spot_img
Home Blog Page 39

ବିବାଦୀୟ ବୟାନରୁ ୟୁଟର୍ଣ୍ଣ ମାରିଲେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ….

ଭୁବନେଶ୍ବର : ଓଡିଶାରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ କାମ କରିବି । ଓଡିଶାର ନବ ନିଯୁକ୍ତି ରାଜ୍ୟପାଳଙ୍କ ଏପରି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ବିବାଦୀୟ ବୟାନକୁ ନେଇ ଟୁଇଟ  କହିଥିଲେ ଯେ ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡିଶାବାସୀ ଦେଖୁଛନ୍ତି । ସେହିପରି ବ୍ରଜ ମୋହନଙ୍କ ବୟାନକୁ ନେଇ  ଜାତୀୟ ସ୍ତରର ନେତା ପ୍ରଶାନ୍ତ ଭୂଷଣ, ପଓ୍ବନ ଖେଡା, ଶାମା ମହମ୍ମଦ,  ମହୁଆ ମୋଇତ୍ରା ପ୍ରମୁଖ ନେତା ଓ ନେତ୍ରୀମାନେ ଟୁଇଟ କରି ନୂଆ ରାଜ୍ୟପାଳଙ୍କ ବୟାନକୁ କଡା ସମାଲୋଚନା କରିଛନ୍ତି ।  ବରିଷ୍ଠ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ନୂଆ ରାଜ୍ୟପାଳ ଘୋଷଣା ପରେ ଦଳୀୟ କଥା କହିବା ଉଚିତ ନୁହେଁ। ରାଜ୍ୟପାଳ ପଦବୀ ସମ୍ବିଧାନିକ ପଦବୀ।  ଯେଉଁମାନେ କହୁଛନ୍ତି ସେ ଦାୟିତ୍ୱ ନେଇନାହାନ୍ତି ସେ କହିଵା ଠିଜ ନୁହେଁ।  ତାଙ୍କର ଏଭଳି ଆଭିମୁଖ୍ୟ ଠିକ ନୁହେଁ। ବୟାନ ପାଇଁ ସେ ଦୁଃଖ ପ୍ରକାଶ କରିବା କଥା।

କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କ ରାଜନୀତି ବୟାନକୁ ନେଇ ବର୍ଷିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ସାମ୍ବିଧାନିକ ପଦବୀକୁ କଳଙ୍କିତ କରୁଛି ଶାସକ ଦଳ । ଦାୟିତ୍ବ  ନେବା ପୂର୍ବରୁ ନୂଆ ରାଜ୍ୟପାଳଙ୍କ  ଆଭିମୁଖ୍ୟ ଦୁର୍ଭାଗ୍ୟଜନକ । ଓଡିଶାବାସୀ କାହାଠାରୁ ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନୁଆ ରାଜ୍ୟପାଳଙ୍କ ବିବାଦୟ ବୟାଇନକୁ ନେଇ ଯୁକ୍ତି ବାଢ଼ିଛନ୍ତି ଆଇନ ମନ୍ତ୍ରୀ। ସେ କହିଛନ୍ତି- ରାଜ୍ୟପାଳଙ୍କ ପାଟିରୁ ଏପରି କଥା ବାହାରିଯାଇଛି । ଏହାକୁ ନେଇ ରାଜନୀତି କରିବାକୁ ଉଚିତ ନୁହେଁ । ବିଜେଡି ରାଜ୍ୟପାଳଙ୍କ ବୟାନକୁ କଟାକ୍ଷ କରିଛି । ଓଡିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ଦାୟିତ୍ବ ନେବା ପୂର୍ବରୁ ରାଜନୈତିକ ବୟାନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ରାଜ୍ୟାପଳ କହିଛନ୍ତି  ସାମ୍ବିଧାନିକ ପରିଧି ଭିତରେ ରହି କାମ କରିବେ।

ରାଉରକେଲାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଓ ପୂଜା କମିଟି ପକ୍ଷରୁ ବିଶେଷ ଆୟୋଜନ

