spot_img
Home Blog Page 3937

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ସମ୍ବଲପୁର: କେତେବାଟ ଆଗେଇଛି ପଶ୍ଚିମ ଓଡିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାମ । ଏହି ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍।

ସୂଚନା ଅନୁଯାୟୀ, ପ୍ରଥମେ ଭିସୁଟ ଯାଇ ଏହାର ରୂପାନ୍ତରଣ ସମ୍ପର୍କରେ ଅନୁଧ୍ୟାନ କରିବେ । ପରେ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ଓ ଲେଡି ଲୁଇସ ସ୍କୁଲ୍ ରୂପାନ୍ତରଣ ବୁଲି ଦେଖିବେ । ଏହାପରେ ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିବା ସହିତ ମନ୍ଦିରର ସୌନ୍ଦଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବେ । ଆସନ୍ତା ବର୍ଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର ଏହି ଡ୍ରିମ ପ୍ରୋଜେକ୍ଟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି।

ସେହିପରି ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତରଣ କରି ଦୁର୍ଗାପାଲିଠାରେ ଏକ କଲୋନୀରେ ଅବସ୍ଥାପିତ କରାଯିବାର ବ୍ୟବସ୍ଥା ହୋଇଛି। ମନ୍ଦିରର ବିକାଶ କାର୍ଯ୍ୟର ଅନୁଧ୍ୟାନ ପରେ ଭିସୁଟ ପରିଦର୍ଶନରେ ଯିବେ ସିଏସ ଓ ଫାଇବ ଟି ସଚିବ।

ଆଜିଠୁ ରାଜ୍ୟରେ ବଦଳିବ ପାଗ, ବର୍ଷାରେ ଲାଗିବ ବ୍ରେକ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଦଳିବ ପାଗ । କାଲିଠୁ ବର୍ଷାରେ ଲାଗିବ ବ୍ରେକ୍ । ଆଜି କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜି ୨ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାଛଡ଼ା ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ ରହିବ । ୨୯ ତାରିଖ ପର୍ଯ୍ୟନ୍ତ କେବଳ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷା ହୋଇପାରେ । ଅନ୍ୟ ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ।

ପାକିସ୍ତାନର ମାଷ୍ଟର ପ୍ଲାନ ହେଲା ଫେଲ୍, ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ପଠାଇଥିଲା ଆତଙ୍କବାଦୀ

ନୂଆଦିଲ୍ଲୀ: ଏଲଓସି ନିକଟରେ ଧରାପଡିଥିବା ଆତଙ୍କବାଦୀ ଖୋଲିଲା ପାକିସ୍ତାନର ଗୁମର । ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ସେନାର କର୍ଣ୍ଣେଲ ୟୁନୁଷ ଚୌଧୁରୀ ପଠେଇଥିବା ସ୍ୱିକାର କରିଛି ଧରାପଡିଥିବା ଆତଙ୍କବାଦୀ । ଆତଙ୍କବାଦୀର ପରିଚୟ ତବାରକ ହୁସେନ । ପିଓକେର କୋଟଲି ଏରିଆରେ ତାର ଘର । ଆଉ ୪ ଜଣ ଆତଙ୍କବାଦୀଙ୍କ ସହ ଭାରତରେ ପ୍ରବେଶ କରିଥିଲା । ସେମାନେ ଲୁଚି ଛପି ସୀମା ଭିତରକୁ ପ୍ରବେଶ କରୁଥିବାବେଳେ ଭାରତୀୟ ସେନା ଗୁଳି ମାଡ଼ କରିଥିଲେ । ଏଥିରେ ତବାରକ ହୁସେନ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଆତଙ୍କବାଦୀ ମାନେ ଖସିଯିବାରେ ସକ୍ଷମ ହୋଇଥିଲେ । ଏହି ଆକ୍ରମଣ କରିବା ପାଇଁ ସେମାନଙ୍କୁ ୩୦ ହଜାର ଟଙ୍କା ମିଳିଥିଲା । ୨୦୧୬ରେ ମଧ୍ୟ ଆକ୍ରମଣ ପାଇଁ ଯୋଜନା ହୋଇଥିଲେ ବି ପଣ୍ଡ ହୋଇଥିଲା ବୋଲି ସ୍ବିକାର କରିଛି ଆତଙ୍କବାଦୀ ତବାରକ ହୁସେନ୍‌ । ସବୁଠାରୁ ବଡ଼ କଥା ହେଲା ଯେଉଁ ଭାରତୀୟ ସେନାଙ୍କୁ ମାରିବା ପାଇଁ ତବାରକ ଭାରତ ଆସିଥିଲା । ସେହି ଭାରତୀୟ ସେନା ହିଁ ରକ୍ତଦାନ କରି ଆତଙ୍କବାଦୀର ଜୀବନ ବଞ୍ଚେଇଛନ୍ତି ।

ଇଡି ଚଢ଼ାଉ ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଘରୁ ମିଳିଲା AK-47 ରାଇଫଲ୍

ରାଞ୍ଚି: ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଢାରଖଣ୍ଡର ରାଜଧାନୀ ରାଞ୍ଚିରେ ଚଢ଼ାଉ ବେଳେ ଏକ ଘରୁ ଦୁଇଟି ଏକେ-୪୭ ରାଇଫଲ ଜବତ କରିଛି । ଯେଉଁ ଘରୁ ଏକେ-୪୭ ରାଇଫଲ ମିଳିଛି ତାହା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କର ବୋଲି ଜଣାପଡ଼ିଛି। ତେବେ ଏହି ରାଇଫଲ କେଉଁଠୁ ଆସିଲା ଏବଂ ଏହାକୁ ବେଆଇନ ଭାବେ ଅଣାଯାଇଛି କି ନାହିଁ  ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏ ନେଇ ପ୍ରେମ ପ୍ରକାଶ କିମ୍ବା ମୁଖ୍ୟମନ୍ତ୍ରୀ ସୋରେନ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।  ସୂଚନା ଅନୁଯାୟୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଝାଡ଼ଖଣ୍ଡ ସମେତ ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆରର ୨୦ଟି ସ୍ଥାନରେ ଚଢ଼ାଉ କରିଛି।

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ସୋରେନଙ୍କ ରାଜନୈତିକ ସହାୟକ ପଙ୍କଜ ମିଶ୍ରଙ୍କ ସହଯୋଗୀ ବଚ୍ଚୁ ଯାଦବ ଇଡିଙ୍କୁ ଦେଇଥିବା ବୟାନ ଆଧାରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା । ବଚ୍ଚୁ ଯାଦବ ବର୍ତ୍ତମାନ ଜେଲରେ ଅଛନ୍ତି। ଏହା ପୂର୍ବରୁ ଜୁଲାଇ ୮ରେ ପଙ୍କଜ ମିଶ୍ର ଏବଂ ତାଙ୍କ ସହଯୋଗୀଙ୍କ ଉପରେ ଇଡି ଝାଡଖଣ୍ଡର ୧୯ଟି ସ୍ଥାନ ଉପରେ ଚଢ଼ାଉ କରିଥିଲା। ଜଣାଇଦେବାକୁ ଚାହୁଁ ଯେ ଗତ ମାର୍ଚ୍ଚରେ ପଙ୍କଜ ମିଶ୍ର ଏବଂ ଅନ୍ୟମାନଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହେଇଛି ।

ନବୀନ କରିବେ ହିସାବ ନିକାଶ, କେଉଁ ଯୋଜନା କେତେ ସଫଳ ହୋଇଛି ମନ୍ତ୍ରୀ ପରିଷଦ, ବିଧାୟକଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ନବୀନ କରିବେ ହିସାବ ନିକାଶ । କେଉଁ ଯୋଜନା କେତେ ସଫଳ । ଫ୍ଲାଗସିପ ଯୋଜନାର ସଫଳତା ପର୍ସେଣ୍ଟଜ କେତେ? ସମାଜର ସବୁଠାରୁ ତଳସ୍ତରରେ ରହୁଥିବା ଲୋକଟି ସରକାରୀ ସୁବିଧା ପାଉଛି କି ନାହିଁ? କୋଭିଡ ପାଇଁ ଫୋକସରୁ ହଟିନି ତ ଉନ୍ନୟନ କାମ? ଏସବୁର ଉତ୍ତର ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପରିଷଦ, ବିଧାୟକଙ୍କ ସହ ଆଲୋଚନା କରିବେ । ଯୋଜନା ରୂପାୟନ ଓ ସମ୍ମନ୍ୱୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନବୀନ ଆସନ୍ତା ୨୮ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁମନ୍ତ୍ର ଦେବେ । ବୈଠକରେ ନିର୍ବାଚନ ଇସ୍ତାହାରକୁ ଅକ୍ଷର ଅକ୍ଷର ପାଳନ କରାଯିବ ସହ ପ୍ରଶାସନକୁ କିପରି ଆହୁରି ଅଧିକ ଲୋକାଭିମୁଖୀ କରାଯିବ ସେନେଇ ପ୍ରସ୍ତୁତ ହେବ ରୋଡମ୍ୟାପ । କଳିଙ୍ଗ ଷ୍ଟାଡ଼ିୟମରେ ଏନେଇ ମାନସ ମଥଂନ କରାଯିବ ।

ଟ୍ରେନିଂ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ ଯୋଜନା, କାଳିଆ, ବିଜୁ ପକ୍କାଘର, ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମୁକ୍ତା, ଜାଗା ମିଶନ, ମମତା, ହରିଶ୍ଚନ୍ଦ୍ର, ବଳରାମ, ମିଲେଟ ମିଶନ ଆଦି ଉପରେ ବିଧାୟକମାନଙ୍କର ଫିଡବ୍ୟାକ୍ ନେବେ। ସେହିପରି ଫ୍ଲାଗସିପ୍ ଯୋଜନା ଭାବେ ମିଶନ ଶକ୍ତି କାର୍ଯ୍ୟକାରିତା ଓ ସଫଳତା ଉପରେ ମଧ୍ୟ ବିଧାୟକଙ୍କ ମତାମତ ନେବେ। ଏହାସହ ମନ୍ତ୍ରୀମାନେ ମଧ୍ୟ ନିଜ ବିଭାଗକୁ ନେଇ ଆଗମୀ ଦିନରେ କଣ କଣ କରିବାକୁ ଯାଉଛନ୍ତି ଓ କେଉଁକାମ ବାକି ରହିଛି ତାହା ଉପରେ ମଧ୍ୟ ଆଲୋଚନା କରିବେ।  ୨୦୧୯ରେ ଶାସନ ବ୍ୟବସ୍ଥାରେ ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ଫାଇଭ-ଟିରେ ସ୍କୁଲ ରୂପାନ୍ତରରଣ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ମଧ୍ୟ ନବୀନ ଗୁରୁମନ୍ତ୍ର ଦେବେ।

ପ୍ରକାଶ ପାଇଲା ରାଜ୍ୟର ୫ଟି ଖଣି ନିଲାମୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟର ୫ଟି ଖଣି ନିଲାମୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖଣି ବିଭାଗ ପକ୍ଷରୁ କେନ୍ଦୁଝର, କଳାହାଣ୍ଡି, ବୌଦ୍ଧ, ମୟୁରଭଞ୍ଜ ଜିଲ୍ଲାର ୫ଟି କ୍ୱାର୍ଜବ ଓ କ୍ୱାର୍ଜାଇଟ ଖଣି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ସବୁ ଖଣିରେ ପ୍ରାୟ ୩୦ ଲକ୍ଷ ଟନ କ୍ୱାର୍ଜ ଓ କ୍ୱାର୍ଜାଇଟ ମହଜୁଦ ରହିଛି । ଟେଣ୍ଡର ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୧୭ ରଖାଯାଇଛି । ଏହି ୫ ଖଣି ବ୍ୟତୀତ ଆହୁରି ୧୨ଟି ସ୍ୱତନ୍ତ୍ର ପଥର ଥିବା ଖଣି ନିଲାମୀ ପାଇଁ ଖୁବ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ । ଚଳିତ ବର୍ଷ ୧୨ଟି ଲୁହାପଥର, ବକ୍ସାଇଟ ଓ ମାଙ୍ଗାନିଜ ଖଣି ନିଲାମୀ ପାଇଁ ପ୍ରସ୍ତୁତ ଥିବା ବେଳେ ଏହାର ପ୍ରକ୍ରିୟା ମଧ୍ୟ କରାଯାଇଛି।

 

ହୀରାକୁଦ ବନ୍ଧର ସୁରକ୍ଷା ପ୍ରସଙ୍ଗରେ ପୂର୍ଣ୍ଣଛେଦ, ବନ୍ଧ ପାଇଁ ଏବେ କୌଣସି ବିପଦ ନାହିଁ

ସମ୍ବଲପୁର: ହୀରାକୁଦ ବନ୍ଧର ସୁରକ୍ଷାକୁ ନେଇ ଉଠୁଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ। ବନ୍ଧ ପାଇଁ ଏବେ କୌଣସି ବିପଦ ନାହିଁ । ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ହେଉଥିବା ନିୟମିତ ଚିଠି ଆଦାନପ୍ରଦାନ ପ୍ରକ୍ରିୟାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଉଛି। ନଦୀବନ୍ଧର ଯାଞ୍ଚ ପାଇଁ ଡ୍ୟାମ ସେଫଟି ରିଭ୍ୟୁ ପ୍ୟାନେଲକୁ କରାଯାଇଥିବା ଅନୁରୋଧ ଉପରେ ଡ୍ୟାମ ସେଫ୍ଟି ମୁଖ୍ୟଯନ୍ତ୍ରୀ କିଛି ତଥ୍ୟ ମାଗିଛନ୍ତି। ମହାନଦୀ ବେସିନ ପକ୍ଷରୁ ଏହିସବୁ ତଥ୍ୟ ଉପସ୍ଥାପନା କରାଯିବା ପରେ ଡିଏସଆରପି ଟିମ୍ ଯାଞ୍ଚ ପାଇଁ ଅନୁମତି ଦେବେ। ୧୯୯୫ ପରେ ନଦୀବନ୍ଧରେ ଆଉ କୌଣସି ବଡ ଫାଟ ଦେଖାଦେଇନାହିଁ। ତେଣୁ ଯାଞ୍ଚର ଆବଶ୍ୟକତା ପଡିନଥିଲା। ତେବେ ୨୦୧୫ ଓ ୨୦୧୬ରେ ମୁମ୍ବାଇର ଏକ ବିଶେଷଜ୍ଞ ଟିମ ଜରିଆରେ ସ୍ପିଲୱେ ଓ ଉଭୟ ପାର୍ଶ୍ୱ ଫାଟକର ଯାଞ୍ଚ କରାଯାଇଥିଲା। ସେ ସମୟରେ ଫାଟ ନୁହେଁ ବନ୍ଧରେ ଚୁନ ଖସିଥିବା ଜଣାପଡିଥିଲା।

ଗତ ୧୬ ତାରିଖରେ ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡ୍ୟାମ ସୁରକ୍ଷା ମୁଖ୍ୟଯନ୍ତ୍ରୀ। ୧୯୯୯ରେ ଶେଷ ଥର ପାଇଁ ରୋବଟ୍ ମାଧ୍ୟମରେ ନଦୀବନ୍ଧ ଫାଟର ତଦାରଖ କରାଯାଇଥିଲା। ସେତେବେଳେ ଜଳଭଣ୍ଡାର ଭିତରୁ ରୋବଟ୍ ମାଧ୍ୟମର ଭିଡିଓଗ୍ରାଫି କରାଯାଇଥିଲା। ଜାନୁଆରୀ ୨୦୨୦ରେ ଡ୍ୟାମ ସେଫ୍ଟି ରିଭ୍ୟୁ ପ୍ୟାନେଲ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିଥିଲେ। ସେ ସମୟରେ ଡିଏସ୍ଆରପି ବନ୍ଧର ଅପରେସନ୍ ଗ୍ୟାଲେରୀରେ ଫାଟ, ଫାଉଣ୍ଡେସନ୍ ସ୍ଲୁଇସ ବ୍ୟାରେଲ୍ ଏବଂ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବର ଅଧିକ ଅନୁଧ୍ୟାନ ପାଇଁ ପ୍ରସ୍ତାବ ଦେଇଥିଲେ। ବନ୍ଧରେ ଥିବା ଫାଟ ମ୍ୟାପିଂ କରି ମରାମତି ସମ୍ପର୍କିତ ରେକର୍ଡ ରଖିବାକୁ ପରାମର୍ଶ ଦେଇଛନ୍ତି ନଦୀବନ୍ଧ ସୁରକ୍ଷା ମୁଖ୍ୟ ଯନ୍ତ୍ରୀ ଶିବାଶିଷ ପାଢୀ। ପ୍ରତି ୫ବର୍ଷରେ ଥରେ ସର୍ଭେ ମାଧ୍ୟମରେ ଫାଟ ସମ୍ପର୍କରେ ଯାଞ୍ଚ କରି ତାର ରେକର୍ଡ ରଖିବା ପାଇଁ କୁହାଯାଇଛି। ନଦୀବନ୍ଧର ଡ୍ରୋନ ସର୍ଭେ ସହିତ ଡାଇନଷ୍ଟ୍ରିମରେ ଫାଟ ଅଛି କି ନାହିଁ ତାର ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଥିଲା। ସ୍ପିଲ୍ ଓ୍ବେର ପାଣି ତଳେ ଭିଡିଓଗ୍ରାଫି କରିବା ପାଇଁ କୁହାଯାଇଥିଲା। ଗେଟ୍ ଅପରେସନ୍ ଗ୍ୟାଲେରୀ ନିକଟରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା ତାର ନିୟମିତ ଯାଞ୍ଚ ସାଙ୍ଗକୁ ନଦୀବନ୍ଧରେ ଜମା ହେଉଥିବା ପଟୁ ନେଇ ସର୍ଭେ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ହୀରାକୁଦ ଡ୍ୟାମ ପ୍ରତି ବିପଦ ନାହିଁ। ସୁରକ୍ଷା ଯାଞ୍ଚ ଏକ ନିୟମିତ ପ୍ରକ୍ରିୟା। ଡ୍ୟାମରେ ଛୋଟ ଛୋଟ ଫାଟ ହୁଏ । ତାହାକୁ ମରାମତି ମଧ୍ୟ କରାଯାଏ। ପ୍ରତି ୫ବର୍ଷରେ ଡ୍ୟାମର ସର୍ଭେ ହୁଏ । ଆଗରୁ ମଧ୍ୟ ସର୍ଭେ କରାଯାଇଛି ଏବେ ଆଉଥରେ ଡ୍ରୋନ୍ ମାଧମରେ କରାଯିବା ଉଚିତ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ୨୦୨୧, କ୍ରିକେଟ ତାରକା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପୁରସ୍କାର

ଭୁବନେଶ୍ୱର: ୨୦୨୧ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । କ୍ରିକେଟ ତାରକା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ପୁରସ୍କାର ଘୋଷଣା ହୋଇଛି । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା, କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ର, କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ମିଳିବ । କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ମିଳିବ । ଆସନ୍ତା ୨୯ ତାରିଖରେ କ୍ରୀଡା ଦିବସ ଉପଲକ୍ଷେ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସ୍ଥା ଭୋଟରେ ବାଜି ମାରିଲେ ନୀତୀଶ କୁମାର, ୧୬୪ ବିଧାୟକ ଦେଲେ ସମର୍ଥନ

ପାଟଣା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ଜେଡିୟୁ-ଆରଜେଡି ମହାମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ସରକାରକୁ ୧୬୪  ଜଣ ବିଧାୟକ ସମର୍ଥନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ପ୍ରାମାଣ କରିଥିଲେ ନୀତିଶ। ନିକଟରେ ସେ ବିଜେପି ହାତ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ ସହ ସରକାର ଗଠନ କରିଥିଲେ। ଏବଂ ଅଷ୍ଟମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବିଧାନସଭାରେ ଆସ୍ଥା ଭୋଟ୍ ଉପ ସ୍ଥାପନ କରି ନୀତୀଶ କୁମାର କାହିଁକି ବିଜେପି ସହ ସମ୍ପର୍କ ଭାଙ୍ଗିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ନାମ ନ ନେଇ ସେ କେନ୍ଦ୍ର ସରକାର ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କରିଥିଲେ। ବିଜେପିର ବର୍ତ୍ତମାନର କେନ୍ଦ୍ରୀୟ ନେତୃତ୍ୱକୁ ସମାଲୋଚନା କରି ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପ୍ରଶଂସା କରିଥିଲେ ନୀତୀଶ। ତେବେ ନୀତୀଶଙ୍କ ଅଭିଭାଷଣ ବେଳେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରି ଅନେକ ହୋ ହାଲ୍ଲା କରିଥିଲେ ଓ ପରେ କକ୍ଷ ତ୍ୟାଗ କରିଥିଲେ।

ଏହାପୂର୍ବରୁ ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସମ୍ବୋଧନରେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ ଯେଉଁଠାରେ ବିଜେପି କ୍ଷମତାରେ ନାହିଁ ସେଇଠି ସିବିଆଇ, ଇଡି ଏବଂ ଆଇଟିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଏ।  ଆଜି କନଫିଡେନ୍ସ ମୋସନରେ ହୋଇଥିବା ବିତର୍କରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଭାଗ ନେଇ ନୂଆ ପାର୍ଟନରସିପ ଏକ ଐତିହାସିକ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହି ଇନିଂସ କେବେ ଶେଷ ହେବନି। ଏହା ଐତିହାସିକ ହେବ।  ଆମ ଯୋଡ଼ି ଲମ୍ବା ସମୟ ଧରି କାଏମ ରହିବ ବୋଲି କହିଥିଲେ ତେଜସ୍ୱୀ।

ସ୍ୱାମୀକୁ ହତ୍ୟା କରି ପ୍ରେମିକ ସହ ପଳାଇଲେ ସ୍ତ୍ରୀ !

କେନ୍ଦ୍ରାପଡ଼ା: ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ବାପାଙ୍କୁ ହରାଇ କାନ୍ଦୁଛନ୍ତି ପୁଅ ଝିଅ । ହେଲେ ପିଲା ଛୁଆଙ୍କ ସହିତ ସମ୍ପର୍କ ଛିନ୍ନ କରି ପ୍ରେମିକ ହାତ ଧରି ପଳାଇଗଲେ ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଭାମଣ୍ଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।

ସୂଚନା ଅନୁସାରେ, ଭାମଣ୍ଡ ଗାଁର ରଙ୍ଗାଧର ଦାସ ଜଣେ ପୂଜକ । ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ଚାଲୁଥିଲା ପରିବାର । ହେଲେ ରଙ୍ଗାଧରଙ୍କ ପତ୍ନୀଙ୍କ ସହ ସେହି ଗାଁର ଅସିତ ଶତପଥିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରଙ୍ଗାଧରଙ୍କ ଅନୁପସ୍ଥିତିରେ ବାରମ୍ବାର ଘରକୁ ଆସୁଥିଲେ ଅସିତ୍ । ମା’ର ଏଭଳି ଅନୈତିକ ସମ୍ପର୍କକୁ ପୁଅ ଓ ଝିଅ ଜାଣିବା ପରେ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ମା’ ଓ ପ୍ରେମିକ ମିଶି ସେମାନଙ୍କୁ ମାଡ଼ ମାରିବା ସହ ବାପା ରଙ୍ଗାଧରଙ୍କୁ ମାରିଦେବା ପାଇଁ ଧମକ ଦେଇ ଆସୁଥିଲେ । ଗତ ୧୭ ତାରିଖ ଦିନ ରଙ୍ଗାଧର ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ପତ୍ନୀ ତାଙ୍କ ସହ ଝଗଡ଼ା କରୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ରଙ୍ଗାଧରଙ୍କ ଖୋଜଖବର ମିଳିନଥିଲା । ଏନେଇ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ରାଜକନିକା ଥାନାରେ ଅଭିଯୋଗ କରିଥିଲେ । ଆଉ ଏହାର ୫ ଦିନ ପରେ ଗାଁ ନିକଟସ୍ଥ ଜୋର ନିକଟରୁ କ୍ଷତାକ୍ତ ମୃତ ଦେହକୁ ଉଦ୍ଧାର କରିଥିଲା ପୋଲିସ ।

ସବୁଠୁ ବଡ଼କଥା, ଗୋଟିଏ ପଟେ ମଶାଣିରେ ସ୍ୱାମୀର ଚିତା ଲିଭିନଥିବା ବେଳେ ସ୍ତ୍ରୀ ୪ ପିଲାଙ୍କୁ ଛାଡି ପ୍ରେମିକର ହାତଧରି ପଳାଇଥିଲା। ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିବ ବୋଲି କହିଛନ୍ତି ରାଜକନିକା ଆଇଆଇସି।