spot_img
Home Blog Page 3991

ଆଜିଠୁ ପୁଣି ଭିଜିବ ଓଡ଼ିଶା, ୧୦ ତାରିଖ ଯାଏ ରାଜ୍ୟରେ ଅବିଶ୍ରାନ୍ତ ବର୍ଷା

ଭୁବନେଶ୍ୱର: ଆଜିଠୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନନଷ୍ଟପ ବର୍ଷା । ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ମୌସୁମୀ ନିମ୍ନ ଚାପରେଖା ଯୋଗୁ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା । ଆସନ୍ତାକାଲିଠାରୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ମୌସୁମୀର ସକ୍ରିୟତା ବୃଦ୍ଧି ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୭ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଝଡ଼ ବର୍ଷା ସହ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୭ ତାରିଖରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ବିଏମସି ଓ ନଗର ଉନ୍ନୟନ ବିଭାଗର ୧୦ ଜଣିଆ ଟିମ୍

ଭୁବନେଶ୍ୱର: ୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଗଲେ ବିଏମସି ଓ ନଗର ଉନ୍ନୟନ ବିଭାଗର ୧୦ ଜଣିଆ ଟିମ୍ । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଗସ୍ତ କରିଛି ଟିମ୍ । ଏହି ୧୦ ଜଣିଆ ଟିମରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡ୍ରେନେଜ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ଓ ୩ ଜଣ କର୍ପୋରେଟର ସାମିଲ ଅଛନ୍ତି ।

ଏକ୍ସପୋଜର ଭିଜିଟରେ ଯାଇ ବେଙ୍ଗାଲୁରୁ ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବେ । ମୁଖ୍ୟତଃ ବିଭିନ୍ନ ଜଳଉତ୍ସର ସଂରକ୍ଷଣ, ବିକାଶ ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କିତ ପ୍ରକଳ୍ପ ପରିଦର୍ଶନ କରିବ ଟିମ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମରେ ବିଭିନ୍ନ ଜଳଉତ୍ସର ବିକାଶ ପାଇଁ ଆର୍ଥିକ ଅନୁଦାନ ଦେଇଛନ୍ତି । ପ୍ରକଳ୍ପର କାର୍ଯ୍ୟକାରିତା ପୂର୍ବରୁ ଏଭଳି ଗସ୍ତ ନିଶ୍ଚିତ ଭାବେ ଉପାଦେୟ ହେବ ବୋଲି ଉଭୟ ମେୟର ଓ କମିଶନର କହିଛନ୍ତି । ଆସନ୍ତା ରବିବାର ଟିମ୍ ଫେରିବାର କାର୍ଯ୍ୟକ୍ରମ ରହିଛି ।

 

ଆଜି ସାଫ୍ ଅଣ୍ଡର-୨୦ ଚାମ୍ପିୟନସିପର ଗ୍ରାଣ୍ଡ ଫିନାଲେ, ସନ୍ଧ୍ୟାରେ ଭାରତ ଓ ବାଂଲାଦେଶ ଟକ୍କର

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ସାଫ୍ ଅଣ୍ଡର-୨୦ ଚାମ୍ପିୟନସିପର ଗ୍ରାଣ୍ଡ ଫିନାଲେ । ସନ୍ଧ୍ୟା ୭ ଟାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଟିମ୍ ବିଜୟ ହାସଲ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଲିଗ୍ ପର୍ଯ୍ୟାୟରେ ଭାରତକୁ ବାଂଲାଦେଶ ହରାଇ ଥିଲା ତେବେ ପରାଜୟରେ ପ୍ରତିଶୋଧ ନେବାକୁ ଫାଇନାଲରେ ଚେଷ୍ଟା କରିବ ଭାରତ । ଦର୍ଶକଙ୍କ ଗହଣରେ ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ସରିଛି । ଦର୍ଶକଙ୍କ ଗହଣରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ୫ଟି ଦେଶକୁ ନେଇ ଗତ ୨୫ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆଜି ଶେଷ ହେବ ।

