spot_img
Home Blog Page 3980

ଏସିଆ କପ୍‌: ଇଣ୍ଡିଆ ଟିମ୍‌ ଘୋଷଣା, ଜଶପ୍ରୀତ ବୁମରାହ ବାଦ୍‌

ନୂଆଦିଲ୍ଲୀ: ଆଗାମୀ ଏସିଆ କ୍ରିକେଟ କପ ୨୦୨୨ ପାଇଁ ଭାରତୀୟ ଟିମ୍‌ ଘୋଷଣା  । ଏଥର ବି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଓପନର ରୋହିତ ଶର୍ମା  । ସୋମବାର ବୈଠକ ପରେ ବିସିସିଆଇ ଟିମ ଇଣ୍ଡିଆର ଘୋଷଣା କରିଛି  । ବିରାଟ କୋହଲି ଓ କେଏଲ ରାହୁଲ ଟିମକୁ ଫେରିଛନ୍ତି  । ଆଗାମୀ ଅଗଷ୍ଟ ୨୭ରେ ୟୁଏଇରେ ଖେଳାଯିବ  । ପୂର୍ବରୁ ଶ୍ରୀଲଙ୍କାରେ ଏସିଆ କପ ଆୟୋଜିତ ହେବାକୁ ଥିଲା  । କିନ୍ତୁ ଅର୍ଥନୈତିକ ସଙ୍କଟରେ ଗତି କରୁଥିବା କାରଣରୁ ମ୍ୟାଚର ଭେନ୍ୟୁକୁ ୟୁଏଇ ସ୍ଥାନାନ୍ତର କରାଯାଇଛି  ।

 

ଆହତ କାରଣରୁ ଏସିଆ କପ୍‌ରୁ ବାଦ ପଡିଛନ୍ତି ପେସ୍‌ ବୋଲର ଜଶପ୍ରୀତ ବୁମରାହ  । ନଜର ପକାନ୍ତୁ ଟିମ୍‌ ଇଣ୍ଡିଆର ତାଲିକା ଉପରେ୩

ରୋହିତ ଶର୍ମା ଅଧିନାୟକ

କେଏଲ୍ ରାହୁଲ ଉପଅଧିନାୟକ

ବିରାଟ କୋହଲି

ସୂର୍ଯ୍ୟ କୁମାର ଯାଦବ

ଦୀପକ ହୁଡା

ଋଷଭ ପନ୍ଥ

ଦିନେଶ କାର୍ତ୍ତିକ

ରବୀନ୍ଦ୍ର ଜାଡେଜା

ଆର. ଅଶ୍ବୀନ

ୟୁଜବେନ୍ଦ୍ର ଚହଲ

ରବି ବିଷ୍ଣୋଇ

ଭୁବନେଶ୍ବର କୁମାର

ଅର୍ଶଦୀପ ସିଂ

ଆଭେଶ ଖାନ

୩ ଦିନରେ ବୋମାରେ ଉଡାଇ ଦେବାକୁ ଯୋଗୀଙ୍କୁ ଆସିଲା ଧମକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ  । ୟୁପିର ପୋଲିସ କଣ୍ଟ୍ରୋଲ ରୁମ ୧୧୨ ହ୍ୱାଟସଆପ ନମ୍ବରରେ ଆସିଛି ହତ୍ୟା ଧମକ  । ଯେଉଁ ନମ୍ବରରୁ ଧମକ ଆସିଛି ତାହା ଶାହିଦ ଖାନ୍‌ ନାମରେ ରେଜିଷ୍ଟର ହୋଇଛି  । ଧମକ ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି  । ସାଇବର ଓ ସର୍ଭିଲାନ୍ସ ସେଲ୍‌ ମଧ୍ୟ ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛନ୍ତି  ।

ମୋବାଇଲ ନମ୍ବର ଆଧାରରେ ପୋଲିସ ଅଭିଯୁକ୍ତକୁ ଖୋଜୁଛି  । ତାକୁ ଗିରଫ କରିବା ପାଇଁ ପୋଲିସ ଟିମ୍‌ ଗଠନ କରିଛି  । ଅଗଷ୍ଟ ୨ରେ ୟୁପିର ପୋଲିସ ହେଲ୍ପଲାଇନ ନମ୍ବର ୧୧୨ର ହ୍ବାଟସଆପ୍‌କୁ ଯୋଗୀଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା ଆତତାୟୀ । ମାତ୍ର ୩ ଦିନରେ ଯୋଗୀଙ୍କୁ ବମ୍‌ରେ ଉଡାଇ ଦେବାକୁ ଧମକ ଦେଇଥିଲା ଦୁର୍ବୃତ୍ତ  ।