ରାଉରକେଲା : ରାଉରକେଲାରେ ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ଦୁର୍ଗାପୂଜା । ମାଆଙ୍କୁ ଦର୍ଶନ ବେଳେ ଭକ୍ତଙ୍କୁ ହେବନି କୌଣସି ଅସୁବିଧା । ସୃଷ୍ଟି ହେବନି ଟ୍ରାଫିକ୍ ସମସ୍ୟା । ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀଙ୍କ ଉପରେ ରହିଛି ପୋଲିସର କଡ଼ା ନଜର । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସିଭିକ ସେଣ୍ଟର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ବ୍ରିଜେଶ କୁମାର ରାଏ ରାଉରକେଲା ଏସପି, ନିତେଶ ଓ୍ବାଧଓ୍ଵାନୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ସହ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ସମସ୍ତ ପୁଜା କମିଟିକୁ ଅନୁରୋଧ କରାଯାଇଛି । ରାଉରକେଲା ସହରରେ ଚଳିତ ବର୍ଷ ୧୦୯ ଟି ମଣ୍ଡପରେ ମାଆ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷ ରାଉରକେଲା ସହରର ୨୨ ଟି ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇ ଥିବା ବେଳେ କୈଣସି ରାସ୍ତା ଉପରେ ଗାଡି ପାର୍କିଂ କରାଯିବ ନାହିଁ ବୋଲି ପୋଲିସ୍ ପକ୍ଷରୁ ନିଷ୍ପତ୍ତି ହୋଇଛି। ଦୁର୍ଗାପୂଜା ସମୟରେ ସୁନା ଅଳଙ୍କାର ଛିନତାଇ, ଘରୁ ଚୋରୀ ସମ୍ପୁର୍ଣ୍ଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ସହରରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ ।

ମାଆ ଦୁର୍ଗାଙ୍କ ପୁଜା ବେଶ ଧୁମଧାମରେ ଓ ଯାକଜକମରେ ପାଳନ କରିବା ପାଇଁ ସମସ୍ତ ପୁଜା କମିଟି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ପୁଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାକୁ ନିଷ୍ପତ୍ତି ହୋଇଛି। ରାଉରକେଲା ସହରର ସମସ୍ତ ପୁଜା ମଣ୍ଡପରେ ସୁଉଚ୍ଚ ତୋରଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଉଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ରାବଣପୋଡି ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଶ୍ରୀମନ୍ଦିର ସେବାୟତ ପରିବାରରେ ପାଳନ ହେଲା ନେତପିଲା ଉତ୍ସବ

ପୁରୀ : ବଳିରେ ବଳି, ନକର ଅଳି, କାଲି ଆଣିଦେବି ସରୁ ଚକୁଳି । ପାରମ୍ପରିକ ସଙ୍ଗୀତରେ ଗୁଞ୍ଜରିତ ହେଉଛି ପୁରୀର ଗଳିକନ୍ଦି । ଶ୍ରୀମନ୍ଦିର ସେବାୟତ ଘରର କୁଆଁରୀ କନ୍ୟା ମାନେ ଗୀତ ବୋଲି ପାଳୁଛନ୍ତି ନେତପିଲା ଉତ୍ସବ । ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ । ଯୁଗ ଆଧୁନିକ ଆଡ଼କୁ ଗତି କରୁଥିଲେ ମଧ୍ୟ ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି। ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୂଳର କିଶୋରୀ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ପରିବାର ଲୋକେ ବେଶ୍ ସୁନ୍ଦର ଭାବେ ଆଭୂଷଣ କରିଥାନ୍ତି । ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ । ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରୁଥିବା କନ୍ୟାମାନେ ଶେଷ କିଛି ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ପାରମ୍ପରିକ ବେଶରେ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇ କୂଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ସେମାନେ ବଳିଗୀତ ଗାନ କରିବାର ମଧ୍ୟ ପରମ୍ପରା ରହିଛି।

ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ନେତ ପିଲାମାନେ ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି । କୁଆଁରୀ କନ୍ୟା ମାନେ ଏହି ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ମଧ୍ୟ ବୁଲି ଯାଇଥାନ୍ତି । ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ବେଶ୍ ଉତ୍ସବ ମୁଖର ହୋଇ ଉଠିଥାଏ । ପ୍ରଭୁ ଶିବଙ୍କୁ ପାଇବା ଉଦ୍ଦେଶ୍ୟରେ ମାଆ ପାର୍ବତୀ ଏହି ପୂଜା କରିବାର କିମ୍ୱଦନ୍ତି ରହିଛି । ଏହାକୁ ଅନୁସରଣ କରି ଶିବଙ୍କ ଭଳି ସ୍ୱାମୀ ପାଇବା ଉଦ୍ଦେଶ୍ୟରେ ସେବାୟତ ଘରର କୁଆଁରୀ କନ୍ୟା ମାନେ ନେତପିଲା ଭାବେ ଏହି ପର୍ବ ପାଳନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ, ଚଳଚଞ୍ଚଳ ଗାଁଠୁ ସହର

