ମସଜିଦରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼, ୧୫ ମୃତ

ସିରାଜ: ଇରାନର ସିରାଜ ସହରରେ ଆତଙ୍କବାଦୀଙ୍କ ହମଲା । ମସଜିଦରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ସିରାଜ ସହରରେ ଥିବା ଶାହଚେରାଗ ମସଜିଦରେ ଗତକାଲି ସନ୍ଧ୍ୟାରେ ପ୍ରାର୍ଥନା ଚାଲିଥିବା ବେଳେ ୩ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ । ଗୁଳିକାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଆତଙ୍କବାଦୀଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ରହିଛି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମସଜିଦରେ ଆତଙ୍କ ରଚିଥିବା ଆତତାତୀୟମାନେ ସୁନୀ ଉଗ୍ରବାଦୀ ବୋଲି ଜଣାପଡ଼ିଛି। ହିଜାବକୁ ନେଇ ଦେଶରେ ଅରାଜକତା ଓ ବିଦ୍ରୋହ ସୃଷ୍ଟି ହୋଇଥିବା ବେଳେ ଏହାର ଫାଇଦା ଉଠାଇ ସେମାନେ ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି।

ଇରାନରେ ସୁନ୍ନୀ ଚରମପନ୍ଥୀ ମାନେ ସିଆ ମୁସଲିମଙ୍କ ପବିତ୍ର ସ୍ଥଳକୁ ଟାର୍ଗେଟ କରିଆସୁଛନ୍ତି  । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ଅଶାନ୍ତି ପରିସ୍ଥିତିର ଫାଇଦା ନେଇ ଆତତାୟୀ ମାନେ ଗୁଳିମାଡ କରିଛନ୍ତି  । ପୋଲିସ ହେପାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଛନ୍ତି ଇରାନ ସରକାର ଓ ଆନ୍ଦୋଳନକାରୀ  । ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଆନ୍ଦୋଳନକାରୀ ପ୍ରାଣ ହରାଇ ସାରିଥିବାବେଳେ ହଜାରରୁ ଊର୍ଦ୍ଧ୍ବଙ୍କୁ ଗିରଫ କରାଯାଇଛି  ।