ଅଭିଯୁକ୍ତର ଲୋକେସନ୍‌କୁ ଟ୍ରାକ କରିବାକୁ ଉଦ୍ୟମ କରୁଛି ପୋଲିସ  । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି  । ଏହା ପୂର୍ବରୁ ବି ଅନେକ ଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳି ସାରିଛି  ।

ଅଞ୍ଜଳିର ଅନ୍ତିମ ବିଦାୟ ଦେଖିଲା ଓଡ଼ିଶା

ପାରଳାଖେମୁଣ୍ଡି: ଆଜିର ଯୁଗରେ ନିଜର ବନ୍ଧୁ ବାନ୍ଧବ ସମ୍ପର୍କୀୟ ଏମିତି କି ପରିବାରକୁ ମଧ୍ୟ ଅସମୟରେ ଭୁଲି ଯାଏ ମଣିଷ  । ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମାନବିକତାର ସହ ପଶୁକୁ ମଧ୍ୟ ଆତ୍ମୀୟ ଭଳି ଭଲ ପାଆନ୍ତି । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ସହରରେ। ପୋଷା କୁକୁର ଅଞ୍ଜଳିର ମୃତ୍ୟୁ ପରେ ବି ତାର ଅନ୍ତିମ ସତ୍କାର ସମୟରେ ତାକୁ କେତେ ଭଲ ପାଉଥିଲା ପୁରା ପରିବାର ଏ ଦୃଶ୍ୟ ଦେଖିଲେ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ।

ପୋଷା କୁକୁରର ଏଭଳି ଭାଗ୍ୟ ଯେ ମୃତ୍ୟୁ ବେଳେ ପରିବାରର ଜଣେ ସଦସ୍ୟଙ୍କୁ ହରାଇବା ଭଳି ତା ମାଲିକ ଶୋକ ପ୍ରକାଶ କରିବା ସହ ସ୍ୱତନ୍ତ୍ର ଗାଡ଼ିରେ ବାଜା ବଜାଇ ପଟୁଆରରେ ଅନ୍ତିମ ବିଦାୟ ଦେଇଛନ୍ତି । ଶୁଣିବାକୁ ଟିକେ ଅଡ଼ୁଆ ଲାଗିଲେ ମଧ୍ୟ ଏହା ସତ । ଆଜି ସକାଳୁ ପାରଳାଖେମୁଣ୍ଡିର ଆନ୍ଧ୍ର ବ୍ୟାଙ୍କ ନିକଟରେ ରହୁଥିବା ଟୁନୁ ଗୌଡ଼ଙ୍କ ପୋଷା କୁକୁର ଅଞ୍ଜଳିର ମୃତ୍ୟୁ ଘଟିଥିଲା  । ୧୭ ବର୍ଷ ଧରି ଲାଳନ ପାଳନ କରି ଘରେ ରଖିଥିବା ଟୁନୁଙ୍କ ପରିବାର ଶୋକରେ ଭାଙ୍ଗିପଡିଥିଲା  ।

ମଣିଷଙ୍କୁ ଯେଭଳି ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଏ ସେଭଳି ଫୁଲ ସୁସଜିତ ଗାଡ଼ିରେ ବାଜା ବଜାଇ ଏକ ପଟୁଆରରେ ସହର ପରିକ୍ରମା କରି ଶ୍ମଶାନ ଘାଟରେ ପହଞ୍ଚିଛନ୍ତି । ହେଲେ ଟୁନୁଙ୍କ ପଶୁଙ୍କ ପ୍ରତି ଭଲପାଇବା ଓ କୁକୁରର ମୃତ୍ୟୁ ପରେ ତାକୁ ଯେଉଁ ପ୍ରକାର ଅନ୍ତିମ ବିଦାୟ ଦିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଉ ମଣିଷ ପ୍ରତି ପଶୁର ରହିଥିବା ଅଗାଢ ବିଶ୍ବାସ ଓ ବନ୍ଧୁତ୍ୱର ପ୍ରତିଫଳନ ସଦୃଶ ପଶୁ ପ୍ରତି ମନୁଷ୍ୟର ସମ୍ମାନ ଓ ଭଲ ପାଇବାର ଉଦାହରଣ ଦେଖିବାକୁ ମିଳିଛି ।

