ବିଜେପିର ଅଭିଯୋଗ- ଭାରତ ଯୋଡ଼ୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା, କଂଗ୍ରେସ କହିଲା ବଦନାମ କରିବାକୁ ଷଡ଼ଯନ୍ତ୍ର

1 min read

ଭୋପାଳ: ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ବିବାଦ ଦେଖା ଦେଇଛି । ବିଜେପି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଭର୍ତ୍ସନା କରିଛି । ବିଜେପି ଅଭିଯୋଗ କରିଛି ଯେ, ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହାର ପାଲଟା ଜବାବ ଦେଇଛି । କଂଗ୍ରେସ କହିଛି ଭାରତ ଯୋଡ ଯାତ୍ରାର ସଫଳତା ଦେଖି ବିଜେପି ଭୟଭୀତ ହୋଇଛି । କଂଗ୍ରେସକୁ ବଦନାମ କରିବାକୁ ମିଛ ଭିଡିଓ ଜାରି କରିଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିବା ଲୋକଙ୍କୁ କୌଣସି ବି ସ୍ଥିତିରେ ଛଡ଼ାଯିବ ନାହିଁ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିବରାଜଙ୍କ ବ୍ୟତୀତ ବିଜେପିର ଅନେକ ନେତା ସାମାଜିକ ଗଣାଧ୍ୟମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ମଧ୍ୟପ୍ରଦେଶରେ ଶୁକ୍ରବାର ତୃତୀୟ ଦିନ ଥିଲା । ଯାତ୍ରା ଖରଗୋନ ଜିଲ୍ଲା ଦେଇ ଯାଉଛି ।

ଏଥିରେ ପ୍ରିୟଙ୍କା ଗାନ୍ଧି, ତାଙ୍କ ସ୍ୱାମୀ ରବର୍ଟ ବାଡ୍ରା, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଦିଗବିଜୟ ସିଂହ ସମେତ ଅନେକ ବରିଷ୍ଠ ନେତା ସାମିଲ ଅଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି ଲେଖିଛନ୍ତି ଭାରତ ଯୋଡୋ ଯାତ୍ରାକୁ ମିଳିଥିବା ସମର୍ଥନକୁ ନେଇ ବିଜେପି ବିଚଳିତ ହୋଇଛି । କଂଗ୍ରେସକୁ ବଦନାମ କରିବାକୁ ଭିଡିଓ ଏଡିଟ କରି ଚଲାଉଛି । ଆମେ ଏହା ବିରୋଧରେ ଆଇନର ଆଶ୍ରୟ ନେବୁ । କଡ଼ା ଜବାବ ଦିଆଯିବ ।

ସେପଟେ ବିଜେପିର ମଧ୍ୟପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କହିଛନ୍ତି, ଖରଗୋନରେ ରାହୁଲ ଗାନ୍ଧିଙ୍କ ବାରତ ଯୋଡୋ ଯାତ୍ରାରେ ଖୁଲମ ଖୁଲା ପାକିସ୍ତାନ ଜିନ୍ଦାବାଦ ନାରା ଦ୍ୱାରା କଂଗ୍ରେସର ଦେଶ ଭାଙ୍ଗିବା ମାନସିକତା ପୁଣିଥରେ ଉଜାଗର ହୋଇଛି । ଏହା ଲଗାତାର ପ୍ରମାଣିତ ହୋଇଛି । ଏହା ବାରମ୍ବାର ପ୍ରମାଣିତ ହେଉଛି କି ଏହା ଭାରତ ତୋଡୋ ଯାତ୍ରା ଅଟେ । ଏହି ନିନ୍ଦନୀୟ କୃତ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ଦେଶକୁ କ୍ଷମା ମାଗିବା ଆବଶ୍ୟକ ।

ତେବେ ବିଜେପି ପୋଷ୍ଟ କରିଥିବା ଭିଡିଓ ଟି କେତେ ସତ କେତେ ମିଛ ସେନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଗୋଟିଏ ପଟେ ପାକିସ୍ତାନ ଜିନ୍ଦାବାଦର ନାରା ଲାଗୁଥିବା ଭିଡିଓ ବିଜେପି ପୋଷ୍ଟ କରିଥିବା ବେଳେ କଂଗ୍ରେସ ଜବାବରେ ଆଉ ଏକ ଭିଡିଓ ପୋଷ୍ଟ କରିଛି । କଂଗ୍ରେସ ପୋଷ୍ଟ କରିଥିବା ଭିଡିଓରେ ରାହୁଲ ଗାନ୍ଧି ଜିନ୍ଦାବାଦ ଓ କଂଗ୍ରେସ ଜିନ୍ଦାବାଦ ଅଡିଓ ଶୁଣାଯାଉଛି । ହେଲେ ବିଜେପି ଓ କଂଗ୍ରେସ ପୋଷ୍ଟ କରିଥିବା ଭିଡିଓ ସମାନ ରହିଛି କେବଳ ଅଡିଓ ପାର୍ଥକ୍ୟ ରହିଛି । ଏହାର ଯାଞ୍ଚ ପରେ ଜଣାପଡ଼ିବ କେଉଁଟି ସତ ଆଉ କେଉଁଟି ମିଛ ।