ନିବେଶ ସମ୍ମିଳନୀ ପୂର୍ବରୁ ୩୭ ଉଦ୍ୟୋଗପତିଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

1 min read

ହାଇଦ୍ରାବାଦ: ହାଇଦ୍ରାବାଦରେ ଆଜି ସଂଧ୍ୟାରେ ନିବେଶ ସମ୍ମିଳନୀ । ଏହା ପୂର୍ବରୁ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଆଇଟି ଓ ଆଇଟିଇଏସ୍, ହେଲଥ କେୟାର ଓ ଫାର୍ମାସ୍ୟୁଟିକାଲ, ଇଏସଡିଏମ୍ ଓ ଡାଟା ସେଣ୍ଟର, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ ।

ଏହାସହ ଟେକ୍ସଟାଇଲ ଓ ଆପାରେଲ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ଆଶା ରହିଛି। ଭାରତ ବାୟୋଟେକର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା, ଡେଲଏଟ ଏମ୍‌ଡି ଏନ୍.ଭେଙ୍କଟରମଣ, ପିଡବ୍ଲୁସିର ଆଡଭାଇଜର ଅର୍ଣ୍ଣବ ବସୁ, ମାଇକ୍ରୋସଫ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ବିଜୟନଗର ବାୟୋଟେକ୍ ଏମଡି ଡିଭି ରାଜୁଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓରାକଲ୍ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର, ମେଟାଲ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ପାଇଁ ନେପଚୁନସ୍‌ ବିଲ୍ଡରର ଏମଡି ଏମଭି ରମନା, ସୃଷ୍ଟି କନ୍‌ଟେକର ସିଇଓ ରାଜଶେଖର ରେଡ୍ଡିଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ସିମେଣ୍ଟ କାରଖାନା ପାଇଁ ତୋଷାଳୀ ସିମେଣ୍ଟ ସିଏମଡି MSRV ପ୍ରସାଦ, ମହାସିମେଣ୍ଟର ଅଧ୍ୟକ୍ଷ ରାମେଶ୍ବର ରାଓଙ୍କ ସହ ମଧ୍ୟ ନବୀନ ଆଲୋଚନା କରୁଛନ୍ତି ।  ଅପରାହ୍ନରେ ହେଲ୍‌ଥ କେୟାର ଓ ଫାର୍ମାସ୍ୟୁଟିକାଲ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ନଭେମ୍ବର ୩୦ରୁ ଡିସେମ୍ବର ୪ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର୍ସ ମିଟ୍‌ ଜରିଆରେ ପୁଞ୍ଜିପତିଙ୍କ ସହ ଆଲୋଚନା କରି ଶିଳ୍ପପତିଙ୍କୁ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରୁଛନ୍ତି ନବୀନ ଆଣ୍ଡ ଟିମ୍ ଓଡ଼ିଶା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଅହମଦାବାଦ, ଦୁବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇରେ ଇନଭେଷ୍ଟର୍ସ ମିଟରେ ରାଜ୍ୟ ସରକାରଙ୍କୁ ବଡ଼ ସଫଳତା ମିଳିଛି।