କ୍ଷମତାକୁ ଆସିବାର ମାସକ ପରେ ବିବାଦରେ ଲିଜ୍ ଟ୍ରସ୍, ଯାଇପାରେ ପିଏମ୍ ପଦ

ଲଣ୍ଡନ: ବ୍ରିଟିଶ ରାଜନୀତିରେ ଅଲ ଇଜ ନଟ୍‌ ଓ୍ବେଲ । ସଙ୍କଟରେ ନୂଆ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଆସନ । ଚଳିତ ସପ୍ତାହରେ ପିଏମ ପଦରୁ ବିଦା ହୋଇପାରନ୍ତି ଲିଜ ଟ୍ରସ୍ । ଲିଜଙ୍କ ବିରୋଧରେ ବ୍ରିଟେନ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇପାରେ । ସରକାରୀ ଦଳର ପ୍ରାୟ ଶହେ ସାଂସଦ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନୋ କନଫିଡେନ୍ସ ଲେଟର ଦାଖଲ କରିପାରନ୍ତି ବୋଲି କୁହାଯାଉଛି ।

ଏହାସହ ତୁରନ୍ତ ଭୋଟିଂ କରି ଅନ୍ୟ ଜଣେ ନେତାଙ୍କୁ ଲିଜ ଟ୍ରସଙ୍କ ଜାଗାରେ ବସାଇବାକୁ କେତେଜଣ ସାଂସଦ ଗୁପ୍ତ ଆଲୋଚନା କରିଥିବା କୁହାଯାଉଛି । ଦେଶରେ ଦେଖାଦେଇଥିବା ଆର୍ଥିକ ଅସ୍ଥିରତା ଯୋଗୁ ଲିଜଙ୍କ ସରକାରଙ୍କୁ ଦାୟୀ କରାଯାଇଛି । ଟ୍ରସକୁ ନିଜ ଦଳରେ ହିଁ ବିରୋଧ କରାଯାଉଥିବା ବେଳେ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।

ନିକଟରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମିନି ବଜେଟ ପରେ ପାଉଣ୍ଡ ମୂଲ୍ୟ ହ୍ରାସ ହୋଇଛି । ଏହାସହ ସରକାରୀ ଋଣ ବାବଦ ସୁଧରେ ମଧ୍ୟ ବୃଦ୍ଧି ହୋଇଛି । ଯାହାକୁ ନେଇ ବିରୋଧୀଙ୍କ ସମେତ ନିଜ ଦଳରେ ବି ଘୋର ବିରୋଧର ସାମ୍ନା କରୁଛନ୍ତି ଲିଜ୍ ଟ୍ରସ୍ ।

ସେପଟେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନିଜ ଘନିଷ୍ଠ ବନ୍ଧୁ ତଥା ଅର୍ଥ ମନ୍ତ୍ରୀ କ୍ବାସି କ୍ବାରତେଙ୍ଗଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି ଲିଜ୍ । ଗତମାସରେ ହୋଇଥିବା ନିର୍ବାଚନରେ ଭାରତୀୟ ବଶୋଦ୍ଭବ ଋଷି ସୁନକଙ୍କୁ ହରାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଲିଜ୍ ଟ୍ରସ୍ । ଏବେ ଲିଜ୍ ବିବାଦରେ ପଡ଼ିବା ପରେ ସୁନକ ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।