ଆଜି ମହାରାଷ୍ଟ୍ର କ୍ୟାବିନେଟର ହୋଇପାରେ ସମ୍ପ୍ରସାରଣ, ତାଲିକା ଧରି ଦିଲ୍ଲୀ ଯାଇଥିଲେ ଫଡନଭିସ

ମୁମ୍ବାଇ: ଆଜି ମହାରାଷ୍ଟ୍ର କ୍ୟାବିନେଟର ହୋଇପାରେ ସମ୍ପ୍ରସାରଣ । ସମ୍ଭାବ୍ୟ ତାଲିକା ଧରି ଦିଲ୍ଲୀ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଫଡନଭିସ ତାଲିକା ଧରି ଦିଲ୍ଲୀ ଯାଇଥିଲେ । ସେପଟେ ସୁପ୍ରିମକୋର୍ଟରେ ଶିବସେନା ମାମଲାର ଶୁଣାଣି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନ ନେବା ଲାଗି ନିର୍ବାଚନ କମିଶନଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟଙ୍କ ଏହି ନିଷ୍ପତ୍ତି ଉଦ୍ଧବଙ୍କ ଲାଗି ଆଶ୍ୱସ୍ତି ଆଣିଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହୋଇପାରେ । ଶୁଣାଣି ବେଳେ ଟିମ୍ ସିନ୍ଦେଙ୍କୁ ସିଜେଆଇ ପଚାରିଥିଲେ ଯେ, ନିର୍ବାଚିତ ହୋଇଯିବା ପରେ ଯଦି ରାଜନୈତିକ ଦଳଗୁଡ଼ିକୁ ଆପଣମାନେ ସମ୍ପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିବେ ତେବେ ଏହା ଗଣତନ୍ତ୍ର ପ୍ରତି ଏକ ବିପଦ ନୁହେଁ କି? ଶିବସେନାରୁ ବିଜୟ ଲାଭ କରି ମଧ୍ୟ ଦଳରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିନ୍ଦେ । ଏପରିକି ଦଳର ମୂଳ ସଙ୍କେତ ଧନୁ ତୀର ବି ତାଙ୍କ ଗୋଷ୍ଠୀକୁ ଦେବା ଲାଗି ଆବେଦନ କରିଛନ୍ତି ପିଟିସନ ।

କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସର ଆନ୍ଦୋଳନ, ରାଜଭବନ ଆଗରେ ଦଳ କରିବ ପ୍ରତିବାଦ ସଭା

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ । କେନ୍ଦ୍ର ସରକାରଙ୍କର ବିଫଳତାକୁ ନେଇ ଆଜି ରାଜଭବନ ଘେରାଉ କରିବ କଂଗ୍ରେସ । ରାଜଭବନ ଆଗରେ ପିସିସି ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ର ବିରୋଧରେ ଦଳ ପ୍ରତିବାଦ ସଭା କରିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେବ । ସେହିପରି ଜିଲ୍ଲାସ୍ତରରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ କରି କେନ୍ଦ୍ର ସରକାର ଗରିବଙ୍କ ପକେଟରୁ ଟଙ୍କା ଲୁଟୁଛି । ସବୁଥିରେ ଟିକସ ଲାଗୁ କରିବାକୁ କେନ୍ଦ୍ରକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ତୁଳନା କରିଛି କଂଗ୍ରେସ । ଏହାର ପ୍ରତିବାଦରେ ଆଜି କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ।

 

