ମହାରାଷ୍ଟ୍ରରୁ ଓଡିଶା ଆସି ଚାରି କୋଟି ଚୂନା ଲଗାଇଲେ ୪୨୦ ବ୍ରଦର୍ସ

ଭୁବନେଶ୍ବର: ମହାରାଷ୍ଟ୍ରରୁ ଓଡିଶା ଆସି ଓଡ଼ିଆଙ୍କୁ ଚୁନା ଲଗାଇଲେ ଦୁଇ ଭାଇ । ଲକ୍ଷେ କିମ୍ବା ଦୁଇ ଲକ୍ଷ ନୁହେଁ, ରାଜଧାନୀରେ ଚୁନା ଲଗାଇଛନ୍ତି ପାଖାପାଖି ୪ କୋଟି ଟଙ୍କା । ପାଖାପାଖି ୫୦ ଜଣ ଲୋକଙ୍କୁ ଠକି ଏବେ ଗାୟବ ଠକ ଭାଇ । ବିଭିନ୍ନ ପ୍ରକାର ପ୍ଲାନରେ ଚୁନା ଲଗାଇଥିବା ଏହି ଦୁଇ ଭାଇଙ୍କ ନାଁ ହେଉଛି ସନ୍ଦୀପ ଶରଦ ଶାହା ଓ ସଚିନ ଶରଦ ଶାହା ।

ସିସିଟିଭି ଲଗାଇବା ଆଳରେ ବିଭିନ୍ନ ଡିଲର ପଏଣ୍ଟରୁ କୋଟିକୋଟି ଟଙ୍କା ଠକି ନେଇଛନ୍ତି ଏହି ଫ୍ରଡ ବ୍ରଦର୍ସ । ନିଟ ପରୀକ୍ଷା ବେଳେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ କହି କୋଟି କୋଟି ଟଙ୍କା ଚଳୁ କରିଥିଲେ ଶାହା ବ୍ରଦର୍ସ । ଡିଲର ପଏଣ୍ଟକୁ ଦେଇଥିବା କୋଟି କୋଟି ଟଙ୍କାର ଚେକ ମଧ୍ୟ ବାଉନ୍ସ ହୋଇଛି ।

ଚେକ୍‌ ବାଉନ୍ସ ହେବା ପରେ ୪୦ରୁ ଅଧିକ ଡିଲର ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେ ରହୁଥିବା ଖଣ୍ଡଗିରି ସ୍ଥିତ ଘରୁ ଦୁଇ ଭାଇ କେଉଁଆଡେ ଫେରାର ହୋଇଯାଇଛନ୍ତି । କେବଳ ସିସିଟିଭି ନୁହେଁ ଲିଜ୍‌ରେ ନେଇଥିବା ଏକ କଲ୍ୟାଣ ମଣ୍ଡପର ବୁକିଂ ଟଙ୍କା ଚଳୁ କରିଦେଇଛନ୍ତି ଦୁଇ ଭାଇ ।

ଏହାଛଡା ସୁନ୍ଦରପଦାରେ ଥିବା ଆପାର୍ଟମେଣ୍ଟ ବିକିବାକୁ କହି ଅନେକଙ୍କୁ ଠକିଛନ୍ତି ଏହି 420 ଶାହା ବ୍ରଦର୍ସ ।