ନନ୍ଦିଘୋଷ ବ୍ୟୁରୋ : ଆସୁଛନ୍ତି ମା’ । ଚାରିଆଡ଼େ ଶାରଦୀୟ ପୂଜାର ମାହୋଲ। ଚଳଚଞ୍ଚଳ ଗାଁଠୁ ସହର । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏଥର ଇଟାଲୀର ପ୍ରସିଦ୍ଧ ଭାଟିକାନ ସିଟି ପ୍ୟାଲେସ ଦେଖିବେ ଶ୍ରଦ୍ଧାଳୁ। ସବୁଠୁ ପୁରାତନ ମା’ ଦୁର୍ଗା କ୍ଲବ ଏହି ତୋରଣ ପ୍ରସ୍ତୁତ କରୁଛି। ୭୦ ଫୁଟ ଉଚ୍ଚ, ୪୫ ଫୁଟ ଚଉଡାର ବିଶାଳ ତୋରଣ ନିର୍ମାଣରେ ଲାଗିଛନ୍ତି ୩୦ କାରିଗର। ୧୨ ଫୁଟ ଉଚ୍ଚର ମା’ ଦୁର୍ଗା ମୂର୍ତ୍ତି, ୧୭ ଫୁଟର ବିଶାଳ ମେଢର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନଡ଼ିଆ ବାହୁଙ୍ଗାରୁ ଆରମ୍ଭ ହୋଇ ଇଟାଲୀର ଭାଟିକାନ ସିଟିରେ ପହଞ୍ଚିଛି ଅସ୍ତରଙ୍ଗ। ଏହା ସହ ରହିଛି ରଙ୍ଗ ବେରଙ୍ଗ ଲାଇଟ ଗେଟ, ମେକାନିକ ଲାଇଟ, ଡିଜିଟାଲ ଡେକୋରେସନ। ଲକ୍ଷାଧିକ ଭକ୍ତଙ୍କ ଭିଡକୁ ନଜରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେପଟେ ପୂଜା ପାଇଁ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ମଣ୍ଡପଗୁଡିକରେ ଦେବୀଙ୍କ ମୃଣ୍ମୟୀ ମୃର୍ତ୍ତି ନିର୍ମାଣ କାମ ଜୋରସୋରରେ ଚାଲିଛି। ମାଙ୍କ ମୃଣ୍ମୟୀ ମୃର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ଇନ୍ଦୁପୁର ଏବଂ କେନ୍ଦ୍ରାପଡ଼ାର ଅଂଚଳରେ ପ୍ରାୟ ୩୦ ରୁ ଅଧିକ ମଣ୍ଡପରେ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। ଭଳିକି ଭଳି ଡିଜାଇନର ଆକର୍ଷଣୀୟ ତୋରଣ ନିର୍ମାଣରେ ଲାଗିଛନ୍ତି କାରିଗର। ଆସନ୍ତା ୧୭ରେ ମହାସପ୍ତମୀ ପୂଜା, ୧୮ରେ ମହାଷ୍ଟମୀ ପୂଜା, ସନ୍ଧିପୂଜା ଓ ବଳିଦାନ ପ୍ରଭୃତି ଅନୁଷ୍ଠିତ ହେବ। ନବମୀ ଦିନ କାଳିକା ଆବାହନର ପରମ୍ପରା ରହିଥିବା ବେଳେ ୨୦ରେ ଅପରାଜିତା ପୂଜା ଓ ଦେବୀଙ୍କ ବିସର୍ଜନ କରାଯିବ।

