spot_img
Home Blog Page 41

ପୁଣି ବଢିଲା ନିଲମ୍ବିତ ବିଧାୟକଙ୍କ ଅଡୁଆ !

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା କ୍ରସ ଭୋଟିଂ ପ୍ରସଙ୍ଗ । ବାଚସ୍ପତିଙ୍କ ପାଖକୁ ଯିବ ମାମଲା । ବିଜେଡି କହିଲା ସଭ୍ୟପଦ ରଦ୍ଦ ନିହାତି ଆବଶ୍ୟକ । ତଥ୍ୟ ସହ କୋର୍ଟକୁ ଯିବ କଂଗ୍ରେସ ।.. ..ପୁଣି ବଢିଲା ରାଜ୍ୟସଭାରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଟେନସନ । ଦଳୀୟ ଅନୁଶାସନ ଭାଙ୍ଗି ଅନ୍ୟଦଳକୁ ଭୋଟ ଦେବା ନେଇ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସଭ୍ୟପଦ ରଦ୍ଦ ନେଇ ବଢିବ ଅଡ଼ୁଆ ।

ହାଇକୋର୍ଟରେ ବିଜେଡି ପକ୍ଷରୁ କ୍ରସ ଭୋଟିଂ କରିଥିବା ୮ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ରୁଜୁ ହୋଇଥିବା ମାମଲାର ଶୁଶାଣି ହୋଇଛି । ପୁଣିଥରେ ଏହି ମାମଲା ବାଚସ୍ପତିଙ୍କ ପାଖକୁ ପଠାଇବାକୁ ପ୍ରତିପକ୍ଷଙ୍କୁ କହିଛନ୍ତି କୋର୍ଟ । ଦଳର ଆଦେଶ ନମାନି ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବାରୁ ବିଜେଡିର ୮ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ପାଖରେ ପିଟିସନ ଦେଇଥିଲା ବିଜେଡି । ବିନା ଶୁଶାଣିରେ ବାଚସ୍ପତି ପିଟିସନକୁ ଖାରଜ କରିଥିବାରୁ କୋର୍ଟକୁ ଯାଇଥିଲା ବିଜେଡି । ଅଭିଯୋଗ ଉପରେ ଶୁଣାଣି ନକରି ବାଚସ୍ପତି କାହିଁକି ପିଟିସନ ଖାରଜ କଲେ ତାକୁ ବିରୋଧୀ ବିଜେଡି କୋର୍ଟର ଆଶ୍ରୟ ନେଇଛି । କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ଗ୍ରହଣ କରିବୁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କଂଗ୍ରେସ କହିଛି ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ବିଧାୟକ ପ୍ରମାଣ ସହ ଦଳ କୋର୍ଟରେ ୩ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରିବ । ଉକ୍ତ ବିଧାୟକ କଂଗ୍ରେସ ଟିକେଟରୁ ନିର୍ବାଚନ ଜିତି କିପରି ଶାସକ ଦଳ କଥାରେ କାମ କରୁଛନ୍ତି ତାର ପ୍ରମାଣ କୋର୍ଟକୁ ଦିଆଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ବାଳ, ସନାତନ ମହାକୁଡ, ସୁବାସିନୀ ଜେନା, ଚକ୍ରମଣି କହଁର, ଦେବୀ ରଂଜନ ତ୍ରିପାଠୀ, ରମାକାନ୍ତ ଭୋଇ, ନବକିଶୋର ମଲ୍ଲିକ କ୍ରସ ଭୋଟିଂ କରିଥିବା ବେଳେ କଂଗ୍ରେସର ସୋଫିଆ ଫିର୍ଦୋସ, ରମେଶ ଜେନା, ଓ ଦାଶରଥୀ ଗମାଙ୍ଗୋ କ୍ରସ ଭୋଟିଂ କରି ଚର୍ଚ୍ଚାରେ ଅଛନ୍ତି । ବାଚସ୍ପତିଙ୍କ ନିକଟରେ ଉଭୟ ବିଜେଡି ଓ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦାବି କରାଯାଇଛି । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ବାଚସ୍ପତି ସାମ୍ବିଧାନିକ ପଦରେ ଅଧିଷ୍ଠିତ । ଯଦି ପୁନର୍ବାର ଏ ମାମଲା ବାଚସ୍ପତିଙ୍କ ପାଖକୁ ଆସେ ସବୁ ଦିଗକୁ ବିଚାର କରି ବାଚସ୍ପତି ନିଷ୍ପତି ନେବା ଉଚିତ ବୋଲି ସମୀକ୍ଷକ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୨୯ ତାରିଖରେ ହେବ ।

ଡବଲ ଇଞ୍ଜିନ ସରକାରର ଗୋହି ଖୋଳିଲେ ନବୀନ !

