spot_img
Home Blog Page 3936

କାମ କଲାନି ବିଜେପି ଫର୍ମୁଲା, କେଜ୍ରିୱାଲଙ୍କ ବୖେଠକରେ ସାମିଲ ହେଲେ ୫୦ରୁ ଅଧିକ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ଉପରୁ ଟଳିଲା ସଙ୍କଟ। ସରକାର ଭାଙ୍ଗିବାକୁ ହୋଇଥିବା ଷଡ଼ଯନ୍ତ୍ର ଫେଲ୍। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବସିଥିବା ବିଧାୟକ ଦଳ ବୈଠକରେ ସାମିଲ ହେଲେ ୫୪ ବିଧାୟକ। ଏହାସହ ୭ ଜଣ ବିଧାୟକଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ ହୋଇଛି। ତେବେ ବିଧାୟକ ମାନଙ୍କୁ କୋଟି କୋଟି ଟଙ୍କାର ଅଫର ଦେଇ ଦିଲ୍ଲୀ ସରକାର ଭାଙ୍ଗିବାକୁ ବିଜେପି ଅପଚେଷ୍ଟା କରୁଥିବା କହି ବର୍ଷିଛନ୍ତି ଆପ୍ ବିଧାୟକ ଆତିଶି ।

ଝାଡୁ ଛାଡ଼ି ଫୁଲ ଧରିବାକୁ ବିଜେପି ଆପ୍ ବିଧାୟକଙ୍କୁ ୨୦ କୋଟିର ଅଫର ଦେଇଥିଲା । ଏ ନେଇ ଗତକାଲି ଆପ୍ ପ୍ରେସମିଟ କରି ବିଜେପିକୁ ଟାର୍ଗେଟ କରିଥିବା ବେଳେ ଆଜି ଆପ୍ ର ବିଧାୟକ ଦଳ ବୈଠକ ଡାକିଥିଲେ ଅରବିନ୍ଦ କେଜରିଓ୍ବାଲ ।

୧୫ ଦିନ ପରେ ଆଖି ଖୋଲିଲେ ରାଜୁ, କାମ ଦେଲା ବିଗ୍‌ ବିଙ୍କ ମୋଟିଭେସନାଲ ସ୍ପିଚ୍

ନୂଆଦିଲ୍ଲୀ: ଅମିତାଭଙ୍କ ସ୍ବର ଶୁଣି ଉଠିଲେ କି ରାଜୁ ? କାମ ଦେଲା ବିଗ ବିଙ୍କ ମୋଟିଭେସନାଲ ସ୍ପିଚ୍ ?  ୧୫ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଜୁଙ୍କର ଆଜି ଚେତା ଫେରିଛି । ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ଅମିତାଭ ବଚ୍ଚନଙ୍କ ଡାକ ଶୁଣି ସେ ଆଖି ଖୋଲିଥିବା କୁହାଯାଉଛି । ରାଜୁ ଶ୍ରୀବାସ୍ତବ ଆଶୁ ଆରୋଗ୍ୟ କାମନା କରି ବିଗ୍ ବି ଏକ ଭଏସ ମେସେଜ ପଠାଇଥିଲେ ।

ଗତ ୨ ଦିନ ଧରି ରାଜୁଙ୍କୁ ଅମିତାଭ ବଚ୍ଚନଙ୍କ ଭଏସ୍ ମେସେଜ ଶୁଣାଯାଉଥିଲା । ଶେଷରେ ତାଙ୍କ ଭଏସ ଶୁଣି ରାଜୁଙ୍କ ଚେତା ଫେରିଥିବା କୁହାଯାଉଛି । ଅଗଷ୍ଟ ୧୦ ତାରିଖରେ ଜିମରେ ବ୍ୟାୟାମ କରୁଥିବା ବେଳେ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ହୋଇଥିଲା । ତାଙ୍କୁ ଦିଲ୍ଲୀର ଏମ୍ସରେ ଭେଣ୍ଟିଲିଟର ସପୋର୍ଟରେ ରଖାଯାଇଥିଲା ।

ସମଲେଇ ପୀଠରେ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍ । କେତେବାଟ ଆଗେଇଛି ପଶ୍ଚିମ ଓଡିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାମ । ଏଥିସହିତ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି।

ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର ପ୍ରତୀକ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାମର ସମୀକ୍ଷା କରିଛନ୍ତି ଉଭୟ ସଚିବ । ମନ୍ଦିର ସୌନ୍ଦଯ୍ୟକରଣର ସମୀକ୍ଷା କରିଛନ୍ତି । ଆସନ୍ତାବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ଏହି ଡ୍ରିମ ପ୍ରୋଜେକ୍ଟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ ହେଉଛି । ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତର କରି ଦୁର୍ଗାପାଲିର ଏକ କଲୋନୀରେ ଲୋକଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ହୋଇଛି ।

ଏହା ପୂର୍ବରୁ ପ୍ରଥମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍ ଭିସୁଟ ଯାଇ ଏହାର ରୂପାନ୍ତରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଭିସୁଟର ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ । ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ସ୍କୁଲ ରେଜଲ୍ଟ ଭଲ ହେବା ନେଇ ଶିକ୍ଷକ ଓ ଛାତ୍ରଙ୍କଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ଦେଉନି ଅନୁଦାନ; ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ପିଏଫଏମଏସ ବାହାନା। କେନ୍ଦ୍ର ଦେଉନି ମଧ୍ୟାହ୍ନ ଭୋଜନ ଅନୁଦାନ। ରାଜ୍ୟ ସରକାର ବହନ କରିବେ ସବୁ ବ୍ୟୟ। ବିଭିନ୍ନ ଆକାଉଣ୍ଟକୁ ଯିବ ପ୍ରାୟ ୨ଶହ କୋଟି ଟଙ୍କା । ଆସନ୍ତା ସପ୍ତାହେ ସୁଦ୍ଧା ମିଳିପାରେ ଏହି ବକେୟା ଅର୍ଥ। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି।

କିନ୍ତୁ ୫ ମାସ ହେବ ସୃଷ୍ଟି ହୋଇଛି ଅଚଳାବସ୍ଥା। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ପରି ସିଙ୍ଗଲ ୱିଣ୍ଡୋକୁ ବାହାନା କରି କେନ୍ଦ୍ର ସରକାର ଏ ବାବଦରେ ଯୋଗାଇ ଦେଉଥିବା ସହାୟତା ରାଶି ପ୍ରଦାନରେ ବିଳମ୍ବ କରିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସମସ୍ୟା ଉପୁଜିଛି । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ନିଜସ୍ବ ପ୍ରୟାସରେ କାର୍ଯ୍ୟକ୍ରମକୁ ଚାଲୁ ରଖିଛନ୍ତି। ବକେୟା ଅର୍ଥ ପ୍ରଦାନ ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରିବା ସତ୍ତ୍ବେ ଏଥିପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି ।

କେନ୍ଦ୍ରର ଉଦାସିନତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ବାବଦ ସମସ୍ତ ବ୍ୟୟ ନିଜେ ବହନ କରିବେ । ଏଥିସହ ୫ ମାସର ବକେୟା ଦେୟ ନିଜସ୍ବ ପାଣ୍ଠିରୁ ଭରଣା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲରୁ କେନ୍ଦ୍ର ସରକାର ଏବାବଦ ଦେୟ ଦେଉନଥିବାରୁ ଚଳିତ ଆର୍ଥିକ ବର୍ଷରୁ ଶିକ୍ଷକ ନିଜ ପକେଟରୁ ମଧ୍ୟାହ୍ନ ଭୋଜନ ଅର୍ଥ ଭରଣା କରୁଛନ୍ତି । ସରକାର ନିଜର ୪୦ ପ୍ରତିଶତ ଆର୍ଥିକ ଅନୁଦାନ ସହ କେନ୍ଦ୍ରର ୬୦ପ୍ରତିଶତ ଅର୍ଥକୁ ମିଶାଇ ଦେବେ । କେନ୍ଦ୍ର ଅର୍ଥ ଦେଲେ ଭରଣା ହେବ । ଆସନ୍ତା ସପ୍ତାହେ ସୁଦ୍ଧା ସ୍କୁଲର ଆକାଉଣ୍ଟରେ ଅର୍ଥ ଜମା କରିବାକୁ ଲକ୍ଷ ରଖିଛନ୍ତି ସରକାର ।

ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବେକରେ ଦଉଡି ଲଗାଇ ମହିଳା ଜଣଙ୍କ ଝୁଲି ପଡ଼ିଥିବା ସୂଚନା ମିଳିଛି । ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପାରମିତା କର। ତାଙ୍କ ବୟସ ୩୩ ବର୍ଷ, ଘର ଭୁବନେଶ୍ବର ରସୁଲଗଡ଼ ଭାଗବତ ସନ୍ଧାନ ଅଞ୍ଚଳରେ ବୋଲି ଜଣାପଡିଛି।

ରାତିରେ ସାମ୍‌ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ପ୍ରଜ୍ଞା ଜୀବନ ହାରିଥିବା ଅଭିଯୋଗ ହୋଇଛି।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ ବଢ଼ିଲା, ଯାଇପାରେ ବିଧାନସଭା ସଦସ୍ୟତା

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ । ଅଫିସ ଅଫ ପ୍ରଫିଟ ମାମଲାରେ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଚିଠି ଲେଖିଛି । ଯାହା ଫଳରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ବିପଦ ପଡ଼ିଥିବା ଚର୍ଚ୍ଚା ହେଉଛି ।

ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ଦ୍ୱିପ୍ରହର ସମୟରେ ଦିଲ୍ଲୀରୁ ରାଞ୍ଚି ଫେରିବେ । ରାଜ୍ୟପାଳ ଫେରିବା ପରେ ନିର୍ବାଚନ ଆୟୋଗଙ୍କ ଚିଠି ଖୋଲାଯିବ । ଯାହାପରେ ହେମନ୍ତଙ୍କୁ କ୍ଲିନଚିଟ୍ ମିଳିବ କି ତାଙ୍କ ସଦସ୍ୟତା ରଦ୍ଦ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

ରାଞ୍ଚିର ଅନଗଡ଼ାରେ ଖଣି ଖନନ ଲିଜ ହେମନ୍ତ ନିଜ ନାଁରେ ନେଇଥିବା ଅଭିଯୋଗ କରିଥିଲେ ବିଜେପି ନେତା । ସେ ସମୟରେ ସୋରନଙ୍କ ପାଖରେ ଖଣି ମନ୍ତ୍ରଣାଳୟ ରହିଥିଲା । ନିକଟରେ ଇଡ଼ି ଖଣି ସଚିବ ପୂଜା ସିଂଘଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି । ଯିଏକି ଖଣିର ଲାଇସେନ୍ସ ପ୍ରଦାନ କରିଥିଲେ ।

ଏହି ଘଟଣାରେ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ବିଜେପି ନେତା।  ଯେଉଁ ମାମଲାରେ ଅଗଷ୍ଟ ୧୮ ତାରିଖରେ ଶୁଣାଣି ହୋଇଥିଲା । ଏହି ମାମଲାରେ ଏବେ ନିର୍ବାଚନ ଆୟୋଗ ନିଜ ରାୟକୁ ରାଜ୍ୟପାଳଙ୍କୁ ପଠାଇଛି ।

ମନି ଲଣ୍ଡରିଂ ଆକ୍ଟରେ ଇଡିକୁ ସ୍ୱତନ୍ତ୍ର ଅଧିକାର, ପୁନଃ ସମୀକ୍ଷା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟରେ ଇଡି ଅଧିକାରୀଙ୍କୁ ଦିଆଯାଇଥିବା ସ୍ବତନ୍ତ୍ର ଅଧିକାରକୁ ନେଇ ଗୁରୁବାର ଦିନ ଆଉ ଥରେ ସମୀକ୍ଷା କରିବେ ସୁପ୍ରିମକୋର୍ଟ। ସ୍ବତନ୍ତ୍ର ଅଧିକାର ଅନୁସାରେ, ଇଡିର ଅଧିକାରୀମାନେ ପୋଲିସ୍ ନ‌ ହୋଇଥିଲେ ବି ଅର୍ଥ ‌ହେରଫେର ମାମଲାରେ ଅଭିଯୁକ୍ତକୁ ଗିରଫ କରିପାରିବେ। ଗିରଫ ସମୟରେ କାରଣ ପ୍ରକାଶ କରିବାକୁ ସେମାନେ ବାଧ୍ୟ ନୁହନ୍ତି । ଏମିତିକି ଇସିଆଇଆର ବା ଏନଫୋର୍ସମେଣ୍ଟ କେସ୍‌ ଇନଫରମେସନ ରିପୋର୍ଟ କପି ଦେବାକୁ ମଧ୍ୟ ବାଧ୍ୟ ନୁହେଁ । ଏଭଳି ରାୟ ଦେଇ ସୁପ୍ରିମକୋର୍ଟ ଇଡିକୁ ଆହୁରି ସଶକ୍ତ କରିଥିଲେ।

କିନ୍ତୁ ଏହି ରାୟ ବିରୋଧରେ ଅନେକ ଆବେଦନ ହେବାରୁ କୋର୍ଟ ଏହାକୁ ଆଉ ଥରେ ବିଚାରବିମର୍ଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଦ୍ବାରା ବେଶୀ ବିରୋଧୀ ଦଳ ନେତା ମାନେ ଆକ୍ରୋଶର ଶିକାର ହେବେ ବୋଲି ଆବେଦନ ହୋଇଥିଲା। କୌଣସି ଘଟଣାର ମିଛ କଣ ସତ କଣ ଜାଣିବା କଷ୍ଟକର ହୋଇପଡିବ । ପୂର୍ବରୁ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟରେ ୩ ଜଣ ବିଚାରପତିଙ୍କୁ ନେଇ ଏକ ବେଞ୍ଚ୍‌ ଗଠନ ହୋଇଥିଲା ।

ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା: ଖଲାସ ପରେ ପୁଣି ଜେଲକୁ ଯିବେ କି ଅଭିଯୁକ୍ତ?

