spot_img
Home Blog Page 40

ମିଆମି ବିମାନବନ୍ଦରରେ କାର୍ଗୋ ବିମାନ ଦୁର୍ଘଟଣା, ୫ ମୃତ

ନନ୍ଦିଘୋଷ ବ୍ୟୁରୋ :  ମିଆମି ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆମାଜନ ପ୍ରାଇମ୍ ଏୟାର କାର୍ଗୋ ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୧ ଏୟାର ଦ୍ୱାରା ପରିଚାଳିତ ପ୍ରାଇମ୍ ଏୟାର ଫ୍ଲାଇଟ୍ ୭୫୯୮ର ବୋଇଂ ୭୬୭-୩୦୦ ବିମାନଟି ସାନ୍ ଜୁଆନ୍, ପୁଏର୍ଟୋ ରିକୋରୁ ମିଆମି ଆସୁଥିଲା। ବିମାନଟି ହଠାତ୍ ଭାରସାମ୍ୟ ହରାଇ ରନୱେରୁ ବାହାରିଯାଇଥିଲା। ପରେ ଏହା ଅନେକ ଯାନକୁ ଧକ୍କା ଦେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଖବର ପାଇ ୬୦ରୁ ଅଧିକ ମିଆମି-ଡେଡ୍ ଅଗ୍ନିଶମ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଦୁର୍ଘଟଣା ପରେ ବିମାନବନ୍ଦରର ସମସ୍ତ ରନୱେ ଓ ଟ୍ୟାକ୍ସିୱେ ବନ୍ଦ କରାଯାଇଥିବାବେଳେ ଗ୍ରାଉଣ୍ଡ ଷ୍ଟପ୍ ଜାରି କରାଯାଇଥିଲା। ଫଳରେ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଘଟଣାର ତଦନ୍ତ କରୁଛି। ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ମଧ୍ୟ ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଛି।

ଯାତ୍ରା ପେଣ୍ଡାଲରେ ନିଶା ମହାରଣାଙ୍କୁ ଚେୟାର ମାଡ, ଆଠଗଡ଼ରେ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ :  ଯାତ୍ରା ପେଣ୍ଡାଲରେ ଅଭିନୟ କରୁଥିବା ବେଳେ ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ଫୋପାଡ଼ିଲେ ଦର୍ଶକ। ଆଠଗଡ଼ କଇଥ ଛକରେ ତାରିଣୀ ଗଣନାଟ୍ୟର ପ୍ରଥମ ରାତିରେ ‘ନିଶା ନିଶା ରାତି’ ଯାତ୍ରା ପରିବେଷଣ ସମୟରେ ଏଭଳି ହଙ୍ଗାମା ଦେଖିବାକୁ ମିଳିଛି। ନିଶା ମହାରଣା ଅଭିନୟ କରୁଥିବା ସମୟରେ ଆପତ୍ତିଜନକ ଦୃଶ୍ୟକୁ ନେଇ କିଛି ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଷ୍ଟେଜ ଉପରକୁ ଚେୟାର ଓ ପାଣି ବୋତଲ ଫୋପାଡ଼ି ଥିଲେ। ଫଳରେ ଯାତ୍ରା ପେଣ୍ଡାଲ ଭିତରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଥିଲା।

ଯାତ୍ରାରେ ଆପତ୍ତିଜନକ ଦୃଶ୍ୟ ପରିବେଷଣକୁ ନେଇ ଦର୍ଶକଙ୍କ ବିରୋଧ ଘଟଣା ବଢ଼ିବାରେ ଲାଗିଛି। କେଉଁଠି ଦର୍ଶକ କଳାକାରଙ୍କୁ ବିରୋଧ କରୁଥିବା ବେଳେ ଆଉ କେଉଁଠି ଚେୟାର ଫୋପାଡ଼ି ପ୍ରତିବାଦ କରୁଥିବା ଦେଖାଯାଉଛି। ଆଠଗଡ଼ର ଏହି ଘଟଣାକୁ ନେଇ ଯାତ୍ରା ପେଣ୍ଡାଲରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପୁଣି ଆସୁଛି ବର୍ଷା, ସପ୍ତାହେ ଯାଏଁ ବଜ୍ରପାତ ଓ ଝଡ଼ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ପୁଣି ଆସୁଛି ବର୍ଷା। ସପ୍ତାହେ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଅଧା ଓଡ଼ିଶାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ଥିବାବେଳେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ ଓ ଗଞ୍ଜାମ ସମେତ ୧୭ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ୯ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ।