ନନ୍ଦିଘୋଷ ବ୍ୟୁରୋ: ଜେନ୍-ଜିଙ୍କ ଭବିଷ୍ୟତ ଅନ୍ଧାର। ଶୁଣୁନାହାନ୍ତି ସରକାର। ଅପାରଗତାରେ ଦେଶରେ ଏକ ନମ୍ବର, ଡବଲ ଇଞ୍ଜିନ ବିଜେପି ସରକାର। ଏପରି ଅଭିଯୋଗ କରି ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଗର୍ଜିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାରଙ୍କ ଅପାରଗତା ବିଷୟରେ ଲୋକଙ୍କୁ କରାଇଛନ୍ତି ସଚେତନ। ବିଜେପି ସରକାରରେ କିପରି ଚାଷୀ, ମହିଳା, ମଧ୍ୟବିତ୍ତ ଓ ଗରିବ ହଇରାଣ ହେଉଛନ୍ତି, ସେସବୁ ଟିକିନିଖି କରି ବଖାଣିଛନ୍ତି । ବିଜେଡି ସରକାରରେ ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଇଥିଲା। କିନ୍ତୁ ବିଜେପି କ୍ଷମତାକୁ ଆସିବା ଦିନଠୁ ସବୁ କିଛି ଠପ୍। ଚାଷୀଙ୍କ ସହ ମହିଳା, ଗରିବ ଓ ବୃଦ୍ଧ ବୃଦ୍ଧା ହଇରାଣ ହେଉଛନ୍ତି। ଜେନ୍ ଜିଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଥିବା ବେଳେ, ବଢ଼ି ଚାଲିଛି ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ। କିନ୍ତୁ ସବୁ ଜାଣି ଏ ସରକାର ନିଦା ବିଷ୍ଣୁ ସାଜିଛନ୍ତି। ତେଣୁ ଏହି ଅପାରଗ ସରକାରର ମୁଖା ଖୋଲିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ।

ରଥଯାତ୍ରାରେ ତ୍ରୁଟି, ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ନମିଳିବା ସହ ଧାନ ସଂଗ୍ରହରେ ବିଫଳ ହୋଇଛି ବିଜେପି। କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନେଲେ । କିନ୍ତୁ ଏ ପ୍ରସଙ୍ଗରେ ଓଡ଼ିଶା ସରକାର ନୀରବ ରହିଲେ। ସଂସଦରେ ପାଟି ଫିଟାଇଲେ ନାହିଁ ବିଜେପିର ୨୦ ସାଂସଦ। ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ରାଜ୍ୟରେ ରାଜସ୍ବ ସଂଗ୍ରହ କମିଥିବା ବେଳେ, ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ। ସେହିପରି ଋଣ ଭାର ବଢ଼ି ଚାଲିଥିବା ବେଳେ, ଟଙ୍କା କୁଆଡ଼େ ଯାଉଛି ବୋଲି ପ୍ରଶ୍ନ କରିଥିଲେ ନବୀନ। ବିଜୁ ବାବୁଙ୍କ ଆଦର୍ଶରେ ରାଜ୍ୟ ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ପଦଯାତ୍ରାରେ ଆହ୍ବାନ ଦେଇଛନ୍ତି ନବୀନ।

ତେବେ ବିଜେଡିର ଏହି ଜନସଂପର୍କ ପଦଯାତ୍ରା ମାଧ୍ୟମରେ ଦଳୀୟ କର୍ମକର୍ତ୍ତା ଡବଲ ଇଞ୍ଜିନ ସରକାରର ବିଫଳତାକୁ ପଦାରେ ପକାଇବା ସହ ବିଜେଡି ଶାସନ ସମୟର ସଫଳତା ବାବଦରେ ଲୋକଙ୍କୁ ସଚେତନ କରାଇଛନ୍ତି।

ବଡ ଦାଣ୍ଡରେ ଶହ ଶହ ଚିଲ: ଆସୁଛି କି ବିପଦ ?