ଚାଷୀଙ୍କ ଚିନ୍ତା ବଢ଼ାଇଛି ରୋଗପୋକ, ନଷ୍ଟ ହେବାକୁ ବସିଲାଣି ହେକ୍ଟର ହେକ୍ଟର ଧାନ ଚାଷ

ସୁବର୍ଣ୍ଣପୁର : ଚାଷୀଙ୍କ ଚିନ୍ତା ବଢ଼ାଇଛି ରୋଗପୋକ। ନଷ୍ଟ ହେବାକୁ ବସିଲାଣି ହେକ୍ଟର ହେକ୍ଟର ଧାନ ଚାଷ। କାମ ଦେଉନି କୀଟନାଶକ ଔଷଧ। କିଭଳି ଋଣ ସୁଝିବେ ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ।ଏଠାକାର ଅଧିକାଂଶ ଚାଷୀଙ୍କ ଜୀବିକାର ମୁଖ୍ୟ ଆଧାର ହେଉଛି ଧାନ ଚାଷ। ଚଳିତ ବର୍ଷ ଭଲ ଅମଳର ଆଶା ନେଇ ଧାର ଉଧାର କରି ଧାନ ଚାଷ କରିଥିଲେ ଅନ୍ନଦାତା। ହେଲେ ଏବେ ଫସଲରେ ଦେଖାଦେଇଛି ଅଜଣା ରୋଗର ପ୍ରାଦୁର୍ଭାବ। ଧାନ ଗଛର ପତ୍ର ହଳଦିଆ ଓ ପାଉଁଶିଆ ପଡ଼ିବା ସହ ପୋଡ଼ି ଯାଉଛି। ବିଭିନ୍ନ ଅଞ୍ଚଳର ଚାଷ ଜମିରେ ଏଭଳି ଲକ୍ଷଣ ଦେଖାଦେବା ପରେ ଚାଷୀଙ୍କ ମନରେ ଛନକା ପଶିଛି।

ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଔଷଧ ପ୍ରୟୋଗ କରିଥିଲେ । ହେଲେ ଆଶାନୁରୂପ ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ। ଫଳରେ ଫସଲ ଖର୍ଚ୍ଚ ଉଠିବ କି ନାହିଁ, ସେନେଇ ଚିନ୍ତା ବଢ଼ିଛି। ଅନ୍ୟପଟେ ଧାନ ଫସଲରେ ରୋଗପୋକ ଲାଗିଥିବା ଘଟଣାକୁ ସ୍ୱୀକାର କରିଛି କୃଷି ବିଭାଗ। କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ। ଧାନ ଫସଲ ହେଉଛି ଚାଷୀଙ୍କ ଜୀବନ ଓ ଜୀବିକାର ଆଧାର। ଏଭଳି ସମୟରେ ଅଜଣା ରୋଗ ଯଦି ଫସଲକୁ ନଷ୍ଟ କରେ, ତେବେ ଚାଷୀଙ୍କ ଆର୍ଥିକ ସ୍ଥିତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

ବିଜେପି ବିଧାୟକଙ୍କ ବିରୋଧରେ ମହାମେଳି, ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଦଳୀୟ କନ୍ଦଳ

