spot_img
Home Blog Page 3948

ତଳିଆ ଅଞ୍ଚଳରେ କମୁଛି ଜଳସ୍ତର, ୪ ଗେଟରେ ଆସୁଛି ପାଣି

ଭୁବନେଶ୍ୱର: ଦୁଇଦିନ ମଧ୍ୟରେ ଆସିପାରେ ସ୍ବାଭାବିକ ସ୍ଥିତି । ତଳିଆ ଅଞ୍ଚଳରେ କମୁଛି ଜଳସ୍ତର । ତେଣୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ହୀରାକୁଦରୁ ୪ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ଗେଟ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୮୦ ଫୁଟ ରହିଥିବା ସୂଚନା ଦେଇଛନ୍ତି ସର୍ବୋଚ୍ଚ ଜଳସମ୍ପଦ ଯନ୍ତ୍ରୀ ।

ସେପଟେ ମୁଣ୍ଡଳୀରେ ଜଳସ୍ତର କମିବାରେ ଲାଗିଛି । ବୁଢ଼ାବଳଙ୍ଗ, ବୈତରଣୀ, ବଂଶଧାରା ବଢ଼ୁଛି । ବୈତରଣୀ ଆନନ୍ଦପୁରଠାରେ ବିପଦ ସଂକେତ ଟପିଛି । କାଶୀନଗରରେ ବିପଦ ସଂକେତ ଉପରେ ରହିଛି ବଂଶଧାରା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳସ୍ତର ସାମନ୍ୟ ବଢିଛି ତେବେ ଦୁଇଦିନ ମଧ୍ୟରେ ସ୍ୱାଭାବିକ ସ୍ଥିତି ଆସିପାରେ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ମହାନଦୀରେ ଭାସିଗଲା ଡଙ୍ଗା, ଉଦ୍ଧାର କଲା ଅଗ୍ନିଶମ ବାହିନୀ

କେନ୍ଦ୍ରାପଡ଼ା: ମହାନଦୀର ପ୍ରଖରସ୍ରୋତରେ ଭାସିଗଲା ଡଙ୍ଗା  । ମିଳିଥିବା ସୂଚନା ମୁତାବକ ପାରାଦୀପରୁ ମହାକାଳପଡ଼ା ଅଭିମୁଖେ ଡଙ୍ଗାଟି ଆସୁଥିଲା  । କିନ୍ତୁ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମହାନଦୀରେ ସ୍ରୋତର ବେଗ ୱପ୍ରଖର ରହିଛି  । ଯାହା ଫଳରେ ମଝି ନଦୀରେ ଡଙ୍ଗାଟି ଭାସିଯାଇଥିବା ଜଣାପଡିଛି  । ମହାକାଳପଡ଼ା ବ୍ଲକର ବାହାକୁଦରେ ଏହି ଅଘଟଣ ଘଟିଛି  ।

ସେପଟେ ଡଙ୍ଗାରେ  ୩୦ରୁ ଅଧିକ ଯାତ୍ରୀ ରହିଥିଲେ  । ଅଘଟଣ ଘଟିବା ଫଳରେ  ୪ରୁ ୫ କିମି ପର୍ଯ୍ୟନ୍ତ ଡଙ୍ଗାଟି ଭାସିଯାଇଥିବା ସୂଚନା ମିଳିଛି  । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ  ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡ଼ିଛି  ।

 

ବିପଦ ସଙ୍କେତ ଉପରେ ପ୍ରବାହିତ ବୈତରଣୀ ଜଳସ୍ତର

କେନ୍ଦୁଝର: ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ । କେନ୍ଦୁଝର ଆନନ୍ଦପୁର ଠାରେ ନଦୀ ଜଳ ପତ୍ତନ ବଢିବାରେ ଲାଗିଛି । ସତର୍କ ସଂକେତ ୩୭.୪୪୫ ମିଟର ରହିଥିବାବେଳେ ବିପଦ ସଂକେତ ରହିଛି ୩୮.୩୬୦ମିଟର । ଆଜି ଦିନ ଗୋଟାଏ ଠାରୁ ଦ୍ରୁତଗତିରେ ବଢିବାରେ ଲାଗିଥିଲା ଜଳସ୍ତର । ସଂନ୍ଧ୍ଯା ୬ଟା ସୁଦ୍ଧା ସତର୍କ ସଂକେତ ପାରିକରିଛି ଜଳସ୍ତର ।