ସେହିପରି ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ। ୧୧ ତାରିଖରେ ଅଧା ଓଡ଼ିଶାରେ ଏବଂ ୧୨ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପରେ ବର୍ଷାର ପରିମାଣ ସାମାନ୍ୟ କମିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଦିଲ୍ଲୀରେ କୋଠା ଭୁଶୁଡ଼ି ୬ ମୃତ, ବଢ଼ୁଛି ମୃତ୍ୟୁସଂଖ୍ୟା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ କ୍ୟାମ୍ପସ ନିକଟରେ ଥିବା ଏହି କୋଠା ଗତକାଲି ଅପରାହ୍ଣ ୧ଟା ୩୩ ମିନିଟ୍‌ରେ ଭୁଶୁଡ଼ି ପଡ଼ିଥିଲା। କୋଠାରେ ଏକ ପେଇଂ ଗେଷ୍ଟ ହଷ୍ଟେଲ ଥିବାବେଳେ ସେଠାରେ ପ୍ରାୟ ୪୦ରୁ ୫୦ ଜଣ ରହୁଥିଲେ। ଫଳରେ ଧ୍ୱଂସାବଶେଷ ତଳେ ଆହୁରି ଅନେକ ଛାତ୍ର ଫସିଥିବା ସନ୍ଦେହ କରାଯାଉଛି।

ଏହି ଅଘଟଣରେ ୬ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଏନ୍‌ଡିଆରଏଫ୍‌, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ, ପୌର ନିଗମ, ସିଏଟିଏସ୍‌ ଏବଂ ସିଭିଲ୍‌ ଡିଫେନ୍ସ ଟିମ୍‌ ନିୟୋଜିତ ଅଛନ୍ତି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ବେସମେଣ୍ଟରେ ମରାମତି କାମ ଚାଲିଥିବା ସମୟରେ କୋଠାଟି ଭୁଶୁଡ଼ି ପଡ଼ିଥିବା ପ୍ରାଥମିକ ଭାବେ କୁହାଯାଉଛି। ବିଲଡିଂରେ ମୋଟ ୧୦ଟି ରୁମ୍‌ ଥିଲା। କୋଠାର ମାଲିକ ଗୁରୁଗ୍ରାମର ଆନନ୍ଦ ବନସଲ ବୋଲି ଜଣାପଡ଼ିଛି। ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳ ପରିଦର୍ଶନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ଯିଏ ବି ହୋଇଥାଉ, ତାଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ, ଯେଉଁ ସବୁ କୋଠାରେ ଛାତ୍ରଛାତ୍ରୀ ରହୁଛନ୍ତି, ସେସବୁର ସୁରକ୍ଷା ଯାଞ୍ଚ କରିବାକୁ ବିଭିନ୍ନ ଛାତ୍ର ସଂଗଠନ ଦାବି କରିଛନ୍ତି।

ପୁରୀ ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣ ଲୀଳା, ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ନନ୍ଦିଘୋଷ ବ୍ୟୁରୋ :  ପୁରୀ ଶ୍ରୀମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣଙ୍କ ଲୀଳା। ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ କାଳୀୟଦଳନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗତକାଲି ଶ୍ରୀମନ୍ଦିରରେ ଠାକୁରଙ୍କ ବଣଭୋଜି ବେଶ, କୋଳିବିକା ନୀତି, ବକାସୁର ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ପରମ୍ପରା ଅନୁସାରେ ମଧ୍ୟାହ୍ନ ଧୂପ ନୀତି ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବେ। ଏହାପରେ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ।

ପରେ ଠାକୁରମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍‌ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ। ସେଠାରେ ବନ୍ଦାପନା, ଶୀତଳ ଭୋଗ ଆଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ। ଏହାପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ପରେ ମହାପ୍ରଭୁ ବାହୁଡା ବିଜେ କରିବେ। ଜୟବିଜୟ ଦ୍ୱାରଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ। ଅନ୍ୟାନ୍ୟ ନୀତି ସମାପନ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ।

