ଧାମନଗର ଉପନିର୍ବାଚନ: କୁଆଡ଼େ ଗଲା କଂଗ୍ରେସ ଭୋଟ୍ ?

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଶିବିରରେ ହଲଚଲ । ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ରହିଥିବା କଂଗ୍ରେସ କାହିଁକି ପୂର୍ବ ଭୋଟ ବଜାୟ ରଖିପାରିଲାନି ତାହାକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ । କଂଗ୍ରେସ ଭୋଟ କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳର ବରିଷ୍ଠ ନେତାମାନେ । ଧାମନଗରରେ କଂଗ୍ରେସ ଭୋଟ ବିଜେପିକୁ ଯାଇଥିବା ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିବା ସହ ଏ ପ୍ରସଙ୍ଗ ପିସିସି ସଭାପତିଙ୍କୁ ଚିଠି ଲେଖି ଅବଗତ କରିବେ ବୋଲି କହିଛନ୍ତି ।

ଧାମନଗରରେ ଭୋଟକୁ ନେଇ କଂଗ୍ରେସରେ ଆରମ୍ଭ ହୋଇଛି ଅଙ୍କକଷା । ଧାମନଗରରେ କୁଆଡ଼େ ଗଲା କଂଗ୍ରେସ ଭୋଟ ? କାହିଁକି ଖସିଲା ପୂର୍ବ ନିର୍ବାଚନ ଭୋଟ ? ଉପନିର୍ବାଚନ ରେଜଲ୍ଟକୁ ନେଇ ଚାଲିଛି ପୋଷ୍ଟମର୍ଟମ । ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ହେଭିଓ୍ବେଟଙ୍କ ଚିନ୍ତା । ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ୭ ହଜାର ୩୦୩ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩ ହଜାର ୫୬୧ ଖଣ୍ଡ ଭୋଟ ।

ଭୋଟ କମିବାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି କୋଟାପୁଟ ବିଧାୟକ ତାରାପ୍ରସାଦ ବାହିନୀପତି । ବିଜେପିକୁ ଭୋଟ ବିକ୍ରି କରାଯାଇଥିବା ସେ ଖୋଲା ଅଭିଯୋଗ କରିଛନ୍ତି । କଂଗ୍ରେସର ନୈରାଶଜନକ ଫଳାଫଳକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ମୁହଁ ଖୋଲିଛନ୍ତି ତାରା । ଜାଣିଶୁଣି ଦଳୀୟ ଭୋଟକୁ ବିଜେପିକୁ କିଛି କୁଚକ୍ରୀ ଗୋଷ୍ଠୀ ବିକ୍ରି କରିଥିବା ତାରା ଅଭିଯୋଗ କରିଛନ୍ତି । ଶୀଘ୍ର ଏନେଇ ସେ ପିସିସି ସଭାପତିଙ୍କ ଚିଠି ଲେଖି ଅବଗତ କରାଇବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଦଳର ନୈରାଶଜନକ ପ୍ରଦର୍ଶନର ସମୀକ୍ଷା କରାଯାଇ ସଂଗଠନକୁ କିପରି ମଜଭୁତ କରାଯିବ ସେନେଇ ବିଧାୟକମାନେ ଦାବି କରିଛନ୍ତି ।

ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ଧାମନଗରରେ ଅମାନତ ହରାଇଥଲା । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଧାୟକ ସୁରେଶ ରାଉତରାୟ । ଯେଉଁମାନେ ନିର୍ବାଚନ ପରିଚାଳନା କରୁଛନ୍ତି ସେମାନେ ସମସ୍ତଙ୍କ ମତାମତକୁ ଗ୍ରହଣ କରିବାକୁ ସୁର ପରାମର୍ଶ ଦେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଦୁଇ ଅଙ୍କ ଛୁଇପାରି ନଥିଲା କଂଗ୍ରେସ । ଏହାପରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଦଳ ପ୍ରଦର୍ଶନ ବହୁତ ଖରାପ ରହିଛି । ଏପରି ସ୍ଥିତିରେ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଦଳୀୟ କର୍ମୀ ଓ ନେତାଙ୍କ ମନରେ ଆଶା ସଂଚାର କରିଥିବା ବେଳେ ଧାମନଗର ଫଳାଫଳ ଦେଇଛି ବଡ଼ ଝଟକା । ତେଣୁ ୨୦୨୪ରେ ଦଳ କିପରି ୯ରୁ ୯୦ ମିଶନ ସଫଳ କରିବ ତାକୁ ନେଇ ଠିଆ ହେଲାଣି ଅନେକ ପ୍ରଶ୍ନବାଚୀ ।