ଆସନ୍ତାକାଲି ୫୦ ତମ CJI ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଚନ୍ଦ୍ରଚୂଡ଼, ୨୦୨୪ ନଭେମ୍ବର ୧୦ ଯାଏ ତୁଲାଇବେ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶର ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ । ଜଷ୍ଟିସ ଚନ୍ଦ୍ରଚୂଡ଼ ୫୦ ତମ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ଗତକାଲି ଜଷ୍ଟିସ ଲଳିତଙ୍କୁ ଦିଆଯାଇଥିଲା ବିଦାୟକାଳୀନ ସମ୍ବର୍ଦ୍ଧନା । ଏହି ଉତ୍ସବରେ ଯୋଗଦେଇଥିଲେ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀ । ଏହାସହ ସୁପ୍ରିମକୋର୍ଟର ବହୁ ବିଚାରପତି, ବରିଷ୍ଠ ଆଇନଜୀବୀ ପ୍ରମୁଖ ଯୋଗଦେଇଥିଲେ ।

ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୱାଇ ବି ଚନ୍ଦ୍ରଚୂଡ଼ଙ୍କ ପୁଅ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ପରବର୍ତ୍ତୀ ପ୍ରଧାନ ବିଚାରପତି ଚୟନ ପାଇଁ ଆଇନ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଧନଞ୍ଜୟ ୟଶୋବନ୍ତ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ । ୨୦୨୪ ନଭେମ୍ବର ୧୦ ଯାଏ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଚନ୍ଦ୍ରଚୂଡ଼ ।