ଟି୨୦ ବିଶ୍ୱକପ୍ ୱାର୍ମ-ଅପ୍ ମ୍ୟାଚ୍: ଅଷ୍ଟ୍ରେଲିଆଠୁ ୬ ରନରେ ଜିତିଲା ଭାରତ

1 min read

ବ୍ରିସବେନ୍: ଗତକାଲି ଅର୍ଥାତ ୧୬ ତାରିଖରୁ ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ନାମବିଆ ଓ ନେଦରଲ୍ୟାଣ୍ଡ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ୱାର୍ମଅପ୍ ମ୍ୟାଚ୍ ମଧ୍ୟ ଚାଲିଛି । ଆଜି ଦ ଗାବା ଷ୍ଟାଡିୟମଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୱାର୍ମଅପ୍ ମ୍ୟାଚ୍ ଶେଷ ହୋଇଛି । ଏହି ମ୍ୟାଚରେ ଭାରତ ମାତ୍ର ୬ନରରେ ବିଜୟୀ ହୋଇଛି ।

ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନକ୍ରମେ ଭାରତ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ନିଜର ୭ ୱିକେଟ୍ ବିନିମୟରେ ୧୮୬ ରନ୍ ସଂଗ୍ରହ କରିଥିଲା । ହେଲେ ଅଷ୍ଟ୍ରେଲିଆ ନିଜର ସମସ୍ତ ୱିକେଟ୍ ହରାଇ ୧୮୦ ରନରେ ସୀମିତ ରହିଥିଲା । ଏଣୁ ଭାରତ ୬ରନରେ ବିଜୟୀ ହୋଇଛି ।

ଆଜିର ମ୍ୟାଚରେ ମଧ୍ୟ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ୩୩ ଟି ବଲ୍ ଖେଳି ୫୭ରନର ଏକ ଭଲ ପାରି ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅର୍ଦ୍ଧଶତକ କରି ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋହିତ ୧୫ ରନ୍, କୋହଲି ୧୯ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍ ଓ କାର୍ତ୍ତିକ ୨୦ ରନ୍ କରିଥିଲେ ।

ଭାରତ ୧୮୬ରନର ଏକ ଦୃଢ ସ୍କୋର୍ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କେନ୍ ରିଚାର୍ଡସନ୍ ସର୍ବାଧିକ ୪ ଟି ୱିକେଟ୍ ଅକ୍ତିଆର କରିଥିଲେ । ୧୮୭ରନର ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମିଚେଲ୍ ମାର୍ଶ ଓ ଆରୋନ ଫିଞ୍ଚ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମିଚେଲ ମାର୍ଶ ୧୮ ଟି ବଲ୍ ଖେଳି ୩୫ ରନ କରି ଭୁବନେଶ୍ୱରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ ।

ଅଧିନାୟକ ଆରୋନ ଫିଞ୍ଚ ୫୪ ଟି ବଲ୍ ଖେଳି ୭୬ରନର ଏକ ଦମଦାର ଇନିଂସ ଖେଳିଥିଲେ । ଷ୍ଟିଭେନ ସ୍ମିଥ ଆଜି ବିଫଳ ସାବ୍ୟସ୍ତ ହୋଇଥିଲେ । ମାତ୍ର ୧୧ ରନ୍ କରି ଚହଲଙ୍କ ବଲରେ ବୋଲ୍ଡ ହୋଇଥିଲେ । ଗ୍ଲେନ ମ୍ୟାକ୍ସୱେଲ୍ ମଧ୍ୟ ମାତ୍ର ୨୩ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲେ । ଭାରତୀୟ ବୋଲରଙ୍କ ଆଗରେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ତିଷ୍ଟି ପାରିନଥିଲେ ।

୧୮.୧ ଓଭରରେ ଦଳୀୟ ସ୍ଥିତି ୧୭୧ ଥିବା ବେଳେ ୫ମ ଝଟକା ଭାବେ ଆରନ ଫିଞ୍ଚ ଆଉଟ୍ ହୋଇଯାଇଥିଲେ । ଏହାପରେ ମାତ୍ର ୯ ରନ୍ ଭିତରେ ସମସ୍ତ ୱିକେଟ୍ ଗଳି ପଡ଼ିଥିଲେ । ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ଦଳ ୧୮୦ରନରେ ସୀମିତ ରହିଥିଲା । ଭାରତୀୟ ବୋଲର ମହମ୍ମଦ ସାମି ଆଜି ସଫଳ ସାବ୍ୟସ୍ତ ହୋଇଛନ୍ତି ।

ମାତ୍ର ଗୋଟିଏ ଓଭର ବୋଲିଂ କରି ୪ ରନ୍ ବିନିମୟରେ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଭୁବନେଶ୍ୱର କୁମାର ମଧ୍ୟ ୨ଟି ୱିକେଟ୍ ଅକ୍ତିଆର କରିଥିଲେ । ଅର୍ଶଦୀପ ସିଂ, ହର୍ଶଲ ପଟେଲ ଏବଂ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ । ତେବେ ସୂଚନାଥାଉକି ଆସନ୍ତା ୨୩ ତାରିଖରେ ଭାରତ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ କୁ ଦର୍ଶକ ଚାତକ ପରି ଅପେକ୍ଷା କରି ରହିଛନ୍ତି ।