ବ୍ୟାଡ଼ମିଣ୍ଟନରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ; ପଦକ ତାଲିକାରେ ଚତୁର୍ଥ

ବର୍ମିଂହମ୍‌; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜାରି ରହିଛି ଭାରତର ସ୍ୱର୍ଣ୍ଣିମ ଯାତ୍ରା । ବ୍ୟାଡ଼ମିଣ୍ଟନରେ ୩ୟ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ପୁରୁଷ ଯୁଗଳ ଦଳ । ସାତ୍‌ଓ୍ୱିକ୍ ରେଡ୍ଡୀ ଓ ଚିରାଗ୍‌  ଭାରତ ପାଇଁ ଏହି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍‌। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି। ଏହା ସହିତ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବ୍ୟାଡମିଣ୍ଟନରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ଆଜି ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଆସିଛି ଟେବୁଲ୍ ଟେନିସ୍‌ରୁ। ଏହାକୁ ଜିତିଛନ୍ତି ଦେଶର ଅନୁଭବି ଖେଳାଳି ଅଚନ୍ତା ଶରତ କମଳ।

ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଇଂଲଣ୍ଡର ବେନ୍ ଲେନ୍ ଓ ସିଆନ ଭେଣ୍ଡିଙ୍କୁ ୨୧-୧୫ ଓ ୨୧-୧୩ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ଦେଶ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଛି।

Image

ମୋବାଇଲ ଭ୍ୟାନ୍‌ରେ ବୁଲିବ ବୁଷ୍ଟର୍, ୮୬ ପ୍ରତିଶତ ନେଇନାହାନ୍ତି ଡୋଜ୍

ଭୁବନେଶ୍ବର: ଏଣିକି ପ୍ରତି ବ୍ଲକରେ ବୁଲି ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ  । ପ୍ରତି ବ୍ଲକ୍‌ରେ ନିୟୋଜିତ ହେବେ ୪ଟି ମୋବାଇଲ ଭ୍ୟାନ । ବୁଷ୍ଟର ଡୋଜ୍ ନେଇନଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ବୁଷ୍ଟର ଡୋଜ ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଅନେକ ଲୋକେ   । ଏଯାଏଁ ୮୬ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇ ନାହାନ୍ତି ।

ଟିକାକେନ୍ଦ୍ର ବଢ଼ାଇବାକୁ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ  । ୩ ହଜାରରୁ ଅଧିକ ଟିକାକେନ୍ଦ୍ର କରିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ୨୪ ଲକ୍ଷ ୯୪ ହଜାର ଜଣ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ । ୭ କୋଟି ୨୧ ଲକ୍ଷ ୩ ହଜାର ୮୪୦ ଡୋଜ୍ ଦିଆଯାଇ ସାରିଛି  । ପ୍ରଥମ ଡୋଜ ଦିଆଯାଇଛି ୩ କୋଟି ୫୦ ଲକ୍ଷ ୭୯ ହଜାର ୯୧୨ । ଦ୍ୱିତୀୟ ଡୋଜ୍ ନେଇଛନ୍ତି ୩ କୋଟି ୨୩ ଲକ୍ଷ ୬୭ ହଜାର ୮୭୮ ।

ସେପ୍ଟେମ୍ବର ୩୦ ଯାଏଁ ଚାଲିବ ମାଗଣା ଟିକାକରଣ  । ଟିକା ନେଇନଥିବା ଲୋକ ନେଇଯିବାକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।

ବିଦୁସ୍ମିତାଙ୍କ ଠୁ ୨୫ ଲକ୍ଷ ଚୁନା, ଥାନାରେ ଏତଲା

ଭୁବନେଶ୍ବର: ଡୁପ୍ଲେକ୍ସ କିଣିବା ନାଁରେ ଓଡ଼ିଆ ଅଭିନେତ୍ରୀଙ୍କୁ ଠକେଇ । ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀଙ୍କୁ ଠକିଲା ଏକ ରିଅଲ ଇଷ୍ଟେଟ କମ୍ପାନୀ  । ଅଭିନେତ୍ରୀଙ୍କ ଠାରୁ କମ୍ପାନୀ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ବିଦୁସ୍ମିତା ଓ ତାଙ୍କ ମାଆ ଦୁଇଟି ଡୁପ୍ଲେକ୍ସ ପାଇଁ ବିଭିନ୍ନ କିସ୍ତିରେ ୨୫ ଲକ୍ଷ ଟଙ୍କା ଦେଇଥିଲେ । ୨୦୧୯ ମସିହା ପୂର୍ବରୁ ବିଦୁସ୍ମିତା ୧୫ ଲକ୍ଷ ଓ ତାଙ୍କ ମାଆ ୧୦ ଲକ୍ଷ ଟଙ୍କା ରିଅଲ ଇଷ୍ଟେଟ କମ୍ପାନୀକୁ  ଦେଇଥିଲେ । ୨ ବର୍ଷ ପରେ ତାଙ୍କୁ ଘର ଦେବାକୁ ରିଅଲ ଇଷ୍ଟେଟ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା  । ଜାଗା ଦେଖାଇ ଡିଲ୍ ମଧ୍ୟ ହୋଇଥିଲା ଫାଇନାଲ୍  । କିନ୍ତୁ ବିଳମ୍ବ ଯୋଗୁଁ ବାରମ୍ବାର କହିବା ପରେ କମ୍ପାନୀ କିଛି ଟଙ୍କା ଫେରାଇଥିଲା  ।

ଏନେଇ ଗତ ଫେବ୍ରୁଆରୀ ମାସରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ୩ ମାସ ଭିତରେ ଟଙ୍କା ଫେରାଇବାକୁ ପୋଲିସ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୬ ମାସ ବିତିଥିଲେ ମଧ୍ୟ ଟଙ୍କା ଫେରି ନପାଇବାରୁ ପୁଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ।

JEE ମେନ୍ ରେଜଲ୍ଟ ପ୍ରକାଶିତ, ୨୭ ନମ୍ବର ସ୍ଥାନରେ ଓଡିଶାର ସ୍ଥିତି

ଭୁବନେଶ୍ବର: ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ । ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି । ଚଳିତବର୍ଷ ୪୪୦ ସହରର ୬୨୨ ସେଣ୍ଟରରେ ପରୀକ୍ଷା ହୋଇଥିଲା । ୧୩ଟି ଭାଷାରେ ୫ ଲକ୍ଷ ୪୦ ହଜାର ୨୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦେଶରେ ୧୭ ଟି ସହରରେ ପରୀକ୍ଷା ହୋଇଥିଲା ।

ଚଳିତବର୍ଷ ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି । ଆନ୍ଧ୍ର ପ୍ରଦେଶରୁ ୫, ତେଲେଙ୍ଗାନାର ୫, ରାଜସ୍ଥାନର ୪, ଉତ୍ତର ପ୍ରଦେଶର ୨, ଆସାମ, ବିହାର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଝାଡଖଣ୍ଡ, ହରିୟାଣା ଓ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି ।

ରାଜ୍ୟଭିତ୍ତିକ ଟପ୍ପର ତାଲିକାରେ ଓଡ଼ିଶାର ସ୍ଥିତି ପାଢ଼ୀ ୨୭ ନମ୍ବରରେ ରହିଛନ୍ତି । ସ୍ଥିତି ୯୯.୯ ପ୍ରତିଶତ ସ୍କୋର କରିଛନ୍ତି ।  ସେପଟେ ଆଜି ଅପରାହ୍ନ ୪ଟାରୁ ଜେଇଇ ଆଡଭାନ୍ସ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି ।

ଲଗାଣ ବର୍ଷାରେ ପୁଣି ବେହାଲ ରାଜଧାନୀ, ଜଳବନ୍ଦୀ ଇସ୍କନ

ଭୁବନେଶ୍ବର: ଆଜି ବି ଲଗାଣ ବର୍ଷାରେ ବେହାଲ ରାଜଧାନୀ। ପୁଣି ଭୁବନେଶ୍ବର ଇସ୍କନ ସାମ୍ନାରେ ଲହଡ଼ି ଭାଙ୍ଗୁଛି ପାଣି । ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ପାଣିରେ ଭାସୁଛି ଗାଡି ମୋଟର  । ମଝି ରାସ୍ତାରେ ଅଟକିଲା OSRTC ବସ୍  । ଗାଡ଼ିର ସମସ୍ତ ଚକା ବୁଡ଼ିଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି  । ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ।

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ସମୁଦ୍ର ମଧ୍ୟରେ ଓଡିଶା ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି ସୁଦୃଶଃ-ଲଘୁଚାପ କ୍ଷେତ୍ର । ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି  ଘନୀଭୂତ ହୋଇ ଏକ ଅବପାତ ରୂପ ନେବା ସହ ଓଡିଶା-ଛତିଶଗଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ନବବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ ସର୍ବାଧିକ ୨୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ରାଜ୍ୟରେ ୭ଟି ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି  ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ; ପୁରୁଷ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ

ବର୍ମିଂହମ୍‌; ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ।  ପୁରୁଷ ବ୍ୟାଡମଣ୍ଟନରେ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ୍ । ମାଲେସିଆ ପ୍ରତିନ୍ଦ୍ୱନ୍ଦ୍ୱିଙ୍କୁ ୧୯-୨୧, ୨୧-୯, ୨୧-୧୬ରେ ପରାସ୍ତ କରି ଏହି ଗୌରବ ଆଣିଛନ୍ତି ।  ପ୍ରଥମ ସେଟ୍‌ରେ ଅବଶ୍ୟ ଲକ୍ଷ୍ୟ ପଛରେ ରହିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସେଟରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଲକ୍ଷ୍ୟ ସେନ୍‌ ।

ପ୍ରଥମ ସେଟରେ ୧୯-୨୧ରେ ପଛୁଆ ହୋଇଥିବା ଲକ୍ଷ୍ୟ ଦ୍ୱିତୀୟ ସେଟରେ ଦମଦାର ପ୍ରଦର୍ଶନ କରି ୨୧-୯ରେ ମାତ୍‌ ଦେଇଥିଲେ । ୧-୧ରେ ବରାବର ହେବା ପରେ ଶେଷ ସେଟରେ ଲକ୍ଷ୍ୟ ସେନ ଚମତ୍କାର ପ୍ରଦର୍ଶନ କରି ମାଲେସିଆ ପ୍ରତିଯୋଗୀ ଜି.ଯେ. ୟଙ୍ଗଙ୍କୁ ୨୧-୧୬ ସେଟରେ ମାତ୍‌ ଦେଇ ଫାଇନାଲ ମୁକାବିଲା ଜିତିନେଇଛନ୍ତି ।

ଲକ୍ଷ୍ୟ ସେନଙ୍କ ସ୍ୱର୍ଣ୍ଣ ପଦକ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ମୋଟ ମେଡାଲ ସଂଖ୍ୟା ୫୭ରେ ପହଞ୍ଚିଛି । ଭାରତ ଏଥି ସହିତ ମେଡାଲ ଟେବୁଲର ୪ର୍ଥ କୁ ଉଠିଛି । CWG ୨୦୨୨ରେ ବର୍ତ୍ତମାନ ସୁଦ୍ଧା ଭାରତ ନିକଟରେ ୨୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୧୫ଟି ରୌପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପଦକ ରହିଛି ।

ପଦଯାତ୍ରା କରିବ କଂଗ୍ରେସ, ପ୍ରତି ଜିଲ୍ଲାରେ ଚାଲିବ ୭୫ କିଲୋମିଟର

ଭୁବନେଶ୍ବର: ଆସନ୍ତାକାଲି(ମଙ୍ଗଳବାର) ଠାରୁ ରାଜ୍ୟବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ । ପ୍ରତି ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରି ଲୋକଙ୍କୁ ସ୍ବାଧୀନତାର ୭୫ବର୍ଷ ମଧ୍ୟରେ ଦେଶବାସୀଙ୍କ ପାଇଁ କଂଗ୍ରେସର ଅବଦାନ କଣ ତାହା ବୁଝାଇବ ଦଳ । ଭୁବନେଶ୍ବର ପଟିଆରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ ।

ପଦଯାତ୍ରା ସମୟରେ ଲୋକେ କଂଗ୍ରେସକୁ କାହିଁକି ଭୋଟ ଦେବେ ସେ ନେଇ ଲିଫଲେଟ ବାଣ୍ଟିବ ଦଳ । କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀର ମନଇଚ୍ଛା ଦରଦାମ ବୃଦ୍ଧି, ଜିଏସଟି ବୃଦ୍ଧି କରିଛି ସେ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବ ଦଳ । ଏଥିପାଇଁ ୩୦ ଜିଲ୍ଲାରେ ୩୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବା ସହ ବ୍ୟାପକ ପ୍ରସ୍ତୁତି କରିଛି ଦଳ  ।