ବିମୁଦ୍ରୀକରଣ ଜ୍ବାଳାକୁ ପୂରିଲା ୬ ବର୍ଷ, ୨୦୧୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ବିମୁଦ୍ରୀକରଣର ଜ୍ୱାଳାକୁ ପୂରିଲା ୬ ବର୍ଷ । ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସାରା ଦେଶବାସୀଙ୍କ ଅର୍ଥନୈତିକ ସ୍ଥିତିକୁ କରିଦେଇଥିଲା ଗଡ଼ବଡ଼ । ୫୦୦ ଓ ୧ ହଜାର ଟଙ୍କିଆ ନୋଟକୁ ରଦ୍ଦ କରିଥିବାବେଳେ କୋଟି କୋଟି ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । କଳାଧନ ଓ ଜାଲନୋଟର ପ୍ରସାର ରୋକିବା ତଥା ସମାନ୍ତରାଳ ଛାୟା ଅର୍ଥନୀତିକୁ କବଜା କରିବା ଲାଗି ତତକାଳୀନ ସରକାରଙ୍କ ଏହି ନିଷ୍ପତ୍ତି ବିଭିନ୍ନ ମହଲରେ ହୋଇଥିଲା ସମାଲୋଚିତ । ଉପଯୁକ୍ତ ପଦକ୍ଷେପ ନନେଇ ହଠାତ୍ ବିମୁଦ୍ରୀକରଣ ନିଷ୍ପତ୍ତି ଦ୍ୱାରା ଦେଶବାସୀ ନାହିଁ ନଥିବା ସମସ୍ୟାର ଶିକାର ହୋଇଥିଲେ । ଦେଶବ୍ୟାପୀ ସମସ୍ତ ବ୍ୟାଙ୍କରେ ଅଭୁତପୂର୍ବ ସମସ୍ୟା ସୃଷ୍ଟି ହୋଇଥିଲା ।

ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ମୋଟ ମୁଦ୍ରା ପରିମାଣ ୧୫.୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିଲା ୧୫.୩ ଟ୍ରିଲିୟନ ଟଙ୍କା । ଅର୍ଥାତ ମୋଟ ୯୯.୩ ପ୍ରତିଶତ ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ଡିଜିଟାଲ ଓ କ୍ୟାସଲେସ କାରବାର ବୃଦ୍ଧି ପାଇଥିଲା । ତେବେ ଯେଉଁ ଲକ୍ଷ୍ୟ ନେଇ ନୋଟବନ୍ଦୀ କରାଯାଇଥିଲା ତାହା ଏକରକମ ବିଫଳ ହୋଇଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ଚଳିତ ବର୍ଷ ଅକ୍ଟୋବର ୨୧ ସୁଦ୍ଧା ଦେଶରେ ଲୋକମାନଙ୍କ ନିକଟରେ ମୋଟ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ଟଙ୍କା ରହିଛି । ଏହାର ଅର୍ଥ- ଡିଜିଟାଲ୍ ପେମେଣ୍ଟ ଅପେକ୍ଷା ଲୋକମାନେ ନଗଦ ଉପରେ ଅଧିକ ବିଶ୍ୱାସ କରୁଛନ୍ତି ।