ଟାଙ୍ଗୀ: ୩ ଲକ୍ଷର କାମରେ ୩୦ ହଜାର ପିସି । କେମିତି ହେବ ବିକାଶ? ସାଂସଦଙ୍କ ହାତପାଣ୍ଠିରୁ ବିକାଶମୂଳକ କାମ ପାଇଁ ଆସୁଛି ଅନୁଦାନ । ହେଲେ କାମ ପାଇଁ ଆସୁଥିବା ଟଙ୍କାରୁ ପିସି ବା ପର୍ସେଣ୍ଟେଜ୍ ମାଗୁଛନ୍ତି ସାଂସଦଙ୍କ ବ୍ଲକ ପ୍ରତିନିଧି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରୁ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ । ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟାରେ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ଓ୍ୱାର୍କ ଅର୍ଡର ଆସିଥିଲା । ୨୦୨୧ ସେପ୍ଟେମ୍ବର ସୁଦ୍ଧା ରାସ୍ତା ନିର୍ମାଣ କାମ ସାରିବାକୁ ଡେଡ୍ ଲାଇନ୍ ଦିଆଯାଇଥିଲା । ହେଲେ କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ । ୩ ଲକ୍ଷ ଟଙ୍କାର କାମ ପାଇଁ ୧୦ ପ୍ରତିଶତ ପିସି ଦେବାକୁ ଦାବି କରୁଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ।
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ହଙ୍ଗାମା, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଅଟକ
ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି, ଦରଦାମ୍ ବୃଦ୍ଧି, ଜିଏସଟି ଏବଂ ବେକାରୀ ସମସ୍ୟାକୁ ବିରୋଧ କରି ଆଜି କଂଗ୍ରେସ ନେତାମାନେ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିଛି । ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରୁଥିବା ସମୟରେ କଂଗ୍ରେସ ନେତା ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଛି ପୋଲିସ୍ । ଆନ୍ଦୋଳନ ବେଳେ ପ୍ରିୟଙ୍କାଙ୍କୁ ପୋଲିସ ଟାଣି ଟାଣି ଭ୍ୟାନ ଭିତରକୁ ନେବା ଦେଖାଯାଇଛି । ଦେଶବ୍ୟାପୀ ଦିଆଯାଇଥିବା ବିକ୍ଷୋଭ ଆହ୍ବାନ ପରିପ୍ରେକ୍ଷୀରେ ଦିଲ୍ଲୀରେ କଂଗ୍ରେସ ନେତା, ସାଂସଦ ଓ କର୍ମୀ ଜୋରଦାର ବିକ୍ଷୋଭ କରିଛନ୍ତି । ଦେଶର ସମସ୍ତ ରାଜ୍ୟର କଂଗ୍ରେସ ଶାଖା ପକ୍ଷରୁ ମଧ୍ୟ ଆନ୍ଦୋଳନ ହୋଇଛି ।
କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ ଅଭିଯାନ କରିଥିବାବେଳେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିଛନ୍ତି । କଂଗ୍ରେସର ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିକ୍ଷୋଭ ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରାସ୍ତାରେ ବସିପଡ଼ିବା ଦେଖାଯାଇଥିଲା । ତେବେ ଏହି ବିକ୍ଷୋଭ ସମୟରେ ରାହୁଲ କହିଛନ୍ତି ଦେଶରେ ଗଣତନ୍ତ୍ରର ମୃତ୍ୟୁ ଘଟିବାକୁ ଯାଉଛି । ଶହେ ବର୍ଷ ତଳେ ଭାରତ ଯେପରି ଗଠିତ ହୋଇଥିଲା ବର୍ତ୍ତମାନ ତାହା ଧ୍ୱଂସ ହେବାରେ ଲାଗିଛି । ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ଯୋଗୁ ରାଜଧାନୀରେ ୧୪୪ ଧାରା ଜାରି କରାଯାଇଛି ।
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗ, ନୋଟିସ୍ ପରେ ଜବାବ ରଖିଲେ ମୋକିମ୍
ଭୁବନେଶ୍ୱର: ଦଳୀୟ ନିର୍ଦ୍ଦେଶ ନ ମାନି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୋପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗ । ପିସିସି ସଭାପତିଙ୍କଠାରୁ ନୋଟିସ୍ ପାଇବା ପରେ ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ୍ । ନୋଟିସର ଜବାବ ଦେବା ପରେ ମୋକିମ୍ କହିଛନ୍ତି ମୁଁ ଦଳୀୟ ଫୋରମରେ ଉତ୍ତର ରଖିଛି । କ’ଣ ଲେଖିଛି ତାହା ଏବେ ସ୍ପଷ୍ଟ କରି ପାରିବି ନାହିଁ ବୋଲି ମହମ୍ମଦ ମୋକିମ୍ କହିଛନ୍ତି । ତେବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଜବାବ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ମୋକିମଙ୍କ ଉତ୍ତର ମିଳିଛି କିନ୍ତୁ ମୁଁ ତାକୁ ପଢ଼ିନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ମୋକିମ ନିଜ ଉତ୍ତରରେ କ’ଣ କହିଛନ୍ତି ପଢ଼ିବା ପରେ କି ପଦକ୍ଷେପ ନିଆଯିବ ତାହା କହିବି । ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୋକିମଙ୍କ ଉତ୍ତର ବିଷୟରେ ହାଇ କମାଣ୍ଡଙ୍କୁ ଜଣାଯିବ ବୋଲି କହିଛନ୍ତି ।