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ପ୍ରତି ମାଡିଆସୁଛି କି ବଡ ବିପଦ ! ସଙ୍କେତ ଦେଲେଣି ମହାପ୍ରଭୁ ! ଘଟିବାକୁ ଯାଉଛି କି କିଛି ବଡ ଅଘଟଣ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ । କାରଣ ଏମିତି କିଛି ଘଟିଛି ଯାହା ସମସ୍ତଙ୍କୁ ଭୟଭୀତ କରିଦେଇଛି । ପୁରୀ ବଡ଼ଦାଣ୍ଡରୁ ସାମ୍ନାକୁ ଆସିଛି ବିଚିତ୍ର ଦୃଶ୍ୟ। ହଠାତ ଶ୍ରୀମନ୍ଦିର ଆଡକୁ ମାଡ଼ି ଆସିଲେ ବହୁ ସଂଖ୍ୟାରେ ଚିଲ।

ଆଜି ପୂର୍ବାହ୍ନରେ ମାଉସୀ ମା ମନ୍ଦିର ନିକଟ ବଡ଼ଦାଣ୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଚିଲ ରାସ୍ତାର ଏ ପାର୍ଶ୍ୱରୁ ସେ ପାର୍ଶ୍ୱକୁ ଘୁରି ବୁଲିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ପୂର୍ବରୁ ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଗୋଟିଏ ଚିଲ ବସିଥିବା ବା ଉଡୁଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ବଡ଼ଦାଣ୍ଡରେ ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା। ଏହାକୁ ନେଇ ଏବେ ନାନା ଚର୍ଚ୍ଚା କରାଯାଉଛି । କେହି କେହି ଏହାକୁ ଅଶୁଭ ଏବଂ କିଛି ବଡ ବିପଦର ଆଭାସ ବୋଲି କହୁଛନ୍ତି । ତେବେ ରାସ୍ତାରେ କିଛି ମାଂସ ପଡ଼ିଥିବାରୁ ଏହାର ବାସ୍ନାରେ ଚିଲ ମାନେ ବଡଦାଣ୍ଡକୁ ଚାଲି ଆସିଥିଲେ ବୋଲି କୁହାଯାଉଛି । ଯେହେତୁ ସେହି ରାସ୍ତା ଦେଇ ଅନେକ ଗାଡ଼ି ଯିବା ଆସିବା କରୁଥିଲା, ତେଣୁ ଚିଲମାନଙ୍କୁ ରାସ୍ତାରୁ ମାଂସ ଟୁକୁଡା ନେବାରେ ବାଧା ଉପୁଜିଥିଲା। ଫଳରେ ବହୁ ସଂଖ୍ୟାରେ ଚିଲ ସେଠାକୁ ଚାଲିଆସିଥିଲେ ।

ଓଡିଶାରେ ସାଇବର ଅପରାଧରେ ଲାଗିବ ଲଗାମ !

ନନ୍ଦିଘୋେଷ ବ୍ୟୁରୋ: ଓଡ଼ିଶାରେ ପ୍ରତ୍ୟେକ ୨ ମିନିଟରେ ସାଇବର ଠକେଇର ଶିକାର ହେଉଛନ୍ତି ୨ ଜଣ । କିଏ ଅଜଣା ଲିଙ୍କରେ କ୍ଲିକ କରି ଟଙ୍କା ହରାଇଲାଣି ତ ଆଉ କିଏ ନ୍ୟୁଡ଼ କଲରେ ସର୍ବସ୍ବ ସାରି ଦେଲାଣି । ଛୋଟ ସାଇବର ଠକେଇ ଠାରୁ ଆରମ୍ଭ କରି ଡାର୍କ ୱେବ, କ୍ରିପ୍ଟୋ କରେନ୍ସି , ଡିପ୍ ଫେକ୍ ଫଟୋ ଭଳି ସାଙ୍ଘାତିକ ସାଇବର ଠକେଇର ଶିକାର ହୋଇ ସାହାଯ୍ୟ ମାଗୁଛନ୍ତି ଲୋକେ । ଆଉ ଆଗ ଭଳି ଗୋଲ୍ଡେନ ଆୱାର ପାଇଁ ଅଧିକ ସମୟ ମିଳୁନି । ଠକେଇର ୫ ମିନିଟ ମଧ୍ୟରେ ୧୯୩୦ କୁ କଲ କରି ଅଭିଯୋଗ ପଞ୍ଜିକରଣ ନକଲେ ଠକେଇ ଟଙ୍କା ମିଳିବା ଆଶା କ୍ଷୀଣ । ଗତ ୯ ମାସରେ ସାଇବର ଲୁଟେରାଙ୍କ ବିରୋଧରେ ୪୦ ହଜାରରୁ ଅଧିକ ଅଭିଯୋଗ ହୋଇଛି ।। ଚଳିତ ବର୍ଷ ୨୮୩ କୋଟି ଟଙ୍କା ଠକି ନେଇଛନ୍ତି ଠକ। ଯେଉଁଠି ଅନଲାଇନରେ ରୁଜୁ ହୋଇଛି ୪୦ ହଜାର ୫ଶହ ୬୯ ମାମଲା ।  ଠକେଇର ଶିକାର ନେଇ ୧୯୩୦ କୁ କଲ କରିଛନ୍ତି ପ୍ରାୟ ୬୨ ହଜାର ଲୋକ । ଠକେଇ ଟଙ୍କାରୁ ପାଖାପାଖି ୭ କୋଟି ଟଙ୍କା ପୋଲିସ ଫେରାଇ ଆଣିବାକୁ ସକ୍ଷମ ହୋଇଥିବା ବେଳେ ୬୦ କୋଟି ଟଙ୍କା ଫ୍ରିଜ କରିପାରିଛି  । ଏଭଳି ସ୍ଥିତିରେ ସାଇବର ଠକଙ୍କୁ ମାତ୍ ଦେବା ପାଇଁ ୨୪୯ କୋଟି ବ୍ୟୟ ବରାଦରେ ଆରମ୍ଭ ହେବକୁ ଯାଉଛି ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ।

