ଲିଭ-ଇନ-ପାର୍ଟନରକୁ ୩୫ ଖଣ୍‌ଡ କଲେ; ଜଙ୍ଗଲରେ ଫୋପାଡିଲେ

1 min read

ନୂଆଦିଲ୍ଲୀ: ଲିଭ-ଇନ-ପାର୍ଟନରକୁ ନିର୍ମମ ହତ୍ୟା । ରାଜଧାନୀରେ ପ୍ରେମିକାକୁ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ୬ମାସ ତଳେ ହୋଇଥିବା ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକ ଅଫତାବ ଆମିନ ପୁନଓ୍ବାଲା ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ଅଫତାବ ଓ ଶ୍ରଦ୍ଧା ଦିଲ୍ଲୀ ମେହରୁଲିରେ ଏକ ଫ୍ଲାଟ ଭଡ଼ା ନେଇ ରହୁଥିଲେ । ବାହା ହେବା ପାଇଁ ଶ୍ରଦ୍ଧା ଜିଦ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ଗତ ମେ ୧୮ ତାରିଖରେ ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଶ୍ରଦ୍ଧାଙ୍କ ଗଳାକାଟି ହତ୍ୟା କରିଥିଲା ଅଫତାବ । ଏହାପରେ ଶରୀରକୁ ୩୫ ଖଣ୍ଡ କରି କାଟିବା ସହ ଏକ ଫ୍ରିଜରେ ରଖିଥିଲା ।

ପ୍ରତ୍ୟେକ ରାତି ୨ଟାରେ ଘରୁ ବାହାରି ମୃତଦେହକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ୧୮ ଦିନ ଧରି ମୃତଦେହ ଫିଙ୍ଗିଥିବା ପୋଲିସ ଆଗରେ ଅଭିଯୁକ୍ତ ମାନିଛି । ପୋଲିସ କହିଛି, ମୁମ୍ବାଇର ଏକ ଏମଏନସିର କଲସେଣ୍ଟରରେ ଶ୍ରଦ୍ଧା କାମ କରୁଥିବା ବେଳେ ଅଫତାବ ମଧ୍ୟ ସେଠାରେ କାମ କରୁଥିଲେ। ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା । ତେବେ ଶ୍ରଦ୍ଧାଙ୍କ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ସ୍ବୀକୃତି ନଦେବାରୁ ଉଭୟ ଦିଲ୍ଲୀ ଚାଲି ଆସି ଲିଭ-ଇନ୍‌ ରେ ରହୁଥିଲେ।

କିଛି ଦିନ ପରେ ଶ୍ରଦ୍ଧା ଫୋନ୍ ଉଠାଇବା ବନ୍ଦ କରିଦେବାରୁ ତାଙ୍କ ବାପା ଗତ ନଭେମ୍ବର ୮ତାରିଖରେ ଦିଲ୍ଲୀ ଆସି ତାଙ୍କ ଫ୍ଲାଟକୁ ଯାଇଥିଲେ । ଫ୍ଲାଟରେ ତାଲା ଝୁଲୁଥିବାରୁ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ବାପା । ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ ପୋଲିସ ଏହି ଜଘନ୍ୟ କାଣ୍ଡ ସମ୍ପର୍କରେ ଜାଣିପାରିଛି ।