ଚିକିତ୍ସା ଅବହେଳାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ପରେ ସେବାଶ୍ରମରେ ଉତ୍ତେଜନା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଖଇରବଣି ସେବାଶ୍ରମରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ସେବାଶ୍ରମ ଆଗରେ ଠେଙ୍ଗାବାଡ଼ି ଧରି ପ୍ରତିବାଦ କରୁଛନ୍ତି ଲୋକ । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଧାରଣା ଦେଇଛନ୍ତି । ହଷ୍ଟେଲକୁ ଘେରାଉ କରିବା ସହ ପ୍ରିନ୍ସିପାଲଙ୍କୁ ହଷ୍ଟେଲରେ ତାଲା ପକାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଞ୍ଜନ କୁମାର ଦାସ । ନୀଳଗିରି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ସୂଚନା ଅନୁସାରେ, ଧବଶିଳା ରାବୁଣୁ ସାହିର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ ବର୍ଷର ପୁଅ ତପୁ ସିଂ ଖଇରବଣି ସେବାଶ୍ରମ ହଷ୍ଟେଲରେ ରହି ପଢ଼ୁଥିଲେ । କିଛିଦିନ ଧରି ସେ ଜ୍ଵରରେ ପୀଡିତ ଥିଲେ । ତାଙ୍କୁ ହଷ୍ଟେଲରେ ଚିକିତ୍ସା କରାଯାଇନାହିଁ କି କୌଣସି ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇନଥିଲା ବୋଲି ଅଭିଯୋଗ ହୋଇଛି । ଅସୁସ୍ଥ ଅବସ୍ଥାରେ ଛାତ୍ରଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ପରିବାର ପକ୍ଷରୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ସେବାଶ୍ରମରେ ଏପରି ପରିସ୍ଥିତି ପାଇଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଛନ୍ତି ।
ଦର ବୃଦ୍ଧି, ଜିଏସଟିକୁ ନେଇ କଂଗ୍ରେସର ହଲ୍ଲାବୋଲ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ
ନୂଆଦିଲ୍ଲୀ: ମହଙ୍ଗାମାଡ଼, ବେରୋଜଗାରୀକୁ ବିରୋଧ କରି କଂଗ୍ରେସର ଦେଶବ୍ୟାପୀ ପ୍ରଦର୍ଶନ । କେନ୍ଦ୍ରର ନୀତିକୁ ବିରୋଧ କରି ଦେଶବ୍ୟାପୀ କଂଗ୍ରେସର ହଲ୍ଲାବୋଲ । ଆଜି ସାରା ଦେଶରେ କଂଗ୍ରେସ ବିକ୍ଷୋଭ କରୁଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଏକଛତ୍ରବାଦୀ ଶାସନ ଚାଲିଥିବା ବେଳେ ଲୋକତନ୍ତ୍ରର ହତ୍ୟା କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ୍ ଲଗାତାର ବଢ଼ୁଥିବା ବେଳେ ଭାରତରେ ବେରୋଜଗାରୀ ଭୟଙ୍କର ହୋଇଛି ।
ସଂସଦରେ ଏସବୁ ପ୍ରସଙ୍ଗ ଉଠାଉଥିବା ସାଂସଦଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରାଯାଉଛି । ଦେଶରେ ଏକଛତ୍ରବାଦୀ ଶାସନ ବିରୋଧରେ ମୁହଁ ଖୋଲୁଥିବାରୁ ବିରୋଧୀ ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସି ଲଗାଇ ଦିଆଯାଉଛି । ବିରୋଧୀଙ୍କୁ ଡରାଇବାକୁ ଇଡି, ସିବିଆଲ ଭଳି କେନ୍ଦ୍ରୀୟ ଏଜେନ୍ସି ଦୂରୁପଯୋଗ କରାଯାଉଛି ବୋଲି ରାହୁଲ କହିଛନ୍ତି । ସଂସଦରେ ଏ ନେଇ ଆଲୋଚନା କରିବାକୁ ସରକାର ଡରୁଛନ୍ତି ବୋଲି କଂଗ୍ରେସ କହିଛି । ସେପଟେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନକୁ ନେଇ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛି ବିଜେପି । ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ଯୋଗୁ ରାଜଧାନୀରେ ୧୪୪ ଧାରା ଜାରି କରାଯାଇଛି ।
ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ, ଏକକାଳୀନ ୧୧ଟି ସ୍ଥାନରେ ରେଡ୍
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ । PET ଜନାର୍ଦ୍ଦନ ସାହୁଙ୍କ ବାସଭବନରେ ଚାଲିଛି ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ । ପାତ୍ରପୁରର ପେଟ୍ରୋଲ ପମ୍ପ ସମେତ ପୈତୃକ ବାସଭବନ, ମଦ ଭାଟି ଓ ୩ଟି ଗୋଦାମରେ ରେଡ୍ କରିଛି ଭିଜିଲାନ୍ସ ।

