spot_img
Home Blog Page 3954

ଜାତିଆଣ ମନୋଭାବର ଉଗ୍ରରୂପ, ବୃଦ୍ଧଙ୍କ ମୃତଦେହକୁ ଛୁଇଁଲେନି ଗାଁ ଲୋକ

ଜୟପୁର: ଜାତିଆଣ ମନୋଭାବ ଓ କୁସଂସ୍କାରର କୁପରିଣତି । ଅନ୍ୟଜାତି ଲୋକଙ୍କ ଘରେ ଖାଇବାରୁ ଶବ ଛୁଇଁଲେ ନାହିଁ ଗାଁ ଲୋକ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗାଁରେ ଏଭଳି ଘଟଣା ଘଟିଛି । ବାପାର ଶବକୁ ଚାରିକାନ୍ଧ ନ ମିଳିବାରୁ ରାସ୍ତାରେ ଘୋଷାରି ଘୋଷାରି ନେଲା ପୁଅ । ରାସ୍ତାରେ ଠିଆ ହୋଇ ଦେଖଣାହାରୀ ସାଜିଥିଲେ ଲୋକ । କିନ୍ତୁ କହି ଶବକୁ ଚାରି କାନ୍ଧ ଦେଇନଥିଲେ । ଛୁଆଁ- ଅଛୁଆଁ ମାନସିକତା ଆଗରେ ମରିଗଲା ମାନବିକତା ।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବୈରାଗୀମଠ ଗାଁର ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ହୋଇଥିଲା । ୬ମାସ ତଳେ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଖାଇଥିଲେ । ଫଳରେ ଗାଁ ଲୋକ ମଙ୍ଗଳାର ପରିବାରକୁ ବାସନ୍ଦ କରିଥିଲେ । ଭୋଜିରେ ବି ସାମିଲ କରୁନଥିଲେ । ପୂର୍ବରୁ ମୁକ୍ତାଙ୍କ ମା’ର ମୃତ୍ୟୁ ହୋଇଥିଲେ ମଧ୍ୟ ଶବକୁ ଛୁଇଁ ନଥିଲେ ଗାଁ ଲୋକେ । ଶେଷରେ ପୁଅ ମଙ୍ଗଳା ବାପାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡି ଘୋଷାଡି ନେଉଥିବାବେଳେ ସ୍ତ୍ରୀ କୁନି ମିଶି ଶବକୁ ଧରି ଶ୍ମଶାନକୁ ନେଇଥିଲେ । ରାସ୍ତାରେ ମୁକ୍ତାଙ୍କ ମୃତଦେହ ବାରମ୍ବାର ଖସିପଡୁଥିଲେ ମଧ୍ୟ ହାତ ଦେବାକୁ କେହି ଆସିନଥିଲେ ।

ଶାହନବାଜ୍ ହୁସେନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ହାଇକୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଡ଼ୁଆରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନବାଜ୍ ହୁସେନ । ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ସହିତ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଶାହନାଓ୍ୱାଜ୍ ହୁସେନ୍ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ସୂଚନା ଅନୁସାରେ ୨୦୧୮ରେ ଦିଲ୍ଲୀର ଜଣେ ମହିଳା ହୁସେନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୋଲିସଠାରୁ ନିରାଶ ହେବା ପରେ ତଳ କୋର୍ଟରେ ପିଟିସନ୍ ଫାଇଲ କରିଥିଲେ । ଏହି ପିଟିସନରେ ହୁସେନ ତାଙ୍କୁ ଦୁଷ୍କର୍ମ କରିଥିବା ଦର୍ଶାଇଥିଲେ । ଏହା ସହ ହତ୍ୟା ଧମକ ଦେଇଥିବା ମଧ୍ୟ ପିଟିସନରେ ଦର୍ଶାଇଥିଲେ ଉକ୍ତ ମହିଳା । ଏହା ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ଏହି ମାମଲାରେ ହୁସେନଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ବନ୍ଦ ହେଲା ହୀରାକୁଦର ୪ ଗେଟ୍‌, ୩୬ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମୁଛି ହୀରାକୁଦର ଜଳସ୍ତର । ବନ୍ଦ ହେଲା ହୀରାକୁଦର ୪ଟି ସ୍ଲୁଇସ୍ ଗେଟ୍ । ୪ଟି ଗେଟ୍‌ ବନ୍ଦ ହେବା ପରେ ଏବେ ୩୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱରୁ ୨୪, ଦକ୍ଷିଣପାର୍ଶ୍ୱରୁ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ କମିଛି ବନ୍ୟାଜଳ ପ୍ରବେଶର ମାତ୍ରା ଓ କମିଛି ଜଳ ଭଣ୍ଡାରର ଜଳସ୍ତର । ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨୪.୩୧ ଫୁଟରେ ରହିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୪ ଲକ୍ଷ ୬୩ ହଜାର ୭୭୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୩ ହଜାର ୬୫୪ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।

ହୀରାକୁଦରେ କମୁଛି ଜଳସ୍ତର, ଦିନ ୩ଟା ପରେ ବନ୍ଦ ହୋଇପାରେ ୬ଟି ଗେଟ୍

ଭୁବନେଶ୍ୱର: ଆଜି ଦିନ ୩ଟା ପରେ ହୀରାକୁଦର କିଛି ଗେଟ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇପାରେ । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଗେଟ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯିବ । ଗତକାଲିଠୁ ମହାନଦୀ ଉପର କି ତଳ ମୁଣ୍ଡରେ ବର୍ଷା ହୋଇନାହିଁ । ମହାନଦୀକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୪ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୪.୪୩ଫୁଟ ରହିଛି । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦ ଜଳସ୍ତର ୬୨୨ଫୁଟରେ ରଖିବାକୁ ଚେଷ୍ଟା କରାଯିବ । ସେହିପରି ମୁଣ୍ଡଳୀରେ ବି ଜଳସ୍ତର କମିଛି । ଏବେ ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । କେବଳ କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗତକାଲିଠୁ କୌଣସି ନୂଆ ଘାଇ ସୃଷ୍ଟି ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଥିବା ଏସଆରସି କହିଛନ୍ତି । ଏବେସୁଦ୍ଧା ବନ୍ୟାରେ କେବଳ ଗୋଟିଏ ନିଖୋଜ ରିପୋର୍ଟ ଆସିଛି। ସେନେଇ ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ମିମି ବର୍ଷା ହେବା ନେଇ ଆକଳନ କରାଯାଉଛି । ସେତିକି ବର୍ଷା ହେଲେ ୫ ଲକ୍ଷରୁ ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ମହାନଦୀକୁ ଆସିବ । ମୁଣ୍ଡଳୀରେ ଏହି ଫ୍ଲୋ ୭ରୁ ୮ ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଉଦ୍ୟମ କରାଯିବ । ବର୍ଷା ଦ୍ୱାରା ମହାନଦୀ ସିଷ୍ଟମରେ ସେପରି ବଡ଼ ସମସ୍ୟା ହେବନି । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବା ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁରକୁ ସତର୍କ କରାଯାଇଛି । ତେଣୁ ମୟୁରଭଞ୍ଜର ସମସ୍ତ ଜଳଶଯ୍ୟାଗୁଡିକୁ ଖାଲି କରାଯାଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା ।

ବନ୍ୟାସ୍ଥିତି ପାଇଁ ସ୍ଥଗିତ ରହିଲା ASO ପରୀକ୍ଷା

ଭୁବନେଶ୍ୱର: ସ୍ଥଗିତ ରହିଲା ASO ପରୀକ୍ଷା । ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଉପୁଜିଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୧ ତାରିଖରେ ହେବାକୁ ଥିବା ASO ଲିଖିତ ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ପରୀକ୍ଷାର ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଆଜି ଏକ ବିଜ୍ଞପ୍ତି ଜରିଆରେ ଜଣାଇଛି ।

ଆଜି ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଜଳ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ଆଜି ସଂଧ୍ୟାରେ ହୀରାକୁଦରୁ ଛଡ଼ାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପାଣି ସଂଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ । ବର୍ତ୍ତମାନ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି । ହୀରାକୁଦର ପାଣି ପହଞ୍ଚିଲା ବେଳକୁ ଏହି ଟ୍ରେଣ୍ଡ ଜାରି ରହିବ ଅର୍ଥାତ ସମାନ ପରିମାଣର ଜଳ ପ୍ରବାହିତ ହେବ । ତେବେ ଏହା ପରେ ମୁଣ୍ଡଳିରେ ୮ ରୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାବିତ ହେବ ବୋଲି କହିଛନ୍ତି ଜଳ ସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ଅନ୍ୟପକ୍ଷରେ ଚଳିତ ବନ୍ୟା ଯୋଗୁ ବର୍ତ୍ତମାନ ରାଜ୍ୟରେ ୭ଟି ଘାଇ ସୃଷ୍ଟି ହୋଇଛି । ଏହାର ମରାମତି ଯୁଦ୍ଧକାଳୀନ ଭିତରେ କରାଯିବ । ଧିରେଧିରେ ବିଭିନ୍ନ ନଦୀର ଜଳସ୍ତର କମୁଥିବାରୁ ବନ୍ୟା ସ୍ଥିତି ନିୟନ୍ତ୍ରଣ ଆସୁଛି ବୋଲି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।

 

ଢେଙ୍କାନାଳ ହସ୍ପିଟାଲରେ ଅଘଟଣ, ବେଡ୍ ନମିଳିବାରୁ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ହସ୍ପିଟାଲରେ ବେଡ୍‌ ନମିଳିବାରୁ ରୋଗୀଙ୍କ ଆତ୍ମହତ୍ୟା । ଢେଙ୍କାନାଳ ହସ୍ପିଟାଲରେ ଘଟିଛି ଘଟଣା । ଚାରି ମହଲାରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ପରଜଙ୍ଗ ଲୋଧଣୀ ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ । ଭୋର ୪ଟାରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଦୁର୍ଯ୍ୟୋଧନ ନାୟକ କଟକରେ ଏକ ହଷ୍ଟେଲରେ ଦିନ ମଜୁରିଆ ଭାବେ କାମ କରୁଥିଲେ ।

ଗତକାଲି ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ଗତକାଲି ରାତି ପ୍ରାୟ ୧୦ଟା ବେଳେ କଟକରୁ ତାଙ୍କର ଭଣଜାଙ୍କ ସହ ପରଜଙ୍ଗ ଗାଁକୁ ଫେରୁଥିଲେ । ଅଧା ବାଟରେ ତାଙ୍କର ଦେହ ଅଧିକ ଖରାପ ହୋଇଥିଲା । ଯାହାଫଳରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକ ଖବର ପାଇ ଢେଙ୍କାନାଳ ହସ୍ପିଟାଲରେ ପହଞ୍ଚିବା ବେଳକୁ ଦୁର୍ଯ୍ୟୋଧନ ମେଡିକାଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରି ସାରିଥିଲେ । କେଉଁ କାରଣ ପାଇଁ  ଦୁର୍ଯୋଧନ ହସ୍ପିଟାଲ ଛାତ ଉପରୁ ଡେଇଁଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ହସ୍ପିଟାଲରେ ବେଡ ନମିଳିବା, ସୁରକ୍ଷାକର୍ମୀଙ୍କ ଡ୍ୟୁଟିରେ ଅବହେଳା ଓ ସଠିକ ଚିକିତ୍ସା ନମିଳିବାକୁ ଦାୟୀ କରିଛନ୍ତି ପରିବାର ଲୋକ । ଦୁର୍ଯ୍ୟୋଧନଙ୍କ ମୃତଦେହ ଶବ ବ୍ୟବଛେଦ ପାଇଁ ପଠାଯାଇଥିବାବେଳେ ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

 

ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ ।

 

କମୁଛି ହୀରାକୁଦର ଜଳସ୍ତର, ୬୨୫.୧୦ ଫୁଟ୍‌ ରହିଛି ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: କମୁଛି ହୀରାକୁଦର ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର ୬୨୫.୧୦ ଫୁଟ୍ ରହିଛି । ଏବେବି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୨୮ ଓ ଡାହାଣ ପାର୍ଶ୍ୱରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୭୬ ହଜାର ୨୨୭ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ବରମୂଳାରେ ମହାନଦୀରେ ୯ ଲକ୍ଷ ୭ ହଜାର ୫୦୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଖଇରାମାଳରେ ୮ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପାସ୍ କରୁଛି । ସେହିପରି କଟକ ମୁଣ୍ଡଳୀରେ ପାସ୍ କରୁଛି ୧୦ ଲକ୍ଷ ୧୮ ହଜାର ୩୭୨ କ୍ୟୁସେକ ବନ୍ୟାଜଳ ।

 

ଆଜି ଭାରତ-ଜିମ୍ବାଓ୍ୱେ ପ୍ରଥମ ଦିନିକିଆ

ହରାରେ: ଆଜିଠାରୁ ଭାରତ-ଜିମ୍ବାୱେ ଦିନିକିଆ ସିରିଜ୍ ଆରମ୍ଭ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଆଜି ଦିନ ୧୨ଟା ୪୫ରୁ ଆରମ୍ଭ ହେବ । ହରାରେସ୍ଥିତ ହରାରେ ସ୍ପୋଟ୍‌ର୍ସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଟିମ୍ ଟକ୍କର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ସିରିଜର ପରବର୍ତ୍ତୀ ମ୍ୟାଚ ୨୦ ଓ ୨୨ ତାରିଖରେ ଖେଳାଯିବ । ଏହି ସିରିଜରେ କେଏଲ ରାହୁଲଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଏସିଆ କପକୁ ଦୃଷ୍ଟିରେ ରଖି ଭାରତର ବରିଷ୍ଠ ଖେଳାଳିମାନଙ୍କୁ ଏହି ଶୃଙ୍ଖଳାରୁ ବାଦ ଦିଆଯାଇଛି ।

ଜିମ୍ବାୱେ ବିପକ୍ଷରେ ଯୁବ ପ୍ରତିଭାମାନଙ୍କୁ ଅଧିକ ସୁଯୋଗ ମିଳିଛି । ଶିଖର ଧାଓ୍ୱନ, ରାହୁଲ, ଶୁଭମନ ଗିଲ୍, ଦୀପକ ହୁଡା ଓ ସଞ୍ଜୁ ସାମସନଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ଲାଇନ୍ ଦଳ ପାଇଁ ବଡ଼ ସ୍କୋର ହାସଲ କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି । ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଦୀପକ ଚହର, କୁଲଦୀପ ଯାଦବ ଓ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲଙ୍କୁ ନେଇ ଭାରତୀୟ ବୋଲିଂ ବେଶ୍ ସୁଦୃଢ଼ ରହିଛି । ଅନ୍ୟପକ୍ଷରେ ଜିମ୍ବାଓ୍ୱେ ବ୍ୟାଟର ସିକନ୍ଦର ରାଜା, ଚକଭା, ଇନୋସଣ୍ଟ କାଇଆଙ୍କ ପ୍ରଦର୍ଶନ ଉପରେ ଅଧିକ ନିର୍ଭରଶୀଳ ହେବ ।