ଭୁବନେଶ୍ୱର: ଦାଦାବଟି ପାଇଁ ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବିଚ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ପୂରା ଅଞ୍ଚଳରେ ଆତଙ୍କ ଖେଳାଇଲେ । ଚକେଇସିଆଣି ଅଞ୍ଚଳରେ ଘଟିଛି ଏହି ଘଟଣା । ଜଣେ ଫାଷ୍ଟଫୁଡ ବ୍ୟବସାୟୀଙ୍କୁ ୪ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ଜୀବନ ଜ୍ୟୋତି ମହାନ୍ତି । ଦାଦବଟି ନ ଦେବାରୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି ଜ୍ୟୋତି । ଜ୍ୟୋତି ଏବେ ମେଡିକାଲରେ ଚିକିତ୍ସିତ ହୋଉଛନ୍ତି । ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୋଲିସ ମିତ୍ର ସାମିଲ ଥିବା ସୂଚନା ମିଳିଛି ।
ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨ ଆୟୋଜିତ
କାନବେରା: ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ “ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨” ପାଳନ କରିଛନ୍ତି । କ୍ରୀଡ଼ାରେ ପାରଦର୍ଶିତା ଏବଂ ଓଡ଼ିଆ ସଂସ୍କୃତିର ମହାନତାକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ କରାଯାଇଥିବା, ଏହି ମହୋତ୍ସବକୁ ଦେଖିବା ଏବଂ ଏଥିରେ ଭାଗ ନେବା ପାଇଁ ଅଷ୍ଟ୍ରେଲିଆର ସମସ୍ତ ପ୍ରଦେଶରୁ ଶତାଧିକ ପ୍ରବାସୀ ଓଡ଼ିଆ ଆସିଥିବା ଦେଖାଯାଇଥିଲା ।

କୋଭିଡର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ) ଦ୍ବାରା ଆୟୋଜିତ ଖେଳ ଓ ସଂସ୍କୃତିର ଏହି ଅନନ୍ୟ ଓ ଅପୂର୍ବ ମିଳନ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଅହେତୁକ ଆଗ୍ରହ ଓ ଅସମ୍ଭବ ଉତ୍କଣ୍ଠା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଓରିଓଜ ର ସଭାପତି ଡଃ ନଳିନୀ ପତି ଓ କ୍ୱିନସଲ୍ୟାଣ୍ଡର ସମ୍ବିତ ଦାସଙ୍କ ଦ୍ବାରା ପରିକଳ୍ପିତ ଏହି ସମାରୋହ, ଖେଳ ଜରିଆରେ ଶାରୀରିକ ସୁସ୍ଥତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମାନସିକ ସନ୍ତୁଷ୍ଟିକୁ ସରସ, ସତେଜ ଓ ସବଳ ରଖିବା ସକାଶେ ଉଦ୍ଦିଷ୍ଟ ଥିଲା ।