ନେପାଳରେ ଆଜି ଜାତୀୟ ଶୋକ ଦିବସ, ଫ୍ଲାସ୍ ଫ୍ଲଡ୍‌ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ନନ୍ଦିଘୋଷ ବ୍ୟୁରୋ : ପ୍ରଳୟଙ୍କରୀ ଫ୍ଲାସ୍ ଫ୍ଲଡ୍‌ରେ ପ୍ରାଣ ହରାଇଥିବା ସହସ୍ରାଧିକ ଲୋକଙ୍କ ସ୍ମୃତିରେ ଆଜି ନେପାଳରେ ପାଳନ ହେବ ଜାତୀୟ ଶୋକ ଦିବସ। ତ୍ରିଶୂଳୀ ଓ ଭୋଟେକୋଶୀ ନଦୀରେ ଆସିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍‌ରେ ଅନେକ ଜୀବନ ଯାଇଥିଲା। ଏହାକୁ ନେଇ ସେପ୍ଟେମ୍ବର ୮ ତାରିଖକୁ ଜାତୀୟ ଛୁଟି ମଧ୍ୟ ଘୋଷଣା କରାଯାଇଛି। ଜାତୀୟ ଶୋକ ଦିବସ ପାଳନ ନେଇ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ଦେଶର ସମସ୍ତ ସ୍ଥାନରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବ। ଏଥିସହ ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ ଯବାନ ଓ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ନେପାଳର ବିଧ୍ୱସ୍ତ ଅଞ୍ଚଳର ପୁନର୍ଗଠନ ପାଇଁ ଏସୀୟ ଉନ୍ନୟନ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ୫ ନିୟୁତ ଡଲାର ସହାୟତାକୁ ସରକାର ଗ୍ରହଣ କରିଛନ୍ତି। ଏହି ଅର୍ଥରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ସହ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନର ପୁନରୁଦ୍ଧାର ପାଇଁ ଅନୁଦାନ ଦିଆଯିବ। ଏହି ପ୍ରଳୟଙ୍କରୀ ବିପତ୍ତିରେ ରାସୁୱା, ନୂଆକୋଟ, ଧାଦିଙ୍ଗ, ଗୋର୍ଖା, ଚିତୱାନ ଓ ତାନହୁନ୍‌ ସମେତ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିଲା।

ସମ୍ବଲପୁରରେ ବଢି ଚାଲିଛି ମର୍ଡର, ଲୁଟପାଟ, ଠକେଇ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁରରେ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ଅପରାଧ । ବଢି ଚାଲିଛି ମର୍ଡର, ଲୁଟପାଟ, ଠକେଇ । ଅଗଷ୍ଟ ୨୯ରେ ବୁର୍ଲା ଥାନା ଅଞ୍ଚଳରେ ମାଂସ ବ୍ୟବସାୟୀ ମହମ୍ମଦ ଅନିଶକୁ ହତ୍ୟା । ଘଟଣାକୁ ସପ୍ତାହେ ନପୁରୁଣୁ ଗତକାଲି ବିଳମ୍ବିତ ରାତିରେ ପୁଣି ରକ୍ତରେ ଭିଜିଛି ରାସ୍ତା ।  ଜଣେ ମହିଳାଙ୍କୁ ସାଙ୍ଗରେ ରହୁଥିବା ଜଣେ ଯୁବକ ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିବା ଘଟଣା ସାରା ସହରରେ ଚାଞ୍ଚଲ୍ୟ ଖେଳାଇଛି । ସମଗ୍ର ଜିଲ୍ଲାରେ ବାରମ୍ବାର ଅପରାଧ ବଢି ଚାଲିଥିବା ବେଳେ କାହିଁକି ପୋଲିସ ଚୁପ୍ ବୋଲି ସବୁଠି ଚର୍ଚ୍ଚା ହେଉଛି ।….

ଅପରାଧୀ ଅପରାଧ ଘଟାଉଛି,  ଜେଲ ବି ଯାଉଚି ।  ହେଲ ବାରମ୍ବାର ଜିଲ୍ଲାରେ ହତ୍ୟା ରାହାଜାନୀ ଭଳି ଘଟଣା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ଯାହାକୁ ନେଇ ପୋଲିସର ଭୂମିକାକୁ ନେଇ ଏକ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅପରାଧୀ ପୋଲିସକୁ ଆଉ ଖାତିର କରୁନଥିବା ମନେହେଉଛି ।

ପୋଲିସ କଠୋର ହୋଇ ଅପରାଧ ରୋକିବାକୁ ଅଧିକ ତତ୍ପର ହେବାକୁ ସହରବାସୀ ଦାବି କରିଛିନ୍ତି

 