ବଢୁଥିବା ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ସାରା ରାଜ୍ୟରେ କାମ କରୁଛି ୩୫ ଟି ସାଇବର ଥାନା । ଏସବୁକୁ ମନିଟର କରିବା ସହ ଓଡିଶା ପୋଲିସ ଆରମ୍ଭ କରିବାକୁ ଯାଉଛି ଓଡିଶା ସାଇବର କମାଣ୍ଡ ସେଣ୍ଟର। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ୨୪୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ୨୨୪ ଜଣ ଦକ୍ଷ ଓ ଅଭିଜ୍ଞ ଅଫିସର ଏଥିରେ କାମ କରିବେ। ଠକେଇରୁ ବର୍ତ୍ତିବା ପାଇଁ ଏହିଠାରେ ସଫ୍ଟୱେର ଓ ହାର୍ଡୱେର ସାହାଯ୍ୟରେ ଅପଡେଟ ଟେକ୍ନୋଲୋଜି ବ୍ୟବହାର ହେବ। ଠକର ବ୍ୟବହୃତ ନମ୍ବର, ଆଇପି ଆଡ୍ରେସ, ଲୋକେସନକୁ ତୁରନ୍ତ ଟ୍ରେସ କରାଯାଇପାରିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାରଙ୍କ ତତ୍ୱାବଧାନ ଓ ଡିଜିପିଙ୍କ ସିଧାସଳଖ ମନିଟରିଂ ଜରିଆରେ ଏହି କାମ ଆଗେଇ ଚାଲିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି।

ଆଜିର ଦିନରେ ଫିଜିକାଲ କ୍ରାଇମ କମୁଥିବା ବେଳେ ଦ୍ରୁତ ଗତିରେ ବଢୁଛି ସାଇବର ବା ଡିଜିଟାଲ କ୍ରାଇମ । ଏଭଳି ସମୟରେ ଆମେ ମଧ୍ୟ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି ।

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କେବେ ?

ପୁରୀ: ଦିନକୁ ଦିନ ଶ୍ରୀମନ୍ଦିରରେ ଜମୁଛି ଅସମ୍ଭାଳ ଭିଡ଼ । ଶ୍ରୀମୁଖ ଦେଖିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଭକ୍ତ । ବଢୁଛି ଜନ ଅସନ୍ତୋଷ ।  ଶୃଙ୍ଖଳା ରକ୍ଷା ପାଇଁ ଧାଡି ଦର୍ଶନ ବ୍ୟବସ୍ଥା ନେଇ ଯୋଜନା ରଖିଛି ପ୍ରଶାସନ । ନାଟ ମଣ୍ଡପ ଭିତରେ କାଠରେ ନିର୍ମିତ ସ୍ୱତନ୍ତ୍ର ରାମ୍ପ ପକାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଉଠିଛି ପ୍ରଶ୍ନ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନାମରେ ସେବାୟତ ମାନଙ୍କର ଆଲମିରା ହଟାଯାଇଥିବା ବେଳେ ସେଠାରେ ପୁନର୍ବାର କାଠ ରାମ୍ପ ପକାଯିବା ଠିକ ନୁହେଁ ବୋଲି ମତ ପ୍ରକାଶ ପାଇଛି । ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ନେଇ ପ୍ରତିହାରି ସେବାୟତ ମାନଙ୍କର ପ୍ରମୁଖ ଭୂମିକା ରହିଛି । ବର୍ତ୍ତମାନ ସମୟରେ ଭିତରେ ଦର୍ଶନ ପାଇଁ ହ୍ୟୁମାନ ଚେନ ଅଥବା ରୋପ୍ ର  ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହା ଧାଡି ଦର୍ଶନ ବ୍ୟବସ୍ଥା ଠାରୁ ଉତ୍କୃଷ୍ଟ ହେବ ବୋଲି ପ୍ରତିହାରୀ ନିଯୋଗ ସମ୍ପାଦକ ଯୁକ୍ତି ବାଢିଛନ୍ତି ।

ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିରରେ ଖୁବଶୀଘ୍ର ରାମ୍ପ ମାଧ୍ୟମରେ ଧାଡି ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯିବାକୁ ବ୍ୟବସ୍ଥା କରାଯାଉଛି। ଏ ନେଇ ଆଇଆଇଟି ଭୁବନେଶ୍ୱର ଦ୍ୱାରା ସ୍ୱତନ୍ତ୍ର ରାମ୍ପ ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ପରୀକ୍ଷଣ କରାଯାଇ ଶ୍ରୀମନ୍ଦିରରେ ପକାଯିବ । ତେବେ ହ୍ୟୁମାନ ଚେନ ବା ରୋପ୍ ଦ୍ୱାରା ଦର୍ଶନ ବ୍ୟବସ୍ଥା ପ୍ରସ୍ତାବ ଉପରେ ସମୀକ୍ଷା କରାଯାଇଛି । ତାହା ସେତେଟା ସଫଳ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ମତ ରଖିଛନ୍ତି। ରାମ୍ପ ଦ୍ୱାରା ଶୃଙ୍ଖଳିତ ଧାଡି ଦର୍ଶନ ବ୍ୟବସ୍ଥା ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଶ୍ରୀମନ୍ଦିରରେ ଦୈନିକ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଦର୍ଶନ ବ୍ୟବସ୍ଥାରେ କେବେ ଶୃଙ୍ଖଳା ହେବ ତାହା ଦେଖିବାକୁ ବାକି ରହିଛି  ।

ଗୁହାରୀ ଶୁଣୁନି ପ୍ରଶାସନ: ଅନ୍ଧାରରେ ୫୦ ପରିବାର

ଗୁହାରୀ ଶୁଣୁନି ପ୍ରଶାସନ: ଅନ୍ଧାରରେ ୫୦ ପରିବାର

ନନ୍ଦିଘୋଷ ବ୍ୟୁରୋ: ଚୋରି ହୋଇଗଲା ଟ୍ରାନ୍ସଫର୍ମର । ମାସେରୁ ଅଧିକ ହେଲାଣି ଅନ୍ଧାରରେ ଗାଁ । ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ବିଦ୍ୟୁତ୍ ନଥିବାରୁ ଜଳ ଯୋଗାଣ ବି ବନ୍ଦ । ଚୁଆ ପାଣି ଭରସାରେ ୫୦ ପରିବାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଷେଣ୍ଢସର ରାମିଆ ସାହିରେ।

ଟ୍ରାନ୍ସଫର୍ମର ଚୋରି ହୋଇଯିବାରୁ ଗାଁରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି । ପମ୍ପ ଚାଲୁନି କି ଲୋକଙ୍କ ଘରକୁ ପାଣି ଆସୁନି । ଗାଁରେ ଥିବା ୩ଟି ନଳକୂପରୁ ଆବଶ୍ୟକୀୟ ପାଣି ବାହାରୁନି । ଚୁଆ ପାଣି ହିଁ ଲୋକଙ୍କ ଶେଷ ଭରସା ପାଲଟିଛି । ହେଲେ ଏଯାଏଁ ନୂଆ ଟ୍ରାନ୍ସଫର୍ମର ଲାଗିପାରୁନି । କେବଳ ପାଣି ସମସ୍ୟା ନୁହେଁ । ବିଦ୍ୟୁତ୍ ନଥିବାରୁ ଅନ୍ଧାରରେ ଜୀବନ ବିତାଉଛନ୍ତି ୫୦ ପରିବାର । ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟ ରହୁଛି । ପିଲାଙ୍କ ପାଠପଢ଼ା ବି ପ୍ରଭାବିତ ହେଉଛି । ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ନୂତନ ଟ୍ରାନ୍ସଫର୍ମର ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ସମାଧାନର ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । ପ୍ରଶାସନର ପ୍ରତିଶୃତି କେବେ ବାସ୍ତବ ରୂପ ନେଉଛି ? କେବେ ରାମିଆ ସାହିରେ ବସୁଛି ନୂତନ ଟ୍ରାନ୍ସଫର୍ମର ? ତାହା ଦେଖିବାକୁ ବାକି ରହିଲା ।

ମୁରବିଶୂନ୍ୟ ବିଇଓ ଅଫିସ !

ପଟାଙ୍ଗୀ: ମୁରବିଶୂନ୍ୟ ବିଇଓ ଅଫିସ । ମୁକୁଳା ପଡ଼ିଛି କାର୍ଯ୍ୟାଳୟ ।  ଅଫିସରେ ନାହାଁନ୍ତି ବ୍ଲକ ଶିକ୍ଷାଧିକାରୀ । ୧୦ ମାସ ହେଲା ଖାଲି ପଡିଛି ଚେୟାର । ସେହିପରି ତିନି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଚେୟାର ବି ଖାଲି ପଡିଛି । ଜଣେ ବଦଳି ହୋଇଯାଇଛନ୍ତି । ଆଉ ଦୁଇ ଜଣ ଅବସର ନେଇସାରିଲେଣି । ଅଧିକାରୀ ନଥିବାରୁ ସାଧାରଣ ଲୋକ, ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ କାମ ହୋଇପାରୁନି । କିନ୍ତୁ ସରକାର ବେଫିକର । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଶିକ୍ଷା ବିଭାଗରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ବିନା ବଡ଼ ବାବୁରେ ଚାଲିଛି ଅଫିସ  । ବ୍ଲକ ଶିକ୍ଷା ବିଭାଗରେ ଖାଲି ପଡ଼ିଛି ବ୍ଲକ ଶିକ୍ଷାଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଚେୟାର । କାମ କେମିତି ଚାଲୁଥିବ ଏଥିରୁ ସହଜରେ ଅନୁମାନ କରାଯାଇପାରିବ । ବିଇଓ ଓ ଏବିଇଓ ନଥିବାରୁ ସାଧାରଣ ଲୋକ, ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ କାମ ହୋଇପାରୁନି ।

ନିୟମ ଅନୁଯାୟୀ ବ୍ଲକରେ ୩ ଜଣ ABEO ରହିବା କଥା । କିନ୍ତୁ ଜଣେ ୨୦୨୫ ଜୁନରେ ଅବସର ନେଇଥିବା ବେଳେ ଅନ୍ୟ ଜଣଙ୍କୁ ନନ୍ଦପୁର ବ୍ଲକକୁ ବଦଳି କରାଯାଇଛି । ଏବେ କାର୍ଯ୍ୟରତ ପ୍ରଭାକର ଖଟୁଆ ନିକଟରେ ଅବସର ନେବା ପରେ ABEO ପଦବୀ ସଂପୂର୍ଣ୍ଣ ଖାଲି ପଡ଼ିଛି ।

ଯଦି ଦେଖିବା ପଟାଙ୍ଗୀ ବ୍ଲକ ଅଧୀନରେ ୧୭୮ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି । ଯଦି ଶିକ୍ଷା ବିଭାଗରେ ଅଧିକାରୀ ପଦ ଖାଲି ରହିବ । ତେବେ କୋଟିଆ, ଆମ୍ପାବାଲି, ପେଟୁର ଓ ସୁଙ୍କି ଭଳି ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥାର ତଦାରଖ କରିବ କିଏ ? କିଭଳି ପରିଚାଳିତ ହେବ ସମସ୍ତ ସ୍କୁଲ ? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ ।…

ମାଆ ବିରଜାଙ୍କ ପୀଠରେ ସିଂହଧ୍ଵଜ ରଥ ଟାଣିବାକୁ ଭକ୍ତଙ୍କ ଭିଡ଼

ମାଆ ବିରଜାଙ୍କ ପୀଠରେ ସିଂହଧ୍ଵଜ ରଥ ଟାଣିବାକୁ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ପୀଠେ ନବରାତ୍ରୀ । ଶକ୍ତି ପୀଠରେ ଚାଲିଛି ଶକ୍ତି ଆରାଧନା । ଘଣ୍ଟଘଣ୍ଟା, ଶଙ୍ଖନାଦ ଓ ଚଣ୍ଡୀପାଠରେ କମ୍ପୁଛି ପୂରା ପରିବେଶ । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ । ମାଆଙ୍କ ମୁଖ ଦର୍ଶନ କରିବା ସହ ସିଂହଧ୍ଵଜ ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କ ଲାଗୁଛି ଲମ୍ବା ଲାଇନ । ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନ ଧରି ମାଆଙ୍କ ବିଜେ ପ୍ରତିମା ରଥାରୂଢ ହୋଇ ମନ୍ଦିର ପରିସରରେ ପରିକ୍ରମା କରିଥାନ୍ତି । ମାଆ ବିରଜାଙ୍କ ରଥଯାତ୍ରାର ରୀତି ଓ ପରମ୍ପରା ଭିନ୍ନ । ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ । ବରଂ ଯାଜପୁରର ପ୍ରାଚୀନ ଐତିହ୍ୟ, ଶାକ୍ତ ପରମ୍ପରା ଓ ଅଗଣିତ ଭକ୍ତଙ୍କ ଅଗାଢ଼ ବିଶ୍ୱାସର ପ୍ରତୀକ । ମାଆ ବିରଜା ନଅ ଦିନ ଧରି ରଥରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ପ୍ରତିବର୍ଷ ଭଳି ରଥଯାତ୍ରା ଓ ନବରାତ୍ରୀ ପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଙ୍କ ପୀଠରେ ଚାଲିଥିବା ପୂଜା କାରଣରୁ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।