ଦୁଇ ଦିନିଆ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ ଅଷ୍ଟ୍ରେଲିଆସ୍ଥିତ ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବା ସାଙ୍ଗକୁ ବ୍ୟାପକ ସଫଳତା ହାସଲ କରିଥିବାର ଖବର ମିଳିଛି । ଉତ୍ସବର ପ୍ରାରମ୍ଭରେ ଅଷ୍ଟ୍ରେଲିଆ କ୍ୟାପିଟାଲ ଟେରିଟୋରୀ(ଏ.ସି.ଟି) ଏବଂ ନିୟୁ ସାଉଥ ୱେଲସ (ଏନ.ଏସ.ଡବ୍ଲୁ) ମଧ୍ୟରେ ଓରିଓଜର ଯୁବ ଖେଳାଳିମାନଙ୍କ ଦ୍ୱାରା ଗାଉରୀ ଓଭାଲ ଠାରେ ଏକ ମଜାଦାର ତଥା ପ୍ରତିଦ୍ବନ୍ଦୀ ଟି୧୨ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଶାଶ୍ଵତ ପତିଙ୍କ ଅଧିନାୟକତ୍ଵରେ ଏ.ସି.ଟି, ଆଭାନ୍ସ ଅସିତାଭ ନାୟକଙ୍କର ନେତୃତ୍ୱାଧୀନ ଏନ. ଏସ୍. ଡବ୍ଲୁ ଟିମକୁ ମାତ୍ର ଗୋଟିଏ ରନରେ ପରାଜିତ କରିବାର ଦୃଶ୍ୟ ବେଶ ରୋମାଞ୍ଚକର ଥିଲା । କ୍ରୀଡା ଉତ୍ସବର ଦ୍ଵିତୀୟ ଦିନର ମୁଖ୍ୟ ଆକର୍ଷଣ ଅଷ୍ଟ୍ରେଲିଆନ ଓପନ ୟୁନିଭର୍ସିଟି ସ୍ପୋର୍ଟସ ଆରେନାଠାରେ ଆୟୋଜିତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଥିଲା। ଲିଗ ପର୍ଯ୍ୟାୟ ଠାରୁ ଆରମ୍ଭ କରି ଚୂଡାନ୍ତ ପ୍ରତିଯୋଗୀତା ପର୍ଯ୍ୟନ୍ତ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ପେଶାଦାରୀ ଓ ଖେଳୁଆଡ ମନୋଭାବ ସମ୍ପନ୍ନ ଥିଲା ।

ଫଳାଫଳ ଅନୁଯାୟୀ ମେନ୍ସ ଡବଲସରେ ସମ୍ବିତ ଦାସ ଓ ଧରମତେଜା ମାନସିଂହ ବିଜୟୀ ତଥା ଦେବାଶିଷ ଚୌଧୁରୀ ଓ ଅନେଶ ମହାପାତ୍ର ରନରସପ୍ ହୋଇଥିଲେ। ମିକ୍ସଡ ଡବଲସରେ ସମ୍ବିତ ଦାସ ଓ ଚିନ୍ମୟୀ ମହାନ୍ତିଙ୍କୁ ହରାଇ ଧରମତେଜା ମାନସିଂହ ଏବଂ ଆକାଂକ୍ଷା ମିଶ୍ର ବିଜୟୀ ଘୋଷିତ ହୋଇଥିଲେ । ମହିଳା ଡବଲସରେ ଚିନ୍ମୟୀ ମହାନ୍ତି ଓ ରାଧିକା ସ୍ୱାଇଁ ବିଜୟୀ ହୋଇଥିବା ବେଳେ ପ୍ରଜ୍ଞା ଜଗଦେବ ଏବଂ ମଧୁ ପାତ୍ର ରନରସଅପ୍ ହୋଇଥିଲେ । ଜୁନିଅର ଡବଲସରେ ମୁସ୍କାନ ଲେଙ୍କା ଓ ଶୁଭଶ୍ରୀ ପାତ୍ର, ଦୀପ୍ତିପ୍ରଭା ସାହୁ ଏବଂ ଆଲିସା ନାୟକଙ୍କୁ ହରାଇଥିବା ଜଣାଯାଇଛି ।

ଓରିଓଜର ସଭାପତି ଡଃ ନଳିନୀ ପତି ଓ ପୂର୍ବତନ ସଭାପତି ରାଜଶେଖର ଆଚାର୍ଯ୍ୟ ପୁରସ୍କାର ବିତରଣ କରିଥିଲେ। ଖ୍ୟାତନାମା ଖେଳାଳି ତଥା ଆନ୍ତର୍ଜାତୀୟ ସୁଟିଂ ଚମ୍ପିୟନ୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଉପସ୍ଥିତ କ୍ରୀଡା ପ୍ରେମୀମାନଙ୍କୁ ତାଙ୍କର ପ୍ରେରଣା ଦାୟୀ ଭାଷଣରେ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଓରିଓଜ ସ୍ପୋର୍ଟସ ଫେଷ୍ଟ୍ ଅବସରରେ ପିୟର୍ସ କମ୍ୟୁନିଟି ସେଣ୍ଟରଠାରେ ଓରିଓଜର ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ଵାରା ମଞ୍ଚସ୍ଥ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ମନଲୋଭା ଥିଲା ଓ ଦେଖଣାହାରୀ ମାନଙ୍କୁ ପୁରାପୁରି ଅଭିଭୂତ କରିଦେଇଥିଲା ।

ବିଶେଷ କରି ଓରିଓଜର ବାଳ କଳାକାର ମାନଙ୍କ ଦ୍ଵାରା ସୁନ୍ଦର ଓ ସୁଲଳିତ କଣ୍ଠ ସ୍ଵରରେ ପରିବେଷିତ ଓଡ଼ିଆ ଭଜନ “କି ସୁନ୍ଦର ଆହା କି ଆନନ୍ଦମୟ”, ସାଂସ୍କୃତିକ ସନ୍ଧ୍ୟାର ସ୍ଵତନ୍ତ୍ର ଆକର୍ଷଣ ଥିଲା। ଶ୍ରୋତା ମାନଙ୍କ ଦ୍ଵାରା ଯଥେଷ୍ଟ ଆଦୃତ ଏହି ଭକ୍ତି ସଙ୍ଗୀତକୁ ତରୁଣ ଅଗସ୍ତି ନିର୍ଦ୍ଦେଶନା ଦେଇଥିଲେ। ଉତ୍ସବର ଅନ୍ୟାନ୍ୟ ସାଂସ୍କୃତିକ ଉପସ୍ଥାପନା ମଧ୍ୟରେ ପ୍ରତ୍ୟେକ ପ୍ରଦେଶର ସଦସ୍ୟ ମାନଙ୍କ ଦ୍ଵାରା ପ୍ରସ୍ତୁତ କୌତୁକପ୍ରଦ ଏବଂ ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମ ମାନ ଅନ୍ତର୍ଭୁକ୍ତ ଥିଲା ।

ସାଂସ୍କୃତିକ ଅଧିବେଶନକୁ ମମତାଜ୍ ଲେଙ୍କା, ସ୍ମିତା ସାମନ୍ତରାୟ, ରୋଜାଲିନ ରାଉତ, ବାର୍ତ୍ତା ପେଣ୍ଡ୍ୟାମ, ଡଃ ରାମପ୍ରସାଦ ମହାନ୍ତି, ଚିନ୍ମୟୀ ମହାନ୍ତି ଏବଂ ମଧୁମିତା ସ୍ୱାଇଁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ଗୁଡିକୁ ଦକ୍ଷ ଉପସ୍ଥାପକ ମମତାଜ ଲେଙ୍କା, ଡ଼ଃ ରାମପ୍ରସାଦ ମହାନ୍ତି, ଚିନ୍ମୟୀ ମହାନ୍ତି, ଧରମତେଜା ମାନସିଂହ, ପ୍ରିସା ମହାପାତ୍ର, ପ୍ରତ୍ୟୁଷା ମାହୁନ୍ତ, ଶାଶ୍ଵତ ପତି ଓ କ୍ରିସ୍ ମେହେର ଖୁବ ସୁନ୍ଦର ତଥା ସ୍ଵଭାବ ସୁଲଭ ଢଙ୍ଗରେ ସଂଯୋଜନା କରିଥିଲେ। ଓଲିଉଡ଼ ତାରକା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁଙ୍କର ଅନଲାଇନ୍ ଜରିଆରେ ଯୋଗଦାନ ଦର୍ଶକମାନଙ୍କୁ ଉଲ୍ଲସିତ କରିଦେଇଥିଲା ।

ଉତ୍ସବର ଉଦଘାଟନୀ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ହାଇକମିଶନର ମହାମାନ୍ୟ ଶ୍ରୀ ମନପ୍ରିତ୍ ଭୋରା ସାରା ବିଶ୍ୱରେ ବ୍ରାଣ୍ଡ ଭାରତକୁ ଲୋକପ୍ରିୟ କରିବାରେ ଓଡିଶା ଓ ଓଡ଼ିଆ ମାନଙ୍କର ଭୂମିକା ବେଶ ପ୍ରଭାବଶାଳୀ ବୋଲି କହିଥିଲେ । ସମାବେଶକୁ ସମ୍ବୋଧନ କରି ଓରିଓଜ ର ସଭାପତି ଡଃ ନଳିନୀ ପତି ଶରୀରକୁ ସୁସ୍ଥ ରଖିବା ପାଇଁ ଖେଳକୁଦ ଏବଂ ମାନସିକ ସନ୍ତୁଳନ ରକ୍ଷା ପାଇଁ ସାଂସ୍କୃତିକ ଆଦାନପ୍ରଦାନର ଯଥେଷ୍ଟ ଆବଶ୍ୟକତା ରହିଥିବା ସୂଚାଇଥିଲେ।