ନଦୀର ଜଳସ୍ତର କ୍ରମାଗତ ବଢୁଥିବାରୁ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ବଢିଛି । କେନ୍ଦୁଝର ଜିଲ୍ଲାରେ ଯୋଡା, ବଡବିଲ ସହିତ ଚମ୍ପୁଆରେ ଗତକାଲି ଠାରୁ ବର୍ଷା ଜାରି ରହିଛି । ମୟୁରଭଞ୍ଜ ଜିଲ୍ଲା ଦେଓରେ ୫ଟି ଗେଟ୍ ଖୋଲା ଯାଇଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଦେଖାଦେଇଛି । ଗୋଟେପଟେ ଯଦିବା ହିରାକୁଦରେ ଗେଟ୍ ସଂଖ୍ୟା କମିଛି କିନ୍ତୁ ଏପଟେ ବୈତରଣୀ ଫୁଲିବାରେ ଲାଗିଛି  ।

ମୁମ୍ବାଇରେ ଆତଙ୍କ ରଚିବା ପାଇଁ ପୁଣି ପାକିସ୍ତାନରୁ ମେସେଜ୍

ମୁମ୍ବାଇ: ୨୬-୧୧ ଷ୍ଟାଇଲରେ ଘଟାଇବା ପାଇଁ ଧମକ  । ଏକ ଅଜଣା ନମ୍ବରରୁ ଆସୁଛି ମେସେଜ୍  । ଯେଉଁ ନମ୍ବରରୁ ମେସେଜ ଆସୁଛି, ତାହା ପାକିସ୍ତାନର ବୋଲି ଜଣାପଡିଥିବାବେଳେ ମୁମ୍ବାଇକୁ ଧ୍ୱଂସ କରିବା ନେଇ ଉକ୍ତ ନମ୍ବରରୁ ମେସେଜ ଆସୁଛି  । ଏହି ନମ୍ବରରୁ ସିଧାସଳଖ ଭାବେ ମୁମ୍ବାଇ ପୋଲିସର କଣ୍ଟୋଲ ରୁମକୁ ମେସେଜ କରାଯାଇଥିବା ଜଣା ପଡ଼ିଛି  । ଏଥିରେ କୁହାଯାଇଛି ଯଦି ନମ୍ବରର ଲୋକେସନ୍ ଟ୍ରେସ କରାଯିବ, ତେବେ ତାହା ଭାରତ ବାହାରର ବୋଲି ଦେଖାଇବ  । କିନ୍ତୁ ବିଧ୍ୱଂସ ମୁମ୍ବାଇରେ ଘଟିବ ବୋଲି କୁହାଯାଇଛି  ।

ସେପଟେ ଆହୁରି ବିସ୍ଫୋରକ ବାର୍ତ୍ତା ପଠାଇଛି ସନ୍ଦିଗ୍ଧ  । ଯେଉଁ ହମଲା ବା ଅଘଟଣ ମୁମ୍ବାଇରେ ଘଟିବ ସେଥିରେ ଖୋଦ ଭାରତର ଲୋକ ହିଁ ରହିବେ  । ୬ ଜଣ ଭାରତୀୟଙ୍କ ଦ୍ୱାରା ଏହି ଅଘଟଣ ଘଟାଯିବ  । ଏବଂ ମେସେଜ କରିଥିବା ସନ୍ଦିଗ୍ଧ ପାକିସ୍ତାନ ହୋଇଥିବା ନେଇ ସୂଚନା ଦେଇଛି  । ୨୬-୧୧ ଆତଙ୍କବାଦୀ ହମଲାକୁ ଉଲ୍ଲେଖ କରିବା ସହ ଉଦୟପୁର ହତ୍ୟାକାଣ୍ଡ ଏବଂ ସିନ୍ଧୁ ମୁସେୱାଲା ହତ୍ୟା ବିଷୟରେ ମଧ୍ୟ ସୂଚନା ଦେଇଛି ସନ୍ଦିଗ୍ଧ  ।

