ଆଜି କାର୍ତ୍ତିକ ମାସର ଶେଷ ଦିନ, ଡଙ୍ଗା ଭସାଇଲେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆ କା ମା ବୈ ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ଆଜି କାର୍ତ୍ତିକ ମାସର ଶେଷ ଦିନରେ ପୁସ୍କରଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଛନ୍ତି ରାଜ୍ୟବାସୀ । ଜଳାଶୟରେ ପରମ୍ପରା ପାଳନ କରିଛନ୍ତି । ପୁରୀ ମହୋଦଧୀ, ତୀର୍ଥ ପୁଷ୍କରିଣୀ, ଭୁବନେଶ୍ବର ବିନ୍ଦୁସାଗର, କଟକ ନଈପଠା ଓ ଯାଜପୁର ଦଶ୍ବାସମେଧ ଘାଟ ପରି ଅନେକ ତୀର୍ଥ ସ୍ଥାନରେ ଡଙ୍ଗା ଭସାଣ ସରିଛି । ଚନ୍ଦ୍ରଗ୍ରହଣ ପାଇଁ ମଧ୍ୟରାତ୍ରୀ ୨ ଟାରୁ ଭୋର ୫ଟା ୪୫ ମଧ୍ୟରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ।

ସେହିପରି ଭୁବନେଶ୍ବର ବିନ୍ଦୁସାଗରରେ ଅନୁଷ୍ଠିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ସମେତ କର୍ପୋରେଟରମାନେ ଯୋଗ ଦେଇଥିଲେ । ବିନ୍ଦୁ ସାଗରରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ସମାଗମ ହୋଇଥିଲା ।