଇ ୮ବର୍ଷୀୟ ନାବାଳକର ମୃତ୍ୟୁ । ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଉଦୟପୁର ଗାଁର ପବିତ୍ର ଦାସଙ୍କର ୮ବର୍ଷର ପୁଅ ମାନସ ଦାସ । ବର୍ତ୍ତନା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁନ୍ତି । ଗତକାଲି ସ୍କୁଲରୁ ଆସିଲା ପରେ ବାପା ରଖିଥିବା କୀଟନାଶକ ପିଇ ଦେଇଥିଲେ ମାନସ । ପରେ ବାନ୍ତି କରିବାରୁ ପରିବାର ଲୋକ ପଚାରିବାରୁ ବିଷ ପିଇଦେଇଥିବା ଜଣାପଡ଼ିଥିଲା ।

ପରେ ପରିବାର ଲୋକ ପ୍ରଥମେ ଆଗରପଡା ପରେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡ଼ିକାଲଙ୍କୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଷ ପିଇବା କାରଣ କ’ଣ ନିର୍ଦ୍ଦିଷ୍ଟ ଭାବରେ ପରିବାର ଲୋକେ କହୁନଥିବା ବେଳେ ଅଭିଯୋଗ ପରେ ପୋଲିସ ତଦନ୍ତ କଲେ ଜଣାପଡ଼ିବ ।

ଏଥିସହିତ ପଢ଼ନ୍ତୁ: ଆଜି କାରଗିଲ୍ ବିଜୟ ଦିବସ; କୁଣ୍ଢେମୋଟ ହେଇଯାଉଛି ସାରା ଦେଶବାସୀଙ୍କ ହୃଦୟ

୨୦ ବର୍ଷର ବୈଧତା ସହ ଆଜି ୫-ଜି ସ୍ପେକ୍ଟ୍ରମ୍ ନିଲାମୀ

ନୂଆଦିଲ୍ଲୀ: ଆଜି ୫-ଜି ସ୍ପେକ୍‌ଟ୍ରମ୍‌ ନିଲାମ । ୨୦ ବର୍ଷର ବୈଧତା ଅବଧି ସହ ମୋଟ ୭୨ ହଜାର ୯୭ ଦଶମିକ ୮୫ ମେଗାହର୍ଜ ସ୍ପେକ୍ର୍ଟମର ନିଲାମ ପ୍ରକ୍ରିୟା ହେବ । ଚଳିତଥର ୫-ଜି ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ୭୨,୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯିବ। ଏଥିରେ ସରକାର ୬୦୦ ମେଗାହର୍ଜ୍ଜ , ୭୦୦ ମେଗାହର୍ଜ୍ଜ ଏବଂ ୩୩୦୦ ମେଗାହର୍ଜ୍ଜ ସହିତ ଅନେକ ବ୍ୟାଣ୍ଡରେ ବିକ୍ରି ପାଇଁ ୫ଜି ଏୟାରୱେଭ୍ ରଖାଯାଇଛି।ନିଲାମ ନିମ୍ନ, ମଧ୍ୟମ ଓ ହାଇ ଫ୍ରିକ୍ବେନସି ବ୍ୟାଣ୍ଡରେ ହେବ ।

୫ଜି ସ୍ପେକ୍ଚ୍ରମ ଦ୍ୱାରା ୪ଜି ଠାରୁ ଦଶଗୁଣା ଅଧିକ ଫାଷ୍ଟ ସର୍ଭିସ ମିଳିବ । ଦୂରସଞ୍ଚାର କ୍ଷେତ୍ରର ୩ ଘରୋଇ କମ୍ପାନୀ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ମଧ୍ୟ ଆବେଦନ କରିଛନ୍ତି । ଏଥିରେ ଚତୁର୍ଥ ଆବେଦନକାରୀ ଭାବେ ଆଦାନୀ ଗ୍ରୁପ ରହିଛି। ଆଦାନୀ ଗ୍ରୁପ ନିକଟରେ ଲଙ୍ଗ ଡିଷ୍ଟାନ୍ସ ଏନଏଲଡି ଓ ଇଣ୍ଟରନ୍ୟାସନାଲ ଲଙ୍ଗଡିଷ୍ଟାନ୍ସ ଆଇଏନଏଲଡି ଲାଗି ଲାଇସେନ୍ସ ହାସଲ କରିସାଛନ୍ତି। ହାସଲ ସ୍ପେକ୍ଟ୍ରମକୁ ଆଦାନୀ ଗ୍ରୁପ ବିମାନ ବନ୍ଦରଠାରୁ ଆରମ୍ଭ କରି ନିଜର ବ୍ୟବସାୟ କ୍ଷେତ୍ରରେ ଏକ ଘରୋଇ ନେଟୱାର୍କ ରୂପେ ବ୍ୟବହାର କରିବ ବୋଲି କହିଛି ।

ଏଥିସହିତ ପଢ଼ନ୍ତୁ: ସରକାର ଜାଣନ୍ତିନି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କେତେ ଟଙ୍କା ରହିଛି

 

ସରକାର ଜାଣନ୍ତିନି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ: ଭାରତୀୟ ନାଗରିକ ତଥା କମ୍ପାନୀଗୁଡିକ ଦ୍ୱାରା ସ୍ୱିସ୍ ବ୍ୟାଙ୍କରେ କେତେ ଟଙ୍କା ଜମା କରାଯାଇଛି, ସେ ସମ୍ପର୍କରେ ସରକାରଙ୍କ ନିକଟରେ ନାହିଁ ସୂଚନା । ଏହି ଜମା ଅର୍ଥର ପ୍ରକୃତ ପରିମାଣ ନେଇ କୌଣସି ସରକାରୀ ଆକଳନ କରାଯାଇ ନଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ରଖିଛନ୍ତି ଉତ୍ତର । ସ୍ୱିସ୍‌  ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି ଯେ, ୨୦୨୦ ତୁଳନାରେ ୨୦୨୧ ମସିହାରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି ପାଇଛି ।

ଏହି ଜମା ଅର୍ଥ ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା କଳା ଟଙ୍କା ପରିମାଣକୁ ସୂଚିତ କରେ ନାହିଁ । ସ୍ୱିଜରଲାଣ୍ଡ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଭାରତୀୟଙ୍କ ଦ୍ୱାରା ସ୍ୱିଜରଲାଣ୍ଡରେ ଜମା ହୋଇଥିବା ଅର୍ଥର ବିଶ୍ଲେଷଣ ପାଇଁ ଏସଏନବି ବାର୍ଷିକ ବ୍ୟାଙ୍କିଙ୍ଗ ପରିସଂଖ୍ୟାନ କରାଯିବା ଉଚିତ ନୁହେଁ । ଏହା ବଦଳରେ ଲୋକାଲ ବ୍ୟାଙ୍କିଂ  ପରିସଂଖ୍ୟାନ ଯାହା ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସର ସହଯୋଗରେ ଏସଏନବି ସଂଗ୍ରହ କରିଥାଏ, ତାହାକୁ ବ୍ୟବହାର କରାଯିବା ଉଚିତ୍ । ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସର ଲୋକାଲ ବ୍ୟାଙ୍କିଙ୍ଗ ପରିସଂଖ୍ୟାନ ୨୦୨୧ ମସିହା ରିପୋର୍ଟ ଅନୁସାରେ, ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶିର ୮.୩ ପ୍ରତିଶତ ହ୍ରାସ ପାଇଛି ବୋଲି କହିଛନ୍ତି ସୀତାରମଣ । ଏହାସହ ପୂର୍ବରୁ ଅଘୋଷିତ ବିଦେଶୀ ସମ୍ପତ୍ତି ଓ ଆୟକୁ ଟିକସ ପରିସର କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ସୀତାରମଣ । କଳା ଟଙ୍କା ଓ ଟିକସ ଆଇନ ୨୦୧୫ ଅଣାଯାଇଛି । ଯେଉଁଥିରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ଏହି ଆଇନର କାର୍ଯ୍ୟକାରିତା ପାଇ ସାରା ଦେଶରେ ୨୯ଟି ବିଦେଶୀ ସମ୍ପତ୍ତି ଅନୁସନ୍ଧାନ ୟୁନିଟ୍ ଗଠନ କରାଯାଇଛି ବୋଲି ଗୃହରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏଥିସହିତ ପଢ଼ନ୍ତୁ: ଚେନ୍ନାଇରୁ ଫେରିଲା ଦମନ୍‌ର ପୂରା ଟିମ୍; ବାବୁସାନ୍‌ଙ୍କ ପତ୍ତା ମିଳୁନି

 

ଚେନ୍ନାଇରୁ ଫେରିଲା ଦମନ୍‌ର ପୂରା ଟିମ୍; ବାବୁସାନ୍‌ଙ୍କ ପତ୍ତା ମିଳୁନି

ଭୁବନେଶ୍ୱର: ଚେନ୍ନାଇରୁ ଫେରିଲେ ଫିଲ୍ମ ‘ଦମନ’ର ପୂରା ଟିମ୍ । ଗତକାଲି ରାତିରରେ ଫିଲ୍ମ ପ୍ରମୋସନ କରି ଓଡ଼ିଶା ଫେରିଛି ଟିମ୍ । ତେବେ ଟିମ ସହ ଫେରିନାହାନ୍ତି ବାବୁସାନ୍ । ତାଙ୍କ ପାଇଁ ଟିକେଟ ହୋଇଥିଲେ ମଧ୍ୟ ସେ ଓଡ଼ିଶା ଆସିନାହାନ୍ତି । ଗତ ୨୪ତାରିଖରୁ ହୋଟେଲ ଛାଡ଼ି ଚାଲିଯାଇଛନ୍ତି ବାବୁ । ଏବେ ସେ କେଉଁଠି ଅଛନ୍ତି ଜଣାନାହିଁ ବୋଲି କହିଛନ୍ତି ସହଯୋଗୀ ।

ଅନ୍ୟପକ୍ଷରେ ପ୍ରକୃତି ମିଶ୍ରଙ୍କ ସହ ଫ୍ୟାମିଲି ଫଟୋ ସେୟାର କରିଛନ୍ତି ମାଆ କ୍ରିଷ୍ଣା । ଚେନ୍ନାଇରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଫ୍ୟାମିଲି ଫଟୋ । ଜାରି ହୋଇଥିବା ଫ୍ୟାମିଲି ଫଟୋରେ ଅଛନ୍ତି ପ୍ରକୃତି, ବାପା ମନ୍ମଥ ଓ ମାଆ କ୍ରିଷ୍ଣା । କ୍ରିଷ୍ଣା କହିଛନ୍ତି ପ୍ରତିଟି ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି ସାମାନ୍ୟ ରିଲାସ୍କ । କୁହାଯାଉଛି ଯେ, ପ୍ରକୃତି ପରିବାର ସହ ଖୁବଶୀଘ୍ର ଘରକୁ ଫେରିବେ । କାରଣ ପୋଲିସ ପକ୍ଷରୁ ଉଭୟ ପ୍ରକୃତି ଏବଂ ବାବୁସାନଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା । ଗତ ଶନିବାର ସ୍ୱାମୀ ବାବୁସାନଙ୍କ ସହ ଏକାଠି ଦେଖି ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି । ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରକୃତି ଚାଲି ଯାଇଥିଲେ ଚେନ୍ନାଇ । ସେହିପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାବୁସାନ ବି ଚାଲିଯାଇଥିଲେ ଚେନ୍ନାଇ ।

ଏଥିସହିତ ପଢ଼ନ୍ତୁ: ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା

ଆଜି କାରଗିଲ୍ ବିଜୟ ଦିବସ; କୁଣ୍ଢେମୋଟ ହେଇଯାଉଛି ସାରା ଦେଶବାସୀଙ୍କ ହୃଦୟ

ନୂଆଦିଲ୍ଲୀ: ଆଜି କାରଗିଲ୍ ବିଜୟ ଦିବସ । ଯେଉଁ ବିଜୟ କଥା ମନେ ପଡ଼ିଲେ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଏ, ଆଉ ପାକିସ୍ତାନର ହୋସ୍ ଉଡ଼ିଯାଏ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାରଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା । ୨୩ ବର୍ଷ ପରୁଣା ଏକ ଯୁଦ୍ଧ । ଶତ୍ରୁ କବ୍‌ଜାରେ ଥିଲା କାରଗିଲର ପାହାଡ଼ ।

ପାକିସ୍ତାନୀ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର । ରଣକ୍ଷେତ୍ର ପାଲଟିଥିଲା କାରଗିଲ ବକ୍ଷ । ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସେହି ପାହାଡିଆ ଉପତ୍ୟକା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ଯବାନ କେମିତି ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଦେଶର ସୁରକ୍ଷା ଲାଗି ଲଢୁଛନ୍ତି । ପାକିସ୍ତାନର ମୁଖା ଖୋଲିସାରିଥିଲା ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ କାରଗିଲରେ ଭାରତୀୟ ସେନାର କଡ଼ା ଜବାବରେ ଅସ୍ତବ୍ୟସ୍ତ ପାକିସ୍ତାନ ଅନ୍ତର୍ଜାତୀୟ ସହାୟତା ଲୋଡି ହତାସ ହୋଇଥିଲା ।

ବିମାନ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଥିଲେ ସରିଫ । ଶେଷରେ କାରଗିଲ ଖାଲି କରି ପଳାୟନ କରିଥିଲେ ପାକିସ୍ତାନୀ ସୈନ୍ୟ । ୧୯୯୯ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା ଅପରେସନ ବିଜୟ । ସେହି ଗୌରବମୟ ଦିନକୁ ଆଜି ପୂରିଛି ୨୩ବର୍ଷ । ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଦେଶ ପାଇଁ ଜୀବନ ଦେଇଥିଲେ ଓଡ଼ିଶାର ଅନେକ ଯବାନ । ବୀର ଯବାନମାନଙ୍କୁ ମନେ ପକାଇବା ପାଇଁ ତାଙ୍କର ବୀରଗାଥାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ୍ ବିଜୟ ଦିବସ ପାଳନ କରାଯାଏ ।

ଏଥିସହିତ ପଢ଼ନ୍ତୁ: ଦିନକ ପରେ ରାଜ୍ୟରେ ପାଗ ଶୁଖିଲା ହେବ