ମାର୍ଗଶୀର ପ୍ରଥମ ଗୁରୁବାର ମାଣ୍ଡିଆ ଦିବସ

1 min read

ଭୁବନେଶ୍ବର: ଆସନ୍ତାକାଲି ମାର୍ଗଶୀର ମାସ ପ୍ରଥମ ଗୁରୁବାର । ସାରା ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ । କାଲି କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ସହିତ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ଲକ୍ଷ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି ।

୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ଯକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ଯକାରୀ ହେଉଛି । ଓଡ଼ିଶାରେ ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ମିଲେଟ୍ ମିଶନ୍ ମାଧ୍ୟମରେ ଗାଁ ଓ ସହରରେ ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି । ମିଲେଟ୍ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ୍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯାହାକି ଦେଶରେ ପ୍ରଥମ । ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍ ମିଶନ୍ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି ।