ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିବାବେଳେ, ଭୋର ୫ଟା ୫୪ ମିନିଟ ପରଠାରୁ ଦେବ ନୀତି ବନ୍ଦ ରହିଛି । ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଭକ୍ତ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରୁଛନ୍ତି । ଦିନ ୨ଟା ୩୮ ପର୍ଯ୍ୟନ୍ତ ଦର୍ଶନ କରିପାରିବାର ସୌଭାଗ୍ୟ ପାଇବେ ଭକ୍ତ । ଧର୍ମ ମାସ କାର୍ତ୍ତିକର ଆଜି ଅନ୍ତିମ ଦିବସ ଥିବାରୁ ଶ୍ରୀକ୍ଷେତ୍ରରେ ମହୋଦଧି ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ମାନଙ୍କରେ ଡଙ୍ଗା ଭସାଇବା ପାଇଁ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଭୋର ସମୟରୁ ୫ଟା୫୪ ମଧ୍ୟରେ ଭକ୍ତ ମାନେ ଡଙ୍ଗା ଭସାଇବା ନୀତି ଶେଷ କରି ବ୍ରତ ଉଦଯାପିତ କରିଥିଲେ । ତେବେ ଗ୍ରହଣକୁ ନେଇ ଶ୍ରୀମନ୍ଦିର ରାତ୍ର ୧୨ଟା ୮ରୁ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବା ସହିତ ପରେ ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ଅବକାଶ ସାରି ଶ୍ରୀଜିଉଙ୍କୁ ରାଜାଧିରାଜ ବା ସୁନାବେଶରେ ଭୂଷିତ କରାଯାଇଥିଲା । ବେଶ ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ଭୋଗ ମଣ୍ଡପ ନୀତି ଶେଷ କରାଯାଇଥିଲା । ଅନ୍ୟପକ୍ଷରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ନୀତି ଅନୁସାରେ ଶ୍ରୀଜିଉଙ୍କ ଦେବନୀତି ଆରମ୍ଭ କରାଯିବା ସହ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ଆଦି କରାଯିବ ।