ଶବକୁ ମିଳିଲାନି ଶ୍ମଶାନ, ୨ଦିନ ପରେ ହେଲା ଅନ୍ତିମ ସଂସ୍କାର

ନବରଙ୍ଗପୁର: ୨ଦିନ ପରେ ଶବକୁ ମିଳିଲା ଶ୍ମଶାନ । ପ୍ରଶାସନର ହସ୍ତକ୍ଷେପ ପରେ କରାଗଲା ଶେଷକୃତ୍ୟ । ନବରଙ୍ଗପୁର ଜିଲ୍ଲା ଗୁଲିବାଡ଼ନା ଗାଁରେ ବିବାଦର ସମାଧାନ କରି ଜଣେ ମୃତ ବ୍ୟକ୍ତିଙ୍କର ଶବ ସତ୍କାର କରିଛି ପ୍ରଶାସନ । ଅଭିଯୋଗ ଅନୁସାରେ ଶୁକ୍ରବାର ଜିତ୍ରୁ ଭତ୍ରାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସେ ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ଲୋକ ତାଙ୍କ ମୃତଦେହକୁ ମଶାଣିକୁ ନେବାକୁ ବାରଣ କରିଥିଲେ । ବହୁ ବୁଝାସୁଝା ପରେ ବି ଲୋକ ମାନି ନଥିଲେ । ପରେ ମୃତଦେହଟି ପଡ଼ି ରହିଥିଲା ।

ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଝରିଗାଁ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ଶେଷରେ ଶବ ସଂସ୍କାର ପାଇଁ ରାଜି ହୋଇଥିଲେ ଗ୍ରାମବାସୀ । ପରେ ଭୀମାଗୁଡ଼ା ଶ୍ମଶାନରେ ମୃତକଙ୍କ ଶବ ସଂସ୍କାର କରାଯାଇଛି । ଆଗାମୀ ଦିନରେ ଯେପରି ଏଭଳି ସମସ୍ୟା ସୃଷ୍ଟି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ପୋଲିସ କହିଛି ।