ସଜେଇ ହୋଇଛି ଶାନ୍ତିସ୍ତୁପ, ଭିଡ ଜମାଇଲେଣି ଶତାଧିକ ବୌଦ୍ଧ ସାଧୁସନ୍ଥ

ଭୁବନେଶ୍ବର: ଧୁମ୍‌ଧାମ୍‌ରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଦେଶ ବିଦେଶରୁ ଆସିଛନ୍ତି ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ। ଆଜି ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁ ସନ୍ଥ। ରାଜଭବନ ନିକଟ ସ୍ୱତନ୍ତ୍ର ସର୍କିଟ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ୟନ୍ତ ଯାଇଥିଲା।

ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ। ପରେ ଧଉଳି ଶାନ୍ତିସ୍ତୁପ ନିକଟରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତିସ୍ତୁପ ଧଉଳି।

ଆସନ୍ତାକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ନୂତନ ରୂପରେ ସଜେଇ ହୋଇଛି ଧଉଳି।