ଦିଗପହଣ୍ଡି : ବିଜେପି ବିଧାୟକଙ୍କ ବିରୋଧରେ ମହାମେଳୀ। ଦାଣ୍ଡରେ ପଡି ହାଟରେ ଗଡିଲା ଦଳୀୟ କନ୍ଦଳ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିରୋଧ। ସିଦ୍ଧାନ୍ତଙ୍କ ବିରୋଧରେ ବିଷ ଓଗାଳିଲେ ଖୋଦ୍ ବିଜେପିର ବରିଷ୍ଠ ନେତା ଓ କର୍ମୀ । ଅଢ଼େଇ ବର୍ଷ ଧରି ନିଜର ମନମାନୀ ଶାସନ କରୁଛନ୍ତି ବିଧାୟକ ।ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ଅଣଦେଖା କରୁଛନ୍ତି । ବିଭିନ୍ନ ଯୋଜନାକୁ କିଛି ଟଙ୍କାରେ ଠିକାଦାର ହାତରେ ବିକ୍ରୀ କରୁଛନ୍ତି ବିଧାୟକ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଶୁଣିବାକୁ ମିଳିଛି ମହୁରୀ କାଳୁଆ ପୀଠରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ । ଏହିଠାରେ ସିଦ୍ଧାନ୍ତଙ୍କ ବିରୋଧରେ ମେଳି କରିଥିଲେ ବିଜେପି ନେତା ଓ କର୍ମୀ । ବିଜେପିର ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା, କର୍ମୀ, ସରପଞ୍ଚ ଓ ସମିତି ସଭ୍ୟ ଏହି ମେଳିରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ବରିଷ୍ଠ ବିଜେପି ନେତା ଓ କର୍ମୀ ନିଜର ଅସନ୍ତୋଷ ଜାହିର କରିଥିଲେ । ବୈଠକ ଚାଲିଥିବା ବେଳେ ଏଥିରେ ଯୋଗ ଦେଇଥିଲେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ । ସିଦ୍ଧାନ୍ତଙ୍କ ଉପରେ ଅସନ୍ତୋଷ ଜାହିର କରିଥିବା ନେତା ଓ କର୍ମୀଙ୍କୁ ବୁଝାସୁଝା କରିଥିଲେ । ସେପଟେ ସିଦ୍ଧାନ୍ତଙ୍କ ପ୍ରତି ବିଜେପି ନେତା ଓ କର୍ମୀଙ୍କ କିଛି ଅଭିଯୋଗ ରହିଛି, ଯାହାକୁ ଖୁବଶୀଘ୍ର ସମାଧାନ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ବିଜେପିର ଏଭଳି ସାଂଗଠନିକ ସ୍ଥିତି ଦଳକୁ ଅଡୁଆରେ ପକାଇବା ସହ ଶୀର୍ଷ ନେତୃତ୍ବଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ହ୍ୱାଟସଆପରେ ଅଜଣା ନମ୍ବରରୁ ଆସୁଛି କି କଲ୍? ଠକେଇରୁ ବର୍ତ୍ତିବା ପାଇଁ ତୁରନ୍ତ ଅନ୍ କରନ୍ତୁ ଏହି ୨ଟି ସେଟିଂ

ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ପ୍ରାୟ ସମସ୍ତେ ହ୍ୱାଟସଆପ୍‌ରେ ସକ୍ରିୟ ରହୁଛନ୍ତି। ପରିବାର ଓ ବନ୍ଧୁଙ୍କ ସହ ଯୋଗାଯୋଗଠାରୁ ଆରମ୍ଭ କରି ଅଫିସ୍ କାମ ପର୍ଯ୍ୟନ୍ତ, ଏହି ଆପ୍ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି। କିନ୍ତୁ ଏହାର ବ୍ୟାପକ ବ୍ୟବହାରକୁ ଦେଖି ସାଇବର ଠକମାନେ ମଧ୍ୟ ନୂଆ ନୂଆ ଉପାୟରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି।

ବିଶେଷକରି, ବିଦେଶୀ ନମ୍ବର କିମ୍ବା ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ନେଇ ସତର୍କ ରହିବା ଜରୁରୀ। କେତେକ ଠକ ନିଜକୁ ପୋଲିସ, ସିବିଆଇ କିମ୍ବା କଷ୍ଟମ୍ସ ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଛନ୍ତି। ଏହାପରେ ମାମଲାରୁ ମୁକ୍ତି ଦେବା ନାଁରେ ଟଙ୍କା ଦାବି କରୁଛନ୍ତି। ଏଭଳି ଠକେଇକୁ ସାଧାରଣତଃ ‘ଡିଜିଟାଲ୍ ଆରେଷ୍ଟ’ ବୋଲି କୁହାଯାଏ।

ତେବେ ହ୍ୱାଟସଆପ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସେଟିଂ ଅନ୍ କରି ଆପଣ ନିଜର ଗୋପନୀୟତାକୁ ଅଧିକ ସୁରକ୍ଷିତ କରିପାରିବେ।

୧. ଅଜଣା କଲ୍‌କୁ ନୀରବ କରନ୍ତୁ

ହ୍ୱାଟସଆପ୍‌ରେ ଥିବା Silence Unknown Callers ଫିଚର୍ ଅନ୍ କଲେ, ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ସେଭ୍ ହୋଇନଥିବା ନମ୍ବରରୁ କଲ୍ ଆସିଲେ ଫୋନ୍ ରିଙ୍ଗ୍ ହେବ ନାହିଁ। ତେବେ ଏହି କଲ୍‌ଗୁଡ଼ିକ କଲ୍ ଲିଷ୍ଟରେ ଦେଖାଯିବ।

ଏହି ସେଟିଂ କିପରି ଅନ୍ କରିବେ?

୧. ନିଜ ଫୋନ୍‌ରେ WhatsApp ଖୋଲନ୍ତୁ।

୨. Settings ବିକଳ୍ପକୁ ଯାଆନ୍ତୁ।

୩. Privacy ଉପରେ ଟ୍ୟାପ୍ କରନ୍ତୁ।

୪. Calls ବିକଳ୍ପ ଖୋଲନ୍ତୁ।

୫. Silence Unknown Callers ଅପ୍ସନ୍‌କୁ ଅନ୍ କରନ୍ତୁ।

ଏହାଦ୍ୱାରା ଅଜଣା ନମ୍ବରରୁ ଆସୁଥିବା କଲ୍ ଆପଣଙ୍କୁ ବାରମ୍ବାର ବିଚଳିତ କରିବ ନାହିଁ।

୨. ନିଜ IP ଠିକଣାକୁ ସୁରକ୍ଷିତ ରଖନ୍ତୁ

ହ୍ୱାଟସଆପ୍‌ର Protect IP Address in Calls ଫିଚର୍ ମଧ୍ୟ ଖୁବ୍ ଉପଯୋଗୀ। କେତେକ ପରିସ୍ଥିତିରେ ଇଣ୍ଟରନେଟ୍ କଲ୍‌ରେ ଅନ୍ୟ ପକ୍ଷ ଆପଣଙ୍କ IP ଠିକଣା ଜାଣିବାର ଆଶଙ୍କା ଥାଏ। IP ଠିକଣାରୁ ଆପଣଙ୍କ ନେଟୱାର୍କ ସମ୍ପର୍କରେ କିଛି ସୂଚନା ମିଳିପାରେ।

ଏହି ସେଟିଂ ଅନ୍ କଲେ ଆପଣଙ୍କ ହ୍ୱାଟସଆପ୍ କଲ୍‌ଗୁଡ଼ିକ Metaର ସର୍ଭର ମାଧ୍ୟମରେ ରିଲେ ହୁଏ। ଫଳରେ, କଲ୍‌ରେ ଅନ୍ୟ ପକ୍ଷ ଆପଣଙ୍କ ପ୍ରକୃତ IP ଠିକଣା ଜାଣିବାର ଆଶଙ୍କା କମିଥାଏ।

ଏହି ସେଟିଂ କିପରି ଅନ୍ କରିବେ?

୧. WhatsApp ଖୋଲି Settingsକୁ ଯାଆନ୍ତୁ।

୨. Privacy ବିକଳ୍ପ ଚୟନ କରନ୍ତୁ।

୩. Advanced ଅପ୍ସନ୍ ଖୋଲନ୍ତୁ।

୪. Protect IP Address in Calls ସେଟିଂକୁ ଅନ୍ କରନ୍ତୁ।

ମନେରଖନ୍ତୁ, ଏହି ଫିଚର୍ ଆପଣଙ୍କ IP ଠିକଣାକୁ ଅନ୍ୟ କଲର୍‌ଙ୍କଠାରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ। ତେବେ ଏହା ସମସ୍ତ ପ୍ରକାରର ସାଇବର ଆକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଏ ନାହିଁ।

ଅଜଣା କଲ୍ ଆସିଲେ କ’ଣ କରିବେ?

ଅଜଣା ବ୍ୟକ୍ତିଙ୍କ କଥାରେ ଭୟଭୀତ ହୁଅନ୍ତୁ ନାହିଁ।

OTP, UPI PIN, ବ୍ୟାଙ୍କ ପାସୱାର୍ଡ କିମ୍ବା ଅନ୍ୟ ଗୋପନୀୟ ତଥ୍ୟ କାହାକୁ ଦିଅନ୍ତୁ ନାହିଁ।

ଅଜଣା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ସନ୍ଦିଗ୍ଧ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ।

କେହି ନିଜକୁ ପୋଲିସ ଅଧିକାରୀ କହି ଟଙ୍କା ଦାବି କଲେ, ତାଙ୍କ କଥାକୁ ଯାଞ୍ଚ ନକରି ଟଙ୍କା ପଠାନ୍ତୁ ନାହିଁ।

ଠକେଇର ଶିକାର ହେଲେ ତୁରନ୍ତ ନିଜ ବ୍ୟାଙ୍କକୁ ଜଣାନ୍ତୁ ଏବଂ ସାଇବର ଠକେଇ ହେଲ୍ପଲାଇନ୍ ୧୯୩୦ରେ ଅଭିଯୋଗ କରନ୍ତୁ।

ସାବଧାନ ରୁହନ୍ତୁ: କେବଳ ଅଜଣା କଲ୍ ଉଠାଇବା ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଏ ନାହିଁ କିମ୍ବା ଲାଇଭ୍ ଲୋକେସନ୍ ସ୍ୱତଃ ଲିକ୍ ହୁଏ ନାହିଁ। ଠକମାନେ ସାଧାରଣତଃ ଭୟଭୀତ କରିବା, ନକଲି ଲିଙ୍କ୍ ପଠାଇବା କିମ୍ବା ଗୋପନୀୟ ତଥ୍ୟ ହାସଲ କରିବା ଭଳି ଉପାୟ ବ୍ୟବହାର କରନ୍ତି। ତେଣୁ ସଚେତନ ରହିବା ସହିତ ଫୋନ୍‌ର ସୁରକ୍ଷା ସେଟିଂଗୁଡ଼ିକୁ ଠିକ୍ ଭାବରେ ବ୍ୟବହାର କରନ୍ତୁ।

ଜୟପୁରରେ ରୋଡୱେଜ୍ ବସର ତାଣ୍ଡବ: ଏକାଧିକ ଗାଡ଼ିକୁ ଧକ୍କା, ମହିଳା ମୃତ; ଡ୍ରାଇଭର ଗିରଫ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍‌ ନିୟନ୍ତ୍ରଣ ହରାଇ ଏକାଧିକ ଗାଡ଼ିକୁ ଧକ୍କା ଦେବାରୁ ଜଣେ ୪୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ପୁଅଙ୍କ ସମେତ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି।

ଦୁଇ କାର୍‌, ସ୍କୁଟର ଓ ବାଇକ୍‌କୁ ଧକ୍କା

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଜୟପୁରର ମୁରଲୀପୁରା ଅଞ୍ଚଳର ସିକର ରୋଡ୍‌ସ୍ଥିତ ଖେତାନ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍‌ ରାସ୍ତାରେ ଯାଉଥିବା ଦୁଇଟି କାର୍‌, ଗୋଟିଏ ସ୍କୁଟର ଓ ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ସମୟରେ ବାଇକ୍‌ରେ ଜଣେ ମହିଳା ତାଙ୍କ ପୁଅଙ୍କ ସହ ଯାଉଥିଲେ। ବସ୍‌ର ଧକ୍କାରେ ଉଭୟ ଆହତ ହୋଇଥିଲେ। ଗୁରୁତର ଆହତ ମହିଳାଙ୍କୁ ହସ୍ପିଟାଲ ନିଆଯାଉଥିବା ବାଟରେ ମୃତ୍ୟୁ ହୋଇଥିଲା। ମୃତ ମହିଳା ହେଉଛନ୍ତି ଭଗତ କି ଧନୀ ଅଞ୍ଚଳର ତୁଳସୀ ଦେବୀ (୪୯)। ତାଙ୍କ ପୁଅଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପଟେ, ସ୍କୁଟର ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଉତ୍ତେଜନା, ଡ୍ରାଇଭର ଗିରଫ

ତୁଳସୀ ଦେବୀ ତାଙ୍କ ବଡ଼ ପୁଅଙ୍କ ସହ ବିଦ୍ୟାଧର ନଗରରୁ ଭଗତ କି ଧନୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବସ୍‌ ଡ୍ରାଇଭରଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଖବର ପାଇ ମୁରଲୀପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ନେଇଥିଲା। ଗିରଫ ଡ୍ରାଇଭରଙ୍କ ନାମ ରାକେଶ କୁମାର ବୋଲି ଜଣାପଡ଼ିଛି।

