ଗୁଜରାଟରେ ୟୁସିସି ଲାଗୁକୁ ନେଇ ଉଠିଲା ପ୍ରଶ୍ନ

ଗାନ୍ଧିନଗର: ଗୁଜରାଟରେ ଏକକ ନାଗରିକ ସଂହିତା ବା ୟୁସିସି କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରସଙ୍ଗ । ସରକାରଙ୍କ ନିଷ୍ପତ୍ତି ନେଇ ପ୍ରକାଶ ପାଇଲା ମିଶ୍ରିତ ପ୍ରତିକ୍ରିୟା । ବିଜେପି ମିଛ କହୁଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ବି ୟୁସିସି କାର୍ଯ୍ୟକାରୀ କାହିଁକି କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସିପିଏମ ପକ୍ଷରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନେକ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ଦଳର ନେତ୍ରୀ ସୁଭାଷିନୀ ଅଲ୍ଲୀ ।

ୟୁସିସି ପ୍ରସଙ୍ଗରେ କୌଣସି ଚିଠା ପ୍ରସ୍ତୁତ ହୋଇନାହିଁ କିମ୍ବା ଏଥିରେ କି କି ବ୍ୟବସ୍ଥା ରହିଛି ତାହାକୁ ପ୍ରକାଶ କରାଯାଇନାହିଁ । ସମସ୍ତଙ୍କୁ ଅନ୍ଧାରରେ ରଖି ଏହା ପ୍ରସ୍ତୁତ କରାଯାଇଛି । ସେପଟେ କେତେକ ମୁସଲିମ ନେତା ଏହାକୁ ସମର୍ଥନ କରିଛନ୍ତି । ବିଭିନ୍ନ ଦେଶରେ ଏକକ ନାଗରିକ ସଂହିତା ଚାଲୁଥିବାବେଳେ ଭାରତରେ ଏହା କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀର ଧାର୍ମିକ ନେତା ମୌଲାନା ସୁଏବ କାସମୀ ।

ଗୁଜରାଟ ସରକାର ଗତକାଲି ୟୁସିସି କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେବା ପରେ ଏହାକୁ ନେଇ ବଢିଥିଲା ବିବାଦ । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୟୁସିସିର କାର୍ଯ୍ୟକାରିତା ସମ୍ପର୍କିତ ସମସ୍ତ ଦିଗ ଅନୁଧ୍ୟାନ କରିବାକୁ ସରକାର ନେଇଥିଲେ ନିଷ୍ପତ୍ତି । ସମ୍ବିଧାନର ଧାରା ୪୪ ଅନୁସାରେ ଭାରତୀୟ ନାଗରିକଙ୍କ ଲାଗି ବିବାହ, ବିବାହ ବିଚ୍ଛେଦ, ଉତ୍ତରାଧିକାରୀତ୍ବ, ପୋଷ୍ୟ ଆଦି କ୍ଷେତ୍ରରେ ଗୋଟିଏ ନିୟମ ସାରା ଦେଶରେ ଲାଗୁ ପାଇଁ ୟୁସିସିରେ ରହିଛି ବ୍ୟବସ୍ଥା । ଗତ ମେ’ ମାସରେ ଉତ୍ତରାଖଣ୍ଡ ସରକାର ୟୁସିସି କାର୍ଯକାରୀ କରିବା ଲାଗି ନେଇଥିଲେ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଗତକାଲି ବିରୋଧ କରିଥିଲା ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ବା ଏଆଇଏମପିଏଲବି ।