ପାକିସ୍ତାନରେ ଜୋର ଧରିଲା ଆଗୁଆ ନିର୍ବାଚନ ଦାବି, ରାସ୍ତାକୁ ଓହ୍ଲାଇବେ ଇମରାନ୍‌

1 min read

ଇସଲାମାବାଦ: ଜୋର ଧରିଲା ପାକିସ୍ତାନରେ ଆଗୁଆ ନିର୍ବାଚନ ଦାବି । ତୁରନ୍ତ ନିର୍ବାଚନ ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନ କହିଛନ୍ତି ଆସନ୍ତାକାଲି ସକାଳୁ ଲାହୋରସ୍ଥିତ ଲିବର୍ଟି ସ୍କୋୟାରରୁ ଇସଲାମାବାଦ ଅଭିମୁଖେ ଯାତ୍ରା ଆରମ୍ଭ ହେବ । ସମର୍ଥକମାନେ ପ୍ରାୟ ୩୮୦ କିଲୋମିଟର ଯାତ୍ରା କରିବେ । ଲୋହାରରୁ ଇସଲାମାବାଦା ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସଭାସମିତି କରିବାର କାର୍ଯ୍ୟକ୍ରମ ରହିଛି ।

ଦେଶରେ ନାନା ପ୍ରକାର ସଙ୍କଟ ସୃଷ୍ଟି ହେଉଥିବାବେଳେ ଅରାଜକତା ବ୍ୟାପୁଥିବାରୁ ତୁରନ୍ତ ନିର୍ବାଚନ କରିବା ଲାଗି ଦାବି କରିଛନ୍ତି ଇମ୍ରାନ । ବେଆଇନ ଗିଫ୍ଟ ବିକ୍ରି ମାମଲାରେ ଫସିଥିବା ଇମ୍ରାନ ଖାଁଙ୍କ ଏହି ଘୋଷଣା ସରକାରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ତୋଷଖାନା ମାମଲାରେ ଇମ୍ରାନଙ୍କୁ ନିର୍ବାଚନ କମିଶନ ଅଯୋଗ୍ୟ ଘୋଷଣା ପରେ ତାତିଥିଲେ ପାକିସ୍ତାନ ତେହରିକ-ଇ-ଇନସାଫ କର୍ମୀ ।

ଦେଶର ବିଭିନ୍ନ ସ୍ଥାନରେ ଜାରି ରଖିଛନ୍ତି ବିକ୍ଷୋଭ । ଦେଶରେ ଅର୍ଥନୈତିକ ସଂକଟ ଜାରି ରହିଥିବା ବେଳେ ଋଣଭାର, ଖାଦ୍ୟାଭାବ ଆଦି ସମସ୍ୟାରେ ପଡିଛି ପାକିସ୍ତାନ ।