ସରକାରୀ ହସ୍ପିଟାଲରେ ଅବାଧ ପ୍ରବେଶ କରୁଛନ୍ତି ବେସରକାରୀ ଔଷଧ କମ୍ପାନୀ ଏମଆର

ନନ୍ଦିଘୋଷ ବ୍ୟୁରୋ : ସରକାରୀ ହସ୍ପିଟାଲରେ ଅବାଧ ପ୍ରବେଶ କରୁଛନ୍ତି ବେସରକାରୀ ଔଷଧ କମ୍ପାନୀ ଏମଆର । ଓପିଡି ଚାଲିଥିବା ବେଳେ ବି ମାନୁନାହାନ୍ତି ନିୟମ । ଡାକ୍ତର କି କର୍ତ୍ତୃପକ୍ଷ କେହି କରୁନାହାନ୍ତି ବାରଣ । ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଡାକ୍ତରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରୁଥିବାରୁ ରୋଗୀମାନେ ଅପେକ୍ଷା କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ଓପିଡିରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଭିଡ଼ ରହୁଥିବା ବେଳେ ଏମଆରମାନେ ଡାକ୍ତରଙ୍କୁ ଭେଟିବା ଯୋଗୁଁ ରୋଗୀଙ୍କୁ ମିଳୁଥିବା ସମୟ କମିଯାଉଛି । କେତେକ ସ୍ଥାନରେ ରୋଗୀଙ୍କ ତୁଳନାରେ ଏମଆରମାନଙ୍କୁ ଅଧିକ ସମୟ ଦିଆଯାଉଛି । ଫଳରେ ରୋଗୀସେବା ପ୍ରଭାବିତ ହେବା ସହ ଅନେକ ରୋଗୀ ଦୀର୍ଘ ସମୟ ଧରି ଡାକ୍ତରଙ୍କୁ ଦେଖାଇବା ପାଇଁ ଅପେକ୍ଷା କରୁଛନ୍ତି।…

ମେଡିକାଲ ପରିସରରେ ପ୍ରବେଶ ଓ ବିଭିନ୍ନ ବିଭାଗକୁ ଯାତାୟାତ ଉପରେ ନିୟମ ଥିବା ସତ୍ତ୍ୱେ ଏମଆରମାନେ କିପରି ଓପିଡି ସମୟରେ ବିଭାଗରୁ ବିଭାଗ ବୁଲୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି । ଏଥିରେ କେତେକ ସୁରକ୍ଷାକର୍ମୀ ଓ ବିଭାଗୀୟ ଅଧିକାରୀଙ୍କ ପ୍ରଶ୍ରୟ ରହିଥିବା ମଧ୍ୟ ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ଓପିଡି ସମୟରେ ଏମଆରଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲଗାଇବା ସହ ରୋଗୀସେବାକୁ ପ୍ରାଥମିକତା ଦେବାକୁ ଦାବି ହୋଇଛି । ଏହି ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ କାହିଁକି କୌଣସି ପଦକ୍ଷେପ ନିଆଯାଉନାହିଁ ?  ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ରୋଗୀସେବା ସମୟରେ ଏମଆରଙ୍କ ପ୍ରବେଶକୁ ନିୟନ୍ତ୍ରଣ କରି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ କି ନାହିଁ, ଏବେ ତାହା ଉପରେ ନଜର।…

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ। ନଗଦ ୩ ଲକ୍ଷ ୧୫ ଲକ୍ଷ ଟଙ୍କା ସହ କାବୁ କଲା ଭିଜିଲାନ୍ସ। ଡ୍ରେନେଜ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ ନିଜ କାର୍ଯ୍ୟାଳୟରେ ବକେୟା ବିଲ୍ ମଞ୍ଜୁର କରିବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ଆଦାୟ କରୁଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ, ସରକାରୀ ଗାଡ଼ିରେ କେନ୍ଦ୍ରାପଡ଼ା ନୟନ ବିହାରସ୍ଥିତ ନିଜ ବାସଭବନକୁ ଫେରୁଥିବା ସମୟରେ, ଭିଜିଲାନ୍ସ ଟିମ୍ ୫୩-ଏ ଜାତୀୟ ରାଜପଥର ମାର୍ଶାଘାଇ ଛକରେ ନିର୍ବାହୀ ଯନ୍ତ୍ରୀଙ୍କୁ ଅଟକାଇଥିଲା।

