ବିସ୍ଥାପିତଙ୍କୁ ପସନ୍ଦ ସରକାରଙ୍କ ‘ଲୋୟର ସୁକତେଲ୍’ ପ୍ଲାନ୍

1 min read

ବଲାଙ୍ଗୀର: ଶେଷ ପର୍ଯ୍ୟାୟରେ ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ । ଆଉ କିଛି ମାସ ପରେ ପ୍ରକଳ୍ପର ଲୋକାର୍ପଣ କରାଯିବ I ତା’ପୂର୍ବରୁ କେମିତି ଜଣେ ବି ପ୍ରକଳ୍ପ ବିସ୍ଥାପିତ ହକ୍ ପାଇବାରୁ ବଞ୍ଚିତ ନହୁଅନ୍ତି ସେନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମୀକ୍ଷା କରାଯାଉଛି I ବିସ୍ଥାପିତ କଲୋନୀରେ ସମସ୍ତ ସୁବିଧା ରହିଛି I ମଡେଲ କଲୋନୀରେ ପକ୍କା ରାସ୍ତା, ପାର୍କ, ସ୍କୁଲ, ଷ୍ଟ୍ରିଟଲାଇଟ ସହ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ୍ ପ୍ରଦାନ କରାଯିବ । ଭିଟାମାଟି ଛାଡିଥିବା ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯିବ । କ୍ଷତିପୂରଣ ନେଇ ନିଜେ ଥଇଥାନ ହେବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ୟାକେଜ୍ ଦିଆଯାଉଛି ।

ବଲାଙ୍ଗୀର, ସୋନପୁରର ହଜାର ହଜାର ହେକ୍ଟର ଜମିରେ ହସିବ ସୁନା ଫସଲ । ବିକାଶ ସାଙ୍ଗକୁ ବିସ୍ଥାପିତଙ୍କ ପାଇଁ ମଡେଲ୍ କଲୋନୀ । ବିସ୍ଥାପିତଙ୍କୁ ପସନ୍ଦ ସରକାରଙ୍କ ‘ଲୋୟର ସୁକତେଲ୍’ ପ୍ଲାନ୍ । ଜୋରସୋରରେ ଚାଲିଛି ଦୁଇ ଦଶନ୍ଧି ଧରି ବାଦ ବିବାଦରେ ଥିବା ବଲାଙ୍ଗୀରର ଲାଇଫଲାଇନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ । ବିସ୍ଥାପିତଙ୍କ ଆନ୍ଦୋଳନ ପ୍ରକଳ୍ପ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲା । ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ସମୀକ୍ଷା କରିବା ସହ ବିସ୍ଥାପିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ I ପରେ 5T ଅଧୀନକୁ ଆସିଥିଲା ପ୍ରକଳ୍ପ I ମୁଖ୍ୟ ଶାସନ ସଚିବ, 5T ସଚିବ ପ୍ରମୁଖ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସମୀକ୍ଷା କରିବା ସହ ବିସ୍ଥାପିତ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପରେ ସ୍ପିଲୱେ କାମ ପ୍ରାୟତଃ ସରିଥିବା ବେଳେ ସ୍ଲୁଇସ୍ ଗେଟ କାମ ଚାଲିଛି । ମାଟି କାମ ୯୦ ପ୍ରତିଶତ ଶେଷ ହୋଇଛି I ଆସନ୍ତା ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ଡେଡଲାଇନ ରହିଛି । ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ । ବଲାଙ୍ଗୀରବାସୀ ବିଶୁଦ୍ଧ ପିଇବା ପାଣି ପାଇବେ । ପ୍ରକଳ୍ପ କାମ ସହ ବିସ୍ଥାପିତଙ୍କୁ ଥଇଥାନ୍ କାମ ଚାଲିଛି । ପ୍ରାୟ ୧୨ ହଜାର ବିସ୍ଥାପିତ ପରିବାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ଟି ଥଇଥାନ କଲୋନୀ ଚିହ୍ନଟ କରାଯାଇଛି । ୭ଟି ମଡେଲ କଲୋନୀ କାମ ସମ୍ପୂର୍ଣ୍ଣ ହେବାକୁ ବସିଲାଣି I ଲର୍କିପାଲି, ସଦାଇପାଲି, ଖୁଜେନପାଲି, ହର୍ଡାଟାଲ, କୁସମେଳ, ବାଗଡିଆ, ଲଙ୍କାବାହାଲଠାରେ ଉନ୍ନତମାନର କଲୋନୀ କାମ ଚାଲିଛି ।

ଲୋୟର ସୁକତେଲ ପ୍ରକଳ୍ପ ଓ ବିସ୍ଥାପିତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତାକୁ ପ୍ରଶଂସା କରିଛନ୍ତି ବିସ୍ଥାପିତଙ୍କ ପ୍ରତିନିଧି ଓ PLRCC ସଦସ୍ୟ I 5T ସଚିବଙ୍କ ତତ୍ତ୍ଵାବଧାନରେ ଲୋୟର୍ ସୁକତେଲ ପ୍ରକଳ୍ପ କାମ ଚାଲିଛି I ଆଉ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ I ପ୍ରକଳ୍ପରେ ଉନ୍ନତମାନର ମାଟି କାମ ଚାଲିଥିବାରୁ ବନ୍ୟାରେ ମଧ୍ୟ ଆଡିବନ୍ଧରେ କୌଣସି ପ୍ରଭାବ ପଡିବନି । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ନିୟମିତ ଭାବେ ସମୀକ୍ଷା କରାଯାଉଛି I ୨୦୦୦ ମସିହାରୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା I ବିସ୍ଥାପିତଙ୍କ ଆନ୍ଦୋଳନ ଯୋଗୁଁ କାମ ଆଗେଇ ପାରୁନଥିଲା । ତେବେ ୨୦୧୯ରେ ପ୍ରକଳ୍ପ 5T ଅଧୀନକୁ ଆସିବା ପରେ କାମ ଜୋରସୋରରେ ଚାଲିଛି ।