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ମୁକ୍ତ କରିବା ଘଟଣାକୁ ନେଇ ବଢୁଛି ବିବାଦ ।  ଏ ନେଇ ସୁପ୍ରିମକୋର୍ଟରେ ଦାଏର ପିଟିସନର ଆଜି ଶୁଣାଣି କରିବେ ଖଣ୍ଡପୀଠ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ବଳାତ୍କାର ମାମଲାରେ ଦୋଷୀଙ୍କୁ କିପରି ଜେଲରୁ ମୁକ୍ତ କରାଗଲା ତାକୁ ନେଇ ଟିଏମସି ଏମପି ମହୁଆ ମଇତ୍ରୋ, ସିପିଆଇଏମର ସୁବାଷିନୀ ଅଲ୍ଲୀଙ୍କ ବ୍ୟତୀତ ଅନ୍ୟ ମହିଳା ଅଧିକାର କର୍ମୀ ପିଟିସନ ଦାଏର କରିଥିଲେ ।

ସୂଚନା ଅନୁଯାୟୀ,  ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ୫ ମାସର ଗର୍ଭବତୀ ଥିବା ବିଲକିସ ବାନୋ । ଏହା ସହ ତାଙ୍କର ୩ ବର୍ଷର ଶିଶୁକନ୍ୟାଙ୍କ ସମେତ ପରିବାରର ୭ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୦୮ ଜାନୁଆରୀ ୨୧ରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ମୋଟ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ପରେ ବମ୍ବେ ହାଇକୋର୍ଟ ଏହି ରାୟକୁ କାଏମ ରଖିଥିଲେ । ଫଳରେ ସମସ୍ତ ଅଭିଯୁକ୍ତ ଗୋଧ୍ରା ସବଜେଲରେ ରହିଥିଲେ ।

କିନ୍ତୁ ଗତ ଅଗଷ୍ଟ ୧୫ ତାରିଖରେ ଗୁଜରାଟ ସରକାର ସ୍ବତନ୍ତ୍ର ନୀତିକୁ ଆଧାର କରି ସେମାନଙ୍କୁ ମୁକ୍ତ କରିଦେଇଥିଲେ। ସେତେବେଳେ ସିବିଆଇ ଏହି ମାମଲାର ତଦନ୍ତ ଭାର ନେଇଥିଲା । ମାତ୍ର କେନ୍ଦ୍ର ସରକାରଙ୍କ ସହମତି ବିନା ଗୁଜରାଟ ସରକାର ଏଭଳି ଦୋଷୀଙ୍କୁ ମୁକ୍ତ କରିବାର କୌଣସି ଅଧିକାର ନାହିଁ ବୋଲି ପିଟିସନରେ ଦର୍ଶାଯାଇଛି ।

ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ଘଟଣା, ମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି

ଦେବଗଡ଼: ଦେବଗଡ଼ ତିଳେଇବଣି ବ୍ଲକ ସ୍ଥିତ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଘଟଣା । ମନ୍ତ୍ରୀ ବାସନ୍ତି ହେମ୍ରମଙ୍କ ଦୃଷ୍ଟି ଆକର୍ଷଣ କଲେ ପୀଡିତା ଛାତ୍ରୀ ଓ ଅଭିଭାବକ । ଏହାସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗତକାଲି ପ୍ରାର୍ଥନା ଶ୍ରେଣୀରେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବିନା କାରଣରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ଏକ ବାଉଁଶ ବାଡ଼ିରେ ନିର୍ଧୁମ ମାଡ଼ ମାରିଥିଲେ ।

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଏକାଧିକ ଛାତ୍ରୀ ଆହତ ହୋଇଥିବାବେଳେ ସନ୍ଧ୍ୟାରେ ଛାତ୍ରୀଙ୍କ ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ । ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆଇସିୟୁକୁ ସ୍ଥାନାନ୍ତର

କଟକ: କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ। ଜୟପୁରରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ କଟକ ଅଣାଯାଇଛି। ଆଇସିୟୁରେ କମଳାଙ୍କ ଚିକିତ୍ସା ଜାରି ରହିଛି । ସୂଚନା ଅନୁଯାୟୀ, ମାସେ ତଳେ ଅସୁସ୍ଥ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କମଳା। ପରେ ସୁସ୍ଥ ହେବାରୁ ଘରକୁ ଫେରିଥିଲେ।

ହେଲେ ଗତ ରବିବାର ଦିନ ପୁଣି ଅସୁସ୍ଥ ହୋଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଜର ସହ ଝାଡା ବାନ୍ତି ହେବାରୁ ଚିକିତ୍ସା କରାଯାଉଥିଲା । ହେଲେ କମଳା ପୂଜାରୀ ଗୁରୁତର ଭାବେ କିଡନୀ ରୋଗରେ ପୀଡିତ ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି