ଆସୁଛନ୍ତି ରାଷ୍ଟ୍ରପତି: ଦିନ ଗୋଟାଏରୁ ରାଜଧାନୀରେ ଛୁଟି

1 min read

ଭୁବନେଶ୍ବର: ଆସନ୍ତାକାଲି ଦୁଇଦିନ ପାଇଁ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଧାନୀରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ । ଏହାସହ ଦୁଇଦିନ ଧରି ମହାମହିମଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଦିନ ଗୋଟାଏ ପରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ।

ଓଡ଼ିଶା ମାଟିର ଗର୍ବ ଓ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଏହି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରପତିଙ୍କୁ ସମ୍ମାନ ପାଇଁ  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ ।

ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ବ୍ଲୁବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ସକାଳ ୧୦ଟା ୫୦ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ପରେ ସେ ଯିବେ ପୁରୀ । ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ଫୁଲଡ୍ରେସ ରିହର୍ସଲ ଓ କାର୍ଯ୍ୟସୂଚୀ ଅନୁୟାଯୀ କାରକେଡ ରିହର୍ସଲ କରିଛି ପୋଲିସ । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ରହିବ ସୁରକ୍ଷା ବ୍ୟବସ୍ଥା । ମୁତୟନ ହେବେ ୩୪ ପ୍ଲାଟୁନ ପୋଲିସ । ଦାୟିତ୍ବରେ ରହିବେ ୨୦୦ ବରିଷ୍ଠ ଅଧିକାରୀ, ୪ ଡିସିପି, ୨୨ ଅତିରିକ୍ତ ଡିସିପି, ୬୨ ଡିଏସପି  ଓ ୨୦୦ ଏସଆଇ-ଏଏସଆଇ । ନିୟୋଜିତ ରହିବ ଡଗ ସ୍କ୍ବାଡ । ବିମାନବନ୍ଦର, ରୁଟ୍ ଲାଇନ ଓ ରାଜଭବନ ପର୍ଯ୍ୟନ୍ତ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । ସବୁ ଥାନାକୁ କରାଯାଇଛି ଆଲର୍ଟ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମେୟର ପ୍ରମୁଖ ଉପସ୍ଥିତ ରହିବେ ।

ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ । ୪୫ ମିନଟର ଦର୍ଶନ କାର୍ଯ୍ୟକ୍ରମ ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ରାଜଭବନରେ ରହିଛି ମହାପ୍ରସାଦ ସେବନ ବ୍ୟବସ୍ଥା । ସୁରକ୍ଷା ଲାଗି ୨୪ ପ୍ଲାଟୁନ ପୋଲିସ ଫୋର୍ସ, ୫ କମାଣ୍ଡାଣ୍ଟ, ୭ ଅତିରିକ୍ତ ଏସପି, ୧୮ ଡିଏସପି, ୩୦ ଇନ୍ସପେକ୍ଟର, ୧୧୦ ଏଏସଆଇ ଓ ଏସଆଇ ମୁତୟନ ହୋଇଛନ୍ତି । ପୋଲିସ ପକ୍ଷରୁ ବି କରାଯାଇଛି କାରକେଡ ରିହର୍ସଲ ।

ପୁରୀରୁ ମହାମହିମ ଭୁବନେଶ୍ବର ଆସି ଏକାଧିକ ଛକରେ ଥିବା ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରାଜଭବନରେ ସିଭିକ୍ ରିସେପସନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୧ ତାରିଖରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ । ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଯୋଗଦେବେ । ପରେ ଦିଲ୍ଲୀ ପ୍ରତ୍ୟବର୍ତ୍ତନ କରିବେ ।