 

ହଟିଲା କଟକଣା, ମନ୍ଦିର ଭିତରକୁ ଫୋନ୍ ନେଇପାରିବେ ଭକ୍ତ

ନନ୍ଦିଘୋଷ ବ୍ୟୁରୋ: ହଟିଲା କଟକଣା । ଏଣିକି ତାମିଲନାଡୁ ମନ୍ଦିର ଭିତରକୁ ମୋବାଇଲ ନେଇପାରିବେ ଭକ୍ତ । ପୂର୍ବରୁ, ସରକାର ରାଜ୍ୟର ୫୨ଟି ମନ୍ଦିରରେ ମୋବାଇଲ ପ୍ରବେଶ ଉପରେ କଟକଣା ଲଗାଇଥିଲେ। ବର୍ତ୍ତମାନ ‘ରିଲିଜିୟସ୍ ଆଣ୍ତ ଚାରିଟେବୁଲ ଏନଣ୍ତୋମେଣ୍ଟସ୍ ଡ଼ିପାର୍ଟମେଣ୍ଟ’ ପକ୍ଷରୁ ଏହି ପ୍ରତିବନ୍ଧକକୁ ହଟାଇ ଯାଇଥିବା ନେଇ କୁହାଯାଇଛି । ଏନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏବେ ବି ମନ୍ଦିରରେ ଫଟୋ ଉଠାଇବା କିମ୍ବା ଭିଡିଓ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଅଟେ।  ଏଥିରେ କୌଣସି ଛାଡ଼ ଦିଆଯିବ ନାହିଁ।

ପ୍ରକାଶ ଥାଉ ଯେ, ମୁଖ୍ୟମନ୍ତ୍ରୀ ବିଜୟ କ୍ଷମତାକୁ ଆସିବା ପରେ, ଧାର୍ମିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଥିଲେ । ଏହି ପରିପ୍ରେକ୍ଷୀରେ, ୨୦୨୬ ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟର ୫୨ଟି ମନ୍ଦିରରେ ମୋବାଇଲ ଫୋନ୍ ପ୍ରବେଶ ନିଷେଧ କରାଯାଇଥିଲା। ମନ୍ଦିର ଭିତରକୁ ମୋବାଇଲ ନେବା ଦ୍ୱାରା ମନ୍ଦିରର କାର୍ଯ୍ୟ ପ୍ରଭାବିତ ହେଉଥିବା କୁହାଯାଇଥିଲା । ତେବେ ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣ ତୀବ୍ର ବିରୋଧ କରିବା ପରେ ସରକାର ନିଷ୍ପତ୍ତିରେ ସଂଶୋଧନ କରିବାକୁ ବାଧ୍ୟ ହୋଇଛନ୍ତି।

ଏହି ନିୟମ ଲାଗୁ କରିବା ସମୟରେ ତାମିଲନାଡୁ ସରକାର କହିଥିଲେ ଯେ, ପୂଜାସ୍ଥଳର ପବିତ୍ରତା ଓ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ‘ରିଲିଜିୟସ୍ ଆଣ୍ତ ଚାରିଟେବୁଲ ଏନଣ୍ତୋମେଣ୍ଟସ୍ ଡ଼ିପାର୍ଟମେଣ୍ଟ’ ମନ୍ତ୍ରୀ ରମେଶଙ୍କ କହିବା ଅନୁଯାୟୀ, ଏହି ଆଦେଶରେ ମନ୍ଦିର ଭିତରେ ଫଟୋଗ୍ରାଫି, ଭିଡିଓ ରେକର୍ଡିଂ ଓ ରିଲ୍ ସୁଟିଂ ଭଳି କାର୍ଯ୍ୟକଳାପକୁ ନିଷେଧ କରାଯାଇଛି । ତାସହ ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ବାହାରେ ଥିବା ସୁରକ୍ଷା କେନ୍ଦ୍ରରେ ନିଜ ଫୋନ୍ ଜମା କରିବେ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାର ଏହି ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି। କିନ୍ତୁ ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ଫୋନ୍ ସ୍ବିଚ୍ ଅଫ କରିବାକୁ ପଡ଼ିବ। ମନ୍ଦିର ଭିତରେ ଫଟୋଗ୍ରାଫି, ଭିଡିଓଓ ରିଲ୍ ତିଆରି ଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ ଚେତାବନୀ ଦେଇଛନ୍ତି।

 

 

ଫାଶୀ ଖୁଣ୍ଟରେ ଝୁଲିବେ ମୁସ୍କାନ-ସାହିଲ !