ଚୀନ ଟାର୍ଗେଟରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ବୀପ, ଶ୍ରୀଲଙ୍କା ଅଭିମୁଖେ ପଠାଇଲା ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଓ୍ବାନ ଚାଇନା ପଲିସିରେ ଭାରତକୁ ଟାର୍ଗେଟ କରିପାରେ ଚୀନ । ଡ୍ରାଗନର ସ୍କାନରରେ ବି ରହିପାରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ବୀପ । ତାଇଓ୍ବାନକୁ ଚୀନ ଟାର୍ଗେଟ କରିଥିବାବେଳେ ବାଲିଷ୍ଟିକ ମିସାଇଲ ଓ ସାଟେଲାଇଟକୁ ଟ୍ରାକ କରିପାରୁଥିବା ଏକ ଶକ୍ତିଶାଳୀ ଯୁଦ୍ଧଜାହାଜକୁ ଶ୍ରୀଲଙ୍କା ଅଭିମୁଖେ ପଠାଇଛି ଚୀନ । ୟୁଓ୍ବାନ ଓ୍ବାଙ୍ଗ ଶ୍ରେଣୀର ଏହି ଜାହାଜ ଆସନ୍ତା ୧୧ କିମ୍ବା ୧୨ରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ ନେଇ ସତର୍କ ହୋଇଛି ଭାରତ ।

ଯଦି ଭାରତ ମହାସାଗରରେ ଏହି ଜାହାଜ ମୁତୟନ ହୁଏ ତେବେ ଭାରତର କ୍ଷେପଣାସ୍ତ୍ର ଗତିବିଧି ଜାଣିବା ଚୀନ ପକ୍ଷେ ଅସମ୍ଭବ ହେବ ନାହିଁ । ଏପରିକି ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଏପିଜେ ଅବଦୁଲ କଲାମ ଦ୍ବୀପର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଚୀନ ଅବଗତ ହେବ । ଏହାସହ ଭାରତର ବାଲିଷ୍ଟିକ ମିସାଇଲ ଟେଷ୍ଟ ସମ୍ପର୍କରେ ମଧ୍ୟ ଚୀନ ସବିଶେଷ ତଥ୍ୟ ପାଇପାରିବ ।

ତେଣେ ଏହି ଜାହାଜକୁ ଆଶ୍ରୟ ଦେବାକୁ ଶ୍ରୀଲଙ୍କା ସରକାର ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି । ଚୀନ ନ୍ୟାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ଦ୍ବାରା ନିୟନ୍ତ୍ରିତ ହେଉଛି ଜାହାଜ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ହାମ୍ବନଟୋଟା ବନ୍ଦରକୁ ୯୯ ବର୍ଷିଆ ଲିଜରେ ଚୀନକୁ ଦେଇଛି ଶ୍ରୀଲଙ୍କା ।

ସେପଟେ ଓ୍ବାର ଫୁଟେଜରେ ରହିଛି ପିପୁଲସ ଲିବରେସନ ଆର୍ମି । ତାଇଓ୍ବାନର ସୀମାକୁ କରିଛି ଘେରାବନ୍ଦୀ । ତାଇଓ୍ବାନ ପ୍ରଣାଳୀକୁ ବି ଡ୍ରାଗନ କରିଛି କବଜା । ଦଶନ୍ଧିର ସର୍ବବୃହତ ମିଲିଟାରୀ ଡ୍ରିଲ ଜାରି ରଖିଛି ଚୀନ । ତାଇଓ୍ବାନ ଉପରକୁ ଚୀନ ୧୧ଟି ଡଙ୍ଗଫେଙ୍ଗ ମିସାଇଲ ମାଡ କରିଥିବାବେଳେ କେତେକ କ୍ଷେପଣାସ୍ତ୍ର ଜାପାନର ସୀମା ଛୁଇଁଥିବା ନେଇ ଅଭିଯୋଗ କରିଛି ଜାପାନ ।

ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି । ଏହାସହ ସାରସ୍ବତ କୃତି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଏହା ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ । ଏଥିରେ ଉପକୂଳ ଓଡିଶାର ଅର୍ଦ୍ଧ ଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି । ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକଙ୍କୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି ।

ଭାଗବତ କଥାମୃତ ଏକ ଆଧ୍ୟାତ୍ମିକ ଧର୍ମୀ ପୁସ୍ତକ । ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମକ କଥାବସ୍ତୁ ସ୍ଥାନ ପାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି । ଦୁଇଟି ଯାକ ପୁସ୍ତକ ଭୁବନେଶ୍ବରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି ।