ଏହି ଘଟଣାକୁ ନେଇ ସୂଚନା ଦେଇଛନ୍ତି ମୁମ୍ବାଇ ପୋଲିସ କମିଶନର  । ଖୋଦ ପୋଲିସ କଣ୍ଟ୍ରୋଲ ରୁମ ନମ୍ବରକୁ ମେସେଜ ଆସିଥିବାରୁ ଘଟଣାକୁ ଗୁରୁତର ସହ ନେଇଛି ମୁମ୍ବାଇ ପୋଲିସ  । ଏନେଇ ATS ଏବଂ କ୍ରାଇମବ୍ରାଞ୍ଚର ତଦନ୍ତ ସହାୟତା ଲୋଡାଯିବ ବୋଲି ସୂଚନା ଦେଇଛନ୍ତି ମୁମ୍ବାଇ ପୋଲିସ କମିଶନର ବିବେକ ଫଣସାଲକର ।

ଅବପାତର ରୂପ ନେଇଛି ଲଘୁଚାପ, ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି 

ଭୁବନେଶ୍ୱର: ଅବପାତ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି  କରାଯାଇଛି । ସେହିଭଳି ୬ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସକ୍ରିୟ ରହିଛି । ଏହା ପ୍ରଭାବରେ ୧୨ଟି ଜିଲ୍ଲା ଯଥା- ଝାରସୁଗୁଡ଼ା ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ସମ୍ବଲପୁର, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧରେ ପ୍ରବଳ ବର୍ଷା ହେବ ।

ସେହିଭଳି ୬ ଜିଲ୍ଲା ମୟୂରଭଞ୍ଜ, ଅନୁଗୁଳ, କୋରାପୁଟ, ଗଜପତି, ରାୟଗଡ଼ା ଏବଂ ନବରଙ୍ଗପୁରରେ  ମଧ୍ୟ ପ୍ରଭାବ ରହିବ । ମିଳିଥିବା ସୂଚନା ମୁତାବକ କାଲିଠାରୁ ବର୍ଷା କମିବ । କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ପବନର ବେଗ ୪୦ ରୁ ୫୦ ଏବଂ ସର୍ବାଧିକ ୬୦ କିଲୋମିଟର ରହିବ ।

ଆଗାମୀ ୧୨ ଘଣ୍ଟା ପାଇଁ ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ମୟୂଭଞ୍ଜରେ ୩୦ ରୁ ୪୦ କିଲୋମିଟର ଏବଂ ସର୍ବାଧିକ ୫୦ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଗତ 24 ଘଣ୍ଟାରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ 226 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଅଭିଭାବକଙ୍କ ଅଜ୍ଞାତରେ ଲୋନ୍, ବାଇଜୁସ୍‌ କ୍ଲାସ୍‌ ନାମରେ ଠକେଇ

ବାଲେଶ୍ୱର: ବାଇଜୁସ୍‌ କ୍ଲାସ୍‌ ନାମରେ ଠକେଇ । ଅଭିଭାବକଙ୍କୁ ନଜଣାଇ ସେମାନଙ୍କ ନାମରେ ଋଣ କରିବା ସହିତ କ୍ଲାସ୍‌ ନକରି ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ବାଇଜୁସ୍‌ର 2 ଜଣ କାଉନସିଲରଙ୍କୁ ବାଲେଶ୍ବରର ଅଭିଭାବକମାନେ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ନାଁରେ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଅଭିଭାବକ ବୁଝାଇଥିଲେ ।

ପରେ ସେମାନଙ୍କୁ ନଜଣାଇ ଅଭିଭାବକଙ୍କ ନାଁରେ ଋଣ କରି 80 ହଜାରରୁ 2ଲକ୍ଷ 40 ହଜାର ପର୍ଯ୍ୟନ୍ତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଟଙ୍କା ନେବା ପରେ ଛାତ୍ରଛାତ୍ରୀଙ୍କ କ୍ଲାସ ନକରିବା, ଷ୍ଟଡ଼ି ମେଟେରିଆଲ ନଦେବା, ଫୋନ୍‌ ନଉଠାଇବାରୁ ଅଭିଭାବକମାନେ ସମସ୍ୟାରେ ପଡ଼ିଛନ୍ତି । ଏହା ସହିତ ସେମାନଙ୍କ ନାମରେ ଋଣ କରାଯାଇଥିବା ଅଭିଭାବକମାନେ ଜାଣି ନଥିବାରୁ ବ୍ୟାଙ୍କ୍‌ରେ ଟଙ୍କା ପୈଠ କରାପାରି ନଥିଲେ ।

କ୍ଷମା ମାଗିଲେ ବାବୁସାନ୍, କହିଲେ ଆଉ ଏମିତି ଭୁଲ ହେବନି…

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ବାବୁସାନ୍  । ଭିଡ଼ିଓ କରି କ୍ଷମା ମାଗିଲେ  । କିନ୍ତୁ ଏ କ୍ଷମା ଓଡ଼ିଶାବାସୀଙ୍କୁ ମାଗିଛନ୍ତି  ଅଭିନେତା ବାବୁସାନ  । ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା, ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ୍  । ତାଙ୍କ ଆଖିରେ ଅନୁତାପର ଲୁହ । କହିଲେ ଏମିତି ଭୁଲ ଆଉ କେବେ ହେବନି । ସମଗ୍ର ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ବାବୁସାନ ମହାନ୍ତି ।

ଭିଡ଼ିଓରେ ବାବୁସାନ କହିଛନ୍ତି, ମୋ ସ୍ତ୍ରୀ ଓ ଶ୍ବଶୂର ବହୁତ କଷ୍ଟ ପାଇଲେଣି । ସେମାନଙ୍କ ନାମରେ ମକଦ୍ଦମା ହୋଇଛି । ତେଣୁ ଆଗକୁ ଏଭଳି ଭୁଲ ଆଉ କେବେ କରିବିନି । ଏକ ଭିଡିଓ ଜାରି କରି ଦୁଃଖ ଭରା କଣ୍ଠରେ ଏମିତି କହିଛନ୍ତି ବାବୁସାନ । କିଛି ଦିନତଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସଂପର୍କକୁ ନେଇ ରାସ୍ତା ଉପରେ  ଘଟିଥିଲା ଘଟଣା।

ବାବସାନଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରିବା ସବ ସ୍ୱାମୀ ବାବୁସାନଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା  । ଚେନ୍ନାଇରେ ରହି ମଧ୍ୟ ବାବୁସାନ କିଛି ଭିଡ଼ିଓ କରିଥିଲେ  ।  ଯାହା ଘଟଣାକୁ ନେଇ ଅଧିକ ଚର୍ଚ୍ଚା ଧରିଥିଲା  । ପରେ ଉଭୟ ପରିବାର ମଧ୍ୟରେ ବହୁ ବାଦ ବିବାଦ ପରେ ମାମଲା ଥଣ୍ଡା ପଡିଥିଲା । ହେଲେ ଆଜି ହଠାତ୍ ବାବୁସାନ ପୁଣି ଏକ ଭିଡ଼ିଓ କରିବା ସହ କ୍ଷମା ମାଗିଛନ୍ତି  । ସ୍ତ୍ରୀ ଏବଂ ଶ୍ୱଶୁରଙ୍କର କିଛି କ୍ଷତି ହେବନି ବୋଲି କହିଛନ୍ତି ବାବୁସାନ୍  ।

ପୁନର୍ଗଠିତ ହେଲା ବିଜେଡିର ମୟୂରଭଂଜ ଜିଲ୍ଲା ଓ ବ୍ଲକ କମିଟି

ଭୁବନେଶ୍ୱର: ପୁନର୍ଗଠିତ ହେଲା ବିଜେଡିର ମୟୂରଭଂଜ ଜିଲ୍ଲା ଓ ବ୍ଲକ କମିଟି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂଆ କର୍ମକର୍ତ୍ତା ତାଲିକା ଜାରି କରାଯାଇଛି । ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ମୋରଡ଼ା, ଉଦଳା, କରଞ୍ଜିଆ, ଯଶୀପୁର, ସାରସକଣା, ରାଇରଂଗପୁର ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଜାରି କରାଯାଇଛି । ତାଲିକା ଜାରି କରିଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

୯ନିର୍ବାଚନ ମଣ୍ଡଳୀ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ଜଣେ ଲେଖାଏଁ ଉପସଭାପତି ଓ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି । ୫ନିର୍ବାଚନ ମଣ୍ଡଳୀ ପାଇଁ ୩ଜଣ ଲେଖାଏଁ ସଂପାଦକ ନିଯୁକ୍ତ କରାଯାଇଛି । ରାଇରଂଗପୁର ପାଇଁ ଦୁଇ ଜଣ ଉପସଭାପତି ନିଯୁକ୍ତ ହୋଇଛନ୍ତି । ଦୁଇଜଣ ସାଧାରଣ ସଂପାଦକ ଓ ୪ଜଣ ସଂପାଦକ ନିଯୁକ୍ତ ହୋଇଛନ୍ତି ।

ସେପଟେ କରଞ୍ଜିଆ, ଯଶୀପୁର, ସାରସକଣା ପାଇଁ ୪ଜଣ ଲେଖାଏଁ ସଂପାଦକ ଚୟନ ହୋଇଛନ୍ତି । ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସି ପାଇଁ ମଧ୍ୟ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ତେବେ ବିଜେଡି ମୟୁରଭଞ୍ଜରେ ତୃଣମୂଳ ସ୍ତରରେ ସୁଦୃଢ ହୋଇଛି  । ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ ଦାୟିତ୍ୱରେ ରହିଛନ୍ତି   । ଅନ୍ୟପଟେ ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଦଳ ସେଠାରେ ଭଲ ରେଜଲ୍ଟ ମଧ୍ୟ କରିଥିଲା  ।

ଏମସ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ

ଭୁବନେଶ୍ବର: ଏମସରେ ଘଟିଛି ଦୁଃଖଦ ଘଟଣା । ୫ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିବା ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏମସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।

ଆଜି ଅପରାହ୍ନରେ ମହେନ୍ଦ୍ରଙ୍କ ପତ୍ନୀ ସ୍ବାମୀଙ୍କୁ ହୁଇଲ ଚେୟାରରେ ବୁଲାଉଥିବାବେଳେ ହଠାତ୍ ୫ ମହଲାରେ ଥିବା ଝରକା ପଟେ ତଳକୁ ଡେଇଁ ପଡିଥିଲେ ମହେନ୍ଦ୍ର । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଜୁଲାଇ ୧୧ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ ମହେନ୍ଦ୍ର । ଶୁଣିବାକୁ ମିଳୁଛି ରୋଗର ଯନ୍ତ୍ରଣା ସହ୍ୟକରିନପାରି ମହେନ୍ଦ୍ର ଆତ୍ମହତ୍ୟା କରିଛନ୍ତି  ।

ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  । ମହେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ । ଗୋଡରେ ଘା ହୋଇଥିଲା, ପରବର୍ତ୍ତୀ ସମୟରେ ଏହି ଘା ଟ୍ୟୁମରରେ ପରିଣତ ହୋଇଥିଲା  ।  ୨୦ ଦିନ ତଳେ ମହେନ୍ଦ୍ର ଏମସରେ ଭର୍ତ୍ତି ହୋଇଥିବାବେଳେ, ମହେନ୍ଦ୍ର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ  । ଆଜି ହଠାତ ପତ୍ନୀ ହୁଇଲ ଚେୟାରରେ ବୁଲାଉଥିବାବେଳେ ପାଞ୍ଚ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ମହେନ୍ଦ୍ର  ।

ବନ୍ୟା ପାଇଁ ଘୁଞ୍ଚିଲା +୨ ନାମଲେଖା ଅବଧି, ଘୋଷଣା କଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଅବଧି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ ତାରିଖକୁ ନାମଲେଖା ଅବଧି ବୃଦ୍ଧି କରାଯାଇଛି । ତାରିଖ ବୃଦ୍ଧି ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଧାର୍ଯ୍ୟ ହୋଇଥିଲା ।

ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ତାରିଖକୁ ସେପ୍ଟେମ୍ୱର ୮ରୁ ୧୦କୁ ବୃଦ୍ଧି କରାଯାଇଛି । ସ୍ପଟ୍ ସିଲେକ୍ସନ ସେପ୍ଟେମ୍ୱର ୧୭ରୁ ୨୦ମଧ୍ୟରେ ହେବ  । ବନ୍ୟା ପାଇଁ ରାଜ୍ୟରେ ଏକାଧିକ ଜିଲ୍ଲା ପ୍ରଭାବିତ ହୋଇଛି  । ଯଥା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଜି ଦିଲ୍ଲା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି  । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି  ।