ଯାଞ୍ଚ ସମୟରେ ଅନୁପମାଙ୍କ ଗାଡ଼ିରୁ ୩ ଲକ୍ଷ ୧୫ ଲକ୍ଷ ଟଙ୍କାଜବତ କରାଯାଇଥିଲା। ଟଙ୍କାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ, ଏହି ଟଙ୍କା ସହିତ ଗାଡ଼ିଟିକୁ ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସରକାରୀ କାର୍ଯ୍ୟାଳୟ ସହ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ।

 

ଚିଡ଼ିଆଖାନା ଭିତରେ ଅସୁରକ୍ଷିତ ଜାତୀୟ ପକ୍ଷୀ

ନନ୍ଦିଘୋଷ ବ୍ୟୁରୋ :ଚିଡ଼ିଆଖାନା ଭିତରେ ଅସୁରକ୍ଷିତ ଜାତୀୟ ପକ୍ଷୀ। ହୋଇପାରୁନାହିଁ ବଂଶବୃଦ୍ଧି। ମୟୂର ପ୍ରଜନନ ପାଇଁ ନାହିଁ ଅନୁକୂଳ ବାତାବରଣ। ବେଫିକର ବନ ବିଭାଗ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭିତରେ ରହିଛି କପିଳାସ ବନାଞ୍ଚଳ। ଏହାରି ଭିତରେ ଅଛି ଚିଡ଼ିଆଖାନା। ତେବେ ଏହି ଚିଡ଼ିଆଖାନାରେ ମୟୂରଙ୍କ ସଂଖ୍ୟା କମିବାରେ ଲାଗିଛି। ମୟୂର ଅଣ୍ଡା ଦେଉଥିବା ବେଳେ ସେଥିରୁ ବାହାରି ପାରୁନାହିଁ ଶାବକ। ସଠିକ ଯତ୍ନ ଏବଂ ଉପଯୁକ୍ତ ପରିବେଶ ଅଭାବରୁ ଅଣ୍ଡାଗୁଡ଼ିକ ନଷ୍ଟ ହୋଇଯାଉଛି। ଫଳରେ ମୟୂରଙ୍କ ବଂଶବୃଦ୍ଧିରେ ଲାଗିଛି ବ୍ରେକ। ତେବେ ଚିଡ଼ିଆଖାନା ମଧ୍ୟରେ ମୟୂର ମାନଙ୍କ ପ୍ରଜନନ ପାଇଁ ପ୍ରାକୃତିକ, ଶାନ୍ତ ଏବଂ ଅନୁକୂଳ ବାତାବରଣ ନିତାନ୍ତ ଆବଶ୍ୟକ ବୋଲି ପରିବେଶବିତ କହିଛନ୍ତି।

ମୟୂରର ଅଣ୍ଡା କେବଳ ନଷ୍ଟ ହେଉନାହିଁ, ଚିଡ଼ିଆଖାନା ମଧ୍ୟରୁ ଏହା ବାହାରକୁ ଯାଉଥିବା ନେଇ ମଧ୍ୟ ଅନେକ ଥର ଅଭିଯୋଗ ହୋଇଛି। ଫଳରେ ଚିଡ଼ିଆଖାନାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଚୁପ ବସିଛି ବନ ବିଭାଗ। ସେହିପରି କପିଳାସ ବନାଞ୍ଚଳରେ କେତେ ମୟୂର ଅଛନ୍ତି। ସେମାନେ ପ୍ରତିବର୍ଷ କେତେ ଅଣ୍ଡା ଦେଉଛନ୍ତି। ଅଣ୍ଡାରୁ କେତେ ଶାବକ ଜନ୍ମ ନେଉଛନ୍ତି। ଏହି ହିସାବ କାହା ପାଖରେ ନାହିଁ। ସରକାରଙ୍କ ପକ୍ଷରୁ ମୟୁର ଗଣନା କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ଦୀର୍ଘଦିନ ହେବ କପିଳାସ ରେଞ୍ଜରେ ସ୍ଥାୟୀ ରେଞ୍ଜର ନାହାନ୍ତି। ଅନ୍ୟ ରେଞ୍ଜ’ର ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ ଚାଲିଛି କାମ, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।

ମୟୂର ଅଣ୍ଡାର ସୁରକ୍ଷା ପାଇଁ କି ପଦକ୍ଷେପ ନେଉଛି ବନ ବିଭାଗ। ଚିଡ଼ିଆଖାନା ଭିତରୁ ଅଣ୍ଡା ବାହାରକୁ ଯାଉଥିବା ଅଭିଯୋଗର ତଦନ୍ତ ହେବ ତ। ତାହା ସମୟ କହିବ।