ଲେଖକ ବୈଷ୍ଣବ ପ୍ରସାଦ ମହାନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ ଭାବରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ । ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି । ପୂର୍ବରୁ ସେ ଶ୍ରୀମଦ୍‌ ଭାଗବତ ଗୀତାର ଓଡିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଫେରିଲେ ବାଚସ୍ପତି ଏବଂ ବିଧାୟକ

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ପରେ ଓଡ଼ିଶା ଫେରିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ ବିଧାୟକମାନେ । ରାଜଧାନୀରେ ପହଞ୍ଚିବା ପରେ ବଖାଣିଲେ ରାଇସିନା ହିଲ୍ସର ଅନୁଭୂତି । କହିଲେ ଓଡିଶା ବିଧାୟକଙ୍କୁ ମିଳିଲା ସର୍ବୋତ୍ତମ ଆତିଥ୍ୟ । ବାଚସ୍ପତି ଏବଂ ବିଧାୟକଙ୍କୁ ପାଛୋଟି ନେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ମହାମହିମ । ରାଷ୍ଟ୍ରପତି ହେବା ପରେ ମଧ୍ୟ ମହାମହିମ ପୂର୍ବ ଭଳି ବ୍ୟବହାର କରିଥିବା କହିଛନ୍ତି ବିଧାୟକମାନେ । ଏହାସହ ଓଡ଼ିଶାର ବିକାଶ ଦିଗରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଯାହା ହୋଇପାରିବ ତାହା କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସମର୍ଥନ ପାଇଁ ମହାମହିମ ବେଶ ପ୍ରଶଂସା କରିଥିଲେ । ନ କହିବା ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ସାରା ଭାରତ ବର୍ଷରେ ପ୍ରଭାବ ପକାଇଲା ବୋଲି ରାଷ୍ଟ୍ରପତି ବିଧାୟକମାନଙ୍କୁ କହିଛନ୍ତି ।

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ତାଙ୍କୁ ଶୁଭେଚ୍ଛା ଜଣେଇବା ପାଇଁ ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୪ ଜଣିଆ ବିଧାୟକ ଟିମ୍ ରାଇସିନା ହିଲ୍ସ ଯାଇଥିଲେ । ଗତକାଲି ରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣେଇବା ସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ, ରୁପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ବରୂପ ଦେଇଥିଲେ ।

ସିଙ୍ଗଲ ଓ୍ବିଣ୍ଡୋରେ ୧୧ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର: ସିଙ୍ଗଲ ଓ୍ୱିଣ୍ଡୋ ଜରିଆରେ ୧୧ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ରାଜ୍ୟକୁ ଆସିଲା ୨ ହଜାର ୨୫୩ କୋଟି ଟଙ୍କାର ପୁଞ୍ଜିନିବେଶ ।  ଏସବୁ ପ୍ରକଳ୍ପରେ ୩ ହଜାର ୮୧୭ ଜଣଙ୍କୁ ମିଳିବ  ସିଧାସଳଖ ନିଯୁକ୍ତି ସୁଯୋଗ ।

ଏଥିରେ ସୁନ୍ଦରଗଡ଼ରେ ହେବ ଇସ୍ପାତ ଓ ଫେରୋ ଆଲୟଜ ପ୍ଲାଣ୍ଟ । ୫୫୩.୨୫ କୋଟି ଟଙ୍କା ନିବେଶରେ ହେବ ୨ଟି ପ୍ଲାଣ୍ଟ । ଖୋର୍ଦ୍ଧାରେ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍‌ କରିବ ଡାଟା ସେଣ୍ଟର । ଏହି ଡାଟା ସେଣ୍ଟରରେ ୫୦୦ କୋଟି ଟଙ୍କା ନିବେଶରେ ୨୦୦ ଜଣଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝରରେ ହେବ ଲୁହାଛଡ଼ ତିଆରି କାରଖାନା । ଆର୍ଯ୍ୟ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ୧୭୫.୭୫କୋଟି ନିବେଶ କରିବ । କାରଖାନାରେ ୬୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ । ଗଞ୍ଜାମରେ ହେବ ଟିଟାନିୟମ ସ୍ଲାଗ ଓ ପିଗ୍ ଆଇରନ୍ କାରଖାନା । ଆରଆରଏଲଟି ପ୍ରାଇଭେଟ୍‌ ଲିମିଟେଟ୍‌ କାରଖାନା ପାଇଁ ୧୫୦ କୋଟି ନିବେଶ କରିବ । କାରଖାନାରେ ୪୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସମ୍ବଲପୁରରେ ୧୦୧ କୋଟି ଟଙ୍କାରେ ହେବ ତରଳ ଆଲୁମିନିୟମ ଆଲୟଜ ପ୍ଲାଣ୍ଟ । ସେହିପରି କଟକ, ଢେଙ୍କାନାଳ, ଯାଜପୁରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ମଞ୍ଜୁରୀ ମିଳିଛି ।

ପୁଣି ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି କରିବ ଓଡ଼ିଶା

ଭୁବନେଶ୍ବର: ୭ ତାରିଖରେ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ । ନୀତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଯିବେ ଦିଲ୍ଲୀ ।  ଏଥିରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ  ଓଡ଼ିଶା ।

ବୈଠକକୁ ନେଇ ପୁଣି ତାଜା ହୋଇଛି ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି । ଦୁଇ ଦଶନ୍ଧି ଧରି କେନ୍ଦ୍ର ପାଖରେ ଏହି ଦାବି କରି ଆସୁଛି ଓଡ଼ିଶା । ନୀତି ଆୟୋଗର ଆସନ୍ତା ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ଦାବି ଦୋହରାଇବ ରାଜ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବିକୁ ପୁଣି ଦିଲ୍ଲୀ ଦରବାରରେ ଉଠାଇବେ ।  କାହିଁକି ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଆବଶ୍ୟକ, ସେନେଇ ପୁଣି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।

୨୦୧୪ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିବା କେନ୍ଦ୍ର କାହିଁକି ଅବହେଳା କରୁଛି ? ଏହାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଲଗାତାର ଭାବେ ନୀତି ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେବାକୁ ଦାବି କରିଛି ବିଜେଡି ।

ଅଧିକ ରେଳବାଇ, ବ୍ୟାଙ୍କିଙ୍ଗ, ମୋବାଇଲ ଯୋଗାଯୋଗ ଦାବି ସହ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଅଧିକ ଅର୍ଥ ଦେବାକୁ ବାରମ୍ବାର ଦାବି କରୁଛି ବିଜେଡି । ରାଜ୍ୟର ବିକାଶ ଧାରାକୁ କେନ୍ଦ୍ର ପ୍ରଶଂସା କଲେ ମଧ୍ୟ ବିଭିନ୍ନ ବାହନା ଦେଖାଇ ଅଣଦେଖା କରୁଛି । ବିଜେଡି ସହିତ ସ୍ବର ମିଳାଇଛି କଂଗ୍ରେସ । ଫୋକସ୍‌ ଷ୍ଟେଟ୍‌ ସହ କେନ୍ଦ୍ର ତୁରନ୍ତ ବକେୟା ଅର୍ଥ ଦେବାକୁ କଂଗ୍ରେସ ଦାବି କରିଛି । ରାଜ୍ୟ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସ୍ବାର୍ଥ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିଛି ।

ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ ମାନ୍ୟତା ପାଇଁ ସଂସଦରୁ ଆରମ୍ଭ କରି ରାଜ୍ୟରେ ଦାବି ଉଠୁଛି । ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ବିହାର ସମେତ କିଛି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଦେଉଥିବା ବେଳେ ଓଡ଼ିଶା କାହିଁକି ବଞ୍ଚିତ ବୋଲି ଉଠିଛି ପ୍ରଶ୍ନ ।