ଅଷ୍ଟ୍ରେଲିଆର ବହୁବିଧ ସାଂସ୍କୃତିକ ବ୍ୟାପାର ବିଭାଗର ଛାୟାମନ୍ତ୍ରୀ ପିଟର କେନ୍ ଉପସ୍ଥିତ ଥିଲେ। ସମଗ୍ର ମହୋତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ଓରିଓଜର ସୁଦକ୍ଷ ସଂଗଠକ ଯଥା ସମ୍ବିତ ଦାସ, ମମତାଜ ଲେଙ୍କା, ମନୋଜ ଲେଙ୍କା, ସଭାପତି ଡଃ ନଳିନୀ ପତିଙ୍କ ନେତୃତ୍ୱରେ ଓରିଓଜର ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ଓରିଓଜ ଇଙ୍କର କାନବେରାସ୍ଥିତ ପରିବାର ବୃନ୍ଦଙ୍କର ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା।
ରାୟଗଡା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନିଲମ୍ବିତ
ରାୟଗଡ଼: ରାୟଗଡ଼ା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଯମୁନା ବେହେରାଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ତରଫରୁ ସସପେଣ୍ଡ ହୋଇଥିବା କୁହାଯାଇଛି। କାର୍ଯ୍ୟରେ ଅବହେଳା ଓ ଅନିୟମିତତା ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି। ଯାହାକି ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି।
ସସପେଣ୍ଡ ପରେ ତାଙ୍କୁ ଭୁବନେଶ୍ବର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ହେଡକ୍ୱାଟର୍ସକୁ ଫିକ୍ସ କରାଯାଇଛି । ସେ ରାୟଗଡ଼ା ଡିଭିଜନ -୧ ରେ କାର୍ଯ୍ୟରତ ଥିଲେ । ମୁଖ୍ୟତଃ ଟେଣ୍ଡର ଜାଲିଆତି ଓ ଏହାର ତଦନ୍ତ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି ।
ବନ୍ଧା ହେଲେ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ଜୟଦୀପ ରାହା
ଭୁବନେଶ୍ୱର: ଲୋଭ ଦେଖାଇ ଲୁଟୁଥିଲେ । ଅଧିକ ସୁଧ ପ୍ରଲୋଭନରେ ଲୋକଙ୍କୁ ମାରୁଥିଲେ ଚୂନ । ବନ୍ଧା ହେଲେ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ଜୟଦୀପ ରାହା । ଆମ୍ବିସିୟସ ଡାଇଭର୍ସି ଫାଏଡ ପୋଜେକ୍ଟ ଲିମିଟେଡ ଓ କୋଲକାତା OAK ଇଣ୍ଡିଆ ମଲଟି ଷ୍ଟେଟ କ୍ରେଡିଟ କୋପରେଟିଭ ସୋସାଇଟି ନାଁରେ ସଂସ୍ଥା ଖୋଲି ଲୋକଙ୍କୁ ଠକୁଥିଲେ ଜୟଦୀପ । ଅଭିଯୋଗ ଅନୁସାରେ ୨୦୧୦ ରୁ ୨୦୧୪ ମଧ୍ୟରେ ଓଡ଼ିଶାର ୧୯୬୮ ଜଣଙ୍କଠାରୁ ଟଙ୍କା ଠକିନେଇଥିଲା ସଂସ୍ଥା ।
ଜମାକାରୀଙ୍କଠାରୁ ଲୁଟିଥିଲେ କୋଟି କୋଟି ଟଙ୍କା । ୨୦୧୧ ଓ ୧୨ ରେ କୋଟିଏ ୮୩ ଲକ୍ଷ ଟଙ୍କା ଜେଟେକ୍ସ ଓସିଏନାର ପ୍ରାଇଭେଟ ଲିମିଟେଡକୁ ପଠାଇ ଦେଇଥିଲେ ଠକ ସଂସ୍ଥା । ତଦନ୍ତ ବେଳେ ଜୟଦୀପ ରାହା ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପୂର୍ବରୁ ସଂସ୍ଥାର ୪ ଜଣ ଡାଇରେକ୍ଟରଙ୍କୁ ଗିରଫ କରିଥିଲା ଇଓଡବ୍ଲୁ ।
ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଯିବନି ଭାରତୀୟ ଦଳ: ବିସିସିଆଇ
ମୁମ୍ବାଇ: ଏସିଆ କପ୍ ୨୦୨୩କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ଼ ପଦକ୍ଷେପ ଗ୍ରହଣ କରିଛି । ୨୦୨୩ ଏସିଆ କପ୍ ପାକିସ୍ତାନରେ ହେବାକୁ ଯାଉଛି । ପୂର୍ବରୁ ଭାରତ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ଯିବ ବୋଲି କୁହାଯାଉଥିଲା । ହେଲେ ଏହାକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ଭାରତୀୟ କ୍ରିକେଟ ଦଳ ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବନାହିଁ । ବିସିସିଆଇ ସଚିବ ଜୟ ଶାହ ଏନେଇ ସୂଚନା ଦେଇଛନ୍ତି ।
ସେହିପରି ଶାହ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଦଳ ଏସିଆ କପ ମୁକାବିଲା ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବା ପାଇଁ ପ୍ରସ୍ତୁତ ଅଛି । ଅର୍ଥାତ ପାକିସ୍ତାନ ବ୍ୟତିତ ଅନ୍ୟ କୌଣସି ବି ସ୍ଥାନରେ ଭାରତୀୟ ଟିମ୍ ଖେଳିବା ପାଇଁ ପ୍ରସ୍ତୁତ ଅଛି । ମଙ୍ଗଳବାର ମୁମ୍ବାଇରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି ।
ବିସିସିଆଇ ଆଗାମୀ ବର୍ଷ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରିତ କରିବା ଉପରେ ବିଚାର କରିବ । ବିସିସିଆଇ ସଚିବ ଏବଂ ଏସିସିସର ଅଧ୍ୟକ୍ଷ ଜୟ ଶାହ କହିଛନ୍ତି, ଏସିଆ କପ୍କୁ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବା ପାଇଁ ପ୍ରସ୍ତାବ ଦିଆଯିବ ଏବଂ ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବୁ ନାହିଁ ।
ସୂଚନାଥାଉକି, ଭାରତ ଏବଂ ପାକିସ୍ତାନ ଦଳ ୨୦୧୨-୧୩ ପରଠୁ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍ ଖେଳିନାହିଁ । ଟି-୨୦ ବିଶ୍ୱକପରେ ପାକିସ୍ତାନ ସହ ଭାରତର ମୁକାବିଲା ୨୩ ଅକ୍ଟୋବରରେ ଅଛି । ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହେବାକୁ ଯାଉଛି । ସମସ୍ତଙ୍କ ନଜର ଏହି ମ୍ୟାଚ୍ ଉପରେ ରହିଛି ।