ବସ୍‌ ନାଁରେ ୧୩ଟି ଟ୍ରାଫିକ୍‌ ଚାଲାଣ ବକେୟା

ପୋଲିସର ପ୍ରାଥମିକ ତଦନ୍ତରୁ ବସ୍‌ଟି ନାଁରେ ୧୩ଟି ଟ୍ରାଫିକ୍‌ ଉଲ୍ଲଂଘନ ଚାଲାଣ ବକେୟା ଥିବା ଜଣାପଡ଼ିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। ପୋଲିସ ଦୁର୍ଘଟଣାର କାରଣ ଖୋଜୁଥିବା ବେଳେ ଗିରଫ ଡ୍ରାଇଭରଙ୍କୁ ପଚରାଉଚରା କରାଯାଉଛି। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବସ୍‌ଟି ଏକାଧିକ ଗାଡ଼ିକୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି।

ରୁଦ୍ରପ୍ରୟାଗ ଯାଉଥିବା ବେଳେ ଗଭୀର ଖାଇକୁ ଖସିଲା କାର୍

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡର ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦେବପ୍ରୟାଗ ନିକଟ ପାଲି ଗ୍ରାମରେ ଏକ କାର୍‌ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ କାର୍‌ର ଡ୍ରାଇଭର ମଧ୍ୟ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ହରିୟାଣାର ପଞ୍ଜୀକରଣ ନମ୍ବର ଥିବା ଏକ ମାରୁତି ୱାଗନ୍‌ଆର୍‌ କାର୍‌ ଚଣ୍ଡିଗଡ଼ରୁ ରୁଦ୍ରପ୍ରୟାଗ ଅଭିମୁଖେ ଯାଉଥିଲା। କାର୍‌ରେ ଡ୍ରାଇଭରଙ୍କ ସମେତ ମୋଟ ପାଞ୍ଚ ଜଣ ଯାତ୍ରା କରୁଥିଲେ। ଦେବପ୍ରୟାଗଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଶ୍ରୀନଗର ଅଭିମୁଖୀ ରାସ୍ତାର ପାଲି ଗ୍ରାମସ୍ଥିତ ରିଭର ଭ୍ୟୁ କାଫେ ଓ ରେଷ୍ଟୁରାଣ୍ଟ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିପଡ଼ିଥିଲା।

ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ଏସ୍‌ଡିଆର୍‌ଏଫ୍‌

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍‌ଡିଆର୍‌ଏଫ୍‌)ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଭୀର ଖାଇରୁ ଆହତମାନଙ୍କୁ ଉଦ୍ଧାର କରି ରାସ୍ତାକୁ ଅଣାଯିବା ପରେ ଚିକିତ୍ସା ପାଇଁ ଦେବପ୍ରୟାଗର ବାଗି ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)କୁ ପଠାଯାଇଥିଲା। ଅନ୍ୟପଟେ, ଦୁର୍ଘଟଣାସ୍ଥଳରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦେବପ୍ରୟାଗ ଥାନା ଅଧିକାରୀ କୃଷ୍ଣକାନ୍ତଙ୍କ ସୂଚନା ଅନୁଯାୟୀ, କାର୍‌ଟିରେ ପାଞ୍ଚ ଜଣ ଥିବାବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣାରେ ଆହତ ହୋଇଥିବା ତିନି ଜଣ ହେଲେ:

ଉତ୍କଳ ସିଂ (୩୩) ରୁଦ୍ରପ୍ରୟାଗ ଜିଲ୍ଲାର ଲଡୋଲି ଗ୍ରାମର ମୋହନ ସିଂଙ୍କ ପୁଅ। ତିଶା ରାୱତ (୧୮) ରୁଦ୍ରପ୍ରୟାଗ ଜିଲ୍ଲାର ବିନା ଗ୍ରାମର ଲକ୍ଷ୍ମଣ ସିଂ ରାୱତଙ୍କ ଝିଅ। ସୁନୀତା ଦେବୀ (୪୫) ଲକ୍ଷ୍ମଣ ସିଂ ରାୱତଙ୍କ ପତ୍ନୀ ଏବଂ ବିନା ଗ୍ରାମର ବାସିନ୍ଦା।

ଆହତମାନଙ୍କ ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣା ପରେ ଉକ୍ତ ଜାତୀୟ ରାଜପଥରେ ଯାତାୟାତ ସମୟରେ ସତର୍କତା ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଇଛି।