‘ବିଜେପି କେବଳ ଡ୍ରାମା କରୁଛି, ବୀମା କମ୍ପାନୀଠୁ କୋଟି କୋଟି ଟଙ୍କା ଖାଉଛି’

1 min read

ଭୁବନେଶ୍ୱର: ବିଜେପିର ଏଭଳି ଡ୍ରାମାକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଲୋକେ କହନ୍ତି ବିଜେପି ଅର୍ଥ ହେଲା ଭାରତୀୟ ଯାତ୍ରା ପାର୍ଟି । ତାହା ଆଜି ପ୍ରମାଣିତ ହେଲା । ଆଜି ଓଡ଼ିଶାବାସୀ ଓ ପଦମପୁରବାସୀଙ୍କୁ ବିଜେପି ଯାତ୍ରା ଦେଖାଇଲା । ଯାତ୍ରା କଲେ, ତା’ପରେ ଚାଷୀଙ୍କ ସହ ଆଲୋଚନା କଲେ । ଶୋଭାଯାତ୍ରା ପୂର୍ବରୁ ସେମାନେ କ’ଣ ଜାଣି ନଥିଲେ ଚାଷୀ କେଉଁଥି ପାଇଁ ସତ୍ୟାଗ୍ରହ କରିଥଲେ ?

ବଡ଼ବଡ଼ ଭାଷଣ ଦେଲେ, ଗଲେ ନାମାଙ୍କନପତ୍ର ଦାଖଲ କରିବାକୁ । ହେଲେ କହିଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଆଜି ଆମେ ନାମାଙ୍କନ ଦାଖଲ କଲୁ ନାହିଁ । କିନ୍ତୁ ଏହି ଉପନିର୍ବାଚନରେ କରିବେ ନାହିଁ ବୋଲି କହିନାହାନ୍ତି । ସେମାନେ ନାମାଙ୍କନ ନିଶ୍ଚିତ ଦାଖଲ କରିବେ । ଆଜି କେବଳ ଡ୍ରାମା କଲେ । ବୀମା କମ୍ପାନୀଠାରୁ କୋଟି କୋଟି ଟଙ୍କା ଖାଉଛନ୍ତି । ଏଠି ରାଜ୍ୟ ସରକାରଙ୍କୁ ଖାଲି ଦୋଷ ଦେଉଛନ୍ତି।

ତେଣୁ ପଦମପୁରବାସୀ ଏହାକୁ ହୃଦୟଙ୍ଗମ କରିବେ, ବିଜେପିକୁ ବିଶ୍ୱାସ କରିବେ ନାହିଁ l ଏମାନେ ୪୨୦ ନୁହଁ, ୮୪୦ର ଠକ l ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାରୀ କରିବା କେନ୍ଦ୍ରର କାମ । ତାଙ୍କୁ ସବୁ ଜଣା l ହେଲେ ସେମାନେ କରୁନାହାନ୍ତି l କେନ୍ଦ୍ରମନ୍ତ୍ରୀ କହିଥିଲେ, ଆମେ ଯାହା କହୁ ତାହା କରୁ l କୁଆଡ଼େ ଗଲା ସଭିଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଜମା, କୁଆଡେ ଗଲା ୨କୋଟି ନିଯୁକ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି l.