ନନ୍ଦିଘୋଷ ବ୍ୟୁରୋ: ସୌରଭଙ୍କୁ ମିଳିଲା ନ୍ୟାୟ । ବଡ ନିଷ୍ପତ୍ତି ଶୁଣାଇଲେ କୋର୍ଟ । ଫାଶୀ ଖୁଣ୍ଟରେ ଝୁଲିବେ ଖୁନି ସ୍ତ୍ରୀ ଓ ତା ପ୍ରେମିକ । ବିବାହିତ ହୋଇ ମଧ୍ୟ ପରକୀୟା ପ୍ରୀତି ପାଇଁ ଯେଉଁଭଳି ନିଜ ସ୍ବାମୀଙ୍କୁ ମୁସ୍କାନ ଅତି ନୃଶଂସ ଭାବରେ ହତ୍ୟା କରିଥିଲା, ତାର ଦଣ୍ଡ ଏବେ ତାକୁ ମିଳିବାକୁ ଯାଉଛି । ଯେଉଁ ପ୍ରେମିକ ପାଇଁ ସ୍ବାମୀର ଜୀବନ ନେଇଥିଲା, ସେହି ପ୍ରେମିକ ସହ ଏବେ ଫାଶୀ ଖୁଣ୍ଟରେ ଝୁଲିବ ମୁସ୍କାନ ।

ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ମିରଟର ସୌରଭ ରାଜପୁତ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି କୋର୍ଟ । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ବଏଫ୍ରେଣ୍ଡ ସାହିଲଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପ୍ଟେମ୍ବର ୩୦ ତାରିଖରେ କୋର୍ଟ  ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ତାଙ୍କ ସଜାର ଶୁଣାଣୀ ସମୟରେ ମୁସ୍କାନ ଏବଂ ସାହିଲ ଦୁହେଁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ଏହାସହ ଏହି ସମୟରେ ସୌରଭଙ୍କ ମାଆ ଏବଂ ତାଙ୍କ ଭାଇ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ ।

ତେବେ ମୁସ୍କାନଙ୍କୁ ଫାଶୀ ଦଣ୍ଡାଦେଶ ହେବା ପୂର୍ବରୁ ଆଜି ସକାଳୁ ମୁସ୍କାନର ବାପା ମାଆ କୋର୍ଟରେ ଲିଖିତ ଭାବେ କହିଥିଲେ ଯେ, ସୌରଭ ଜଣେ ବହୁତ ଭଲ ପୁଅ ଥିଲେ, ହେଲେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଦିଆଗଲା । ଏହାସହ ସେମାନେ ସଫା ସଫା କହିଦେଇଥିଲେ ଯେ ମୁସ୍କାନ ସହ ତାଙ୍କର ଆଉ କୌଣସି ସମ୍ପର୍କ ନାହିଁ । ଯଦି ମୁସ୍କାନକୁ ଫାଶୀ ମଧ୍ୟ ଦିଆଯାଏ, ତାହାହେଲେ ବି ସେମାନେ ଏହାର ବିରୋଧ କରିବେ ନାହିଁ ।

ସୂଚନା ମୁତାବକ , ମାର୍ଚ୍ଚ ୩, ୨୦୨୫ରେ ମୁସ୍କାନ ତାଙ୍କ ବଏଫ୍ରେଣ୍ଡ ସାହିଲ ସହ ମିଶି ନିଜ ସ୍ବାମୀ ସୌରଭ ରାଜପୁତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ  ଏବଂ ଧରାପଡିଯିବା ଭୟରେ ତାଙ୍କ ମୃତଦେହକୁ ଏକ ନୀଳ ଡ୍ରମରେ ସିମେଣ୍ଟ ପ୍ଲାଷ୍ଟର କରି ଲୁଚାଇ ଦେଇଥିଲେ । ଏହି ମାମଲାରେ ୧୨୬ ଶୁଣାଣୀ ପରେ, ସୌରଭ ରାଜପୁତଙ୍କୁ ହତ୍ୟା ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଅଭିଯୋଗରେ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥଲେ । ଯାହାପରେ କୋର୍ଟ କହିଥିଲେ ଯେ, ଅପରାଧ ସମାଜରେ ଭୟର ବାତାବରଣ ସୃଷ୍ଟି କରୁଛି । ଆଉ ସବୁ ପ୍ରମାଣର ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଉଭୟ ମିଶି ସୌରଭ ରାଜପୁତଙ୍କର ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲେ ।