ବିବାହ କରିବେ ଶେଷ କିଷାନ, ଗାଁ ପିଲାଙ୍କ ପାଇଁ ଦାନ କଲେ ୩୦ ଲକ୍ଷ ଟଙ୍କାର ଘର

ସମ୍ବଲପୁର: ସଂଘର୍ଷର ଷଠିଘରୁ ସଫଳାତାର ଶୀର୍ଷରେ ପହଞ୍ଚିଥିବା ଶେଷ କିଷାନଙ୍କ କାହାଣୀ ଆପଣ ଅଳ୍ପ ବହୁତ ଜାଣିଥିବେ । ପରିବାରର ସମସ୍ତଙ୍କୁ ହରାଇ ଏକା ହୋଇଯାଇଥିବା ଶେଷ ଏବେ ଆଉ ଅତୀତକୁ ମନେ ପକାଉନାହାଁନ୍ତି । ଆସନ୍ତା ୨୨ ତାରିଖରେ ଶେଷଙ୍କ ଜୀବନକୁ ଆସିବେ ନୂଆ ସାଥୀ । ବିବାହ ବନ୍ଧନରେ ବାନ୍ଧି ହେବେ ଶେଷ କିଷାନ । ହେଲେ ଏଇ ଖବର ପଛରେ ରହିଛି ଆଉ ଏକ କାହାଣୀ । ଯେଉଁଟା ଶୁଣିଲେ ଆପଣ ବି ତାଙ୍କୁ ସାବାସୀ ଦେବେ । କାରଣ ୩୦ ଲକ୍ଷ ଟଙ୍କାର ଘରକୁ ଗାଁ ପିଲାଙ୍କ ପାଇଁ ଉତ୍ସର୍ଗ କରୁଛନ୍ତି ଶେଷ । ହେଲେ କାହିଁକି ଶେଷ ନେଇଛନ୍ତି ଏହି ନିଷ୍ପତ୍ତି ବସନ୍ତୁ ଜାଣିବା ।

ଦୃଶ୍ୟ ସମାନ, ହେଲେ ବଦଳିଛି ବ୍ୟକ୍ତିତ୍ବର ଚିତ୍ର । ସେଦିନ ଏଇଠି ଛେଳି ସହ ଚାଲିଥିଲା ଶେଷଙ୍କ ସଂଘର୍ଷ । ବିଲମାଳ ପାହଡ଼ ଭିତରେ ଛେଳି ଚରାଇବାକୁ ଯାଇ କିଷାନ ଦେଖୁଥିଲେ କାହିଁ କେତେଦୂର ସ୍ବପ୍ନ । ମାଟି ଗୋଡ଼ି ରାସ୍ତାରେ ଯନ୍ତ୍ରଣା ସହୁଥିଲା ଖାଲି ପାଦ । ଆଉ ଆଜି ପାଦକୁ ସୁରକ୍ଷା ଦେଉଛି ଦାମୀ ଜୋତା । ବୈଜ୍ଞାନିକ ହୋଇ ଜର୍ମାନୀରୁ ଗାଁକୁ ଫେରିଛନ୍ତି ଶେଷ କିଷାନ ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଂଘା ଗାଁ । ସେହି ଗାଁରେ ତୋଳା ହୋଇଛି ଶେଷଙ୍କ ସ୍ବପ୍ନର ଘର । ଜୀବନ ରଙ୍ଗରେ ଫିକା ପଡ଼ିଥିବା କିଷାନଙ୍କ ଘର ଆଜି ବେଶ ରଙ୍ଗୀନ ହୋଇଛି । କାହିଁକି ନାଁ ଶେଷ ଅସମ୍ଭବକୁ ପଛକୁ ଠେଲି ସମ୍ଭବକୁ ସାମ୍ନାକୁ ଆଣିଛନ୍ତି । ସେହି ସମ୍ଭାବନା ଭିତରେ ଶେଷଙ୍କ ଜୀବନକୁ ଆସୁଛନ୍ତି ଜଣେ ସମ୍ମୋହନୀ । ଏଇ ମାସ ୨୨ ତାରିଖରେ ହାତରୁ ଦିହାତ ହେବେ ଶେଷ ।

ଗରିବୀ ଶବ୍ଦକୁ ମନ ଭିତରୁ ଭୁଲିଯିବା ପାଇଁ ବଡ଼ କୋଠା ଘର ତୋଳିଥିଲେ ଶେଷ କିଷାନ । ଭଉଣୀକୁ ଭଙ୍ଗା ଦଦରା ଘରୁ ବାହାର କରି କୋଠା ଘରଟିଏ ଦେବାକୁ ଇଚ୍ଛା କରିଥିଲେ । ହେଲେ ପକ୍କା ଘର ଶେଷ ପୂର୍ବରୁ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ଭଉଣୀ । ଯେଉଁଥିପାଇଁ ଏଇ ୩୦ ଲକ୍ଷ ଟଙ୍କାର ଘରକୁ ସେ ଗାଁ ପିଲାଙ୍କ ପାଇଁ ଦାନ କରିବାକୁ ଯାଉଛନ୍ତି ।

ପରିବାରରେ କେହି ନାହାଁନ୍ତି । ଭଗବାନ ୫ ଜଣଙ୍କୁ ନେଇଯାଇଥିଲେ ବି ଶେଷଙ୍କ ଆଖିରେ ଆଉ ଦୁଃଖ ନାହିଁ । କାରଣ ଭାଙ୍ଗି ପଡ଼ିଥିବା ଶେଷ ଏବେ ଖୁବ ଶକ୍ତ ହୋଇଯାଇଛନ୍ତି ।